ହାତ ପାଦରୁ ବଳ ସରି ସରି ଆସିଲେ ଈଶ୍ୱରଙ୍କ ଉପରେ ଅଭିମାନ କରାଯାଇ ପାରେନା କିନ୍ତୁ ଔଷଧ ଡବାରୁ ସରିଗଲେ ଅର୍ଥ ଚିନ୍ତାରେ କେହି ଅନୁତାପ କରେ ! ଅନାଦି ତାର ପରବର୍ତୀ ଭତ୍ତା ଓ ପୁଅର ଦରମା ସମୟ କଥା ଭାବି ଆଶ୍ୱସ୍ତ ହୋଇ ପିଣ୍ତା ଉପରେ ବସୁ ବସୁ ନିଜକୁ ସଜାଡ଼ିନେଲା । ଏତେବେଳକୁ ତାର ନାତି ଦୁଇଟି ସାଇକେଲ ଧରି ସ୍ଫୁଲକୁ ବାହାରୁଥିଲେ ଏବଂ ଗୋଟାଏ ଆଧୁନିକ ଗୀତର ଧୁନ ଗାଉଥିବାର ଲକ୍ଷ କରି ସେ ତା’ର ଅତୀତ ଜୀବନ କଥା ଭାବିବାକୁ ଲାଗିଲା ।
ପନ୍ଦରବର୍ଷ ବୟସରେ ସେ କିପରି ସୁନ୍ଦର ଛାନ୍ଦମାନ ଗାଇ ଶ୍ରୋତାମାନଙ୍କ ଦେହରେ ଶିହରଣ ଜାତ କରିପାରୁଥୁଲା । ଏକଥା ମନେ ପକାଇଲା ବେଳେ ତାର ଚେତନାକୁ ଗୋଟେ କଳାହାଣ୍ଡିଆ ମେଘ ଗ୍ରାସ କରିଗଲା ଯେମିତି ! ଦିନ ସାରା ତା’ର ଆଉ କିଛି କାମ ନଥିଲା, ଘରୁ ଦାଣ୍ଡକୁ ଆଉ ଦାଣ୍ତରୁ ଘରକୁ ହେବା ଛଡା । ମହୁମାଛି ଓ ପିମ୍ପୁଡିମାନଙ୍କୁ ଉପହାସ କରି ଯେପରି ସାପ ତା ବାଟରେ କୁଣ୍ତଳୀ କରି ଶୋଇ ରହିଥାଏ, ଯେମିତି ଗାଁ ମୁଣ୍ତ ବରଗଛ ବର୍ଷ ବର୍ଷ ଧରି ଛିଡ଼ା ହୋଇ ରହିଥାଏ ସେମିତି ଏକ ସ୍ପୁଲିଙ୍ଗବିହୀନ ଜୀବନକୁ ନେଇ, ବାଡ଼ିଟିକୁ ଧରି ସେ ଆଉ କେତେ ବାଟ ଚାଲନ୍ତା ? ଅତି ବେଶୀରେ ବଜାର ଯାଏଁ ଯାଇ ହୁଏ ଭାରି କଷ୍ଟରେ । ସେଠି ଚା’ ପିଉଥିଲା ବେଳେ ଯେତେବେଳେ ତା ଗ୍ଲାସରୁ ଚା ସରି ଆସେ, ପୁଣି ଘରକୁ ଫେରିବାକୁ ହେବ ଏବଂ ସେଇ ସାପ ଓ ବରଗଛର ଜୀବନ ଜୀଇବାକୁ ହେବ ବୋଲି ଭାବିଲାବେଳକୁ ତାର ମନଟା ଉଣାହୋଇଆସେ ।
ଦିନ ଥିଲା ତା’ର ହାତପାଦରେ ପର୍ଯ୍ୟାପ୍ତ ବଳ ଥିଲା । ସେ ଜମିରୁ ଏକାସାଙ୍ଗରେ ପଣେ ଧାନବିଡା ବୋହି ନେଇ ଆସୁଥିଲା । ସେ ଗଛ ଚଢି ପାରୁଥିଲା ଓ ନଦୀ ପହଁରି ପାରୁଥିଲା । ଦୂର ଗାଁ ରେ ନାଟକ ପରିବେଷଣ ହେବାର ଥିଲେ ପାହାଡ଼ ପର୍ବତ ଡେଇଁ ସାଥି କଳାକାର ମାନେ ପହଞ୍ଚିବା ପୂର୍ବରୁ ଆଗ ଯାଇ ପହଞ୍ଚି ଯାଉଥିଲା । ସେ ଗାଁ’ର ମୁଖିଆମାନେ ଅନାଦି ସହ କଥା ହେବା ପାଇଁ ବେଶି ପସନ୍ଦ କରୁଥିଲେ । ଏହା ଦ୍ୱାରା ସେମାନଙ୍କର ସମ୍ମାନ ବଢୁଥିଲା ବୋଲି ସେମାନେ ଭାବୁଥିଲେ କାରଣ ଅନାଦି ସେ ଅଞ୍ଚଳର ହନୁମାନ ଥିଲା । ଦଉଡ଼ିରେ ଝୁଲିବା ଓ ଗୋଟେ ଲମ୍ଫରେ ମଞ୍ଚ ଉପରକୁ ଉଠି ସେଠୁ ଛୋଟ ଛୋଟ ପିଲାମାନଙ୍କୁ ଖତେଇ ହେବା ତା ପାଇଁ ଏକ ସାଧାରଣ ଦକ୍ଷତା ଥିଲା । ଯଦି ଆଖଡ଼ାରେ ଗୁରୁ ଅନୁପସ୍ତିତ ଥାନ୍ତି ସେ ସବୁକାର୍ଯ୍ୟ ନିଜ ହାତକୁ ନେଉଥିଲା ଓ ଅନ୍ୟ ସାଥି କଳାକାରମାନଙ୍କୁ ନିଜେ ସଂଶୋଧନ କରିପାରୁଥିଲା ।
ଧୀରେ ଧୀରେ ତା’ର ବୟସ ବଢିଲା ଓ କଫ ଯୋଗୁଁ କଣ୍ଠ ତା’ର ସବୁବେଳେ ଘଡ ଘଡ ହେଲା ନାଟକର ଗୀତଗୁଡିକ ତା ଅପେକ୍ଷା ନୂଆକରି ଅଭିନୟ ଶିଖିବାକୁ ଆସୁଥିବା ପିଲାମାନଙ୍କ କଣ୍ଠରେ ଭଲ ଶୁଭିଲା । ତା’ର ଇଚ୍ଛା ହେଲା ଏଥର ସେ ନିଜେ ନାଟକ ନିର୍ଦ୍ଦେଶନା ଦେବ, ନିଜେ ଗୀତ ଲେଖିବ ଓ ନିଜେ ସ୍ୱର କରିବ । ତେଣୁ ସେ ଗାଁ’ପିଲାଙ୍କୁ ମିଳେଇ ଗୋଟେ ନୂଆ ନାଟଦଳ ଗଢିଲା । ସେମାନଙ୍କୁ ନିର୍ଦ୍ଦେଶନା ଦେଲା । ପ୍ରଭୁ ରାମଙ୍କ କୃପାରୁ ନାଟକଟି ବେଶ କିଛିଦିନ ଭଲ ଚାଲିଲା । ଖଣ୍ତମଣ୍ତଳରେ ତାର ନାଆଁଡାକ ବଢିଲା । ତା’ ସାଙ୍ଗକୁ ତା’ର ତେଲ ଲଗା ଚିକ୍କଣ କଳାଘୁମର ବାଳ ବଢ଼ି ବଢ଼ି ବେକ ଚାରିକଡ଼େ ବୁଲିଗଲା । ସେ ହେଲା କଲେକ୍ଟର ପୁରସ୍କାରପ୍ରାପ୍ତ ନାମକରା ଅନାଦି ଗୁରୁ । ଆଜକୁ ପ୍ରାୟ ଦଶ ବର୍ଷ ହେବ ସେ ନାଟକ ଛାଡ଼ିଲାଣି ଅବଶ୍ୟ ତଥାପି ତା’ର ଖିଆଲି ମନଗହୀରୁ ଛାନ୍ଦ ଚୌପଦି କେବେକେବେ ବାହାରି ଆସେ । ଶୁଣିବାକୁ ନା ଥାଏ ମଞ୍ଜ ନା ଥାଆନ୍ତି ଶ୍ରୋତା ! ତା’ର ସବୁ କଳାକୌଶଳ ଆର ଜନ୍ମକୁ ରଖିଦେଇଥାଏ ଯେମିତି । ହେଲେ ସେଠି କ’ଣ ଅଛି କିଏ ଜାଣିଲା ।
ଏଇ କିଛିଦିନ ହେବ ତାର ଘରକୁ ଗୋଟିଏ ନୂଆ ଟିଭି ଆସିଲା । ତା ପୁଅର କାମରେ ଖୁସି ହୋଇ ହାକିମ ତାର ଦରମା ବଢ଼ାଇ ଥିବାରୁ ଏହା ସମ୍ଭବ ହୋଇ ପାରିଲା । ଧୀରେ ଧୀରେ ଟିଭି ସହ ସମସ୍ତଙ୍କର ଘନିଷ୍ଟତା ବଢିଗଲା । ନାତିମାନେ ବାଘଭାଲୁ, ନିଆଁ ବୋମା ଫୁଟୁଥୁବା ସିନେମା ଦେଖିବାକୁ ଭଲ ପାଉଥିଲା ବେଳେ ତା’ର ବୋହୁ ଧାରାବାହିକ ଦେଖିଥିଲା । ବେଳେବେଳେ ଯଦି ସମୟ ମିଳେ ଅନାଦି ତାର ଜାତିଭାଇ ବାହାରୁଥିବା ଦୂରଦର୍ଶନ କାଁ ଭାଁ କେମିତି ବୋହୁକୁ କହି ଲଗେଇ ବସୁଥୁଲା । ବେଶି କଷ୍ଟ ହେଉଥିଲା ଯେଉଁଦିନ ନାତିମାନେ ମାମୁଘର ଯାଇଥାନ୍ତି ଏବଂ ଦୂରଦର୍ଶନ ଖୋଲିଦେଲା ବେଳକୁ ସେଥିରେ ବାଇଗଣରୁ କିପରି ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ ହେଉଥିବାର ଦୃଶ୍ୟ ଚାଲୁଥିଲା ।
ଦିନେ ତା’ର ଘରେ ଏକ ସଂଗୀତଭିଭିକ କାର୍ଯ୍ୟକ୍ରମ ସେ ଟିଭିରେ ବାଜୁଥିଲା । ଗୋଟିଏ ଲଙ୍ଗୁଳୀ ଯୁବତୀକୁ ଯୁବକଟି ସମୁଦ୍ର ଜଳକୁ ନେଇ ବୁଡେଇ ଦେଉଥିଲା.. ପୁଣି ଉଠେଇ ଆଣି ତା ଦେହ ସାରା ଚୁମା ଦେଉଥିଲା, ଏସବୁ ଦୃଶ୍ୟ ତାର ପୁଅ, ବୋହୁ ଓ ନାତି ଦୁଇଟି ଏକାଠି ଦେଖିବା ତାକୁ କିମ୍ଭୁତ ଲାଗିଲା । ସେ ସଂଗୀତକୁ ବୁଝି ନପାରି ଏସବୁ ସମୟ ତାର ନୁହେଁ ବୋଲି ମନକୁ ତାର ବୁଝେଇଦେଲା । ମରିଗଲେ ତରିଯିବ ନ୍ୟାୟରେ ସେ ଯାହା ବର୍ତମାନ ସମୟକୁ ଜିଇ ରହିଥିଲା ।
ସେଦିନ ରାତିରେ ସମସ୍ତେ ଶୋଇଛନ୍ତି, ହଠାତ ସେ ଶୁଣିଲା ନିକଟ ଗ୍ରାମରୁ ଅତି କ୍ଷୀଣ ସ୍ଵରରେ ତାର ଅତି ପରିଚିତ ଗୀତଟିଏ ଭାସି ଆସୁଛି “ଆହେ ଦୁଃଖ ହାରି ତୁମ ଦୁଃଖ କିଏ ହାରିବ” । ସେ ଜାଣିଲା ପାଖ ଗାଁରେ ରାମଲୀଳା ହେଉଛି । ତା ମନ ଚଞଳ ହୋଇଉଠିଲା । ଆଜି ସେ ଯିବ ନାଟକ ଦେଖିବାକୁ । ତାର ସବୁ ସ୍ମୃତିକୁ ପୁଣି ସଜାଡ଼ିଦେବ । ସବୁ ଅତୀତକୁ ଗୁନ୍ଥି ଆଉ ଥରେ ମାଳା କରି ପିନ୍ଧିବ । ରଘୁବରଙ୍କୁ ମୁଣ୍ଡିଆଟେ ମାରି ସେ ତା’ ସାହାରାଟିକୁ ହାତରେ ଧରିଲା ! ନିର୍ଜନ ରାତି । ଚାରିଆଡ଼ ଶୂନଶାନ । ଘନ ଅନ୍ଧାରରେ ଭୂତ ପରି ଦିଶୁଥିବା ରାସ୍ତାକଡ଼ର କଳା କଳା ଗଛ ଓ ବଣ ବୁଦାମାନ ତାକୁ ଡରେଇ ପାରୁନଥିଲେ ବରଂ ତା’ ବାଡ଼ିର ଠକ୍ ଠକ୍ ଶବ୍ଦରେ ସେ ରାସ୍ତା କୋଳାହଳମୟ ହୋଇ ଉଠୁଥୁଲା । ସତେ ଯେପରି ଲଙ୍କା ଆକ୍ରମଣ ପୂର୍ବରୁ କପିମାନେ ଗଦାକୁ ଭୂଇଁରେ ଛେଚୁଛନ୍ତି । ସେ ଯେତେ ନିକଟ ହେଉଥୁଲା ନାଟକର ଧୁନ ସେତେ ପ୍ରାଞ୍ଜଳ ଶୁଭୁଥୁଲା । ସେ ଗୀତ ଶୁଣି ଜାଣି ପାରିଥୁଲା ପରବର୍ତୀ ଦୃଶ୍ୟରେ ରାମ-ହନୁ ଭେଟ ହେବ । ତେଣୁ ସେ ଜୋରରେ ଆଗକୁ ପାଦ ପକେଇଲା । ସେହିଅନୁସାରେ ତା’ ବାଡ଼ି ଶବ୍ଦର ଲୟ ମଧ୍ୟ ବଢିବାକୁ ଲାଗିଲା । ଯାଉଁ ଯାଉଁ ଭାବିଲା, ସେ ଯଦି ମଞ୍ଚକୁ ଲାଗିକରି ବସେ ତେବେ ସେଠାକାର ଗୁରୁ ଓ କଳାକାରମାନେ ତାକୁ ନିଶ୍ଚୟ ଚିହ୍ନି ପାରିବେ । ତା’ ଭଳି ଜଣେ ଉଚ୍ଚକୋଟୀର ନିର୍ଦ୍ଦେଶକ ଆଗରେ ସେମାନେ ସ୍ୱାଧୀନ ହେଇପାରିବେ ନାହିଁ । ଭୟରେ ତା’ ଆଡକୁ ଚାହିଁ ଚାହିଁ ସେମାନେ ଅତି ସନ୍ତର୍ପଣରେ ନାଟକ କରିବେ । ନିଜର ସ୍ଵାଧୀନତା ହରାଇ ଏବଂ ନିଜର ମାନସିକ ଚେତନାକୁ ଅସ୍ତବ୍ୟସ୍ତ କରି ନାଟକ ପରିବେଷଣ କଲେ, ଅଭିନୟର ପକୃତ ଦିଗଟି ବାଧାପ୍ରାପ୍ତ ହୁଏ ବୋଲି ସେ ଜାଣିଥିଲା । ତେଣୁ ସେ ଆଗରେ ନବସି ପଛରେ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ବସିବ । ଏକଥା ଭାବୁଭାବୁ ସେ କେତେବେଳେ ଯାଇ ସେଠାରେ ପହଞ୍ଚି ଯାଇଥିଲା ଜାଣିପାରିଲା ନାହିଁ । ସେ ମଞ୍ଚଠାରୁ ଦୂର ଏକ ପଥର ଉପରେ ଯାଇ ବସିଲା, ଯେଉଁଠିକୁ ମଞ୍ଚର ଆଲୋକ ଆସିପାରୁ ନଥିଲା । ନାଟକ ଆଗକୁ ବଢୁଥିଲା ।
ଏ କଣ ହେଲା ! ହଠାତ ସେ ଶୁଣିଲା ସେଇ ଗୀତର ଧୁନ ଯାହାକୁ ସେ ଦିନରେ ଟିଭିରେ ଦେଖୁଥୁଲା । ସେ ତାର କାନକୁ ବିଶ୍ଵାସ କରିପାରୁ ନଥିଲା । ପ୍ରବନ୍ଧଟି ପାରମ୍ପରିକ ହେଲେ ବି ସ୍ଵର ସେଇ ଆଧୁନିକ ହିନ୍ଦୀ ଗୀତର ବୋଲି ଜାଣିପାରିଲା । ବାଦକ ଜଣକ କେବଳ ଉଚ୍ଚଧ୍ଵନିରେ ବଜାଇବାକୁ ନିଜର ପରାକାଷ୍ଠା ବୋଲି ଭାବୁଥିଲେ । ମୋଟ ଉପରେ କହିବାକୁ ଗଲେ ରାଗ, ତାଳ ଓ ବ୍ୟାକରଣର ଚିହ୍ନବର୍ଣ୍ଣ ନ ଥିଲା । ତାର ଇଚ୍ଛା ହେଲା ମଞ୍ଚ ଉପରକୁ ଉଠିଯାଇ ନାଟକ ଶିଖେଇଥିବା ଗୁରୁଙ୍କୁ ଗାଳିଦେବ କିନ୍ତୁ ଅନେକ ଲୋକ ମଞ୍ଚ ତଳେ ରହି ନାଟକଟିକୁ ଉପଭୋଗ କରୁଛନ୍ତି ବୋଲି ସେ ଚୁପ ରହିଲା । ସେ ଉଠିପଡ଼ି ଏମିତି ବାଗରେ ତାର ଧୋତିଟିକୁ ଝାଡ଼ିଲା ଯେପରି ଅତୀତ, ଭବିଷ୍ୟତ, ବ୍ୟସ୍ତତା, ଗୁରୁପଣ, ସମାଜ ଓ ସମୟ ସବୁକୁ ନିଜ ଦେହରୁ ଝାଡ଼ିଝୁଡି ଦେଲା ଓ ପଛକୁ ପାଦ ଫେରାଇ ପୁଣିଥରେ ଏକା ଏକା ସେଇ ନିର୍ଜନ ରାସ୍ତାରେ ଘରମୁହାଁ ହେଲା ।
ତା’ ବାଡ଼ିର ଠକ୍ ଠକ୍ ଶବ୍ଦ ମୋ ପଢାଘର ଯାଏଁ ଶୁଭୁଥିଲା ।