ପାଠପଢ଼ା ପରେ
ଫେରିଆସି ଘରେ
ବହି ବସ୍ତାନିକୁ
ସ୍କୁଲ ପୋଷାକକୁ
ଛାଡ଼ି ଯାଏ,
ଖେଳ ପଡ଼ିଆରେ
ଖେଳାଳି ମେଳରେ
ଚଟାପଟ୍ ଆସି
ମିଶିଯାଏ ।
ସକାଳ ପହରୁ
ଆସିଅଛି ଘରୁ,
ବନିସି ପକାଇ
ରହିଅଛି ଚାହିଁ
ଟୋକାଟାଏ,
ଛାଇ ଲେଉଟିଲା,
ଥୋପ ସରିଗଲା,
ନ ପଡ଼ିଲା ଛୋଟ
ମାଛଟାଏ ।
ଆକାଶରେ ପକ୍ଷୀ
ଦୁଇ ଡେଣା ଟେକି
ମନ ହରଷରେ
ଆପଣା ବସାରେ
ଫେରୁଥାଏ,
ପାଟିରେ ଆହାର
ଛୁଆ ପାଇଁ ତା’ର
ଅତି ଯତନରେ
ଧରିଥାଏ ।
ହରିଣ ପଛରେ
ଭୋକିଲା ପେଟରେ
ବାଘ କି ବେଗରେ
ଶିକାର ଆଶାରେ
ଛୁଟୁଥିଲା,
ପ୍ରାଣ ବିକଳରେ
ଦଉଡ଼ି ବେଗରେ
ହରିଣଟା କାହିଁ
ପଳାଇଲା ।
ଗୁଡ଼ରେ ପିମ୍ପୁଡ଼ି,
ଫଳରେ ବାଦୁଡ଼ି,
ଫୁଲେ ମହୁମାଛି,
ଅସନାରେ ମାଛି
ମନ ଥାଏ,
ପାଇଗଲେ ସୁଖୀ,
ନ ପାଇଲେ ଦୁଃଖୀ,
ସବୁ ଜୀବଙ୍କର
ରୀତି ଇଏ ।
