ରହସ୍ୟ

ଏକ ସମୁଚିତ ‘ଉପସଂହାର’ର ଉପକ୍ରମ

Shastrijinka Hatyaara Rahasya

ବିଷ ପ୍ରୟୋଗ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ କିନ୍ତୁ ଏହାର ସଠିକତା ଦର୍ଶାଇବା ଲାଗି ପ୍ରାପ୍ତ ସୂଚନା/ତଥ୍ୟ ସମ୍ଭାର ପର୍ଯ୍ୟାପ୍ତ ନୁହେଁ ।

ଏକ ସମୁଚିତ ‘ଉପସଂହାର’ର ଉପକ୍ରମ

-: ପୂର୍ବରୁ :-

ଡ଼. ସାୟନ ବିଶ୍ୱାସ ଆହୁରି କହିଲେ ଯେ, ଯଦି ମୁଣ୍ଡକୁ ତଳକୁ ଓହଳାଇ ସଂରକ୍ଷଣ ପ୍ରକ୍ରିୟା କରାଯାଏ, post mortem hypostasis ବା ଶରୀର ନେଳି-ବାଇଗେଣୀ / ଲାଲ ବର୍ଣ୍ଣ ଧାରଣ କରେ । ଏହା ଦାୟିତ୍ୱହୀନତା ତଥା ଅଣକୁଶଳୀ କାର୍ଯ୍ୟଶୈଳୀକୁ ସୂଚାଏ । ଶାସ୍ତ୍ରୀଙ୍କ ଶରୀରରେ ଦୃଶ୍ୟ ସରୁ ଲମ୍ବାଳିଆ ଧଳା ଦାଗକୁ ‘vibices’ କୁହାଯାଏ । ଯଦି ସଂରକ୍ଷଣରେ ବ୍ୟବହୃତ ତରଳ ରାସାୟନ ଦ୍ରବ୍ୟ କୌଣସି କାରଣବଶତଃ ଶରୀରର ନିର୍ଦ୍ଧିଷ୍ଟ ଭାଗରେ ପହଞ୍ଚିପାରେ ନାହିଁ, ସେହି ସ୍ଥଳଟି ଶ୍ୱେତ ପଡ଼ିଯାଏ ।

ଡ଼. ବିଶ୍ୱାସଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉକ୍ତି ହେଲା, ଶରୀର ଜୀବନ ତତ୍ତ୍ୱକୁ ବିଗାଡ଼ିବା/ବିକ୍ଷିପ୍ତ କରାଇବା ଉଦ୍ଧେଶ୍ୟରେ କୌଣସି ଦ୍ରବ୍ୟ ଶରୀରରେ ପ୍ରବେଶ କରାଇବା ଘେନି ସନ୍ଦେହ । ଏହି ମାମଲାରେ ସମ୍ଭାବିତ ବିଷ କ୍ରିୟାଜନିତ ଲକ୍ଷ୍ମଣକୁ ଲୁଚାଇବା ପାଇଁ ନିକୃଷ୍ଟ ଧରଣର ସଂରକ୍ଷଣ କରାଯାଇଥିଲା । ସାଧାରଣତଃ ସୋଭିଏତ ରୁଷଠାରୁ ଏଭଳି ଆଶା କରାଯାଏନା ।

ଯେଉଁ ବିଷ ସହଜରେ ପ୍ରାକୃତିକ ରୋଗର ଲକ୍ଷ୍ମଣକୁ ଅନୁରୂପ ନକଲ କରେ, ଯାହାର ଉପସ୍ଥିତି ବ୍ୟବଚ୍ଛେଦ କିମ୍ବା ଶରରୀର ଗଳିତ ଅବସ୍ଥାରେ ବି ଧରାପଡେ଼ ନାହିଁ, ତାହା ହିଁ ମାରାତ୍ମକ ବିଷ ସଂଜ୍ଞା ପଦବାଚ୍ୟ । ଡ଼. ବିଶ୍ୱାସ ଏକୋନିଟମ (aconitum) ବା ବିଷରାଣୀ ଭାବେ ଖ୍ୟାତ ଏକ ଫୁଷ୍ପ ବୃକ୍ଷର ଉଦାହରଣ ଦେଲେ । ଏହି ଉଦ୍ଭିଦରୁ ‘ଏକୋନିଟିମ୍ (Aconitin) ନାମକ ଉପକ୍ଷାର (alkaloid) ପ୍ରସ୍ତୁତ କରାଯାଇପାରିବ ଯାହାର ଘାତକ ଗୁଣ ବେଶ୍ ଶକ୍ତିଶାଳୀ । ଖଇର (Catechu) ଭଳି କ୍ଷାର ସ୍ୱାଦଯୁକ୍ତ ଏକୋନାଇଟ୍ (Aconite)କୁ ପାନ ବା ଚାହା ମାଧ୍ୟମରେ ଜଣକୁ ଦିଆଯାଇପାରିବ; ଏହା ହୃଦୟରେ ସଂଘାତ ସୃଷ୍ଟି କରାଇପାରୁଥିବା ଏକ କାର୍ଡିଆକ୍ ବିଷ ଯାହା ସହଜରେ myocardial ischemia19 ତଥା ବିଭିନ୍ନ ପ୍ରକାରର Arrhythmias 19 ଭଳି ରୋଗର ଲକ୍ଷଣ ନକଲ ପୂର୍ବକ ମଣିଷକୁ କ୍ଷତି ପହଞ୍ଚାଇପାରେ । (୧୯ ହୃଦୟରେ ରକ୍ତ ପ୍ରବାହ ପରିମାଣ କମିଗଲେ Myocardial ischemia ବା ହୃଦ୍‌ଘାତ ହୁଏ । ଅସ୍ୱାଭାବିକ ତଥା ଅନିୟମିତ (ଖୁବ୍ ଜୋର ବା ଅତି ଧିରେ) ହୃଦ୍‌ସ୍ପନ୍ଦନକୁ ଚିକିତ୍ସାଶାସ୍ତ୍ରରେ Arrhythmias କୁହାଯାଏ ।)

ଡ଼. ବିଶ୍ୱାସ ନିଜ ତଥ୍ୟ ଆଧାରିତ ମତ ଉପସ୍ଥାପନ ପୂର୍ବକ କହିଥିଲେ, “ଶବ ସଂରକ୍ଷଣରେ ବ୍ୟବହୃତ ରାସାୟନିକ ପଦାର୍ଥ ଶରୀରରେ ମହଜୁଦ୍ ସିଆନାଇଡ, ନିଶା ଦ୍ରବ୍ୟ ଯଥା ମଦ ଓ ଅନ୍ୟାନ୍ୟ ବହୁ ସାମଗ୍ରୀକୁ ସଂମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଥାଏ । ତେଣୁ ମାରାତ୍ମକ କ୍ଷାରକ ପଦାର୍ଥ ଏବଂ ଜୈବିକ ବିଷକୁ ଚିହ୍ନଟ କରିବା କଷ୍ଟକର ହୋଇପଡେ଼ ।” ବେକର ପଛପାର୍ଶ୍ୱରେ ଛିଦ୍ର ବିଷୟରେ ଉଲ୍ଲେଖ କରିବାକୁ ଯାଇ ଡ଼. ବିଶ୍ୱାସ cerebrospinal fluid (CSF) ବା ମସ୍ତିସ୍କ ଓ ମେରୁଦଣ୍ଡ ମଝିରେ ଥିବା ଝିଲ୍ଲୀ ପଥ ମଧ୍ୟରେ ସଞ୍ଚାଳିତ ରସ, ଶବ ବ୍ୟବଚ୍ଛେଦ ସମୟରେ ବିଷ ବା ଅନ୍ୟାନ୍ୟ ବାହ୍ୟ ଘାତକ ବସ୍ତୁ ନିର୍ଦ୍ଧାଯ୍ୟ କରିବାରେ ସହାୟକ ହୋଇଥାଏ । ୨୦ ବିଭିନ୍ନ କେନ୍ଦ୍ରୀୟ ସ୍ନାୟୁତସ୍ତ୍ର ସମ୍ବନ୍ଧୀୟ ରୋଗ ସକାଶେ CSFର ବିଶ୍ଲେଷଣ କରାଯାଇଥାଏ; ଅପରାଧିକ ତଦନ୍ତରେ, ଏହି ରସର ପରୀକ୍ଷଣ ଦ୍ୱାରା ହତ୍ୟା, ନିଶା ପଦାର୍ଥର ମାତ୍ରାଧିକ ସେବନ ବା ଆତ୍ମହତ୍ୟାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ଶରୀରରେ ଉପରୋକ୍ତ ସାମଗ୍ରୀର ଉପସ୍ଥିତିକୁ ଠାବ କରିବାରେ ସହାୟକ ହୋଇଥାଏ । (20 cerebrospinal fluid (CSF) ବିଶ୍ଲେଷଣ,http://medical-dictionary,thefreedictionary.com/Cerebrospinal+ Fluid+(CSF)+ Analysis.)

ଡ଼. ବିଶ୍ୱାସ କହନ୍ତି, ସାଧାରଣତଃ ପିଠି ପଟ ଅଣ୍ଟାର ତୃତୀୟ ଓ ଚତୁର୍ଥ / ଚତୁର୍ଥ ଓ ପଞ୍ଚମ (lumber vertebrae) ମେରୁହାଡ଼ ମଧ୍ୟବର୍ତ୍ତୀ ସ୍ଥାନରେ ରନ୍ଧ୍ର କରାଯାଇ ଏହି ରସ ବା cerebrospinal fluid (CSF) ସଂଗ୍ରହ କରାଯାଏ / ରାସାୟନିକ ପଦାର୍ଥ ନିକ୍ଷେପ ପୂର୍ବକ ବାହ୍ୟ ଘାତକ ବସ୍ତୁର ଉପସ୍ଥିତି ନିରୂପିତ ହୋଇଥାଏ । କିନ୍ତୁ ପ୍ରାୟତଃ ଅନୁସରଣ କରାଯାଉଥିବା ଏକ ନିରାପଦ ବିକଳ୍ପ ପଦ୍ଧତି ଅନୁସାରେ ବେକ ପାଶ୍ୱର୍ରେ (lateral cervical region) ଛିଦ୍ର କରାଯାଇ ଏହି କାର୍ଯ୍ୟ କରାଯାଇଥାଏ । ୨୧ (21 lateral cervical region, a region of the neck)

(ଡ଼. ବିଶ୍ୱାସଙ୍କ ଟିପ୍ପଣୀ – ପରିଶିଷ୍ଟ ୧ (Appendix -1))

ମୋ (ଅନୁଜ ଧର) ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ସ୍ୱ-ବିଚାର ବ୍ୟକ୍ତ କରିଥିବା ତୃତୀୟ ବିଷାରଦ ଜଣକ ହେଉଛନ୍ତି ଅଭିଜ୍ଞ ଫରେନ୍ସିକ ନିଦାନବିଦ୍ ଡ଼. ଅଜୟ କୁମାର ଗୁପ୍ତା । ୭୫ ବର୍ଷିୀୟ ଡ଼.ଗୁପ୍ତା, କଲିକତା ମେଡ଼ିକାଲ କଲେଜ ଓ କଲିକତା ଜାତୀୟ ମେଡ଼ିକାଲ କଲେଜରେ ଫରେନସିକ୍ ମେଡ଼ିସିନ ବିଭାଗର ପ୍ରାକ୍ତନ ମୁଖ୍ୟ । ସେ କହନ୍ତି, ଆପାତଃ ଏହା ବିଷକ୍ରିୟାଜନିତ ମୃତ୍ୟୁ ଭଳି ପ୍ରତୀତ ହେଉଛି । ସେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଥିଲେ ଯେ, ଏଭଳି ସମ୍ଭାବନାକୁ ଉଚିତ୍ ଶବ ବ୍ୟବଚ୍ଛେଦ କରାଯାଇ ନାକଚ କରାଯାଇ ପାରିଥାଆନ୍ତା ।

‘କେବଳ ଚିକିତ୍ସାକାରୀ ଡାକ୍ତରଦଳଙ୍କ ନୁହେଁ ବରଂ ଘଟଣା ସହ ସମ୍ବନ୍ଧିତ ତଥା ପ୍ରଭାବିତ ରାଜନୈତିକ ବ୍ୟକ୍ତିବିଶେଷ, ସରକାରୀ ଅଧିକାରୀଗଣ ଜାଣନ୍ତି ଯେ, ୫୦-୬୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ବିଦେଶରେ ସନ୍ଦେହଜନକ / ବିଶେଷ ଅବସ୍ଥାରେ / ସଙ୍କଟଜନକ ସ୍ଥିତିରେ ଆକସ୍ମିକ ନିଧନର ପ୍ରକୃତ କାରଣ ଓ ଢଙ୍ଗର ନିରୂପଣ / ଘୋଷଣା କରିବା ସମ୍ଭବ ନୁହେଁ । ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତବସ୍ଥାର ଫଟୋରୁ ଦୃଢ଼ ସନ୍ଦେହ ହୁଏ ଯେ ହୃଦୟ ଉପରେ ପ୍ରଭାବ ପକାଉଥିବା କୌଣସି ଜୈବିକ ବିଷାକ୍ତ ପଦାର୍ଥ ତାଙ୍କ ମୃତ୍ୟୁର କାରଣ ହୋଇଥାଇପାରେ । କେବଳ ବିସ୍ତୃତ ଶବ ବ୍ୟବଚ୍ଛେଦ ହିଁ ଏହି ସନ୍ଦେହ ମୋଚନ କରିପାରିବ । ଶାସ୍ତ୍ରୀଙ୍କ ପତ୍ନୀ ଓ ପୁତ୍ରମାନେ କାହିଁକି ବ୍ୟକ୍ତିଗତ ଭାବେ ସ୍ଥାନୀୟ ଥାନା ଅଧିକାରୀଙ୍କ ନିକଟରେ ଶବ ବ୍ୟବଚ୍ଛେଦ ଲାଗି ଲିଖିତ ନିବେଦନ କଲେ ନାହିଁ ତାହା ସ୍ପଷ୍ଟ ନୁହେଁ ।’

ସମସ୍ତ ବିଶେଷଜ୍ଞଙ୍କ ମତନୁସାରେ ବିଷ ଦିଆଯାଇଥିବାର ସମ୍ଭାବନା ଅଧିକ ଘନୀଭୂତ ହେଉଥିବା ବିଷୟ ମୋତେ(ଅନୁଜ ଧର) ଡ. ନିର୍ମାଲ୍ୟ ରଏଚୌଧୁରୀଙ୍କ ପରାମର୍ଶ ନେବାକୁ ପ୍ରେରିତ କଲା । ଡ. ନିର୍ମାଲ୍ୟ ରଏଚୌଧୁରୀ ଆମେରିକାନ୍ ବୋର୍ଡ ଅଫ ଇଣ୍ଟରନାଲ ମେଡ଼ିସିନର ସଦସ୍ୟ ତଥା ସିଆଟେଲ ଓ କୋଲକତାଠାରେ ବିଭିନ୍ନ ପ୍ରାଣନାଶକ ବିଷ ତଥା ଏଗୁଡ଼ିକ କିଭଳି ମୃତୁ୍ୟ ଘଟାଇଥାଏ ବିଷୟ ଉପରେ ଗବେଷଣାରତ । ଡ. ନିର୍ମାଲ୍ୟ ରଏଚୌଧୁରୀ କହିଲେ ଯେ, ଘାତକ ବିଷର କିଛି ବିଶେଷ ଗୁଣ ଥାଏ- ଚିହ୍ନି ହେବନି, ପାଣିରେ ମିଳାଇ ଯିବ, ଗନ୍ଧହୀନ, ରଙ୍ଗହୀନ, ସ୍ୱାଦହୀନ ଓ ଅଳ୍ପ ପରିମାଣରେ ମଧ୍ୟ ବେଶ୍ ଫଳପ୍ରଦ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଏଗୁଡ଼ିକ ପ୍ରାକୃତିକ ରୋଗର ଲକ୍ଷଣକୁ ଅତି ସହଜରେ ନକଲ କରିଥାଏ ।

ସେ ପୁଣି ଯୋଡ଼ିଲେ, “ଯଦିଚ ଏଭଳି କୌଣସି ବିଷ ନାହିଁ ଯାହା ଠାବ କରିବା କଠିନ, ତଥାପି ଉପର୍ଯୁକ୍ତ ଗୁଣାବତ୍ତା ସମୃଦ୍ଧ କିଛି ଘାତକ ଦ୍ରବ୍ୟ ବାରମ୍ବାର ଅନେକ ଚର୍ଚ୍ଚିତ ନରହତ୍ୟା ମାମଲାରେ ବ୍ୟବହୃତ ହୋଇଆସୁଛି, ଖାସ୍ କରି ବିଶ୍ୱରେ ସଂଘଠିତ କିଛି ରାଜନୈତିକ ଆକ୍ରୋଶଜନିତ ହତ୍ୟାକାଣ୍ଡରେ ଏସବୁର ବ୍ୟବହାର ଦେଖିବାକୁ ମିଳେ; ଆର୍ସେନିକ୍ (Arsenic), ସିଆନାଇଡ଼ (cyanide), ଆକୋନାଇଟ୍ (Aconite), ପୋଲୋନିୟମ୍୨୧୦ ( Polonium), ଥାଲ୍ଲିୟମ୍(Thallium), ରିସିନ୍(ricin) ଓ ଓଲିଏଣ୍ଡର(Oleander) ।” ପାଲେଷ୍ଟାଇନୀୟ ନେତା ୟସାର ଆରାଫତ୍‌ଙ୍କ ଆକସ୍ମିକ ନିଧନକୁ ଉଦାହରଣ ରୂପେ ନିଆଯାଇପାରେ । ଅକ୍ଟୋବର ୨୦୦୪ରେ ସେ ହଠାତ୍ ଅଜଣା/ରହସ୍ୟାବୃତ ରୋଗରେ ଅସୁସ୍ଥ ହୋଇପଡ଼ିଲେ । ବାନ୍ତି ତଥା ଉଦରପୀଢ଼ା ଜନିତ ସମସ୍ୟା ଏହାର ପ୍ରାରମ୍ଭିକ ଲକ୍ଷ୍ମଣ ଥିଲା । ପାଲେଷ୍ଟାଇନ, ଇଜିପ୍ଟ ଓ ଟୁନିସିଆର ଅନେକ ସ୍ୱନାମଧନ୍ୟ ଡାକ୍ତରଦଳଙ୍କ ଦ୍ୱାରା ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ । ପରିଶେଷରେ, ଆଦ୍ୟ ନଭେମ୍ବର ମାସରେ ସେ ମୃତ୍ୟୁବରଣ କଲେ । ତାଙ୍କର କୌଣସି ଶବ ବ୍ୟବଚ୍ଛେଦ କରାଗଲା ନାହିଁ; ନା ଫ୍ରାନ୍ସରେ କରାଗଲା ନା ପାଲେଷ୍ଟାଇନ୍‌ରେ । କିନ୍ତୁ ୨୦୧୨ରେ ଆରାଫତ୍‌ଙ୍କ ବିଧବା ପତ୍ନୀ ସୁହାଙ୍କର ଅନୁମତି କ୍ରମେ ପାଲେଷ୍ଟାଇନୀୟ ସରକାରୀ କଳ ଦେହାବଶେଷକୁ କବରରୁ କାଢ଼ି ଫୁ୍ଙ୍ଖାନୁଫୁଙ୍ଖ ଫରେନସିକ୍ ଯାଞ୍ଚ କରାଗଲା । ପୋଲୋନିୟମ୍୨୧୦ ଦ୍ୱାରା ତାଙ୍କୁ ହତ୍ୟା କରାଯାଇଛି ବୋଲି ଯୁକ୍ତିଯୁକ୍ତ/ଯଥାଯଥ ସନ୍ଦେହରୁ ଉର୍ଦ୍ଧ୍ଵରେ ପ୍ରମାଣିତ ହେଲା । ଡ. ନିର୍ମାଲ୍ୟ ରଏଚୌଧୁରୀ କହିଲେ, “ମୁଁ ଭାବୁଛି ଯେଉଁ ଘଟଣାରେ ଶରୀରକୁ ଦହନ କରାଯାଏ, କବର ନୁହେଁ, କର୍ତ୍ତୃପକ୍ଷଙ୍କ ବିଶେଷ ଧ୍ୟାନ ଦିଆଯିବା ଉଚିତ୍ ; କାରଣ ଏଭଳି ପରିସ୍ଥିତିରେ ଭବିଷ୍ୟତରେ exhumation ବା କବରରୁ କାଢ଼ି ପରୀକ୍ଷଣ ସମ୍ବାବନା ନଥାଏ ।

ଯଦି ଆକୋନାଇଟ୍(Aconite) ଭକ୍ଷଣ କରାଯାଇଥାଏ, ମାତ୍ର କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥାଏ । ‘ ପ୍ରାରମ୍ଭିକ ଲକ୍ଷ୍ମଣମାନ ହେଲା, ସ୍ମାୟୁବିକ ଯଥା seizure, ବାନ୍ତି ଭଳି ଉଦର ସମ୍ବନ୍ଧୀୟ ରୋଗ, ମୁହଁ ଓ ପାଟି ବଧିରା ହେବା ଇତ୍ୟାଦି । ଖୁବ୍ ଶୀଘ୍ର ହୃଦ୍‌ଜନିତ ସମସ୍ୟା ଦେଖାଦିଏ ଯଥା, bradycardia, hypotension, ଓ ventricular arrhythmias ଓ ବ୍ୟକ୍ତି ମୃତ୍ୟୁ ମୁଖକୁ ଟାଣିହେଇଯାଏ । ସେହିଭଳି ଓଲିଏଣ୍ଡର ଉଦ୍ଭିଦର ବିଷର ପ୍ରଭାବ ମଧ୍ୟ ଅନୁରୂପ ହୃଦ୍‌ଘାତ ଜନିତ ସମସ୍ୟାର ଲକ୍ଷଣ ପ୍ରକାଶ କରେ । ଏକ ଉତ୍କଟ ବିଷ ଭାବେ ଖ୍ୟାତ ଓଲିଏଣ୍ଡର ଏକ ସାଧାରଣ ଉଦ୍ୟାନ ଉଦ୍ଭିଦ ଓ ଏହା ସାରା ବିଶ୍ୱରେ ଦେଖାଦିଏ । ଏହାକୁ ପରୀକ୍ଷାଗାରରେ ମଧ୍ୟ ପ୍ରସ୍ତୁତ କରାଯାଇପାରେ । ଇତିହାସ ଅନୁସାରେ ଏହାର ବହୁଳ ବ୍ୟବହାର ରୁଷିଆ ଏବଂ ଚୀନ୍‌ରେ ହୋଇଥାଏ । ଏହାକୁ ଭକ୍ଷଣ କଲେ ପ୍ରାଥମିକ ଲକ୍ଷ୍ମଣ ପେଟଜନିତ ଯଥା ଉଦରପୀଢ଼ା ଓ ବାନ୍ତି ହୋଇଥାଏ । ଖୁବ୍ ଶୀଘ୍ର ହୃଦ୍‌ଯନ୍ତ୍ର ଆକ୍ରାନ୍ତ ହୋଇ Arrhythmias ବା ହୃଦ୍‌ଘାତ ହୋଇଥାଏ ।

(ଡ. ନିର୍ମାଲ୍ୟ ରଏଚୌଧୁରୀଙ୍କ ନୋଟ ପରିଶିଷ୍ଟ – ୨ (Appendix -2))

ଶାସ୍ତ୍ରୀଙ୍କ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ଉପରାନ୍ତ, ଅନେକ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ଘଟଣାର ଅନ୍ତରାଳେ ଷଡ଼ଯନ୍ତ୍ର ଥିବା ଓ ମୃତ୍ୟୁ ପରବର୍ତ୍ତୀ ପଦକ୍ଷେପମାନ ସନ୍ତୋଷଜନକ ନୁହେଁ ଓ ସନ୍ଦେହ ଉତ୍ପନ୍ନକାରୀ ଦର୍ଶାଇ ବିବିଧ ଥିଓରୀ ସାର୍ବଜନୀନ କରିଥିଲେ । ତନ୍ମଧ୍ୟରୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପୁତ୍ର ଦୟ୍ୟାଭାଇ ପଟେଲଙ୍କ ସ୍ୱଳ୍ପ ତଥ୍ୟ ଆଧାରରେ ଘଟଣାବଳୀର ଅନୁମିତ ବୃତ୍ତାନ୍ତ«(conjectural reconstruction) ଉପଯୁକ୍ତ ଚିକିତ୍ସା ବିଜ୍ଞାନୀଗଣ ସମୂହ ମତ ସହିତ ଅନେକ ସାମଞ୍ଜସ୍ୟ ରକ୍ଷା କରେ । ଅନ୍ୟ ଭାଷାରେ କହିଲେ ଚିକିତ୍ସା ବିଶାରଦଙ୍କ ମତାମତ, ପରାମର୍ଶ ଆଦି ଦୟ୍ୟାଭାଇ ପଟେଲଙ୍କ ଉକ୍ତିକୁ ପ୍ରତ୍ୟୟଯୋଗ୍ୟତା ପ୍ରଦାନ କରୁଛି । ପଟେଲ ଲେଖିଥିଲେ, “ଶାସ୍ତ୍ରୀଙ୍କ ମୃତ୍ୟୁ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ଆଦୌ ପାରଦର୍ଶି ନୁହେଁ । ଡ. ଥଇଭଜେନିଆଧ ୟରେମେକ୍କୋଙ୍କ ଏହି ଗୋଳମାଳିଆ ବ୍ୟାପାରରେ ଦୂର ଦୂର ପର୍ଯ୍ୟନ୍ତ କିଛି ସଂପୃକ୍ତି ନାହିଁ ବୋଲି ସେ ବିଚାର କରୁଛନ୍ତିି । ୱାଇବି ଚଭାନଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ସରକାରୀ ସଂକ୍ଷିପ୍ତ ମୃତ୍ୟୁ ବିବରଣୀରେ ୟରେମେକ୍କୋଙ୍କ ସ୍ୱାକ୍ଷର ନଥିଲା । କାହିଁକି ନଥିଲାର ଉତ୍ତର ଏହା ହୋଇପାରେ ଯେ, ଶାସ୍ତ୍ରୀଙ୍କ ହଠାତ୍ ପୀଡ଼ିତ ହେବା ଘେନି ସେ ନିଶ୍ଚୟ କୌଣସି ସନ୍ଦେହଜନକ ତଥ୍ୟର ସଂସ୍ପର୍ଶରେ ଆସିଥିଲେ, କିନ୍ତୁ ଘଟଣା ସମୟରେ ଉପସ୍ଥିତି ନଥିଲେ; ତେଣୁ ସ୍ୱାଭାବିକ ରୂପେ ସେ ଏ ବାବଦରେ କିଛି କହିଥିଲେ । ତେଣୁ ଭାରତୀୟ ପ୍ରତିନିଧି ଦଳଙ୍କ ସ୍ୱଦେଶ ଲେଉଟି ନଯିବା ପର୍ଯ୍ୟନ୍ତ ତାଙ୍କୁ ଶାସ୍ତ୍ରୀଙ୍କ ମୃତ୍ୟୁ ପରବର୍ତ୍ତୀ କୌଣସି ବିଧିବଦ୍ଧ କାର୍ଯ୍ୟରେ ସାମିଲ କରାଯାଇ ନଥିଲା । ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପରେ ସମ୍ଭବତଃ ଜଣେ ବରିଷ୍ଠ ଡାକ୍ତର, ଯେ ମୃତ୍ୟୁ ବିବରଣୀରେ ସ୍ୱାକ୍ଷର କରିଥିଲେ (ଯଦିଓ ସେମାନେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ମୃତ୍ୟୁ ହୋଇସାରିଥିଲା), ୟରେମେକ୍କୋଙ୍କ ସନ୍ଦେହମୋଚନ କରିବାକୁ ସାଧ୍ୟମତେ ଚେଷ୍ଟା କରି ବିବରଣୀର ‘ସୋଭିଏତ’ ସଂସ୍କରଣରେ ସ୍ୱାକ୍ଷର କରାନେଇଥିବେ ।

‘ରହସ୍ୟଜନକ ‘କଟା ଦାଗ’କୁ ଦେଖି ଯଦି ୟରେମେକ୍କୋଙ୍କ କିଛି ହେରଫେର ହୋଇଥିବାର ଆଶଙ୍କା ଉପୁଜିଥିବେ, ସେ ହିଁ ବେକ ପଛପାଖେ ‘ଛିଦ୍ର୍ର’ ଓ ଉଦର ପୃଷ୍ଠରେ ଯୁକ୍ତ(+) ଚିହ୍ନ ପରି କାଟି ଯଥାକ୍ରମେ ମେରୁଦଣ୍ଡ ରସ ଓ ଅନ୍ତନଳୀର ଅଂଶ କାଢ଼ିଥିବାର ଚେଷ୍ଟା କରିଥିବେ । କେଜିବି ସହିତ ଅନ୍ତରଙ୍ଗ ନଥିବା ୟରେମେକ୍କୋ ଏହି ସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପରାମର୍ଶ ଦେଇଥିବେ । ଭାବନ୍ତୁ ଏଭଳି ସମୟରେ ‘ବରିଷ୍ଠ ଡାକ୍ତର’ ଦଳଙ୍କ ମଧ୍ୟରେ ଥିବା କେହି କେଜିବି ଏଜେଣ୍ଟ କ’ଣ କରିଥିବେ । ସେ ଶାସ୍ତ୍ରୀଙ୍କ ଅଚାନକ ପୀଡ଼ିତ ହେବା ରହସ୍ୟ ଜାଣିଥିବାରୁ ଓ ୟରେମେକ୍କୋଙ୍କ ଦ୍ୱାରା କରାଯାଇଥିବା କଟା ଚିହ୍ନ ସବୁକୁ ଲୁଚାଇବାକୁ ଟେପର ସାହାଯ୍ୟ ନେଇଥିବେ । ଏହା କେବଳ ଅନୁମାନ । ତଥାପି କଟା ଦାଗଗୁଡ଼ିକ ଇେଞ୍ଜକ୍ସନ ଛୁଞ୍ଚିରେ କରାହେଇଛି’ର ଦୃଢ଼କ୍ତିିଠାରୁ ଏହି ଅନୁମାନ ଅଧିକ ଯୁକ୍ତିଯୁକ୍ତ ମନେ ହୁଏ ।’

ପ୍ରସ୍ତାବିତ କମିଟି, ଭାରତର ପ୍ରଧାନମନ୍ତ୍ରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବା ନିତାନ୍ତ ବାଞ୍ଛନୀୟ କାରଣ ଏହା ତାଙ୍କ ପୂର୍ବସୂରୀଙ୍କ ମୃତ୍ୟୁ ସମ୍ବନ୍ଧିତ ଅଟେ । ତେଣୁ କମିଟି କାର୍ଯ୍ୟର ସଠିକ ସମ୍ପାଦନ ଲାଗି, ଏଥି ସଂପର୍କିତ ମନ୍ତ୍ରଣାଳୟ, ବିଭାଗ ଓ ଅନ୍ୟାନ୍ୟ କାର୍ଯ୍ୟାଳୟକୁ (ବିଶେଷ କରି ର’ ଓ ଆଇବି) ପ୍ରଧାନମନ୍ତ୍ରୀ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରିବା ସମୀଚୀନ ହେବ । ମାର୍ଗଦର୍ଶିକା ଅନୁସାରେ ଶାସ୍ତ୍ରୀଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ମହଜୁଦ୍ ସମସ୍ତ ରେକଡର଼୍ ତଥା ଡ. ଚୁଗ୍, ଜାନ ମହମ୍ମଦ ଓ ଟିଏନ କୌଲଙ୍କ ଲିପିବଦ୍ଧ ବୟାନ, କାର୍ଯ୍ୟାଦିକୁ କମିଟିକୁ ଯୋଗାଇ ଦିଆଯାଉ । ରେକଡର଼୍ର ଅର୍ଥ ଅନ୍ତର୍ଭୁକ୍ତ ହେଉଛି ନିମ୍ନ ଉଲ୍ଲେଖିତ ଯେକୌଣସି ରୂପ (ଫର୍ମାଟ)ର ସୂଚନା – ଇଲେକ୍ଟ୍ରୋନିକ, କାଗଜ, ଛବି ବା କ୍ଷୁଦ୍ରତିକ୍ଷୁଦ୍ର ଚଳଚିତ୍ର (ମାଇକ୍ରୋଫିଲ୍ମ) । ଭାରତ ପ୍ରତ୍ୟାବର୍ତ୍ତନ ପରେ ଶାସ୍ତ୍ରୀଙ୍କ ଅଧିନସ୍ତ କର୍ମଚାରୀବୃନ୍ଦ, ରାଷ୍ଟ୍ରଦୂତ କୌଲ, ବିଦେଶମନ୍ତ୍ରୀ ସ୍ୱର୍ଣ୍ଣ ସିଂହ ଓ ଅନ୍ୟମାନେ ନିଶ୍ଚୟ ସବିଶେଷ ବୃତ୍ତାନ୍ତ କହିଥିବେ ଯାହା ରେକର୍ଡଭୁକ୍ତ ହୋଇଥିବ । ଏହି ବର୍ଷର ଆଦ୍ୟରେ ବରିଷ୍ଠ ପତ୍ରକାର ପ୍ରେମ ପ୍ରକାଶ କହିଥିଲେ ଯେ, “ଆଜି ପର୍ଯ୍ୟନ୍ତ ତାସକନ୍ଦଠାରେ ଭାରତୀୟ ପ୍ରତିନିଧି ଦଳଙ୍କ ଭିତିରି ଆଳାପର କୌଣସି ସଂରକ୍ଷିତ ଐତିହାସିକ ନଥିପତ୍ର କେହି ଦେଖିନାହାଁନ୍ତି । କ’ଣ ସେସବୁ ନଷ୍ଟ କରିଦିଆଯାଇଛି ? କେହି କହିପାରିବେ ନାହିଁ । ରହସ୍ୟ ତଥାପି କ୍ରମଶଃ ରହିଗଲା । ୨୨ (୨୨ ଯେଉଁ ରାତ୍ରିରେ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ମୃତ୍ୟୁ ବରଣ କଲେ ତାହାର ପ୍ରତ୍ୟକ୍ଷଦର୍ଶୀ ବର୍ଣ୍ଣନାର ପୁସ୍ତକ ରୂପ ହେଉଛି “Come down your Prime Minister is dead”- ଏହା https:// www. aninews.in/news/national/general-news/come-down-your-prime-minister-is-dead-account-of-the-night-pm-shastri -died 20180111184140001 ଉପଲବ୍ଧ) ଏଇ ମାମଲାରେ ଗୁପ୍ତ ରେକଡର଼୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ବର୍ଷ ପର୍ଯ୍ୟନ୍ତ ନେତାଜୀଙ୍କ ପରିବାର ସଦସ୍ୟଙ୍କ ଉପରେ ସରକାରୀ ସଂନୀରିକ୍ଷଣର (କେହି ଏହାର ଟେର୍ ବି ପାଇଲେନି) ଅବଲୋକନ କଲେ, ନିକ୍ସନଙ୍କ ଶାସନ କାଳରେ ଆମେରିକାରେ ସଂଘଠିତ ଗୁଇନ୍ଦା କାର୍ଯ୍ୟକଳାପ ଫିକା ବା ଅଣପେଶାଧାର ମନେ ହୁଏ । ତେଣୁ ଗୁଇନ୍ଦା କାର୍ଯ୍ୟକୁ ଅତି ନିଖୁଣ ତଥା ପେଶାଧାରୀ ଉପାୟରେ ସମ୍ପାଦିତ କରିବାରେ ଭାରତର ବିଶ୍ୱସ୍ତରୀୟ ମାନ ସ୍ୱୀକାର କରିବାକୁ ପଡ଼ିବ । କିନ୍ତୁ ବିଚରା ରିଚାଡର଼୍ ନିକ୍ସନ, ନିଜ ଜାଲରେ ନିଜେ ଫସିଗଲେ । ଜଣେ ପୂର୍ବତନ ସିଆଇଏ କର୍ମକର୍ତ୍ତାଙ୍କ ୱାଟରଗେଟ ପରିସରରେ ସ୍ଥିତ ଡେମେକ୍ରାଟିକ୍ ଦଳ କାର୍ଯ୍ୟାଳୟରେ ବାର୍ତ୍ତାଳାପ ରେକର୍ଡ କରିବା ଗୁପ୍ତ ଯନ୍ତ୍ର ଖଞ୍ଜିବାରେ ଅସଫଳତା ଯୋଗୁଁ ନିକ୍ସନ ନିଜ ରାଷ୍ଟ୍ରପତି ପଦ ହରାଇଲେ । ବିଟ୍ରିଶଙ୍କଠାରୁ ଚକ୍ରାନ୍ତ, ଛଳକପଟ ବିଦ୍ୟାକୁ ସୁନ୍ଦର ଆୟତ୍ତ କରିଥିବା ଆମ ଭାରତୀୟ ଗୁପ୍ତଚରଙ୍କ ପାଇଁ ଏହା ତ ପିଲାଖେଳ ସଦୃଶ୍ୟ । ବହୁ ସମୟ ପୂର୍ବେ ଜଣେ ପୂର୍ବତନ ସିବିଆଇ ଅଧିକାରୀ ମୋତେ ଏକ କ୍ଷୁଦ୍ର ଉପାଖ୍ୟାନ ଶୁଣାଇଥିଲେ । ପାକିସ୍ତାନର ରାଷ୍ଟ୍ରପତି ଜିଆ-ଉଲ-ହକ୍ ୧୯୮୭ରେ ଭାରତ ଗସ୍ତରେ ଆସିଥିଲେ । ସେ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ଭେଟିଥିଲେ; ସେତେବେଳକୁ ରାଜୀବ ଗାନ୍ଧୀଙ୍କ ସହିତ ଜୈଲ ସିଂହଙ୍କ ସଂପର୍କ ଆଦୌ ଉତ୍ତମ ନଥିଲା । ଜିଆ-ଉଲ-ହକ୍ ଓ ଜ୍ଞାନୀ ଜୈଲ ସିଂହଙ୍କ ରାଷ୍ଟ୍ରପତି ଭବନରେ ବାର୍ତ୍ତାଳାପ ଆରମ୍ଭ ହୋଇଛି କି ନାହିଁ ଶ୍ରୀ ଜୈଲ ସିଂହ ନାମକ ଜଣେ ପୂର୍ବତନ ଗୃହମନ୍ତ୍ରୀ (ଯାହାଙ୍କ ଅଧିନରେ ଆଇବି କାର୍ଯ୍ୟ କରେ), କହିଲେ “ଜେନେରାଲ ସାହେବ, କାନ୍ଥର ବି କାନ ଅଛି (ଜେନେରାଲ ସାହେବ, ଦିୱାରୋ କେ ବି କାନ ହୋତେ ହେ) ଓ ତତ୍‌କ୍ଷଣାତ୍ ଦୁହେଁ ମୋଗଲ ଉଦ୍ୟାନକୁ ବାହାରି ଗଲେ ।

ଏ ସବୁ ତଥ୍ୟର ଅନୁଧ୍ୟାନ କଲେ ଭାରତରେ ଗୁଇନ୍ଦା କାର୍ଯ୍ୟକଳାପ ସମ୍ବନ୍ଧିତ ଦସ୍ତାବିଜର ଏକ ବିରାଟ ଗନ୍ତାଘର ଅଛି ବୋଲି ଜଣେ ଅନୁମାନ କରିପାରିବ । ପୂର୍ବତନ ଆଇବି ମୁଖ୍ୟ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଏମକେ ନାରାୟଣନ୍ ଲୋକଙ୍କୁ “ମୋ ନିକଟରେ ତୁମର ବ୍ୟକ୍ତିଗତ କାର୍ଯ୍ୟକଳାପର ଚିଠା ପ୍ରସ୍ତୁତ ଅଛି” ବୋଲି ଯେଉଁ ପରିହାସ କରୁଥିଲେ, ଅଜାଣତରେ ସେ ଭାରତର ଗୁପ୍ତଚର ବିଭାଗକୁ ସେମାନଙ୍କ ବିପୁଳ ନଥିପତ୍ର ସମ୍ଭାର ଲାଗି ଅଭିନନ୍ଦନ ଜଣାଉଥିଲେ । ବିଶ୍ୱାସ ହେଉନାହିଁ ଯେ, ଏପରି ଚତୁର, ବିଚକ୍ଷଣ ଲୋକେ କିପରି ଶାସ୍ତ୍ରୀ ମୃତ୍ୟୁ ଘଟଣାର ବା ଏହାକୁ କେନ୍ଦ୍ର କରି ଗଢ଼ି ଉଠିଥିବା ଷଡ଼ଯନ୍ତ୍ର ମତବାଦ ବିଷୟରେ ସୂଚନା ସଂଗ୍ରହ କଲେ ନାହିଁ । ୧୯୪୭ ପରବର୍ତ୍ତୀ କାଳରେ ସୁବାଷ ବୋଷଙ୍କ ସାଧାରଣ କିଛି ପରିଜନଙ୍କର ଗୁଇନ୍ଦା ଗୁପ୍ତ ନଥିପତ୍ର ଯଦି କରାଯାଇପାରେ; ଜାପାନରୁ ସୁବାଷ ବୋଷଙ୍କ ଖଣ୍ଡାକୁ ୨୩ ସ୍ୱାଗତ କରାଯିବା ନିମନ୍ତେ ଯଦି କିଛି ସାଂସଦଙ୍କ ଏକ ସଭାର ଆୟୋଜନ ଗୁପ୍ତ ନଜର ପରିବଦ୍ଧ ହୋଇପାରେ; ଲଲିତା ଶାସ୍ତ୍ରୀ, ରାଜ ନାରାନ ଓ ଅନେକ ବ୍ୟକ୍ତି, ଯେଉଁମାନେ ତାସକନ୍ଦ ଘଟଣାରେ ସରକାରଙ୍କୁ ଖୋଲାଖୋଲି ଦାୟୀ କରୁଥିଲେ, ସେମାନଙ୍କର ବି ମୋଟା ଦସ୍ତାବିଜ ଥିବ ନିଶ୍ଚୟ । (୨୩ ୧୯୬୭ ରେ ସୁବାଷ ବୋଷଙ୍କ ଖଣ୍ଡାକୁ ନୂଆ ଦିଲ୍ଲୀଠାରେ ସ୍ୱାଗତ କରିବା ଉଦ୍ଧେଶ୍ୟରେ କିଛି ସାଂସଦଙ୍କୁ ନେଇ ଏକ ପ୍ୟାନେଲ ଗଠନ କରାଯାଇଥିଲା । ୨୦୧୬ରେ ବିବର୍ଗୀକୃତ ଏକ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ନଥିପତ୍ର ଅନୁଯାୟୀ ଉପରୋକ୍ତ ପ୍ୟାନେଲର ସଦସ୍ୟଗଣଙ୍କ ଉପରେ ଗୁଇନ୍ଦା ନଜର ରଖିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସଚିବାଳୟ ବା ବର୍ତ୍ତମାନର ପିଏମଓ ତତ୍କାଳୀନ ଆଇବି ନିର୍ଦ୍ଧେଶକ ଏସ.ପି. ବର୍ମାଙ୍କୁ ‘କମିଟିର ଲକ୍ଷ୍ୟ, ଉଦ୍ଧେଶ୍ୟ ଓ ଏହାର ସାଙ୍ଗଠାନିକ ଢାଞ୍ଚା’ ବିଷୟରେ ତଦନ୍ତ ଲାଗି ଆଦେଶ ଦେଇଥିଲେ । ଏହା ବାଦ୍ ଉକ୍ତ ପ୍ୟାନେଲରେ କଂଗ୍ରେସ ଦଳର ପ୍ରତିନିଧିତ୍ୱ କରାଯାଇଛି ନା ନାହିଁର ଖବର ନେବାକୁ ମଧ୍ୟ ନିର୍ଦ୍ଧେଶ ରହିଥିଲା । ରାଜଧାନୀରେ ‘ଖଣ୍ଡା’ର କ’ଣ କରାଯିବ, ଏହାର ସୂଚନା ପ୍ରାପ୍ତ ପାଇଁ ମଧ୍ୟ କୁହାଯାଇଥିଲା ।)

ଯଦି ଭବିଷ୍ୟତରେ ଦସ୍ତାବିଜ ନାହିଁ ବୋଲି କୁହାଯାଏ ତେବେ ଧରିନିଆଯିବ ଯେ, ସେଗୁଡ଼ିକ ନଷ୍ଟ କରିଦିଆଯାଇଛି; ଯେମିତି ସୁବାଷ ବୋଷଙ୍କ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଇନ୍ଦିରା ଗାନ୍ଧୀ ସରକାର ନଷ୍ଟ କରିଦେଇଥିଲେ । ୨୪ (୨୪କେଉଁ ପରିସ୍ଥିତିରେ ସୁଭାଷ ବୋଷଙ୍କ ମୃତ୍ୟୁ ହେଲା’ ସମ୍ବନ୍ଧିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନଥି ନଂ ୧୨(୨୨୬)/୫୬-ଚଗଟ ୧୯୫୬ରେ ପ୍ରସ୍ତୁତ କରାଯାଇଥିଲା କିନ୍ତୁ ୧୯୭୨ରେ ଅନେକ ରଦିି କାଗଜପତ୍ର ସହିତ ନଷ୍ଟ କରି ଦିଆଗଲା । ସେ ସମୟରେ ବଳବତ୍ତର Manual of Official Procedure ଅନୁଯାୟୀ ଐତିହାସିକ ମହତ୍ୱ ରଖୁଥିବା, ବିଶେଷ କରି ଜନମାନସକୁ ଆନ୍ଦୋଳିତ କରୁନଥିବା ଦସ୍ତାବିଜ୍କୁ ୨୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଳୟରେ ରଖାଯିବ ଓ ପରେ ଜାତୀୟ ଅଭିଲେଖାଗାରକୁ ସ୍ଥାନାନ୍ତର କରାଯିବ । ତେଣୁ ୧୯୭୨ରେ ଏକ କମିଶନ ନେତାଜୀଙ୍କ ମୃତ୍ୟୁର ତଦନ୍ତ କରୁନଥିବା ପରିପ୍ରେକ୍ଷୀରେ ଫାଇଲଟିକୁ ନଷ୍ଟ କରାଯିବା ସମ୍ପୂର୍ଣ୍ଣ ବେଆଇନ) ନଥିପତ୍ରର ନମିଳିବା ପରିସ୍ଥିତିକୁ ଆହୁରି ଗୋଳମାଳିଆ କରିଦେବ । ତେଣୁ ଶାସ୍ତ୍ରୀଙ୍କ ସବୁ ରେକର୍ଡ ଗଠିତ କମିଟିକୁ ଯୋଗାଇ ଦିଆଯିବା ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଧେଶ ରହିବା ଉଚିତ୍ । ଘଟଣା ସହିତ ସମ୍ବନ୍ଧ ରଖୁଥିବା ସମସ୍ତ ମନ୍ତ୍ରଣାଳୟକୁ ଯୋଗାଇ ଦିଆଯାଇନଥିବା ରେକର୍ଡରେ ଲିଖିତ ଘୋଷଣାନାମା ସଂଯୁକ୍ତ କରିବାକୁ ନିର୍ଦ୍ଧେଶ ଦିଆଯିବା ସମୀଚୀନ ହେବ । ସବୁ ତଥ୍ୟକୁ ଉନ୍ମୋଚନ କରାଯାଇଛି ଓ କିଛି ଗୋପନ ନାହିଁ ବୋଲି ଘୋଷଣାନାମାରେ ଉଲ୍ଲେଖ କରାଯାଉ । ନଷ୍ଟ ଓ ହଜିଯାଇନଥିବା ନଥିପତ୍ର ବାବଦରେ ମଧ୍ୟ ସଫେଇ ଦିଆଯିବା ଉଚିତ ପଦକ୍ଷେପ ହେବ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ହୋଇଛି ସନ୍ଦେହ ଆରୋପର ପଟ୍ଟଦେଶରେ ମୃତ୍ୟୁକୁ ହାଲ୍କା ଭାବେ ବିବେଚନା କରାନଯାଉ ।

ଶାସ୍ତ୍ରୀଙ୍କ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନୀନ ଘୋଷଣାକ୍ରମେ ସମସ୍ତ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ସରକାରୀ କାର୍ଯ୍ୟକର୍ତ୍ତା ଖାସ୍ କରି ଯେଉଁମାନେ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ବା ସେବା ନିବୃତ୍ତଙ୍କୁ ଅଫିସିଆଲ୍‌ ସିକ୍ରେଷ୍ଟସ୍ ଆକ୍ଟ ପରିଧିରୁ ବାଦ୍ ଦିଆଯିବା ଉଚିତ୍ । ନ୍ୟାୟ ଓ ସତ୍ୟ ସକାଶେ ସେମାନେ ନିଜ ଅନୁଭୂତି ଓ ମତକୁ ବିନା କୌଣସି ପ୍ରତିଶୋଧମୂଳକ ଦଣ୍ଡ ଭୟରେ କମିଟି ସମ୍ମୁଖରେ ରଖିବାକୁ ଉତ୍ସାହିତ କରାଯିବା ଉଚିତ୍ ।

ଏହି ଭଳି ଅନ୍ତରୀଣ ପଦକ୍ଷେପ ନେବା ପରେ ପ୍ରଧାନମନ୍ତ୍ରୀ, ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧରେ ସୂଚନା ମହଜୁଦ ରଖିଥିବା ଚାରି ବିଦେଶ ରାଷ୍ଟ୍ରର ମୁଖ୍ୟଙ୍କ ସହିତ ଯୋଗାଯୋଗ ପୂର୍ବକ ସମର୍ଥନ ହାସଲ ଲାଗି ପ୍ରଚେଷ୍ଟିତ ହେବା ଉଚିତ୍ । ଗୁଇନ୍ଦା ବିଭାଗର ଗୁପ୍ତ ତଥ୍ୟ ଆଧାରିତ ରେକର୍ଡ ସମୁହକୁ ହାସଲ ଲାଗି ସେମାନଙ୍କୁ ଅନୁରୋଧ କରାଯାଉ । ଏହିସବୁ ରାଷ୍ଟ୍ର ସତର୍କତା ଅବଲମ୍ବନ ପୂର୍ବକ ଗୁଇନ୍ଦା ସୂଚନାର ଉତ୍ସ ତଥା ତଥ୍ୟ ସଂଗ୍ରହ ପ୍ରଣାଳୀକୁ ଆବୃତ ରଖିବା ସକାଶେ ନିୟନ୍ତ୍ରିତ ପଦ୍ଧତି ଆପଣେଇ ପାରିବେ । ଆମକୁ ତ କେବଳ ତଥ୍ୟ ଦରକାର । ୨୦୦୩ରେ ଭାରତ ସରକାର Freedom of Information Act ଜରିଆରେ ଯୁକ୍ତରାଷ୍ଟ୍ର ଆମେରିକାର ଗୁପ୍ତ ରେକର୍ଡ କିଛିକୁ ହାସଲ ଲାଗି ରୋକ୍‌ଠୋକ୍ ମନା କରିଦେଲେ । ପରେ ମୁଁ ଏହି ଆଇନ ସାହାଯ୍ୟରେ ଦୁଇଟି ସିଆଇଏ ରେକଡର଼୍ ପ୍ରାପ୍ତ ହେଲି । ଏହା ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାର୍ଥ ପରିପନ୍ଥୀ ହୋଇପାରେ ବୋଲି ବିଚାର କରି ପ୍ରଥମେ ଅବଶ୍ୟ ସିଆଇଏ ମୋ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଲା । ତେଣୁ ମୁଁ ଯାଚନା କଲି ଯେ ଆବ୍ୟଶକ ସ୍ଥଳେ ଏଜେଣ୍ଟ ମାନଙ୍କ ନାମ ଓ ସୂଚନା ସଂଗ୍ରହ ପ୍ରଣାଳୀ ଗୁପ୍ତ ରଖାଯାଇ, ଆମେରିକାର ସହିତ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତର ଅଗଣିତ ବୋଷ ପ୍ରଂଶସକଙ୍କ ଖାତିରରେ ରେକର୍ଡଗୁଚ୍ଛକୁ ସାର୍ବଜନୀନ କରାଯିବା ସମୀଚୀନ ହେବ । ପରିଶେଷରେ ରେକର୍ଡ଼ଗୁଡ଼ିକ ଉନ୍ମୋଚନ କରାଗଲା । ପ୍ରାୟତଃ ଦେଖାଯାଏ ଯେ ସମ୍ବେଦନଶୀଳ ଘଟଣାର ଗୁଇନ୍ଦା ତଦନ୍ତ ଗୁପ୍ତ ରିପୋର୍ଟ/ରେକର୍ଡ଼କୁ ସର୍ବସାଧାରଣରେ ଅନାବରଣ କରିବାକୁ ସରକାର ସଦାବେଳେ କୁଣ୍ଠିତ । ଗୁପ୍ତ ରହସ୍ୟ ପଦାରେ ପଡ଼ିଯିବା ଭୟ ହେତୁ, ଅନ୍ୟ ରାଷ୍ଟ୍ରରୁ ଏଭଳି ରେକଡର଼୍କୁ ଆଣିବାରୁ ଭାରତକୁ କ୍ଷାନ୍ତ ରହିିବାକୁ ଅନେକ ବାହାନାମାନ ସୃଷ୍ଟି କରାଯାଏ । ଅଧିକାରୀବୃନ୍ଦ କୁହନ୍ତି ଅନ୍ୟ ଦେଶରୁ ଗୁଇନ୍ଦା ରେକର୍ଡ଼ ପାଇଁ ଅନୁରୋଧ କରାଗଲେ ସେମାନେ ଆମ ରେକର୍ଡ଼ ପାଇଁ ଦାବି କରିପାରନ୍ତି । ୧୯୯୦ ମଧ୍ୟକାଳରେ ରୁଷୀୟଙ୍କଠାରୁ ନେତାଜୀ ସମ୍ବନ୍ଧିତ କେଜିବି ରେକର୍ଡ଼ ଆଣିବାର ଚେଷ୍ଟାକୁ ଏହିଭଳି ଏକ ପେଖନା ଦେଖାଇ ଅଟକାଇ ଦିଆଯାଇଥିଲା । ନେତାଜୀଙ୍କ ସଂପର୍କିତ ଏକ ବିବର୍ଗିକୃତ ରେକର୍ଡ଼ ଅନୁଯାୟୀ ବିଦେଶ ରାଷ୍ଟ୍ରର ସଂରକ୍ଷିତ ଗୁଇନ୍ଦା ତଥ୍ୟ ହାସଲ କରିବା ସରକାରଙ୍କ ପକ୍ଷେ ‘ଶୋଭନୀୟ’ ନୁହେଁ; “ଯଦି ଅନୁରୂପ ଅନୁରୋଧ ସେମାନେ କରନ୍ତି ତେବେ ଆମେ ଏକ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେବା ।” ଏହା ଏକ ହାସ୍ୟପ୍ସଦ ବାହାନା । ବିଗତ ସାତ ଶତାବ୍ଦୀରେ ଭାରତ ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ଓ ନୀତିକୁ ଅନୁସରଣ ସହିତ ସାରା ବିଶ୍ୱରେ ଏହାକୁ ଆଦୃତି କରାଇବା ପ୍ରୟାସ ଜାରି ରଖିଛି । ତେଣୁ ବିଶ୍ୱକୁ ଦେଖାଇ ଦେବା ଯେ, ଆମେ ଏହି ମହାମାନବଙ୍କ ପଦାକୁ କେବଳ ଭାଷଣରେ ଓ ପୁସ୍ତକରେ ସୀମିତ ରଖି ନାହୁଁ ବରଂ କର୍ମ ଦ୍ୱାରା ଅନୁସରଣ କରୁ ।

ବ୍ୟାବହାରିକ ରୂପରେ ଦେଖିବାକୁ ଗଲେ, ବନ୍ଧୁ ରାଷ୍ଟ୍ରର ସାହାଯ୍ୟର ଉଚିତ୍ ମୂଳ୍ୟ ଦେବାରେ ଆମେ ସେଙ୍କାଚ କରିବା କଥା ନୁହେଁ । ଆମର କିଛି ଲୁଚାଇବାର ନାହିଁ, ତେଣୁ ଆମ ଅଭିଲେଖାଗାରରେ ସଂଗୃହିତ ଗୁଇନ୍ଦା ନଥିପତ୍ରକୁ ସେମାନଙ୍କ ଯାଞ୍ଚ ନିମନ୍ତେ ଦିଆଗଲେ କିଛି କ୍ଷତି ହେବ ନାହିଁ । ବନ୍ଧୁ ରାଷ୍ଟ୍ର ମଧ୍ୟରେ ପ୍ରାସଙ୍ଗିକ ଗୁଇନ୍ଦା ରେକର୍ଡ଼ ଆଦାନ ପ୍ରଦାନ ସାଧାରଣ କଥା । ଏହା କଥା ତ ଅନେକ ବର୍ଷ ତଳର ଘଟଣା ତାହା ପୁଣି ଜଣେ ରାଷ୍ଟ୍ରମୁଖ୍ୟଙ୍କ ଦୁଃଖଦାୟକ ମୃତ୍ୟୁ ବ୍ୟାପାର । କିଛି ବର୍ଷ ପୂର୍ବେ ବିଶ୍ୱର ଜଣେ ସମ୍ମାନସ୍ପଦ ବିଦ୍ୱାନ ତଥା ଏମ୧୫ (M 15)ର ଇତିହାସର ପ୍ରାଧିକୃତ ଲେଖକ ପ୍ରଫେସର କ୍ରିଷ୍ଟୋଫର ଆଣ୍ଡ୍ରୁ ଏକ ଉତ୍କୃଷ୍ଟ ଉଦାହରଣ ଦେଇଥିଲେ । ମୁମ୍ବାଇର ଡ଼ିଏନଏକୁ ଏକ ସାକ୍ଷାତକାର ଅବସରରେ ସେ କହିଥିଲେ ଯେ ନେହେରୁଙ୍କ ସମୟରେ ଆଇବି M 15କୁ ରେକର୍ଡ଼ ଯାଞ୍ଚ କରିବାକୁ ନିିମନ୍ତ୍ରଣ କରିଥିଲେ । ଏହି ରେକର୍ଡ଼, ମସ୍କୋ, ଭାରତୀୟ କମ୍ୟୁନିଷ୍ଟ୍‌ ପାର୍ଟିକୁ ଦେଇଥିବା ଅର୍ଥ ସାହାଯ୍ୟ ସମ୍ବନ୍ଧିତ ଥିଲା । ଏହି ରେକର୍ଡ଼କୁ ଆଇବି କମ୍ୟୁନିଷ୍ଟ ପାର୍ଟିଠାରୁ ସଂଗ୍ରହ କରିଥିଲା ଯାହା ଦଳ ମସ୍କୋଠାରୁ ପ୍ରାପ୍ତ ହୋଇଥିଲା ।

ଶାସ୍ତ୍ରୀଙ୍କ ମାମଲାରେ ପ୍ରଥମେ ସୋଭିଏତ ରୁଷର ଉତ୍ତରାଧିକାରୀ ରୁଷର ଉଚ୍ଚସ୍ତରୀୟ ନେତୃତ୍ୱ ସହିତ ବାର୍ତ୍ତାଳାପ କରାଯାଇପାରେ । ଏହି ସହଯୋଗ ସକାଶେ ଭାରତ ସର୍ବଦା କୃତଜ୍ଞ ତଥା ପାରସ୍ପରିକ ସମ୍ବନ୍ଧରେ ଏହା ଅନ୍ତରାୟ ସୃଷ୍ଟି କରିବ ନାହିଁ ବୋଲି ଘୋଷଣାନାମା ଜାରି କରାଯାଇପାରେ । ନିଃସନ୍ଦେହ ଯେ ଶାସ୍ତ୍ରୀଙ୍କ ମୃତ୍ୟୁ ବାବଦରେ ରୁଷ ନିଶ୍ଚୟ ବିସ୍ତୃତ ରେକର୍ଡ଼ ସଂଗୃହୀତ କରିଥିବ । କେଜିବି ଦ୍ୱାରା ମହମ୍ମଦ ଜାନ ଓ ଅନ୍ୟମାନଙ୍କୁ କରାଯାଇଥିବା ଜେରାର ସବିଶେଷ ରିପୋର୍ଟ ମଧ୍ୟ ଏଥିରେ ସାମିଲ ଥିବ । ଶାସ୍ତ୍ରୀଙ୍କ ମୃତ୍ୟୁ ଅସ୍ୱାଭାବିକ ବୋଲି ବିବାଦ ସୃଷ୍ଟି ହେବା ପରେ ରୁଷ ଏହା ଉପରେ ତୀକ୍ଷ୍ମ ନଜର ରଖିଥିବା ଆପାତଃ ସ୍ପଷ୍ଟ ଅନୁମେୟ । ୨୬ ( ୨୬ ସୁଭାଷ ବୋଷ ବିଷୟ ତଦନ୍ତ କରୁଥିବା ଜଷ୍ଟିସ୍ ଏମ.କେ. ମୁଖାର୍ଜୀ ୨୦୦୫ରେ ଅନ୍ୟ କିଛି ବ୍ୟକ୍ତି ସହିତ Russian State of Archive of Socio-Political History ପରିଦର୍ଶନ କରିଥିଲେ । ‘ପାଓନିୟର’ ପତ୍ରିକାର ବରିଷ୍ଠ ସମ୍ପାଦକ ଉଦୟନ ନାମବୁଦିରିି ଦଳର ଅନ୍ୟତମ ସଦସ୍ୟ ଥିଲେ । ସୁଭାଷ ସମ୍ବନ୍ଧିତ ଗୋଟିଏ ଫାଇଲ ଅଛି ବୋଲି ଅଭିଲେଖାଗାରର ନିର୍ଦ୍ଧେଶକ ମୁଖାର୍ଜୀଙ୍କୁ କହିଥିଲେ । ଯାଞ୍ଚ ପରେ ଜଣାପଡ଼ିଲା ଯେ ୧୯୪୨-୧୯୫୬ କାଳରେ ଭାରତୀୟ, ବିଟ୍ରିଶ ଓ ଚୀନ ଖବରକାଗଜରେ ପ୍ରକାଶିତ ବୋଷ ବ୍ୟାପାରର ‘ଟାସ୍’ ରିପୋର୍ଟ ଥିଲା । ନାମବୁଦିରିି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ “ନେତାଜୀଙ୍କ ଅନ୍ତର୍ଦ୍ଧାନ ଘେନି ୧୯୫୬ ପର୍ଯ୍ୟନ୍ତ ଭାରତୀୟ ଗଣମାଧ୍ୟମର ବ୍ୟାପକ ସକ୍ରିୟତାରେ ରୁଷ କାହିଁକି ଆଗ୍ରହୀ ।” ) ଆଜି ବି ଏହି ରେକର୍ଡ଼ ସବୁ ରୁଷରେ ଅକ୍ଷତ ଥିବ; ନଷ୍ଟ କରିଦେବାର କୌଣସି କାରଣ ତ ନଜରକୁ ଆସୁନାହିଁ ।

ଦ୍ୱିତୀୟ ଦେଶ ଭାବେ ଉଜ୍‌ବେକିସ୍ତାନକୁ ଅନୁରୋଧ କରାଯାଉ କାରଣ ସେମାନଙ୍କ ନିକଟରେ ସୋଭିଏତ ଯୁଗରେ, ତାସକନ୍ଦଠାରେ ସଂଘଠିତ ଘଟଣାର କିଛି ରେକର୍ଡ଼ ଥାଇପାରେ ବୋଲି ବଲିଷ୍ଠ ସମ୍ଭାବନା ଅଛି । ୧୯୬୬ରେ ଜାନୁୟାରୀର ସେ ଅଭାବନୀୟ ଘଟଣାର କିଛି ପ୍ରତ୍ୟକ୍ଷଦର୍ଶୀ ଏବେ ଜୀବିତ ଥାଇପାରନ୍ତି । ଏହା ମଧ୍ୟ ସମ୍ଭବ ଯେ ଶାସ୍ତ୍ରୀଙ୍କ ଘଟଣାରେ ପ୍ରଭାବିତ ହୋଇ, ମନରେ ଅନେକ ଅନୁଶୋଚନା ନେଇ, କେତେକ ସରକାରୀ କାର୍ଯରୁ ନିବୃତ୍ତ ହୋଇଛନ୍ତି ବା ଇହଧାମ ତ୍ୟାଗ କରିସାରିିଛନ୍ତି । ଡ. ଊକ୍ତମ ଆରିପୋବିଚ୍ ଆରିପୋବ୍ (୨୦୦୧ରେ ମୃତୁ୍ୟ ବରଣ କରିଛନ୍ତି), ଶାସ୍ତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିବା ଡାକ୍ତରୀ ଦଳର ନେତା ଥିଲେ । ଦିବଂଗତ ନେତାଙ୍କ ଶବ ସଂରକ୍ଷଣରେ ବିଶେଷ ଭୂମିକା ନିର୍ବାହ କରିଥିବା ଡ. ଊକ୍ତମ ଉଜବେକିସ୍ତାନର ଚିକିତ୍ସା ବିଭାଗର ଜଣେ ଜଣାଶୁଣା ଡାକ୍ତର । ୧୯୭୧ ଓ ୧୯୮୪ କାଳରେ ସେ ତାସକନ୍ଦ ମେଡ଼ିକାଲ ଅନୁଷ୍ଠାନର ରେକ୍ଟର ଥିଲେ । ସେ ବିଜ୍ଞାନ ଭିତ୍ତିକ ୪୬୦ କୃତି ରଚନା କରିଛନ୍ତି ।

ଆମେରୀକୀୟଙ୍କୁ ମଧ୍ୟ ଅନୁରୋଧ କରାଯାଉ । ତାସକନ୍ଦରେ ଗତିବିଧି ଉପରେ ସିଆଇଏ ଓ ବୈଦେଶିକ ବିଭାଗ ତୀକ୍ଷ୍ମ ନଜର ରଖୁଥିଲେ । ସେମାନେ ଅବଶ୍ୟ ତାସକନ୍ଦ ସମ୍ବନ୍ଧିତ ସମସ୍ତ କାଗଜପତ୍ରକୁ ବିବର୍ଗିକୃତ କରିନାହାଁନ୍ତି । ତଥାପି ଭାରତୀୟଙ୍କ ଆନ୍ତରିକ ଅନୁରୋଧକୁ ଆମେରୀକୀୟ ସରକାର ଏଡ଼ାଇ ଦେଇନପାରନ୍ତି । ଯୁଦ୍ଧରେ ମୃତ ସେମାନଙ୍କ ନାଗରିକଙ୍କୁ ଆମେ ଠାବ କରିବାରେ ସାହାଯ୍ୟ କରିଥିବାରୁ ସେମାନେ ଆମେ ନିକଟରେ କୃତଜ୍ଞ । ୨୦୧୨ରେ ‘ୱାଶିଂଟନ ପୋଷ୍ଟ’ର ଏକ ଲେଖା ଅନୁଯାୟୀ “ଦ୍ବିତୀୟ ବିଶ୍ୱ ଯୁଦ୍ଧ ସମୟରେ ହିମାଳୟ ପର୍ବତମାଳାରେ ନିଖୋଜ ଶହ ଶହ ଆମେରୀକୀୟ ସୈନିକଙ୍କୁ ଖୋଜିବାରେ ଆମେରୀକୀୟ ମିଲିଟାରୀକୁ ଭାରତ ଅନୁମତି ଦେଇଛି ।” ଆମେରିକାର ରକ୍ଷା ସଚିବ ଲିୟନ ପାନେଟ୍ଟା କହିଥିଲେ, “ଆମର ଅନେକ ମୂଲ୍ୟବୋଧ ସହିତ ସାମ୍ୟତା ଥିବା ଭାରତର ଏହା ଏକ ମାନବବାଦୀ କାର୍ଯ୍ୟ । ବୀର ଯୋଦ୍ଧାମାନଙ୍କୁ ସେମାନଙ୍କ ପ୍ରିୟଜନମାନଙ୍କୁ ନିକଟରେ ପହଞ୍ଚାଇବା ଭଳି ପଦକ୍ଷେପକୁ ଆମେରିକା ଗଭୀର ପସନ୍ଦ କରେ ।”୨୭ (୨୭ ରାମା ଲକ୍ଷ୍ମୀ ଓ ୱିଲିୟମ ୱାନଙ୍କ ଦ୍ୱାରା ଲିଖିତ ତଥା ୬ ଜୁନ ୨୦୧୨ ୱାସିଂଟନ ପୋଷ୍ଟ, ପ୍ରକାଶିତ “ଦ୍ବିତୀୟ ବିଶ୍ୱ ଯୁଦ୍ଧରେ ନିହତ ବାୟୁସେନା ଯୋଦ୍ଧାଙ୍କ ଦେହାବଶେଷକୁ ସଂଗ୍ରହ କରିବାକୁ ଭାରତର ଆମେରିକାକୁ ଅନୁମତି) ଆମେରିକା ବାଦ୍ ସୋଭିଏତ ସଙ୍ଘ ବିଷୟରେ ଉତ୍ତମ ଗହନ ତଥ୍ୟ ରଖୁଥିବା ଅନ୍ୟତମ ଦେଶ ହେଉଛି ବ୍ରିଟେନ । ତେଣୁ ଆମ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ନେତାଙ୍କୁ ତାସକନ୍ଦରେ ଶାସ୍ତ୍ରୀଙ୍କ ମୃତ୍ୟୁ ବାବଦରେ, ସେମାନଙ୍କ ନିକଟରେ ଉପଲବ୍ଧ ଯେକୌଣସି ତଥ୍ୟକୁ ଯୋଗାଇ ଦେବାକୁ ଅନୁରୋଧ କରିବା ଉଚିତ୍ ହେବ । ଅନେକ ସୂଚନା ରଖୁଥିବା ବ୍ୟକ୍ତି ଏହା ମଧ୍ୟରେ ପକ୍ଷ ତ୍ୟାଗ କରି ପଶ୍ଚିମ ଦେଶକୁ ଗମନ କରିଛନ୍ତି । ସେମାନଙ୍କ ନିକଟରେ ଥିବା ଅନେକ ଗୁ୍ପ୍ତ ନଥି ଓ ତଥ୍ୟ ବର୍ତ୍ତମାନ ବିଟ୍ରେନ ତଥା ଅନ୍ୟାନ୍ୟ ଦେଶରେ ଅଭିଲେଖାଗାରରେ ରେକର୍ଡ଼ ରୂପେ ସଂଗୃହିତ । ଭାସିଲି ମିଟ୍ରୋଖିନ ନାମକ ଜଣେ କେଜିବି ଏଜେଣ୍ଟ ବ୍ରିଟେନ ପଳାଇ ଆସିଥିଲେ, ସେ ନିଜ ସହିତ ଆଣିଥିଲେ ନିଜେ ଟିପିଥିବା ଗୁପ୍ତ ରେକର୍ଡ଼ ତଥ୍ୟ ସମୁହ । ଅପ୍ରତ୍ୟାଶିତ ଲାଭ ସଦୃଶ୍ୟ ଏହି ହଜାର ହଜାର ପୃଷ୍ଠା ବିଶିଷ୍ଟ ନଥିପତ୍ର ଥିଲା ଦ୍ଵିତୀୟ ବିଶ୍ୱ ଯୁଦ୍ଧ ପରର ସବୁଠାରୁ ବଡ଼ ପ୍ରତିଗୁପ୍ତ ( counter-intelliegnce bonanza) ଯୋଜନା । ବ୍ରିଟେନ ସରକାର ଏହି ନୋଟ୍କୁ ଅନେକ ବନ୍ଧୁ ରାଷ୍ଟ୍ରଙ୍କୁ ଯୋଗାଇଥିଲେ । ଏହି ଆଦାନ ପ୍ର୍ରକ୍ରିୟା ଆମ ସହିତ ମଧ୍ୟ ହୋଇପାରିଥାଆନ୍ତା । ‘ର’ର ପୂର୍ବତନ ଅତିରିକ୍ତ ସଚିବ ସ୍ୱର୍ଗତ ବି. ଲାମ୍ବା ଏହି ରୀତିର ଉପଯୁକ୍ତ ନୀରିକ୍ଷଣ କରିଥିଲେ, “୧୯୪୭ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ା ପରେ ବ୍ରିଟେନ ଗୁଇନ୍ଦା ସଂସ୍ଥାର ଭାରତୀୟ ଗୁପ୍ତ ତଦନ୍ତ ଅନୁଷ୍ଠାନ ସହିତ ଆଦାନ ପ୍ରଦାନର ଲମ୍ବା ସମ୍ପର୍କ ରହିଛି ।୨୮ (୨୮ B Raman, Mitrokhin:More questions than answers, 28 September 2005, htts://www.rediff.com/news/report/raman/20050928.html )

ତେଣୁ ଆମେ ବ୍ରିଟେନକୁ ପଚାରି ପାରିବା ଯଦି ସେମାନଙ୍କ ନିକଟରେ ଶାସ୍ତ୍ରୀ ମୃତ୍ୟୁ ବିଷୟରେ କିଛି ନଥିପତ୍ର ଅଛି ବା ମିଟ୍ରୋଖିନଙ୍କ ନୋଟ୍‌ରେ ଏହା ସମ୍ବନ୍ଧିତ କିଛି ଉଲ୍ଲେଖ ଅଛି । ବ୍ରିଟେନ ଦ୍ୱାରା ୨୦୧୫ରେ ବିବର୍ଗିକୃତ ନଥିପତ୍ର ଦର୍ଶାଉଛି ଯେ ସ୍ୱାଧିନତା ପରଠାରୁ ଭାରତୀୟ ଆଇବି, ସେମାନଙ୍କ(ବ୍ରିଟେନ) ସହିତ ସୁଭାଷ ବୋଷଙ୍କ ବିଷୟରେ ସୂଚନା ଦେଇ ଆସୁଥିଲେ । ଯଦି ଆମେ ନିଜ ଲୋକଙ୍କ ଉପରେ ଗୁଇନ୍ଦା ନଜର ରଖିପାରିବା ଓ ସଂଗୃହିତ ତଥ୍ୟକୁ ପୂର୍ବଔପନିବେଶିକ ରାଷ୍ଟ୍ରକୁ ପ୍ରେରଣ କରିପାରିବା ତାହେଲେ ସେମାନଙ୍କୁ ଶାସ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେବା ପାଇଁ ଅନୁରୋଧ କରିବାରେ ଲଜ୍ଜା ଅନୁଭବର ଅବକାଶ ରହିବା କଥା ନୁହେଁ ।

ବିଭିନ୍ନ ଉତ୍ସରୁ ପ୍ରାପ୍ତ ସୂଚନାକୁ ବ୍ୟବହାର କରି କମିଟି ରିପୋର୍ଟ ପ୍ରସ୍ତୁତ କରୁ । ସମସ୍ତ ବୈଦେଶିକ ଓ ଦେଶୀ ନଥିପତ୍ର ସହିତ ଏହି ରିପୋର୍ଟଟିକୁ ସରକାର ସାର୍ବଜନୀନ କରନ୍ତୁ । ଅତ୍ୟନ୍ତ ପ୍ରିୟ ଜଣେ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁରେ ସରକାର ଟାଳଟୁଳ ନୀତି ଆପେଣେଇବା ଓ ତଦନ୍ତ ସମ୍ବନ୍ଧିତ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା ନ’କରିବା ଭଳି ଆରୋପକୁ ଉପଯୁକ୍ତ ପଦକ୍ଷେପ ଦ୍ୱାରା ଖଣ୍ଡନ କରାଯାଇପାରିବ ।

ଆନ୍ତରିକ ଭାବେ ମୁଁ ବିଶ୍ୱାସ କରିବାକୁ ଚାହିଁବି ଯେ, ଶାସ୍ତ୍ରୀଙ୍କ ମୃତ୍ୟୁ ସ୍ୱାଭାବିକ ହୋଇଥାଉ । କିନ୍ତୁ ଉପଲବ୍ଧ ତଥ୍ୟ ସମୁହ ମୋତେ ଏହାର ବିପରୀତ ଉପସଂହାରରେ ପହଞ୍ଚିବାକୁ ବାଧ୍ୟ କରୁଛି । ଅନେକ ଦଶକ ପୂର୍ବେ ଦ୍ୟୟାଭାଇ ପଟେଲ ଯେପରି ଦୁର୍ଭାବନାରେ ସିକ୍ତ ତତ୍ତ୍ୱବାଦ ରଚନା କରିଥିଲେ, ଆଜି ମୋ ଆଖିରେ ମଧ୍ୟ ଯେପରି ଭୟାବହ ଦୃଶ୍ୟମାନ ଭାସି ଉଠିଛି । ବହୁତ ଅନ୍ଧାର ଓ ଥଣ୍ଡା ରାତି । ଶାସ୍ତ୍ରୀଜୀ ଉଠିବସିଲେ, ସେ ଦୁର୍ବଳ ଅନୁଭବ କଲେ ଯେମିତି ତାଙ୍କ ମଧ୍ୟରୁ ଜୀବନ କିଏ କାଢ଼ିନେଉଛି । ସେ ଲାଇଟ୍ ଜଲେଇଲେ; କିନ୍ତୁ ପର ମୁହୂର୍ତ୍ତରେ ହୃଦ୍‌ଘାତ ଯୋଗୁଁ ପୁଣି ଅନ୍ଧାର ଘୋଟି ଆସିଲ; ତାଙ୍କ ସଂଜ୍ଞା ହଜିିଗଲା । ଚେତା ଫେରିଲା, ସେ ପୂର୍ବନୁମାନ କଲେ ତାଙ୍କ ସହିତ ପ୍ରତ୍ୟାରଣା କରାଯାଇଛି । ସେ ଚାରିଦିଗକୁ ଚାହିଁଲେ, ଦେଖିଲେ ଥର୍ମୋସ୍, ତାଙ୍କ ଚଷମା ଖୋଳ, ତାଙ୍କ କଲମ, ଓ ଏକ ଟିପା ଖାତା । ତରବର ହୋଇ ସେ ଖଣ୍ଡେ କାଗଜରେ କିଛି ଗାରେଇଲେ ଓ ସେଇଟିକୁ ଚଷମା ଖୋଳରେ ପୁରାଇଦେଲେ ।

ତାସକନ୍ଦରେ ଏପରି ଘଟଣା ପରେ ଆମ ପ୍ରଧାନମନ୍ତ୍ରୀଙ୍କ ଆତ୍ମା କେବେ ଶାନ୍ତିରେ ନାହିଁ ବୋଲି ଭାବିବାକୁ ମୁଁ ଘୃଣା କରୁଛି । କ’ଣ ଏହା ହିଁ କାରଣ ଯେ ଆମମାନଙ୍କ ପରି ଅଗଣିତ ଜନତା ଆଜି ବି ଅଶାନ୍ତ ଓ ଅସ୍ଥିର ?

କ୍ରୋଡ଼ପତ୍ର ୧

ଡ. ସୟାନ ବିଶ୍ୱାସଙ୍କ ନୋଟ୍‌

ଆକସ୍ମିକ, ସନ୍ଦେହଜନକ ତଥା ଅପ୍ରାକୃତିକ ଅପମୃତ୍ୟୁରେ ନ୍ୟାୟିକ ତଦନ୍ତ (ଇନକ୍ୱେଷ୍ଟ) କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ,“ଜଣେ ବ୍ୟକ୍ତିର ଯଦି କୌଣସି ମାରାତ୍ମକ ରୋଗ, କ୍ଷତ ବା ବିଷକ୍ରିୟାରେ ମୃତ୍ୟୁ ନ’ହୋଇ ସୁଦ୍ଧା କୌଣସି ଘାତକ ରୋଗରେ ପୀଡ଼ିତ ହେବାର ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟେ ତାହା ଆକସ୍ମିକ, ଅପ୍ରତ୍ୟାଶିତ ମୃତ୍ୟୁ ପର୍ଯ୍ୟାୟଭୁକ୍ତ । ଭାରତରେ, ସିଆରପିସି( CrPC, 1973) ବା ଦଣ୍ଡ ପ୍ରକ୍ରିୟା ସଂହିତାର ୧୭୪-୧୭୬ ପରିଚ୍ଛେଦରେ ଉଲ୍ଲୀଖିତ ବର୍ଣ୍ଣାନା ଅନୁଯାୟୀ ଯଦି ମୃତ୍ୟୁ ହୋଇଥିବ ତେବେ ଶବ ବ୍ୟବଚ୍ଛେଦ ବାଧ୍ୟତାମୂଳକ ଅଟେ । ଶବକୁ କବରକୁ କାଢ଼ିବା (Exhumation), ତଥା ଦ୍ୱିତୀୟ ବ୍ୟବଚ୍ଛେଦର ପ୍ରାବଧାନ ଧାରା CrPC ୧୭୬(୨)ରେ କରାଯାଇଛି । (୧,୩)

ଶବ ସଂରକ୍ଷଣ ଲାଗି ଦୁଇ ପ୍ରକାରର ସଂରକ୍ଷଣ (Embalming) ପଦ୍ଧତି ପ୍ରଚଳିତ । ଧମନୀ ମାଧ୍ୟମରେ ରାସାୟନିକ ମିଶ୍ରଣକୁ ଶରୀର ମଧ୍ୟ ସଂକ୍ଷେପଣ(inject) କରାଯାଏ;ଏହାକୁ Arterial embalming କୁହାଯାଏ । ଅନ୍ୟ ପଦ୍ଧତି ହେଉଛି Cavity embalming; ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ମଝିରେ ଥିବା ଗହ୍ୱର (Cavity) ରେ ରାସାୟନିକ ତରଳ ଦ୍ରବ୍ୟ, ଟ୍ରକାର ନାମକ ଏକ ଶଲ୍ୟ ଉପକରଣ ସାହାଯ୍ୟରେ ଛଡ଼ାଯାଏ । ଦ୍ୱିତୀୟ ପ୍ରଣାଳୀ ହେଉଛି Hypodermic embalming । ଏଥିରେ ଏକ ଛୁଞ୍ଚି ସାହାଯ୍ୟରେ କାନ ପଛରେ (mastoid region) ତରଣ ଦ୍ରବ୍ୟ ନିକ୍ଷେପ କରାଯାଏ । (୨) Arterial embalming ପାଇଁ ଉରୁ ଧମନୀ ବା femoral artery ଓ ଶରୀରରୁ ରସ ନିର୍ଗତ/ନିଷ୍କାସନ ପାଇଁ ଉରୁ ଶିରା ବା femoral vein ସାହାଯ୍ୟରେ ସାଧାରଣତଃ କରାଯାଏ । Cavity embalming ରେ ସାଧାରଣତଃ ନାଭି ପ୍ରଦେଶ ବା umbilicus ର ଦୁଇ ଇଞ୍ଚ ଉପରକୁ ଓ ଦୁଇ ଇଞ୍ଚ ବାମରେ ଟ୍ରକାର ଭର୍ତ୍ତି କରାଯାଏ ।

ମୃତୁ୍ୟର କେଇ ଘଣ୍ଟା ପରେ ରକ୍ତର ଘନତ୍ୱ କମିଯାଏ ବା ସାଧାରଣ ଜମାଟ ବାନ୍ଧିବା ବାଧାପ୍ରାପ୍ତ ହୁଏ । ଏହାକୁ ଚିକିତ୍ସା ଶାସ୍ତ୍ରରେ ରକ୍ତର hyperfluidity କୁହାଯାଏ । ଏହା fibrinolysis ଯୋଗୁଁ ହୋଇଥାଏ । Blood coagulation ସକାଶେ ଦରକାରୀ Fibrin ନାମକ ଏକ ଉପାଦାନର ଅବକ୍ଷୟ ସକାଶେ coagulation ବା ରକ୍ତର ଘନୀକରଣରେ ଅବନତି ଦେଖାଦିଏ । ରକ୍ତର ଘନୀକରଣ (coagulation) embalming ରେ ବିଶେଷ ବାଧା ଉପନ୍ନ କରେ ବୋଲି oxalates ଓ nitrates ଭଳି ପ୍ରତିରୋଧକ ବ୍ୟବହାର କରାଯାଏ । ଶରୀରରୁ କ୍ଷୀଣ ଧାରାରେ ତରଳ ରସ ନିର୍ଗତ ହେବା ଅସ୍ୱାଭାବିକ ନୁହେଁ(୨) ଶବ ସଂରକ୍ଷଣ ପ୍ରକ୍ରିୟାରେ ପଦାର୍ଥର ସଂକ୍ଷେପଣ ଓ ନିର୍ଗମନ ଏକ ସମୟରେ ହୋଇଥାଏ । ମୁଣ୍ଡ ଓ ପାଦକୁ ନୁଆଇଁ ରଖାଯାଏ ଯାହା ଦ୍ୱାରା କି ତରଳ ପଦାର୍ଥ ସହଜରେ ଶରୀରର ପାଶ୍ୱବର୍ତ୍ତୀ ଅଙ୍ଗମାନଙ୍କ ରେ ପହଞ୍ଚି ପାରିବ । (୨) ମୁଣ୍ଡକୁ ନୁଆଇଁ ରଖାଗଲେ, ରକ୍ତ ବା ତରଳ ପଦାର୍ଥ ଜମାଟ ବାନ୍ଧି ସଞ୍ଚାଳନର ଗତିରୋଧ ହୋଇ (hypostasis) ମୁହଁ ଓ ଶରୀରର ଉପରିଭାଗରେ ଦାଗ ଦେଖାଦିଏ ।
ଶବ ବ୍ୟବଚ୍ଛେଦ ସମୟରେ hypostasisର ପ୍ରଭାବରେ ଶରୀର ନୀଳ-ବାଇଗେଣୀ ବା ବାଇଗେଣୀ-ଲାଲ ରଙ୍ଗ ହୋଇଥାଏ । ରକ୍ତ କଣିକାର ହିମୋଗ୍ଳାବିନରେ ଅମ୍ଳଜାନ କ୍ଷରଣ ତଥା କୈଶିକା-ଶିରାର ଫୁଲିବା ଯୋଗୁଁ ବାହ୍ୟ ଚର୍ମର ସାମାନ୍ୟ ନିମ୍ନରେ ଥିବା ସ୍ତର(dermis) ଉପରୋକ୍ତ ରଙ୍ଗ ଧାରଣ କରେ । (୩)

ତେଣୁ ମୃତ୍ୟୁ ପରେ ବାହ୍ୟ ଚର୍ମର ସାମାନ୍ୟ ନିମ୍ନସ୍ତର ଫୁଲିଯାଇଥିବା କୈଶିକାରେ ଅମ୍ଳଜାନ ରହିତ ରକ୍ତ ଜମାଟ ଚର୍ମର ପ୍ରକୃତ ରଙ୍ଗରେ ପରିବର୍ତ୍ତନର ମୁଖ୍ୟ କାରଣ । ଗଳାବନ୍ଧ ପଟି, ଅଣ୍ଟା ପଟି, ବେଲ୍ଟ, ପଗଡ଼ି, ଲୁଗାର କୁଞ୍ଚ ଇତ୍ୟାଦିର ଚାପ ଯୋଗୁଁ କୈଶିକାରେ ତରଳ ଦ୍ରବ୍ୟ ଠିକ୍ ରୂପେ ଭର୍ତ୍ତି ହୋଇପାରେ ନାହିଁ ବା ଗତିରୋଧର ସମ୍ମୁଖୀନ ହୁଏ । ତେଣୁ ଏହି ସ୍ଥାନଗୁଡ଼ିକ ଫିକା ପଟି ଭଳି ଦେଖାଯାଏ ଯାହାକୁ vibices କୁହାଯାଏ ।

ଏକ ସାଧାରଣ ଶରୀରର ନାଡ଼ି, ଶିରା, ଧମନୀର ବ୍ୟବସ୍ଥା ତନ୍ତ୍ରରେ ଛଅରୁ ସାତ ଲିଟର ରକ୍ତ ସଞ୍ଚାଳିତ ହୋଇଥାଏ । ଶରୀରର ସଂପୂର୍ଣ୍ଣ ଓଜନର ଏହା ହାରାହାରି ଆଠ ପ୍ରତିଶତ । ଶରୀରର ଆଭ୍ୟନ୍ତରର ଅଙ୍ଗପ୍ରତ୍ୟଙ୍ଗ ମଝିରେ ଥିବା ଗହ୍ୱରରସକୁ (Cavity fluid) ଛାଡ଼ି ସାଧାରଣତଃ ଧମନୀ ମଧ୍ୟକୁ ନିକ୍ଷେପ କରାଯାଉଥିବା ତରଳ ଦ୍ରବ୍ୟର ମାତ୍ରା ମୃତ୍ୟକର ରକ୍ତ ପରିମାଣ ସହିତ ସମାନ ରହିଲେ ଶବର ସଠିକ୍ ସଂରକ୍ଷଣ କରାଯାଇପାରିବ । ‘ଦେଖିବାକୁ ଗଲେ, ତରଳ ଦ୍ରବ୍ୟର ବହୁଳ ସଂକ୍ଷେପଣ କରାଯାଇପାରେ କିନ୍ତୁ କମ୍ ମାତ୍ରାରେ ଉତ୍ତମ ଫଳ ମିଳେ ନାହିଁ ।’ ଜଣେ ୬୫-୭୦ କିଲୋ ଓଜନର ବୟସ୍କ ବ୍ୟକ୍ତି ନିମନ୍ତେ ହାରାହାରି ୧୦ ଲିଟର ସଂରକ୍ଷଣ ରସ ପ୍ରସ୍ତୁତ କରାଯାଏ । ସେହିଭଳି ଗହ୍ୱରରସ (Cavity fluid) ଜଣେ ୭୦ କେ.ଜି. ମୃତ ବ୍ୟକ୍ତିର ପରିମାଣ ଅତି କମ୍‌ରେ ଏକ ଲିଟର ହୋଇଥିବା ଆବଶ୍ୟକ । (୨) ତଥାପି ତନ୍ତୁଗୁଡ଼ିକରେ ଅତ୍ୟଧିକ ରସ ଭର୍ତ୍ତି ଓ ଫଳସ୍ୱରୂପ ଫୁଲିଯିବାର ଭୟ ହେତୁ ଶବ ସଂରକ୍ଷଣକାରୀ ନିରନ୍ତର ତଦାରଖ ସହିତ ସଂରକ୍ଷଣ ପ୍ରକ୍ରିୟା ସମୟରେ ଉପସ୍ଥିତି ରହିି ଏହାର ପର୍ଯ୍ୟାବେକ୍ଷଣ କରିବ ଉଚିତ୍ ।(୨) ବିଷ ଦିଆଯାଇ ଶରୀରତନ୍ତ୍ରର କାର୍ଯ୍ୟରେ ବିକୃତି ଆଣିଥିବା ଯେଉଁ ସନ୍ଦେହ କରାଯାଉଛି, ତାହାର ଉଦାହରଣ ସ୍ୱରୂପ ବୁଲଗେରିଆର ସାମ୍ବାଦିକ ଜର୍ଜି ମାରକୋଭ୍ କେଶ୍ ପ୍ରସ୍ତୁତ କରାଯାଇପାରେ । ୧୯୭୮ ସେପ୍ଟମ୍ବରରେ ଲଣ୍ଡନ ରାଜରାସ୍ତାରେ ଏହି ସାମ୍ବାଦିକ ଜଣଙ୍କୁ ହତ୍ୟା କରାଯାଇଥିଲା । ଜଡ଼ା ମଞ୍ଜିରୁ ପ୍ରାପ୍ତ ରିସିନ୍ ନାମକ ଏକ ପ୍ରଭାବଶାଳୀ ଉଦ୍ଭିଦ ବିଷାକ୍ତ ପୃଷ୍ଟିସାର (toxalbumin)ରେ ପ୍ରସ୍ତୁତ କ୍ଷୁଦ୍ରାତିକ୍ଷୁଦ୍ର ଗୁଳା ସାହାଯ୍ୟରେ ଏହି କାଣ୍ଡ ରଚାଯାଇଥିଲା । ଛତା ତଳୁ ସମ୍ଭବତଃ ଜଣେ ଛତାଧାରୀ ବୁଲଗେରିଆନ୍ ଗୁପ୍ତଚର ତାଙ୍କ ଗୋଡ଼କୁ ଲକ୍ଷ୍ୟ କରି ରିସିନ୍ ଗୁଳା ମାଡ଼ କରିଥିଲେ । ବୁଲଗେରିଆନ୍ ଗୁଇନ୍ଦା ସେବା, କେଜିବିର ସାହାଯ୍ୟ ଚାହିଁଥିଲେ ବୋଲି ସନ୍ଦେହ କରାଯାଇଥିଲା ।(୪) ଅନୁରୂପ ଭାବେ ଆକୋନିଟିମ୍ ଉଦ୍ଭିଦରୁ ଆକୋନିଟିନ୍ ନାମକ ଏକ ଶକ୍ତିଶାଳୀ କ୍ଷାରକଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରାଯାଏ ଓ ଏହା ପ୍ରାଚୀନ ଚୀନା ସଂସ୍କୃତି ସମୟରୁ ହିଁ ଏକ ଉପଯୁକ୍ତ ବିଷର ମାନ୍ୟତା ପାଇଅଛି ।(୩,୫)

ସହଜରେ ଓ ଶସ୍ତାରେ ଉପଲବ୍ଧ ବିଷ ‘ଉପଯୁକ୍ତ ବିଷ’ର ମାନ୍ୟତା ପାଇଅଛି । ମାରାତ୍ମକ ହୋଇଥିବା ସହିତ ଏହାର ସ୍ୱାଦଗୁଣ ସାଧାରଣ ଖାଦ୍ୟ ଓ ପାନୀୟ ଭଳି ହୋଇଥିବ; ଏହାକୁ ଭକ୍ଷଣ କଲେ କୌଣସି ପ୍ରାକୃତିକ ରୋଗର ଲକ୍ଷଣ ଦେଖା ଯାଉଥିବ, ଶବ ବ୍ୟବଚ୍ଛେଦ ବା ଶବ ପଚିସଢ଼ି ଗଲେ ମଧ୍ୟ ଏହି ବିଷକୁ ଠାବ କରିବା ଅସମ୍ଭବ ପ୍ରାୟ ହୋଇଥିବ । (୩,୫) ଖଇର ଭଳି ସ୍ୱାଦଯୁକ୍ତ ଆକୋନାଇଟ୍(ମିଠା ଜହର)କୁ ପାନ ବା ଚା’ରେ ମଧ୍ୟ ଦିଆଯାଇପାରିବ । ଏହା ହୃଦ୍ବିଷ ଶ୍ରେଣୀଭୁକ୍ତ କାରଣ ଏହା Myocardial Ischemia ଓ ଅନ୍ୟାନ୍ୟ Arrhythmias ଭଳି ସାଙ୍ଗାତିକ ହୃଦ୍‌ରୋଗର ଲକ୍ଷଣ ପ୍ରକାଶ କରିବାରେ ସମର୍ଥ ।

ବିଷ ପ୍ରୟୋଗ ସନ୍ଦେହ ରହିଲେ ପୀଡିତ ବା ମୃତକର ଭିସେରା ନମୁନା ସଂଗ୍ରହ କରାଯିବା ନିତାନ୍ତ ଜରୁରୀ ନଚେତ୍ ଭାରତୀୟ ଦଣ୍ଡ ସଂହିତାର ଅନୁଚ୍ଛେଦ ୨୦୧/୨୦୨ ଅନୁଯାୟୀ ଜାଣିଶୁଣି ପ୍ରମାଣର ସୂଚନା ଦେବାରେ ଅବହେଳା ସକାଶେ ଦାୟୀ ରହିବେ । ଶରୀରର କେଉଁ ଅଂଶ ସଂରକ୍ଷିତ ରଖାଯିବ ଓ ସୁରକ୍ଷିତ ଅବସ୍ଥାରେ କିଭଳି ଫରେନ୍ସିକ ପରୀକ୍ଷାଗାରକୁ ପ୍ରେରଣ କରାଯିବ, ଏହାର ବିସ୍ତୃତ ବିବରଣୀ ଶବ ବ୍ୟବଚ୍ଛେଦ ମାର୍ଗଦଶିକାରେ ଦର୍ଶାଯାଇଛି ।(୩)

ପୁନଃସଂଜ୍ଞାନ କରେଇବା ଲାଗି ଔଷଧ: ହୃଦପିଣ୍ଡର ନିଳୟ (ventricle) ପ୍ରକୋଷ୍ଠର ସାଙ୍ଗାତିକ ଘାତରେ ମାଇକୋରେନ୍ (Prethcamide) ସେବନ ପାଇଁ ପରାମର୍ଶ ଦିଆଯାଏ । (୬) Mephentermine sulphate ହୃଦ୍ୟନ୍ତ୍ର ଶକ୍ତିବର୍ଦ୍ଧକ ଔଷଧ । ମୃତ୍ୟୁ ପୂର୍ବରୁ ଓ ମୃତ୍ୟୁ ସମୟରେ ହୃଦଯନ୍ତ୍ରରେ ସକ୍ରିୟ ସଂଚାଳନ ପାଇଁ ଦିଆଯାଉଥିବା ଔଷଧ, ଶବ ସଂରକ୍ଷଣ ପଦ୍ଧତିରେ ବ୍ୟବହୃତ ତରଳ ଦ୍ରବ୍ୟର ଶରୀରରେ ଉତ୍ତମ ରୂପେ ଖେଳାଇବାରେ ବାଧା ସୃଷ୍ଟି କରିଥାଏ ତଥା କୋଷିକା ବର୍ଜ୍ୟ ଭର୍ତ୍ତି ହୋଇଯାଏ । (୨) ଶବ ସଂରକ୍ଷଣ (embalming) ଶରୀରରେ ମହଜୁଦ୍ ସିଆନାଇଡ, ମାଦକ ଦ୍ରବ୍ୟାଦିକୁ ନଷ୍ଟ କରିଦିଏ । ତେଣୁ କ୍ଷାରକ ଓ ଅନ୍ୟାନ୍ୟ ଜୈବ ବସ୍ତୁର ଉପସ୍ଥିତିକୁ ଠାବ କରିବା କଷ୍ଟସାଧ୍ୟ ହୋଇଥାଏ ।

ବେକର ପଛପାର୍ଶ୍ୱରେ ଛିଦ୍ର : Cerebrospinal fluid(CSF) ବା ମସ୍ତିସ୍କ ଓ ସୁଷୁମ୍ନାକାଣ୍ଡର ଝିଲ୍ଲୀ ପଥ ମଧ୍ୟରେ ସଂଚାଳିତ ରସ ଶବ ବ୍ୟବଚ୍ଛେଦରେ କରାଯାଉଥିବା ବିଷକ୍ରିୟାଜନିତ ବିଶ୍ଲେଷଣ ସକାଶେ ଜରୁରୀ । ଶରୀରର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରସ ଜୀବିତ ବ୍ୟକ୍ତିରେ ଅନେକ ରୋଗ ଚିହ୍ନିତ କରିବାରେ ସାହାଯ୍ୟ କରିଥାଏ । ଅଣ୍ଟାର ପଛପାଖରେ ଥିବା ତୃତୀୟ ଓ ଚତୁର୍ଥ ବା ଚତୁର୍ଥ ଓ ପଞ୍ଚମ ମେରୁଦଣ୍ଡ ଅସ୍ଥିରୁ ଏହି ରସ ସଂଗ୍ରହ କରାଯାଏ ବା ଏଥିରେ କିଛି ଦ୍ରବ୍ୟକୁ ମିଶାଇବାକୁ ହେଲେ ଏହି ସ୍ଥାନରେ ଛିଦ୍ର କରାଯାଏ । କିନ୍ତୁ କେତେକ ସ୍ଥଳେ ଛିଦ୍ର କରିବା ସମ୍ଭବ ହେଉନଥିବାରୁ, ନିରାପଦ ଓ ବିକଳ୍ପ ଉପାୟ ସ୍ୱରୂପ ବେକ ପାଶ୍ୱର୍ସ୍ଥ ସ୍ଥାନରେ ଛିଦ୍ର କରାଯାଏ ।

ଏକ ଛୁଞ୍ଚିରେ ପ୍ରଥମ ଓ ଦ୍ୱିତୀୟ ମେରୁଦଣ୍ଡ(C1-C2) ଅସ୍ଥି ମଧ୍ୟବର୍ତ୍ତୀ ସ୍ଥାନରେ, କେଶେରୁକା(ମେରୁହାଡ଼) ଧମନୀ (Vertebrae artery)ର ପଶ୍ଚାଭାଗରେ ଓ ସମ୍ମୁଖରେ, ବେକ ପାଶ୍ୱର୍ରେ ଛିଦ୍ର କରାଯାଏ । ମେରୁହାଡ଼ ଧମନୀ, ଷଷ୍ଠ ଗ୍ରୀବା କେଶେରୁକା (Cervical vertebrae)ର ଗ୍transverse process (ପ୍ରତି ମେରୁହାଡ଼ର ଦକ୍ଷିଣ ଓ ବାମରେ ଥିବା ଅସ୍ଥି ପ୍ରକ୍ଷେପଣ) ର ଫୋରାମିନା(Foramina(ମେରୁହାଡ଼ ମଧ୍ୟସ୍ଥ କ୍ଷୁଦ୍ର ଛିଦ୍ର))ଦେଇ ଉପରକୁ ଉଠିଥାଏ । କାନ ନିକଟରେ, ଖପୁରୀର ନିମ୍ନଦେଶର ଅସ୍ଥି(temporal bone)ର ପଶ୍ଚାତ୍ରୁ ଉଦ୍ଗତ ତ୍ରିକୋଣୀୟ ଅସ୍ଥି (Mastoid process)ର ଅଗ୍ରଦେଶରେ ଓ ପଶ୍ଚାତ୍ରେ ସୂଚୀ ଦ୍ୱାରା ୧ ସେ.ମି ବେଦନ କରାଗଲେ କେଶେରୁକା(ମେରୁହାଡ଼) ଧମନୀର କୌଣସି କ୍ଷତି ହୋଇନଥାଏ ।

References

A textbook of Medical Jurisprudence and Toxicology, Modi JP; 24th edition 2011, Lexis Nexis publications, Nagpur.
Embalming Principals and Legal Aspects, Ajmani ML; Reprint in 2009, Jaypee bothers, New Delhi.
The essentials of Forensic Medicine and Toxicology, Redy KSN, 33rd edition, 2014; Jaypee bothers, New Delhi.
https://en.wikipedia.org/wiki/Georgi_Markov
Modern -Medical-Toxicology, Pillary VV; 4th edition, 2013; Jaypee bothers, New Delhi.
https://www.ncbi.nlm.nih.gov/pubmed/4913786
https://accessemergrncymedicine.mhemedical.com/content.aspx?bookid=683&sectionid=45343760

କ୍ରୋଡ଼ପତ୍ର ୨

ଘାତକ ବିଷ ପ୍ରୟୋଗ ସମ୍ବନ୍ଧରେ – ଡ. ନିର୍ମାଲ୍ୟ ରଏଚୌଧୁରୀଙ୍କ ନୋଟ୍‌

ବିଦେଶ ମାଟିରେ ଜଣେ ବ୍ୟକ୍ତିର ମୃତ୍ୟୁ ଉଭୟ ବିଦେଶ ସରକାର ଓ ସ୍ୱଦେଶ ସରକାରଙ୍କ ସକାଶେ ନ୍ୟାୟିକ ମାମଲା ଓ ଏହା ତତ୍ନୁରୂପ ପରିଚାଳିତ ହୋଇଥାଏ । ଯଦି ମୋଟର ଦୁର୍ଘଟଣା ବା ହତ୍ୟାର ପ୍ରତ୍ୟକ୍ଷ ପ୍ରମାଣ ମିଳେ ତାହେଲେ ଶବ ବ୍ୟବଚ୍ଛେଦ କରାଯାଇଥାଏ । ଯଦି ଶରୀରରେ ପ୍ରାଣଘାତକ କ୍ଷତ ନାହିଁ ଓ ମୃତକ କୌଣସି ଗୁରୁତର ବେମାରୀରେ ପୀଡ଼ିତ ନଥିଲା ତାହେଲେ ଏହାକୁ ଭିନ୍ନ କିଛି ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ବିଷ ପ୍ରୟୋଗ ଜନିତ ମୃତୁ୍ୟ ବୋଲି ଧରାଯାଏ । ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ମୃତୁ୍ୟ ପରବର୍ତ୍ତୀ ତଦନ୍ତ କରାଯାଏ । ଏକ ଉପଯୁକ୍ତ ବୈଜ୍ଞାନିକ(forensic) ଯାଞ୍ଚ ଆଧାରରେ ସ୍ୱାଭାବିକ ମୃତ୍ୟୁ ବା ଆତ୍ମହତ୍ୟା ନା ହତ୍ୟା ନିର୍ଣ୍ଣିତ ହୋଇଥାଏ ।

ଏକ ଘାତକ ବିଷର ସଂଜ୍ଞା ନିରୂପିତ କରିବାକୁ ଏହି ସବୁ ଗୁଣକୁ ଧରାଯାଏ- ଚିହ୍ନିତ ହେଇପାରୁନଥିବ, ପାଣିରେ ମିଳେଇ ଯାଉଥିବ, ଗନ୍ଧହୀନ, ରଙ୍ଗହୀନ, ସ୍ୱାଦହୀନ, ଅଳ୍ପ ପରିମାଣରେ ଫଳପ୍ରଦ ହେଉଥିବ ଓ ଏକ ସ୍ୱାଭାବିକ ରୋଗର ଲକ୍ଷ୍ମଣକୁ ନକଲ କରିପାରୁଥିବ । ଅବଶ୍ୟ ଏଭଳି କୌଣସି ଉପଯୁକ୍ତ, ଚିହ୍ନିତ କରିବାକୁ କଷ୍ଟସାଧ୍ୟ ବିଷ ନାହିଁ । ତଥାପି ବିଶ୍ୱରେ ଏମିତି କିଛି ପଦାର୍ଥ ଅଛନ୍ତି ଯାହା ଉପରୋକ୍ତ ଗୁଣାବତ୍ତା ସମୃଦ୍ଧ ଓ ସେଥିପାଇଁ ଅନେକବାର ହତ୍ୟା ମାମଲାରେ ବିଶେଷ କରି ବିଶ୍ୱରେ ସଙ୍ଘଠିତ ରାଜନୈତିକ ସମ୍ବନ୍ଧିତ ହତ୍ୟାରେ ଏହି ପଦାର୍ଥ ବ୍ୟବହୃତ ହୋଇ ଆସୁଅଛି । ସେଗୁଡ଼ିକ ହେଲା, ଆର୍ସେନିକ (Arsenic), ସିଆନାଇଡ (Cyanide), ଆକୋନାଇଟ୍(Aconite), ପୋଲୋନିୟମ୍୨୧୦ (Polonium),ଥାଲ୍ଲିୟମ୍ (Thallium), ରିସିନ୍ (ricin) ଓ ଓଲିଏଣ୍ଡର (Oleander) ।

ଏଗୁଡ଼ିକ ମଧ୍ୟରୁ କିଛି ଘାତକ ପଦାର୍ଥକୁ ଅନେକ ଦିନ ପର୍ଯ୍ୟନ୍ତ, ଅଳ୍ପ ଅଳ୍ପ ପରିମାଣରେ ପ୍ରୟୋଗ କରାଯାଇ ସ୍ୱାଭାବିକ ରୋଗର ଲକ୍ଷ୍ମଣକୁ ନକଲ କରିହୁଏ ଓ ମଣିଷକୁ ମୃତ୍ୟୁ ମୁଖକୁ ଟାଣିନେବାରେ ସହାୟକ ହୋଇଥାଏ । ଏକ ସର୍ବୋଉତ୍କୃଷ୍ଠ ଉଦାହରଣ ହେଲା, ଆର୍ସେନିକ୍(Arsenic) । ପୋଲୋନିୟମ୍୨୧୦(Polonium) ବା ଥାଲ୍ଲିୟମ୍(Thallium)ର ମାତ୍ର ଏକ ପାନ ଲମ୍ବା ସମୟ ପର୍ଯ୍ୟନ୍ତ ସ୍ୱାଭାବିକ ରୋଗର ଲକ୍ଷ୍ମଣକୁ ନକଲ କରି ମୃତ୍ୟୁ ମୁଖକୁ ଟାଣିନିଏ । ଅପରପକ୍ଷରେ ସିଆନାଇଡ଼ (Cyanide), ଆକୋନାଇଟ(Aconite), ରିସିନ୍(ricin) ଓ ଓଲିଏଣ୍ଡର(Oleander), ବଟୁଲିନମ୍ (botulinum) ଭଳି ପଦାର୍ଥ ଅତି ଶୀଘ୍ର ଶରୀରକୁ ବିଷାକ୍ତ କରି ରୋଗର ଲକ୍ଷ୍ମଣକୁ ନକଲ କରିବା ଆରମ୍ଭ କରିଦିଏ । ବିଷର ପ୍ରକ୍ରିୟା କେତେ ଶୀଘ୍ର ଆରମ୍ଭ ହେବ ତାହା ନିର୍ଭର କରେ ସେହି ବିଷର ମାରାତ୍ମକତା ଓ ଏହା କେତେ ପରିମାଣରେ ପ୍ରୟୋଗ କରାଯାଇଛି ।

ଆର୍ସେନିକ୍(Arsenic)କୁ ବ୍ୟବହାର କରି ଅନେକ ରାଜନୈତିକ ହତ୍ୟାକାଣ୍ଡ ସଂଘଠିତ ହୋଇଯାଇଛି ବୋଲି ଇତିହାସ କୁହେ । ସବୁଠାରୁ ଚର୍ଚ୍ଚିତ ପୀଡ଼ିତ ହେଲେ ଗ୍ରେଟ ବି୍ରଟେନର ରାଜା ଜର୍ଜ ତୃତୀୟ । କିଛି ସମୟ ପୂର୍ବେ କେଜିବିର ଜଣେ ପ୍ରାକ୍ତନ ଗୁପ୍ତଚର ଆଲେକ୍ଜେଣ୍ଡର ଲିଟ୍ଭିନେନ୍କୋଙ୍କୁ ଲଣ୍ଡନଠାରେ ପୋଲୋନିୟମ ୨୧୦ ପ୍ରୟୋଗ କରି ହତ୍ୟା କରାଯାଇଥିଲା । ଅନେକ ସନ୍ଦେହ କରନ୍ତି ଯେ ପାଲେଷ୍ଟାଇନ ନେତା ୟସାର ଆରାଫତଙ୍କୁ ମଧ୍ୟ ଏହି ମାରାତ୍ମକ ବିଷ ଦ୍ୱାରା ହତ୍ୟା କରାଯାଇଛି । ଅକ୍ଟୋବର ୨୦୦୪ରେ ଏକ ଅଜଣା ବେମାରରେ ଶିକାର ହୋଇ ଆରାଫତ ଗୁରୁତର ଅସୁସ୍ଥ ହୋଇପଡ଼ିଲେ; ବାନ୍ତି ଓ ଅନ୍ୟାନ୍ୟ ଉଦର ସମ୍ବନ୍ଧୀୟ ସମସ୍ୟା ଦେଖାଗଲା । ପାଲେଷ୍ଟାଇନ, ଇଜିପ୍ଟ, ଟୁନିସିଆରୁ ଡାକ୍ତରୀ ଦଳଙ୍କ ହେପାଜତରେ ଏକାଧିକ ଦିନ ଧରି ଚିକିତ୍ସା ସତ୍ତ୍ୱେ ଆରାଫତଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ । ଅବଶେଷରେ ସେ disseminated intravascular coagulation ବା DICରେ ପୀଡ଼ିତ ହୋଇପଡ଼ିଲେ । ଏଭଳି ଅବସ୍ଥାରେ ତାଙ୍କୁ ପ୍ୟାରିସ୍‌ର ପର୍ସି ହାସପାତାଳକୁ ସ୍ଥାନାନ୍ତରିତ କରାଗଲା । ପ୍ୟାରିସ୍‌ର ବିଭିନ୍ନ ବିଭାଗରେ ଏକାଧିକ ବିଶେଷଜ୍ଞ ପରୀକ୍ଷାନିରୀକ୍ଷା ଚଳାଇଲେ । କିନ୍ତୁ କେହି ରୋଗର ଉତ୍ସକୁ ବୁଝିପାରିନଥିଲେ । ଆରାଫତଙ୍କ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରୁଥିବା ଚକି୍ରକାରେଣୁ (platelet)ର ସଂଖ୍ୟା ଲଗାତାର ହ୍ରାସ ପାଇଲା । DICରେ ଆକ୍ରାନ୍ତ ହେବାର ଏକ ଜଟିଳ ବିପଦଜନକ ପର୍ଯ୍ୟାୟରେ ପହଞ୍ଚିସାରିଥିଲେ ଆରାଫତ; ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବର ଆଶଙ୍କା ବଢ଼ିଚାଲିଲା । ଏକ ମାସର ପୀଡ଼ାଦାୟକ ସଂଘର୍ଷ ପରେ ଆଦ୍ୟ ନଭେମ୍ବରରେ ମସ୍ତିସ୍କରେ ରକ୍ତପ୍ରବାହ କାରଣରୁ ସେ ମୃତ୍ୟୁ ବରଣ କରିଥିଲେ । ସଂଖ୍ୟାଧିକ ଦେଶର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ନିଷ୍ପଳ ହେଲା । ଦୁର୍ଭାଗ୍ୟ ଯେ ନା ଫ୍ରାନ୍ସରେ ନା ପାଲେଷ୍ଟାଇନ୍‌ରେ ତାଙ୍କର କୌଣସି ଶବ ବ୍ୟବଚ୍ଛେଦ କରାଗଲା ।

୨୦୧୨ରେ ତାଙ୍କ ବିଧବା ପତ୍ନୀ ସୁହାଙ୍କ ଅନୁମତି କ୍ରମେ ଆରାଫତଙ୍କ ମୃତ ଶରୀରକୁ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ଦ୍ୱାରା କବରରୁ ଖୋଳି ବାହାର କରାଗଲା । ଫ୍ରାନ୍ସ, ସ୍ୱିଜରଲାଣ୍ଡ, ଓ ଅନ୍ୟାନ୍ୟ ପରୀକ୍ଷାଗାରର ସହଯୋଗରେ ଦେହବାଶେଷର ଆମୂଳ ବୈଜ୍ଞାନିକ ଯାଞ୍ଚ କରାଗଲା । ହାଡ଼ରେ ପୋଲୋନିୟମ୍ ମାତ୍ରାର ଫରେନ୍ସିକ ପରୀକ୍ଷା କରାଗଲା । ସମସ୍ତ ପ୍ରକାରର ପରୀକ୍ଷା ପରେ ଜଣାପଡ଼ିଲା, ଯେ ତାଙ୍କୁ ପୋଲୋନିୟମ ୨୧୦ ଦିଆଯାଉଥିଲା । ମୁଁ ଭାବୁଛି ଯେଉଁଟି ମରଶରୀରକୁ, କବର ନୁହେଁ, ଅଗ୍ନିରେ ଦଗ୍ଧ କରାଯାଏ, ସେଭଳି ପରିସ୍ଥିିତିରେ କର୍ତ୍ତୃପକ୍ଷ ବିଶେଷ ସଂଶୟକୁଳ ହୋଇ କାର୍ଯ୍ୟ କରିବା ଉଚିତ୍ କାରଣ exhumation ବା ଶବକୁ କବରକୁ କାଢ଼ିବା ଓ ପୁନଃ ପରୀକ୍ଷା କରିବାର ସୁଯୋଗ ସଂକୁଚିତ ହୋଇଯାଇଥାଏ ।

ଆକୋନାଇଟ୍ ଏକ ଉଦ୍ଭିଦ ଯାହାର ସମସ୍ତ ଅଂଶ ବିଶେଷକରି ଏହାର ଚେର ଅତ୍ୟନ୍ତ ବିଷାକ୍ତ । ଏହା ଆକୋଟିନାଇନ୍ ନାମକ ଏକ ବିଷାକ୍ତ ଦ୍ରବ୍ୟର ଉତ୍ସ । ଏହି ବିଷ ଶରୀର ହୃଦୟ ତନ୍ତ୍ରର tetrodotoxin (ସାମୁଦ୍ରିକ ପ୍ରାଣୀଙ୍କ ଶରୀରରୁ ଉତ୍ପନ୍ନ ଏକ ଶକ୍ତିଶାଳୀ ବିଷ)ସମ୍ବେଦନଶୀଳ ଶରୀରର ସୋଡିୟମ ଚ୍ୟାନେଲକୁ ପ୍ରତିରୋଧମୁକ୍ତ କରିଥାଏ । ଫଳସ୍ୱରୂପ ସ୍ନାୟୁବିକ କ୍ରିୟା (cellular re-polarisation mechanism) ବିଳମ୍ବିତ ହୋଇଥାଏ ଓ ପ୍ରତିକ୍ରିୟାରେ କୋଷିକା ସ୍ତରରେ electro-physiologic ବାଧିତ ହୁଏ । ଭକ୍ଷଣ କରିବାର କିଛି ସମୟ ପରେ ମୃତ୍ୟୁ ହୋଇଥାଏ । ପ୍ରାଥମିକ ଲକ୍ଷ୍ମଣ ସ୍ନାୟୁବିକ; ଯଥା ବାତ, ଉଦର ସମସ୍ୟା ଜନିତ ବାନ୍ତି, ପରେ ପରେ ମୁହଁ ଓ ପାଟି ଶୀତଳ ପଡ଼ିଯାଏ । ଏହା ହୃଦ୍ୟର ରକ୍ତ ସଞ୍ଚାଳନ ପ୍ରକ୍ରିୟାରେ ସମସ୍ୟା ଉତ୍ପନ୍ନ କରାଏ ; ଯଥା ବ୍ରାଡର୍ର୍କାଡ଼ିଆ, ଉଚ୍ଚରକ୍ତଚାପ, ଅଳିନ୍ଦ ହୃଦ୍ଘାତ(Arrhythmias) ଓ ମୃତ୍ୟୁ ।

ସାଧାରଣରେ ବେଶ ଜଣାଶୁଣା ଓ ଅତ୍ୟନ୍ତ ବିଷାକ୍ତ ବୋଲି ଧରାଯାଉଥିବା ବିଷ ସାଏନାଇଡ଼, ପୋଟାସିୟମ ସାଏନାଇଡ଼/ସୋଡିୟମ ସାଏନାଇଡ଼/ ହାଇଡ୍ରୋଜେନ ସାଏନାଇଡ଼ ଭଳି ଦ୍ରବ୍ୟ ରୂପରେ ଉପଲବ୍ଧ । ଆତ୍ମହତ୍ୟା ଉଦ୍ଧେଶ୍ୟରେ ନାଜିମାନେ ସାଏନାଇଡ଼ ବ୍ୟବହାର କରୁଥିଲେ । ସାଏନାଇଡ଼ ବ୍ୟବହାର କରି ଆତ୍ମହତ୍ୟା କରିଥିବା କିଛି ପ୍ରମୁଖ ବ୍ୟକ୍ତି ହେଲେ, ହେନରିଚ୍ ହିମ୍ଲର ଓ ଆଡୋଲପ୍ ହିଟଲରଙ୍କ ପତ୍ନୀ, ଇଭା ବ୍ରାଉନ । ସାଏନାଇଡ କୋଷ ସ୍ତରରେ ମାଇଟୋକୋନଣ୍ଡ୍ରିଆ କୋଷିକାର ପୃଷ୍ଟିସାର ଉତ୍ପେରକ ସାଇଟୋକ୍ରୋମ ସି ଅକ୍ସିଡେଜ୍କୁ ପ୍ରତିରୋଧ ପୂର୍ବକ କୋଷସ୍ତରରେ ବିପାକ କି୍ରୟାରେ ବ୍ୟାଘାତ ସୃଷ୍ଟି କରେ । ଏହା ଫଳରେ ଆଭ୍ୟନ୍ତରରେ ଅମ୍ଳଜାନର ଅଭାବ(asphyxiation) ଓ କୋଷ ସମୁହ ଅମ୍ଳଜାନକୁ ଶୋଷିବାର କ୍ଷମତା ହ୍ରାସ (histotoxic hypoxia) ଯୋଗୁଁ ଅତି ଶୀଘ୍ର ମୃତ୍ୟୁ ହୁଏ । ଶୋଇଥିବା ବେଳେ ଶ୍ୱାସକ୍ରିୟାରେ କ୍ଷଣିକ ବନ୍ଦ ହେବା (Apnea), ହୃଦ୍ଘାତ, କୋମା ଭଳି ଲକ୍ଷ୍ମଣମାନ ପ୍ରକାଶ ସହିତ କିଛି ମିନିଟ ସୁଦ୍ଧା ମୃତ୍ୟୁ ହୁଏ । ଅଳ୍ପ ମାତ୍ରାରେ ସେବନ କଲେ, ଦୁର୍ବଳତା, ମୁଣ୍ଡ ବୁଲାଇ ହେବା, ମୁଣ୍ଡ ବିନ୍ଧା ଓ ଅସ୍ଥିରତା ଦେଖାଦିଏ ।

ହୃଦ୍ଘାତର ଲକ୍ଷ୍ମଣକୁ ନକଲ କରାଇ ଜଣକୁ ଅତି ଶୀଘ୍ର ମୃତ୍ୟୁ ମୁଖକୁ ପେଲି ଦେବା ଉଦ୍ଧେଶ୍ୟରେ ଓଲିଏନଣ୍ଡର ଭଳି ବିଷ ପ୍ରୟୋଗ କରାଯାଏ । ଓଲିନ୍ଡ୍ରିନ୍ ଓ ନେରିନ୍ ନାମକ ଦୁଇଟି ପଦାର୍ଥ ଓଲିଏନଣ୍ଡକୁ ବିଷାକ୍ତ କରିଥାଏ । ଏହି ବିଷ ପରୀକ୍ଷାଗାରରେ ମଧ୍ୟ ପ୍ରସ୍ତୁତ କରାଯାଇପାରେ ଓ ଏହାର ବ୍ୟାପକ ବ୍ୟବହାର ରୁଷିଆ ଓ ଚାଇନାରେ ହୋଇଅଛି ବୋଲି ଇତିହାସରେ ଲିପିବଦ୍ଧ । ଏହି ଯୌଗିକ ପଦାର୍ଥଟି ସୋଡିଅମ୍-ପୋଟାସିଅମ୍ ଏଟିପିଏଜ୍ (ATPase)କୁ ପ୍ରତିରୋଧ କରିବାକୁ କାର୍ଡିଆକ୍ ଗ୍ଳାଇକୋସାଇଡ଼ ଭଳି କାର୍ଯ୍ୟ କରିଥାଏ । ଶରୀରରେ ଏହାର ପ୍ରଭାବ ଖୁବ ଶୀଘ୍ର ଆରମ୍ଭ ହୋଇଯାଏ । ପ୍ରାଥମିକ ପର୍ଯ୍ୟାୟରେ ବାନ୍ତିି ଓ ଉଦର ସମସ୍ୟା ଦେଖାଦିଏ । କିନ୍ତୁ ଖୁବ୍ ଶୀଘ୍ର ହୃଦୟ, ଆରିତ୍ମାଏଜ୍ରେ ଆକ୍ରାନ୍ତ ହୋଇ ହୃଦ୍ଘାତ ହୁଏ ।

ଲୋକପ୍ରିୟ ଲେଖା

To Top