ସମୟ ସକାଳ ଦଶଟା ହେବ । ପ୍ରଧାନ ବାବୁ ଖାଇସାରି ସ୍କୁଲ୍କୁ ବାହାରିଲେ । ପ୍ୟାଣ୍ଟ୍ ଓ ସାର୍ଟ୍ ପିନ୍ଧିସାରି ଜୋତା ପାଇଁ ଷ୍ଟାଣ୍ଡ୍ ନିକଟକୁ ଗଲାବେଳେ ଖଣ୍ଡିଉଡ଼ା ଦେଲାଭଳି ଚଟିଆ ଛୁଆଟିଏ ଷ୍ଟାଣ୍ଡ୍ ଭିତରେ ଥାଇ ଫଡ୍ ଫଡ୍ କରୁଥାଏ । ମଝିରେ ମଝିରେ ଚିଂ ଚିଂ ଶବ୍ଦ ମଧ୍ୟ କରୁଥାଏ ।
ପ୍ରଧାନ ବାବୁଙ୍କ ହାତରେ ସମୟ ନ ଥିଲା । ସେ ତରତରଟେ କିଛି ନ ଭାବି ଜୋତା ହଳକ ବାହାର କଲେ ଓ ପିନ୍ଧିକରି ସ୍କୁଲ୍କୁ ବାହାରିଲେ । ଗଲାବେଳେ ସେ ବାଇକ୍ରେ ଯାଉଥାନ୍ତି ସିନା ହେଲେ ମନଟା ତାଙ୍କ ଚଟିଆ ଛୁଆ ଉପରେ ଥାଏ । ସେ କିଭଳି ତରତରରେ ଚାଲି ଆସିଲେ ? ଛୁଆଟିକୁ ବିଲେଇ କି ମୂଷା ଖାଇଯିବେ ନାହିଁ ତ ? ଏମିତି ନାନା କଥା ଭାବି କେତେବେଳେ ସ୍କୁଲ୍ରେ ପହଞ୍ଚିଲେ ଜାଣି ପାରିଲେ ନାହିଁ ।
ସ୍କୁଲରେ ପିଲାଙ୍କୁ କିଛି ଲେଖିବା କାମ ଦେଇ ବାରଣ୍ଡାରେ ବସିପଡ଼ିଲେ ସେ । ତା’ଭିତରେ ପିଲା ଗୁଡିକ ହୋ ହାଲ୍ଲା ଓ କଳି କଜିଆ ଚାଲିଥିଲେ ମଧ୍ୟ ତାଙ୍କର ନଜର ନ ଥାଏ । ତାଙ୍କ ମନ ତ ଚଟିଆ ଛୁଆ ଉପରେ ରହିଥାଏ । ଏମିତି ହେଉ ହେଉ ଚାରିଟା ହୋଇଗଲା । ପ୍ରଧାନ ବାବୁ ସ୍କୁଲ୍ ବନ୍ଦ କରି ଘରକୁ ଫେରିଲେ ।
ପ୍ରଧାନ ବାବୁ ସେ ଦିନ ଟିକିଏ ଶୀଘ୍ର ସ୍କୁଲରୁ ଫେରିଲେ । ଗାଡିକୁ ଘର ଆଗରେ ରଖିଦେଇ ଜୋତା ଷ୍ଟାଣ୍ଡ୍ ନିକଟକୁ ଯାଇ ଚଟିଆ ଛୁଆଟିକୁ ଖୋଜିଲେ । ଥିଲେ ତ ପାଇବେ ? ଛୁଆଟି କୁଆଡେ ଗଲା ବୋଲି ତନ୍ନ ତନ୍ନ କରି ଖୋଜିଲା ବେଳକୁ ତାଙ୍କ ସ୍ତ୍ରୀ ଚା’ କପେ ଧରି ପହଞ୍ଚିଲେ । ସେ ପ୍ରଧାନ ବାବୁଙ୍କ ମନକଥା ଜାଣି ପ୍ରଥମେ ଚା’ ପିଇଦେବାକୁ କହିଲେ ।
ପ୍ରଧାନ ବାବୁ ଚା ପିଇ ସାରିବା ପରେ ତାଙ୍କ ସ୍ତ୍ରୀ କହିଲେ “ତୁମେ ଯେତେବେଳେ ସ୍କୁଲ୍ ଯିବାକୁ ବାହାରିଲ ଟିକୁ ବାରଣ୍ଡାରେ ଖେଳୁଥିଲା । ସେ ଖେଳୁ ଖେଳୁ ଚଟିଆ ଛୁଆର ଶବ୍ଦ ଶୁଣି ସେଠିକି ଧାଇଁଗଲା । ଛୋଟ ଛୁଆ ତା ହେଲେ ବି ସେ ଜାଣିଗଲା ଯେ ଚଟିଆ ବସାରୁ ଛୁଆଟି ଖଣ୍ଡି ଉଡା ଦେଇ ଖସି ପଡ଼ିଛି । ଏଣୁ ସେ ଛୁଆଟିକୁ ଆଣି ଦୁଆରରେ ଥିବା ମାଳତୀ ଗଛର ଡାଳରେ ବସାଇ ଦେଲା । ତାପରେ ତା’ ଶବ୍ଦ ଶୁଣି ତା ମା’ ଓ ବାପା କେଉଁଠୁ ଉଡି ଆସିଲେ । ସେମାନେ ଥଣ୍ଟରେ ଖାଦ୍ୟ ଆଣି ଖୁଆଇଲେ । ଟିକୁ ସେ ସବୁ ଦେଖି ଗୋଟିଏ ଗିନାରେ କିଛି ଚାଉଳ ଆଉ ଗ୍ଲାସ୍ରେ କିଛି ପାଣି ଦୁଆରରେ ରଖିଦେଲା । ତା ପରେ ଚଟିଆର ମା’ ଓ ବାପା ସେଠୁ ଖାଦ୍ୟ ଓ ପାଣି ନେଇ ଦେଉଛନ୍ତି । ମନୋରମା ଦେବୀ ଏତିକି କହି ତାଙ୍କୁ ଦେଖିବାକୁ ଡାକିନେଲେ ।
ପ୍ରଧାନ ବାବୁ ତାଙ୍କ ପଛେ ପଛେ ଯାଇ ଟିକୁକୁ ସେଠାରେ ଦେଖିଲେ । ଖୁସିରେ ସେ ଆତ୍ମହରା ହୋଇ ଟିକୁକୁ କୁଣ୍ଢାଇ ପକାଇଲେ କହିଲେ “ପୁଅ ! ଧନ୍ୟ ତୋ ମଣିଷ ପଣିଆ, ଅନ୍ୟ କେହି ହୋଇଥିଲେ ଖେଳି ଖେଳି ଚଟିଆ ଛୁଆଟିକୁ ମାରି ଦେଇଥାନ୍ତେ । ତୁ ତାକୁ ବଞ୍ଚାଇ ରଖିଛୁ । ”
ଟିକୁର ସେବା ଓ ଯତ୍ନ ବଳରେ ପାଞ୍ଚଦିନ ପରେ ଚଟିଆ ଛୁଆଟି ବଡ଼ ହୋଇ ସେଠାରୁ ଉଡ଼ି ଚାଲିଗଲା ।
ଧନ୍ୟ ଟିକୁର ମଣିଷ ପଣିଆ ।