କବିତା

ପ୍ରଭୁଙ୍କ ଅମୃତ ବାଣୀରେ

Manmath Kumar Dalei's odia poem Prabhunka Amruta Baanire

ପ୍ରଭୁଙ୍କ ବାଙ୍କ ଚାହାଁଣୀରେ
ପଙ୍କରୁ ଜନମ ହୁଏ ପବିତ୍ର ପଙ୍କଜ,
ବିଷ ପାଲଟିଯାଏ ସୁସ୍ୱାଦୁ ଅମୃତ,
ପଙ୍ଗୁ ଲଙ୍ଘିପାରେ ମହା ଗିରିଶୃଙ୍ଗ,
ମୁକ ଗାଇପାରେ ଶ୍ରୀଗୀତଗୋବିନ୍ଦ ।

ପ୍ରଭୁଙ୍କ ଅମୃତ ବାଣୀରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଧୋଇଯାଏ ଜୀବନର ଯେତେସବୁ ଆବର୍ଜନା,
ସମୃଦ୍ଧ ହୁଏ ମାନବିକତାର ଭବ୍ୟ ମାନଦଣ୍ଡ,
ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଏ ଘୃଣାର ବିସ୍ତିର୍ଣ୍ଣ ପ୍ରାଚୀର,
ଫର ଫର ହୋଇ ଉଡେ ଅହିଂସାର ପବିତ୍ର କେତନ ।

ପ୍ରଭୁଙ୍କ ଅଭୟ ଆଶୀର୍ବାଦରେ
ବହୁଥାଏ ଭ୍ରାତୃତ୍ବର ମୃଦୁମନ୍ଦ ଶୀତଳ ସମୀରଣ,
ସତେଜ ହୁଏ ବସୁଧା ସମ୍ପର୍କର ସୌମ୍ୟ ସବୁଜିମାରେ,
ଆଖିରେ ସପନ ହୋଇ ଚିର ବସା ବାନ୍ଧେ
ବାତ୍ସଲ୍ୟ ମମତାର ସୁମଧୁର ମଙ୍ଗଳା ଚରଣ,
ସତ୍ୟଂ ଶିବଂ ସୁନ୍ଦରଂ ଭାବର ସ୍ୱାଗତ ସଂଗୀତ ।

ପ୍ରଭୁଙ୍କ ବାଙ୍କ ଚାହାଁଣୀରେ
ପଙ୍କରୁ ଜନମ ହୁଏ ପବିତ୍ର ପଙ୍କଜ,
ବିଷ ପାଲଟିଯାଏ ସୁସ୍ୱାଦୁ ଅମୃତ,
ପଙ୍ଗୁ ଲଙ୍ଘିପାରେ ମହା ଗିରିଶୃଙ୍ଗ,
ମୁକ ଗାଇପାରେ ଶ୍ରୀଗୀତଗୋବିନ୍ଦ ।

ପ୍ରଭୁଙ୍କ ସୁକୋମଳ ପଦୁଅଁ ପାଦରେ
ଦେବାନାହିଁ ଆଉ କଣ୍ଟାର ନିର୍ମମ ଆଘାତ,
ଧୋଇବାନି ତାକୁ ଢାଳି ଆଖିର ଲୋତକ,
ଏବେ ଆସିଛି ଏକ ନୂତନ ଆହ୍ୱାନ
ସେ ପାଦର ଧୂଳି ଦେହସାରା ବୋଳି
ଝୁମି ଝୁମି ନାଚି ନାଚି ଗାଇବାକୁ ଜୀବନର ମହାମନ୍ତ୍ର,
ଦୁଇ ହସ୍ତ ଟେକି ସମର୍ପିଦେବାକୁ ଆତ୍ମା ଓ ହୃଦୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top