ପୁଅ ଜିଉନ୍ତିଆର ପରଦିନ । ବିଦ୍ୟାଳୟର କମ୍ ଉପସ୍ଥାନ ଦେଖି ଶିକ୍ଷକ ପଧାନ ବାବୁ ଛାତ୍ରଛାତ୍ରୀମାନଙ୍କୁ ଘରୁ ଡାକି ଆଣିବାକୁ କହୁଥାନ୍ତି । ଏତେବେଳେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ରାଜା ଠିଆ ହୋଇ କହିଲା, “ଆଜ୍ଞା । ମୁଁ କୋଡ଼ିଏ ଟଙ୍କା ପାଇଛି । କାହାର ଜାଣିନି । ଏଇ ନିଅନ୍ତୁ ।” ରାଜା ଏହା କହି ଟଙ୍କା ବଢ଼ାଇ ଦେଲା । ଦ୍ୱିତୀୟ ଶ୍ରେଣୀର ଛାତ୍ରଟିଏ ଲୋଭ ନ କରି ଶିକ୍ଷକଙ୍କୁ ଦେଇଦେବା ତାଙ୍କୁ ପ୍ରଭାବିତ କଲା ।
ଶିକ୍ଷକ ଶ୍ରେଣୀରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ କହିଲେ, “ଦେଖିଲ ପିଲାଏ । ରାଜା ଅଧାଘଣ୍ଟା ତଳେ କୋଡ଼ିଏ ଟଙ୍କା ପାଇଲା । ଲୋଭ ନ କରି ମୋତେ ଦେଇ ଦେଇ ଯାହାର ଟଙ୍କା ତାକୁ ଦେଇ ଦେବାକୁ କହୁଛି । ଏବେ କହ, ରାଜା କେମିତି ପିଲା ?” ଛାତ୍ରଛାତ୍ରୀମାନେ ଏକ ସ୍ୱରରେ କହିଲେ, “ଭଲ ପିଲା ।”
ଶିକ୍ଷକ ରାଜାକୁ ପ୍ରଶଂସା କଲେ । ତାକୁ ସେ ଭଳି ଭଲ କାମ କରିବାକୁ ଉତ୍ସାହିତ କଲେ । ବିଦ୍ୟାଳୟକୁ ଟଙ୍କା ପଇସା, ସୁନା ଭଳି ମୂଲ୍ୟବାନ ପଦାର୍ଥ ନ ଆଣିବାକୁ ବୁଝାଇଲେ । ପୁଅ ଜିଉନ୍ତିଆ ବା ଭାଇ ଜିଉନ୍ତିଆର ବନ୍ଦାଣ ଟଙ୍କା ମଧ୍ୟ ନ ଆଣିବାକୁ ନିର୍ଦ୍ଦେଶ ଦେଲେ । ଶିକ୍ଷକ ସେଭଳି ଅନେକ ଉପଦେଶ ଦେଲା ପରେ ରାଜାର ସଚ୍ଚୋଟତା ପାଇଁ ଜୋର୍ଦାର୍ ତାଳି ମାରିବାକୁ କହିଲେ । ଶ୍ରେଣୀ କୋଠରୀଟା ଛାତ୍ରଛାତ୍ରୀଙ୍କ ତାଳି ମାଡ଼ରେ କମ୍ପି ଉଠିଲା ।
ଛାତ୍ରଛାତ୍ରୀମାନେ ଖୁସିରେ ରାଜା ପାଇଁ ତାଳି ମାରୁଥିଲା ବେଳେ ନରେନ୍ ଚୁପ୍ ପଡ଼ି ବସିଥାଏ । ସେ କ’ଣ ଭାବୁଥାଏ । ହଠାତ୍ ଠିଆ ହୋଇ କହିଲା, “ଆଜ୍ଞା ! ମୁଁ ଗତକାଲି ବାରଣ୍ଡାରେ ଶହେ ଟଙ୍କା ପାଇଛି । କାହାର ଜାଣିନି । ହେଇ ନିଅନ୍ତୁ, ଦେଇ ଦେବେ ।” ନରେନ୍ ସେଦିନ ନ ଦେଇ ଆଜି କାହିଁକି ଦେଲା, ଶିକ୍ଷକ ଭଲ ରୂପେ ବୁଝିପାରିଲେ ।
କେହି ଜଣେ ଘରୁ ଶହେ ଟଙ୍କା ଆଣି ସ୍କୁଲ୍ରେ ହଜାଇ ଦେବା ଓ ଭୟରେ ନ କହିବା ଜାଣି ଶିକ୍ଷକ ମନ ଦୁଃଖ କଲେ । କିନ୍ତୁ, ରାଜାର ସଚ୍ଚୋଟତାକୁ ପ୍ରଶଂସା କରିବା ଦ୍ୱାରା ନରେନ୍ କିଭଳି ପ୍ରଭାବିତ ହେଲା, ତାହା ଦେଖି ଆଶ୍ଚର୍ଯ୍ୟ ହେଲେ ।
ଶିକ୍ଷକ ପଧାନବାବୁ ଅପରାହ୍ନରେ ଚାଟସଭା ଡାକିଲେ । ରାଜା ଓ ନରେନ୍ର ଭଲ ଗୁଣ କଥା କହିଲେ । ବାଃ ବାଃ କଲେ । ଛାତ୍ରଛାତ୍ରୀମାନେ ଖୁସିରେ ତାଳି ମାରିଲେ । ସେଦିନ ପିଲାଙ୍କ ତାଳି ଅନ୍ୟଦିନଠୁ ଅଧିକ ଦୀର୍ଘ ଓ ଜୋର୍ ଥିଲା ।