ଅଧା ଟାଣିବା ପରେ ଖଣ୍ଡିଆ ବିଡ଼ିଟାକୁ ଚଇତନ କାନରେ ଖୋସିଦିଏ । ପୁଣି ଧାନ କାଟିବା ପରେ ହାଡ଼ଥରା ଶୀତରେ ହିଡ଼ ମୁଣ୍ଡରେ ବସି ବସି ଖଣ୍ଡିଆ ବିଡ଼ି ସୁକୁସୁକୁ କରେ । ଶ୍ରାବଣର ଭାରି ବର୍ଷାରେ ଦେହ ଜାଡ଼େଇ ଗଲେ ସେମିତି ଲଙ୍ଗଳ କଣ୍ଟିରେ ହାତ ରଖି ବିଡ଼ି ଟାଣେ । କାହା ସାଙ୍ଗରେ ପାଟିଗୋଳ ହେଲେ ଆଗ ବିଡ଼ି ଦି’ଶୋଠା ଟାଣି ମୁଣ୍ଡ ଠିକ୍ କରିଦିଏ । ଟାଣିଟାଣି ଖଣ୍ଡିଆ କରି ଫିଙ୍ଗିଦେଇ ପାଦରେ ଦଳିଦିଏ ।
ଜୀବନସାରା ଖଟିଖଟି ଚଇତନ ଯେତେବେଳେ ନିଜେ ଖଣ୍ଡିଆ ବିଡ଼ି ପାଲଟିଗଲା, ସାହି ଭାଇ ସମ୍ପର୍କୀୟ ମିଶି ତାକୁ ନେଇ ମଶାଣିରେ ନିଆଁ ଲଗେଇ ଦେଲେ । ଖଣ୍ଡିଆ ବିଡ଼ି ତଳେ ପଡ଼ି ସେଥିରୁ ଯେମିତି ଧୂଆଁ ବାହାରେ, ଅଧାପୋଡ଼ା କାଠରୁ ସେମିତି ଧୂଆଁ କୁହୁଳୁଥିଲା ।
ବିଡ଼ିର ଝୁଲ ଭଳି ତା’ ଦେହ ମୁଠିଏ ପାଉଁଶ ହୋଇ ଚାରିଆଡ଼କୁ ବିଞ୍ଚି ହୋଇ ପଡୁଥିଲା ।