ଗଳ୍ପ

ଭାଇ ପାଇଁ

Kanishtha Kishore Sahu's odia story for children Bhaai Paain

ଜଗବନ୍ଧୁ ବାବୁ ଖୋଜି ଖୋଜି ଜଗନ୍ନାଥ ମନ୍ଦିର ପଟକୁ ଯିବା ବେଳେ ଅନ୍ଧାରରେ ରାଜୁକୁ ବସିଥିବା ଦେଖିଲେ । ତାକୁ କିଛି କହିଲେ ନାହିଁ ।

ଭାଇ ପାଇଁ

ଆଠ ବର୍ଷର ରାଜୁ । ଦେଢ଼ ବର୍ଷର ସାନ ଭାଇ ଛତା ମଶାରୀ ଭିତରେ ଶୋଇଥିବା ବେଳେ ଖଟର ଅନ୍ୟ ମୁଣ୍ଡରେ ଜଗି ବସିଥାଏ । ସେତେବେଳେ ମାଆ ଘରେ ରନ୍ଧାରନ୍ଧି କରୁଥାନ୍ତି । ଖଟର ଅନ୍ୟ ମୁଣ୍ଡରେ ଛତା ମଶାରୀକୁ ଲାଗି ନୂଆ ଟର୍ଚ୍ଚଲାଇଟ୍‌ଟା ଥାଏ । ଲାଇଟ୍‌ଟା ମଶାରୀକୁ ଲାଗି କରି ଥିବାରୁ ସେଠାରେ ଫାଙ୍କଥିଲା । ଫାଙ୍କ ଦେଇ ମାଛି ଗୁଡ଼ାକ ପଶି ଆସି ସାନ ଭାଇର ମୁହଁରେ ବସୁଥିବାରୁ ରାଜୁ ମଶାରୀକୁ ସଜାଡ଼ି ବସିଲା । ସେତେବେଳକୁ ଅସାବଧାନତା ଯୋଗୁଁ ଲାଇଟ୍‌ଟା ତଳେ ପଡି ଭାଙ୍ଗିଗଲା ।

ଲାଇଟ ପଡ଼ିବାର ଶବ୍ଦ ଶୁଣି ମାଆ ରନ୍ଧାଘରୁ ଦୌଡ଼ି ଆସିଲେ । ଦେଖିଲେ ଦାମିକିଆ ଲାଇଟ୍‌ଟା ତଳେ ପଡ଼ି ଭାଙ୍ଗି ଚୁର୍‌ମାର ହୋଇ ଯାଇଛି । ଜାଣିଲେ ସବୁ ରାଜୁର ଦୋଷ । ଆଉ କିଏ ସମ୍ଭାଳେ । ଧଡ଼ ଧଡ଼ ଦି’ ଚାରି ଚାପୁଡ଼ା ରାଜୁର ଗାଲରେ କଷିଦେଲେ । ରାଜୁ କିଛି କହିବା ଦେଖି ଆହୁରି ରାଗରେ ପୁଣି ଦି’ ଚାପୁଡ଼ା କଷି ଦେଲେ ।

ବିଚରା ରାଜୁ ଏ ସାଧାରଣ ଦୋଷ ପାଇଁ ଦଣ୍ଡ ପାଇ ମନ ଦୁଃଖ କଲା । ସେ ସିଧା ଯାଇଁ ଗାଁ’ର ଜଗନ୍ନାଥ ମନ୍ଦିରର ବାରଣ୍ଡାରେ ଚୁପ୍‌ଚାପ୍‌ ବସି ରହିଲା । ସାଙ୍ଗମାନେ ତା ଅବସ୍ଥା ଦେଖି କିଛି ପଚାରିବାରୁ କିଛି ନାହିଁ ବୋଲି କହିଲା ।

ସନ୍ଧ୍ୟା ହେଲା । ରାଜୁ ଘରେ ନ ଥିବା ଦେଖି ମାଆ ବ୍ୟସ୍ତ ହେଲେ । ରାଜୁର ମାଆ ଠାରୁ ସବୁକଥା ଶୁଣି ରାଜୁର ବାପା ‘ ଜଗବନ୍ଧୁ ବାବୁ ଖୁବ୍‌ ଡରିଗଲେ । ଭାବିଲେ ପିଲାଟା ତା ମାଆ ଠାରୁ ମାଡ଼ ଖାଇ କୁଆଡ଼େ ଚାଲି ଯାଇଥିବ । ରାଜୁ ସେତେଟା ଅମାନିଆ ପିଲା ନ ଥିବାରୁ କାହାଘରେ କିମ୍ବା କାହା ପିଣ୍ଢାରେ ରୁଷି ବସିଥିବ ବୋଲି ତାଙ୍କର ବିଶ୍ୱାସ ଥିଲା ।

ଜଗବନ୍ଧୁ ବାବୁ ଖୋଜି ଖୋଜି ଜଗନ୍ନାଥ ମନ୍ଦିର ପଟକୁ ଯିବା ବେଳେ ଅନ୍ଧାରରେ ରାଜୁକୁ ବସିଥିବା ଦେଖିଲେ । ତାକୁ କିଛି କହିଲେ ନାହିଁ । ତା ପାଇଁ ପାଞ୍ଚଟା ଚକ୍‌ଲେଟ କିଣିଦେଇ ତାକୁ ଦେଲେ, ଘରକୁ ଡାକି ଆଣିଲେ । ରାଜୁ ମଧ୍ୟ ଚକ୍‌ଲେଟ ପାଇ ବାପାଙ୍କ ସହ ଘରକୁ ଫେରି ଆସିଲା ।

ଘରେ ପହଞ୍ଚିବା ପରେ ଜଗବନ୍ଧୁ ବାବୁ ରାଜୁକୁ କୋଳରେ ବସାଇ ଲାଇଟ୍‌ଟା କିପରି ଭାଙ୍ଗିଗଲା ବୋଲି ପଚାରିଲେ । ରାଜୁ କହିଲା “ମଶାରୀ ଫାଙ୍କରୁ ମାଛି ଗୁଡାକ ଆସି ବିଜୁର ମୁହଁରେ ବସୁଥିଲେ । ମୁଁ ଟିକିଏ ସଜାଡି ଦେବାରୁ ମଶାରୀ ପାଖରେ ଥିବା ଲାଇଟ୍‌ଟା ପଡ଼ିଯିବ ବୋଲି ମୁଁ ଆଦୌ ଜାଣି ନ ଥିଲି ।

ଏ କଥା ରାଜୁର ମାଆ ରନ୍ଧାଘରେ ଥାଇ ଶୁଣୁଥିଲେ । ରାଜୁ ତା ଭାଇ ପାଇଁ ଅଯଥା ତାଙ୍କ ଠାରୁ ମାଡ଼ ଖାଇ ଥିବାରୁ ମନ ଦୁଃଖ କଲେ । ପାଖକୁ ଆସି କହିଲେ “ପୁଅ ! ମୁଁ ଅଜଣାତରରେ ତୋତେ ମାରିଛି । ଧରନା !” ରାଜୁ ଫିକ୍‌ କିନା ହସିଦେଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top