କରୋନା ଭାଇରସ ରୋଗ (କୋଭିଡ-୧୯) ଜନସାଧାରଣମାନଙ୍କର ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଅଛି ଶାରୀରିକ ଲକ୍ଷଣ ଓ ଅବସ୍ଥା ସମ୍ପର୍କରେ ସମସ୍ତେ ଅଳ୍ପେ ବହୁତ ଜାଣିଲେଣି । ଯଦିଓ ଭାରତରେ ମୃତ୍ୟୁହାର ଅନ୍ୟ ଅଧିକାଂଶ ଦେଶମାନଙ୍କ ତୁଳନାରେ କମ, ତେବେ ଅନେକ ଲୋକ ଏଥିରେ ପ୍ରାଣ ହରେଇଲେଣି । ଏ ରୋଗ ଅନେକଙ୍କୁ ବହୁତ କଷ୍ଟ ଓ ଯନ୍ତ୍ରଣା ଦେଇଛି
ମାନସିକ ଚାପର କାରଣ
ଶାରୀରିକ ଅସୁବିଧା ସହ, କୋଭିଡ-୧୯ ମାନସିକ ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପକାଉଅଛି । ଏହା ବିଭିନ୍ନ କାରଣରୁ ହେଉଅଛି ।
ପ୍ରଥମତଃ ଏ ରୋଗ ପାଇଁ ଚିନ୍ତାଗ୍ରସ୍ତ ହେବା ସ୍ୱାଭାବିକ ଅତ୍ୟନ୍ତ ଦ୍ରୁତ ଗତିରେ ଏହାର ମଣିଷରୁ ମଣିଷକୁ ସଂକ୍ରମିତ ହୋଇଯାଉଛି, ଆଦୌ ଲକ୍ଷଣ ନ ଥିବା ଓ ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଠାରୁ ଏ ଭୁତାଣୁ ଅନ୍ୟ ପାଖକୁ ସଂକ୍ରମିତ ହୋଇପାରୁଥିବାରୁ ରୋଗ ଚିହ୍ନଟ ହେବା ପୂର୍ବରୁ ସଂକ୍ରମଣ ଅନେକଙ୍କୁ ବ୍ୟାପି ଯାଉଛି । ସବୁ ଜାଗାରେ ଏ ରୋଗ ବ୍ୟାପିବାର ଆଶଙ୍କା ରହିଛି । ତେଣୁନିଜେ ସଂକ୍ରମିତ ହେବାର ଭୟ ରହିଛି ।
ଯଦିଓ ଅଧିକାଂଶ ରୋଗୀଙ୍କ ଲକ୍ଷଣ ସାଧାରଣ ଭାବେ ପ୍ରାୟ ସପ୍ତାହେ ଭିତରେ ଠିକ ହୋଇଯାଉଛି, ତେବେ କିଛି ଲୋକଙ୍କ ଅବସ୍ଥା ଗୁରୁତର ହେଉଛି, ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ନେବା ଦରକାର ହେଉଛି । ତେବେ ଅଳ୍ପକିଛି ଲୋକଙ୍କୁ ଭେଣ୍ଟିଲେଟରର (ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ସାହାଯ୍ୟକାରୀ ଯନ୍ତ୍ର) ଆବଶ୍ୟକତା ପଡୁଛି । କୋଭିଡ-୧୯ ସଂକ୍ରମିତ ହେଲେ ସଙ୍ଗରୋଧ କେନ୍ଦ୍ର, ପୁଣି ଦରକାର ହେଲେ କୋଭିଡ ହସ୍ପିଟାଲ, ଆଇସିୟୁରେ ଭର୍ତ୍ତି ହେବା ଦରକାର ପଡୁଛି । ଏହାଦ୍ୱାରା ରୋଗୀ ଓ ତାଙ୍କ ଘର ଲୋକେ ଅତ୍ୟନ୍ତ ମାନସିକ ଚାପଗ୍ରସ୍ତ ହେଉଛନ୍ତି । ଏ ରୋଗରେ ମରିଯିବାର ଆଶଙ୍କା ଥିବାରୁ ଭୟ ଲାଗିବା ସାଧାରଣ କଥା ବୟସ୍କ ଲୋକେ ଓ ଯେଉଁ ଲୋକମାନଙ୍କର ଅନ୍ୟ ରୋଗ ଯଥା ଉଚ୍ଚ ରକ୍ତଚାପ, ଡାଇବେଟିସ, ଅତ୍ୟଧିକ ଓଜନ, ଶ୍ଵାସ ରୋଗ, ବା ଅନ୍ୟ ଶାରୀରିକ ରୋଗଅଛି ସେମାନେ ଏ ରୋଗରେ ବିଶେଷ ଭାବେ ଆକ୍ରାନ୍ତ ହେବା ସମ୍ଭବ । ତେଣୁ ବୟସ୍କ ଲୋକମାନଙ୍କର ଚିନ୍ତା ଓ ଆଶଙ୍କା ଅଧିକ ।
ସେମିତି ଡାକ୍ତର ଓ ନର୍ସ ଯେଉଁମାନେ କୋଭିଡ-୧୯ ରୋଗୀଙ୍କ ସେବା କରୁଛନ୍ତି ସେମାନଙ୍କର ସଂକ୍ରମଣ ହେବାର ଆଶଙ୍କା ଅଧିକ । ଏ ଦୃଷ୍ଟିରୁ ସେମାନଙ୍କ ଘର ଲୋକେ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ଅଛନ୍ତି ।
ବେଳେ ବେଳେ କୋଭିଡ-୧୯ ଦ୍ୱାରା ବିଭିନ୍ନ ଉପାୟରେ ମସ୍ତିଷ୍କ ଆକ୍ରାନ୍ତ ହେଉଛି, ଯଥା ମସ୍ତିଷ୍କରେ ରକ୍ତ ଜମିଯିବା ଓ ରକ୍ତ ଚାଳନାରେ ଅସୁବିଧା । ଏସବୁ ଦ୍ୱାରା ପରବର୍ତ୍ତୀ ସମୟରେ । ମାନସିକ ଶକ୍ତି ଉପରେ ଅନେକନକାରାତ୍ମକ ପ୍ରଭାବ ପଡିବ ।
ଯଦିଓ ଗବେଷଣା ଚାଲିଛିଓ କିଛି ଚିକିତ୍ସା ଉପାୟ ଅଛି ତେବେ କୌଣସିଚିକିତ୍ସାନିର୍ଦ୍ଦିଷ୍ଟ ଭାବରେ ଫଳପ୍ରଦ ହେଉଥିବା ଜଣାଯାଇନାହିଁ । ସେମିତି ଏପର୍ଯ୍ୟନ୍ତ ପ୍ରତିରୋଧକଟୀକା ଉପରେ ଗବେଷଣା ଚାଲିଛି ଓ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । ଏସବୁ ପରିସ୍ଥିତି ନେଇ ମନରେ ଅଶ୍ଵସ୍ତି ଲାଗିରହିବା ସ୍ୱାଭାବିକ ।
ଏସବୁଛଡା, ଏ ରୋଗପାଇଁ ଲୋକଙ୍କ କାମ, ବ୍ୟବସାୟ ବନ୍ଦ ହୋଇ ଅର୍ଥନୈତିକ ଅସୁବିଧା ଦେଖା ଦେଉଛି । ଏପରିକି ଦୈନ୍ୟଦିନ ଘର ଚଲେଇବା, ପିଲାମାନଙ୍କ ପଢ଼ାପଢ଼ି ଓ ଅନ୍ୟ ଖର୍ଚ୍ଚ ପାଇଁ ଅନେକଙ୍କ ପାଖରେ ସମ୍ବଳ ବା ଅଭାବ ଦେଖା ଦେଲାଣି ।
ଉପରୋକ୍ତ କାରଣ ଗୁଡିକ ପାଇଁ ଚିନ୍ତା ବଢିବା ଖୁବ ସମ୍ଭବ ।
ମାନସିକ ଚାପର ଅନ୍ୟ ଏକ କାରଣ ହେଲା ଗୁଜବ, ଅପପ୍ରଚାର,ଓମିଥ୍ୟାପ୍ରଚାର । ଏହାଦ୍ୱାରା ଅନେକ ଲୋକ ଛାନିଆ ହେଇଯାଉଛନ୍ତି । ବୈଜ୍ଞାନିକ ଭିତ୍ତି ନଥାଇ ଅନେକ ଉପାୟ କରୁଛନ୍ତି ବା ବେଳେବେଳେ ରୋଗ ସଂକ୍ରମଣ କମେଇବା ପାଇଁ ଯାହାକରିବା କଥା ସେସବୁ କରୁନାହାନ୍ତି । ଏଥିରେ ସେମାନେ ଅତ୍ୟନ୍ତ ଅସୁବିଧାରେ ପଡୁଛନ୍ତି ।
ପୁଣି ଯେଉଁମାନଙ୍କୁ କୋଭିଡ-୧୯ ରୋଗ ହେଉଛି, ସେମାନେ ଭଲ ହେଇ ଫେରିଲା ପରେ, ତାଙ୍କ ପଡୋଶୀ, ବା ଗାଁ ଲୋକେ ତାଙ୍କୁ ଓ ସେମାନଙ୍କ ପରିବାରକୁ ବିଭିନ୍ନ କଥାରେ ବାରଣ ଓ ସାମାଜିକ ବାଛନ୍ଦ କରୁଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦାୟକ ।
ମାନସିକ ଚାପର ଲକ୍ଷଣ
କୋଭିଡ-୧୯ ପାଇଁ ମନରେ ଉଦ୍ବିଗ୍ନତା, ଉଦାସୀନତା, ଆଶାହୀନତା, ଅସହାୟବୋଧ, ବିଷାଦ ଭାବ, ଭୟ, ସନ୍ଦେହ ଦେଖାଯାଇପାରେ । ତା ସହ ଅନେକଙ୍କ ପାଖରେ ନିଦ୍ରାହୀନତା, ଭୋକରେ ପରିବର୍ତ୍ତନ, ଏକାଗ୍ରତାର ଅଭାବ ଦେଖାଯାଉଛି । ରୋଗ ଭୟ, ପରିବାରର ସ୍ୱାସ୍ଥ୍ୟ ଚିନ୍ତା, ଏକାକୀତ୍ୱ ଭାବ, ସାମାଜିକତାରୁ ଦୂରେଇଯିବାର ଚିନ୍ତା । ବଢୁଛି । ବେଶୀ ହେବାଦ୍ୱାରା କେହି କେହି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।
କିଛି ଲୋକ ଚିନ୍ତାର ମୁକ୍ତି ପାଇଁ ବେଶୀ ନିଶା ସେବନ କରୁଛନ୍ତି ତ କିଏ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅବହେଳା କରୁଛନ୍ତି । ବ୍ୟାୟାମ । ଓ ଶାରୀରିକ ପରିଶ୍ରମ କରିବା କମି ଯାଇଛି, ଓ ଘରେ ବସିରହିବା ହେତୁ ଓଜନ ବଢୁଛି । ଚିନ୍ତା ପାଇଁ ଆଗରୁ ଥିବା ଅନେକ ଶାରୀରିକ ରୋଗ ଉପରେ ବି କୁପ୍ରଭାବ ପଡୁଛି ।
ଆଗରୁ ମାନସିକ ରୋଗ ଭୋଗୁଥିବା ବ୍ୟକ୍ତିମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଉଦାସ ରୋଗ, ଛାନିଆ ରୋଗ ବା ଏଙ୍ଗଜାଇଟି ରୋଗ ବଢିଯାଇଛି । ଅନେକ ମାନସିକ ରୋଗ ଗୁଡିକର ଲକ୍ଷଣ ବଢ଼ିଯାଇ ସ୍ୱାସ୍ଥ୍ୟରେ ଅବନତି ହେଉଛି ।
ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ କୋଭିଡ-୧୯ ଜନସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ତେଣୁ ଏହି ସମୟରେ ନିଜର ମନକୁ ଦୃଢ ଓ ସ୍ଵସ୍ଥ ରଖିବେ କିପରି ତା ବିଷୟରେ ଆଲୋଚନା କରିବା ଉଚିତ ।
କୋଭିଡ-୧୯ ଜନିତ ମାନସିକ ଚାପର ନିୟନ୍ତ୍ରଣ ଓ ଚିକିତ୍ସା ।
ପ୍ରଥମତଃ ଏ ରୋଗ ପାଇଁ ଭୟଭୀତ ହୋଇ ରହିବା ଦରକାର ନାହିଁ । ଏରୋଗର ଭୁତାଣୁ ଦ୍ୱାରା ସଂକ୍ରମିତ ନ ହେବା ପାଇଁ ଯେଉଁ ଉପାୟ ସବୁ ବିଭିନ୍ନ ଡାକ୍ତରୀ ସଂସ୍ଥା ଓ ସରକାର ଦେଉଛନ୍ତି ସେସବୁକୁ ମାନିବା ଦରକାର । ଏସବୁ ସୂଚନା ଗଣମାଧ୍ୟମରେ ପ୍ରଚାରିତହେଉଛି । ପ୍ରତିରୋଧର ଉପାୟସବୁ ସହଜ, କିନ୍ତୁ ସେସବୁ ମାନିବା ଦରକାର, ନିଜ ପାଇଁ, ନିଜ ପରିବାର ଓ ଦେଶ ପାଇଁ । ଏ ରୋଗରନିର୍ଦ୍ଦିଷ୍ଟ ଚିକିତ୍ସା ଓ ଟୀକା ପାଇଁ ଗବେଷଣା ଚାଲିଛି ଓ ଏହା ଭବିଷ୍ୟତରେ ଉପଲବ୍ଧ ହେବ । ତେଣୁ ଏ ବିଷୟରେ ଆଶା ରଖିବା ଉଚିତ । ତେବେ ଅନେକ ଉପାୟରେ ଏହାର ଚିକିତ୍ସା ଏବେ ସମ୍ଭବ ହେଉଛି, ତେଣୁ ମନ ଦୃଢ଼ କରିବା ଦରକାର ।
ଦ୍ଵିତୀୟତଃ ଏ ରୋଗ ବିଷୟରେ କୋଣସି ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ । ସୋସିଆଲ ମେଡିଆ ଓ ବେଳେବେଳେ ଗଣ ମାଧ୍ୟମରେ ବି ଅନେକ ଗୁଜବ ଓ ଭିତ୍ତିହୀନ ତଥ୍ୟ ପ୍ରଚାରିତ ହେଉଥିବାର ଦେଖାଯାଉଛି । ଭିତ୍ତିହୀନ ମନ୍ତବ୍ୟ ବା ତଥ୍ୟ ପରିବେଷଣ କରିବା ଉଚିତ ନୁହେଁ । ଏହାଦ୍ୱାରା ଲୋକମାନଙ୍କର ଓ ସମାଜର କ୍ଷତି ଘଟୁଛି । କେବଳ ଡାକ୍ତରୀ ସଂଗଠନ, ପ୍ରଫେସନାଲ ଅର୍ଗାନାଇଜେସନ (ବୈଷୟିକ ଅନୁଷ୍ଠାନ) ଦେଉଥିବା ସୂଚନା ଉପରେ ଆସ୍ଥା ରଖନ୍ତୁ ।
ଏ ସୂଚନା ଉପରେ ଆଧାର କରି, କରୋନା ଭାଇରସର ସଂକ୍ରମଣକୁ କମେଇବା ପାଇଁ ବୈଜ୍ଞାନିକ ଭିତ୍ତି ଥିବା ନିର୍ଦ୍ଦେଶଗୁଡିକୁ ପାଳନ କରନ୍ତୁ । ସଂକ୍ରମଣର ପ୍ରତିରୋଧ କରିବା ଦ୍ୱାରା ନିଜକୁ, ଓ ନିଜ ପରିବାରକୁ ସୁସ୍ଥ ରଖି ପାରିବେ ତୃତୀୟତଃ ଏ ଚିନ୍ତାଜନକ ସମୟରେ ନିଜକୁ ଚିନ୍ତାମୁକ୍ତ ରଖିବା ପାଇଁ, ଓ ମାନସିକ ସ୍ଥିରତା ଓ ସନ୍ତୁଳତାକୁ ସମ୍ଭାଳିବା ପାଇଁ ଆପଣ ଅନେକ କିଛି କରି ପାରିବେ । କିଛି ଉପାୟ ଏଠି ଆଲୋଚନା କରିବା ଉଚିତ ।
• ନିଜକୁ ଖୁସି ଲାଗୁଥିବା କାମ ଖୋଜି ସେଥିରେ କିଛି ସମୟ ଦିଅନ୍ତୁ ।
• ପ୍ରତିଦିନ କିଛି ସମୟ (ଅନ୍ତତଃ ୩୦ ମିନିଟ) ବ୍ୟାୟାମ କରନ୍ତୁ ବା ଶାରୀରିକ ପରିଶ୍ରମ ହେଉଥିବା କାମ କରନ୍ତୁ । ଟିଭିରେ ବା ଇଣ୍ଟରନେଟରେ ଦେଉଥିବା ବ୍ୟାୟାମ ପ୍ରୋଗ୍ରାମ ଦେଖି ଘରେ ଅଭ୍ୟାସ କରିପାରନ୍ତି ।
• ନିଜ କାମ ଭିତରେ କିଛି ସମୟ ବିଶ୍ରାମ ନେବାକୁ ଭୁଲନ୍ତୁ ନାହିଁ ।
• ନିଜ ଲୋକମାନଙ୍କ ସହ ସମ୍ପର୍କ କରନ୍ତୁ । ସଂକ୍ରମଣକୁ କମେଇବା ପାଇଁ ଘରେ ରହୁଥିବା ବେଳେ । ଫୋନରେ ବା ଭିଡିଓ ମାଧ୍ୟମରେ ଦୂର ସମ୍ପର୍କୀୟ ଓ ବନ୍ଧୁ ମାନଙ୍କ ସହ କଥା ହୁଅନ୍ତୁ । ଏକାକୀତ୍ୱକୁ ପ୍ରତିହତ କରିବାକୁ ବ୍ୟବସ୍ଥା କରନ୍ତୁ ।
• ଘରେ ରହିବା ସମୟରେ ଘର କାମରେ ମନ ଦିଅନ୍ତୁ । ଦୈନଦିନ କାମରେ ନିଜକୁ ବ୍ୟସ୍ତ ରଖନ୍ତୁ । ଆଳସ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ ।
• ପରିବାରଙ୍କ ସହ ସମୟ ବିତାନ୍ତୁ ।
• କିଛି ନୂଆ କଥା ଶିଖନ୍ତୁ, ନିଜେ ନିଜେ, ପିଲାମାନଙ୍କ ସହ ବା ନାତି ନାତୁଣୀମାନଙ୍କ ସହ ।
• ଟିଭିରେ ଦେଉଥିବା ଶିକ୍ଷଣୀୟ ପ୍ରୋଗ୍ରାମ ଦେଖନ୍ତୁ, ତେବେ ଟିଭି ଓ ଇଣ୍ଟରନେଟରେ ଅଧିକ ସମୟ ବିତାନ୍ତୁ ନାହିଁ ।
• ନିଜ ଶରୀରର ଓ ଆଗରୁଥିବା ରୋଗର ଯତ୍ନ ନିଅନ୍ତୁ ।
• ନିଶା ସେବନ କରନ୍ତୁ ନାହିଁ ।
• ଯୋଗ, ପ୍ରାଣାୟାମ, ଧ୍ୟାନ ଆଦିରେ ସମୟ ଦିଅନ୍ତୁ ।
ଆପଣଙ୍କ ଶାରୀରିକ, ମାନସିକ, ଅର୍ଥନୈତିକ ଅସୁବିଧା ସବୁର ସମାଧାନ ପାଇଁ କଣ ଉପାୟ ସବୁ ଉପଲବ୍ଧଅଛି ତାର ଖୋଜ ଖବର ନିଅନ୍ତୁ । ହତାଶଭାବ ମନକୁ ଆଣନ୍ତୁ ନାହିଁ, ଆଶା ରଖନ୍ତୁ । ଆପଣଙ୍କ ଅସୁବିଧାପାଇଁ ଉପଯୁକ୍ତ ସାହାଯ୍ୟ ମାଗିବା ପାଇଁ କୁଣ୍ଠା ବୋଧ କରନ୍ତୁ ନାହିଁ । ନିଜ ଲୋକଙ୍କ ପାଖରେ ନିଜ ମନ କଥା ଖୋଲି କହନ୍ତୁ । କହିପକେଇଲେ ବୋଝ ହାଲୁକା ଲାଗିବ । ପରିବାର ବା ନିକଟ ବନ୍ଧୁ ପରିଜନ ଏ ଚିନ୍ତାଜନକ ସମୟରେ ଅନେକଙ୍କୁ ମାନସିକ ସାନ୍ତ୍ୱନା ଦେଇ ପାରିବେ । ତେବେ କିଛି ଲୋକମାନଙ୍କୁ ସେମାନଙ୍କ ମାନସିକ ସ୍ଥିତି ପାଇଁ ମାନସିକ ସ୍ୱାସ୍ଥ୍ୟ କର୍ମୀଙ୍କ ସାହାଯ୍ୟ ଦରକାର ପଡିପାରେ ।
ପୃଥିବୀରେ ଅତୀତରେ ଅନେକ ମହାମାରୀ ହୋଇଛି । ଶୀଘ୍ର ହେଉ କି ବିଳମ୍ବରେ, ମଣିଷ ଜାତି ସେସବୁର ପ୍ରତିକାର କରିବାରେ ସକ୍ଷମ ହୋଇଛି । କୋଭିଡ-୧୯ ସମୟରେ ଯଥା ସମ୍ଭବ ସତର୍କ ରହି, ନିଜ ସ୍ୱାସ୍ଥ୍ୟକୁ ଜଗି, ନିଜ ସାମାଜିକ ବ୍ୟବହାରରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଆଣି, ଆପଣ ଏ ମହାମାରୀରେ ସୁରକ୍ଷିତ ରହି ପାରିବେ ।