ଅଣୁଗଳ୍ପ

ଡାକ ଦିନ

Pradip Nayak's short story Daaka Dina

ବୁଢୀର କଥା ଶୁଣିବାକୁ କାହାର କାନ ଥିଲା । ବୁଝା ପଡିଲା ନାହିଁ ବୁଢୀ ଏ କଲ୍ୟାଣ ଡାକବାବୁଙ୍କୁ ନା ଡାକଘରକୁ କରୁଛି ।

ମକରପୁର ଡାକଘର ପାହାଚ ଚଢି ଧୀରେଧୀରେ ବାରଣ୍ଡା ଉପରକୁ ଉଠିସାରି ପଦ୍ମାବତୀ ଗୋଟାଏ ଦୀର୍ଘଶ୍ୱାସ ଛାଡିଲା। ବୟସ ହେଲାଠୁ ଘରପାଖରୁ ଡାକଘର ଯାଏ ଏଇ ଦି’ ଖୋଜ ବାଟ ଚାଲିଆସିବା ବି କଷ୍ଟକର ହେଇଗଲାଣି । ସେଥିରେ ଆଖିକି ଆଉ ଭଲ ଦିଶୁନି । ସ୍ୱାମୀ ଚାଲିଗଲାପରେ ତାକୁ ମିଳୁଥିବା ଏଇ ପେନ୍‌ସନ୍‌ ଟଙ୍କା ସାତଶହ ନେବାକୁ ପ୍ରତିମାସରେ ଏଠିକି ଆସିବାକୁ ପଡ଼େ ।

ଆଜି ଇଏ କି ଅପୂରୁଗ କଥା ଲୋ ମା ! ବାରଣ୍ଡାକୁ ଉଠୁଉଠୁ ପୋଷ୍ଟମାଷ୍ଟର ବାବୁ ଜଣକ ତା’ ହାତକୁ ଗୋଟେ ଫୁଲତୋଡା ବଢେଇ ଦେଇ ହସିହସି କହିଲେ – ମାଉସୀ ଆଜି ତୁମକୁ ଆମ ଡାକ ଦିବସର ଅଭିନନ୍ଦନ ।

ପଦ୍ମାବତୀ ତା’ ପେଜୁଆ ଆଖିରେ ଫୁଲତୋଡା ବଢେଇ ଦେଉଥିବା ବାବୁଙ୍କୁ ଚାହିଁଲା । ଚଅଁଚଅଁ ଗୋରା । ତା’ନାତି ବୟସର ହେଵ। ଟୋକା । ଏଇ ହାଆଲେ ଏ ମଫସଲି ଡାକଘରକୁ ଆସିଛି ।

ପଦ୍ମାବୁଢୀ କିଛି ବୁଝିବା ପୂର୍ବରୁ ଡାକବାବୁ ଜଣକ କହିଲେ – ମାଉସୀ ଆଜି ପରି ଦିନରେ ତୁମେ ଆମ ଡାକଘରେ ପ୍ରଥମ ଲୋକ । ତୁମକୁ ଆମେ ସ୍ୱାଗତ କରୁଛୁ । ଏଇକଥା କହିଲାବେଳକୁ ଆଉ ଦି’ ତିନିଜଣ ଡାକ କର୍ମଚାରୀ ମଧ୍ୟ ଉଠିଆସି ଛିଡାହୋଇଗଲେଣି । ବୁଢୀକୁ ବାଟେଇ ନେବା ପରି ଭିତରକୁ ଡ଼ାକି ଗୋଟିଏ ବେଞ୍ଚ ଉପରେ ବସେଇଦେଲେ । ଅତି ଖୁସିରେ ତା’ ହାତରୁ ପାଶବୁକ୍ ନେଇ କହିଲେ – ଏଇଠି ବସ ମାଉସୀ । ତମେ ପଇସା ନେଇ ଘରକୁ ଯିବ ।

ବୁଢୀ ଆବାକାବା । ଆଜି ଇଏ କି ଫେସନ ଚାଲିଛି ! ଅନ୍ୟ ଦିନେ କାଇଁ ଏମିତି କେବେ ତାକୁ ମାନତି ତ କେହି ଦେଇନଥିଲେ ! ପଛକୁ ପଛ ଆହୁରି କେତେଜଣ ନିଜନିଜ କାମରେ ଆସି ପହଞ୍ଚିଲେଣି । କିନ୍ତୁ ନୂଆ ଡାକବାବୁ ସମସ୍ତଙ୍କୁ କହୁଛି – ଅଭିନନ୍ଦନ, ଅଭିନନ୍ଦନ । ସମସ୍ତଙ୍କୁ ବସେଇ ଦେଇ କ’ଣ କ’ଣ ସବୁ କହୁଛି ।

ପେନ୍‌ସନ୍‌ ଟଙ୍କା ବୁଢୀ ହାତରେ ଧରେଇ ଦେଇ ଡାକବାବୁ ସେଇ ହସହସ ମୁହଁରେ ପଚାରିଲେ – ମାଉସୀ କିଛି ଭାବିବ ନାହିଁ । ଆଜି ବିଶ୍ୱ ଡାକଦିବସ । ତୁମେ ତ ଏଇ ଗାଁ ପୋଷ୍ଟ ଅଫିସକୁ ବହୁତ ଦିନରୁ ଆସୁଥିବ । ଆଜି ପରି ଦିନରେ ମୁଁ ତୁମ ପାଖରୁ ଆମ ଏଇ ପୋଷ୍ଟ ଅଫିସ୍ ବିଷୟରେ କିଛି କଥା ଶୁଣିବାକୁ ଚାହୁଁଛି । ତମେ ଆମର ଆଜିକାର ବଡ ଅତିଥି । ବୁଢୀ ପରଳଘେରା ଆଖିରେ ଡାକବାବୁ ମୁହଁକୁ ଚାହିଁଲା । କଣ କହୁଛି ଏ ବାବୁ ? କ’ଣ ଶୁଣିବ ତା ଠାରୁ ! ଘଡିଏ କାଳ ଚାହିଁ ରହିଛି ଯେ ରହିଛି । ପାଖରେ ବସିଥିବା ଅନ୍ୟମାନେ ମଧ୍ୟ ତା ମୁହଁକୁ ଚାହିଁ ରହିଛନ୍ତି । ବାବୁ ଜଣକ ମୁହଁରେ ଦିଶିଯାଉଛି ଅତୀତର ତା ନୂଆହେଇ ବାହାହୋଇ ଏଇ ଗାଁକୁ ଆସିଥିବା ଦିନ ଗୁଡିକର ଛବି । ୟା’ ଭିତରେ କେତେ ବାବୁ ଆସି କେତେ ଚାଲିଗଲେଣି । ମନେପଡିଯାଉଛି ତା ନୂଆବୋହୂ ଦିନର କଥା।

ସ୍ଵାମୀ ତା’ର ଥିଲେ ରେଳ ବିଭାଗରେ । ଚତୁର୍ଥ ଶ୍ରେଣୀର କର୍ମଚାରୀ । ସୁଦୂର ଖଡ଼ଗପୁରରେ ଚାକିରି । ଅଳ୍ପ ଦରମାକୁ ଘରେ ଛ’ ଜଣ ତାଙ୍କ ଵେକରେ ବନ୍ଧା । ଦି’ ଭଉଣୀ ବାହାଘର । ବେମାରିଆ ବୁଢାବାପା । ଏସବୁ ପାଇଁ ଦରମା ଅଘଟ । ସେଥିରେ ଘରଭଡା ନେଇ କଲିକତା ପରି ଜାଗାରେ ତାକୁ ରଖିପାରୁନଥିଲେ ସ୍ୱାମୀ ଦିବାକର । ନିଜେ କେତେଜଣ ସାଙ୍ଗଙ୍କ ସହ ମେସ୍‌ରେ ରହିଯାଉଥିଲେ ଦି’ ପଇସା ବଞ୍ଚିବ ବୋଲି ।

ସ୍ୱାମୀ ଦିବାକର ବିଦେଶରେ ରହିଲେ ବି, ପ୍ରତି ମାସରେ ଘରକୁ ନଆସି ପାରିଲେ ବି ଘରକୁ ଚିଠି ଗୋଟେଗୋଟେ ଦେଉଥିଲେ । ଚିଠି ଆଣି ଯେତେବେଳେ ଡାକବାଲା ଘର ଦୁଆରେ ପହଞ୍ଚିଯାଏ ନଣନ୍ଦ ଡାକ ପକାଏ – ନୂଆ ଉ.ଉ.. , ଭାଇ ଚିଠି ଦେଇଛନ୍ତି । ଚିଠି ଖୋଲା ନହେଉଣୁ ଶାଶୁ, ଶଶୁର ଆସି ଛିଡାହେଇଯାଆନ୍ତି ପାଖରେ । କହନ୍ତି – ଦିବା ଭାଷା ପଠେଇଚି କି ବୋହୂ ? କ’ଣ ଲେଖିଛି ସିଏ ? ନଣନ୍ଦ କିନ୍ତୁ ଆଖିରେ ଆଖିରେ ଅନେକ କଥା ଚିଠିକୁ ଦେଖେଇ କହିଯାଆନ୍ତି । ଚୁପ୍ ଚୁପ୍ ହସନ୍ତି ।

ସବୁଥର ବନ୍ଦ ଲଫାପା ଭିତରେ ଥାଏ ଦୁଇଟି ଚିଠି । ଗୋଟିଏ ଘର ପରିବାର ପାଇଁ । ଆଉ ଗୋଟିଏ ଥାଏ ତା ପାଇଁ । ସମସ୍ତଙ୍କ ଅଲକ୍ଷ୍ୟରେ ପଦ୍ମାବତୀ ତା ପାଇଁ ଅଲଗା ଥିବା କାଗଜକୁ ଝଟ୍ କରି ଆଣି ତା ଛାତିର ବ୍ଲାଉଜ ତଳେ ଲୁଚେଇ ଦିଏ । ଘର ପାଇଁ ଲେଖାଥିବା ଚିଠିକୁ ଅନୁଚ୍ଚ ସ୍ଵରରେ ଶାଶୁ, ଶଶୁରଙ୍କ ଆଗରେ ପଢି ଶୁଣାଏ । କେତେଥର ବେଳ ଅବେଳରେ ଶଶୁର ଡାକବାଲାକୁ କହୁଥିବାର ସିଏ ଶୁଣିଛି – ବାବୁ ମୋତେ କିଛି ଆଗୁଆ ପଇସା ଦେଇଥାଅ , ଘରଛାଆଟା ମେଣ୍ଟିଯାଉ । ପୁଅ ପଇସା ପଠେଇଲେ ସେଥିରୁ ତମେ କାଟି ନେଇଯିବ । ସେକଥା ଶୁଣି ନଣନ୍ଦ କେତେଥର କହୁଥିବ – ବାପା ସିଏ ପରା ଡାକବାଲା, ଯାହାର ପଇସା ଆସିଥିବ ସିନା ତାକୁ ସିଏ ଦେବେ । ତମେ ତାଙ୍କୁ କ’ଣ କହୁଛ ? ସିଏ କ’ଣ ବ୍ୟାଙ୍କବାଲା ହେଇଛନ୍ତି ଯେ ତମକୁ ୠଣ ଦେବେ ତମେ ପରେ ଶୁଝିଦେବ ।

ମନେପଡୁଛି ସ୍ୱାମୀ ଆଉ ତା’ର ଚିଠି ଦିଆନିଆର ଦିନ । ରାତିରେ ସମସ୍ତେ ଶୋଇଗଲା ପରେ ନିଜ ଶୋଇବାଘରେ ଦିବାକରଙ୍କ ଚିଠିକୁ ଛାତିରେ ଚାପି ଶୋଇବାର ଶିହରଣ ଆଉ ଉତ୍ତରରେ ଯେଉଁ ସବୁ ଚିଠି ସିଏ ଲେଖେ ସେ ବେଳର ଅନୁଭୂତି । ଆଃ, ସମ୍ବୋଧନରେ କଣ ଲେଖାଯିବ ! ସେଥିପାଇଁ ଘଣ୍ଟାଘଣ୍ଟା ଧରି ତକିଆକୁ ଧରି, କେବେକେବେ ଝରକା ବାହାରର ଜହ୍ନ ଆଡକୁ ଚାହିଁ ଚାହିଁ ଘଣ୍ଟାଘଣ୍ଟା ବିତିଯାଏ ଅଥଚ୍ ପ୍ରଥମ ଶବ୍ଦଟିଏ ମନକୁ ଆସେନା । ସବୁ ନିଷ୍ଠା ଦେଇ ପାନପତରଟିଏ ଆଙ୍କିଦିଏ ଅଳତାରେ । ସବୁ ଲେଖିସାରି ଓଠରେ ଲିପଷ୍ଟିକ୍ ଲଗେଇ ଗୋଟାଏ ଦାଗ ଆଙ୍କିଦିଏ ଚିଠିର ଛାତିରେ । ବାକ୍ସରେ ରଖିଥିବା ଅତରରୁ ଟିକେ ସିଞ୍ଚିଦେଇ ସଜନା ଅଠାରେ ଭଲକରି ମୁଦ କରିଦିଏ । ନାଲିଆ ଡାକବାକ୍ସ ଯାଏ ଚିଠି ଗଲାବେଳକୁ ଲାଗେ ଯେମିତି ତା’ ହୃଦୟଟାକୁ ନିଜହାତରେ ଅଲଗା କରି ସେଥିରେ ଭରିଦେଇଛି । ସବୁ ଆବେଗ, ଅନୁରାଗ, ଅନୁଶୋଚନାକୁ ବନ୍ଦ ଲଫାପାରେ ରଖିଦେଇଥାଏ । କେତେଥର ଲୁଚେଇ ଲୁଚେଇ ଚିଠି ପଢୁଥିବା ବେଳେ ଧରାପଡିଛି ନଣନ୍ଦଙ୍କ ଆଖିରେ । ଲାଜରେ ମରିଯାଇଛି । ସେଦିନର ଚିଠି ଲେଖିବାର ମାଦକତା ଆଜି ଦଦରା ଛାତିର ପଞ୍ଜରା ତଳେ କେବେଠୁ ମୃତ ପ୍ରାୟ ପଡିରହିଛି ।

ଦିନଥିଲା ଏଇ ଗାଁରେ ଡାକବାଲା ଟୋକା ଚିଠି ଦିଆନିଆ କରୁକରୁ ନିଜେ ପ୍ରେମ ଦିଆନିଆ କରି ସାହୁଘର ଝିଅକୁ ବାହାହେଇଛନ୍ତି । ଆହୁରି ମଧ୍ୟ ମନେପଡୁଛି ଶଶୁରଙ୍କ ମଲାପୂର୍ବର ଖବର ଦେବାକୁ ପଦ୍ମାର ସ୍ୱାମୀଙ୍କ ପାଖକୁ ତାର କରିବା କଥା । ସେତେବେଳେ ଅକ୍ଷରକୁ ଗଣିଗଣି ଡାକବାବୁ କହୁଥିଲେ – ଫାଦର ସିରିଏସ୍ କମ୍ ଶୁନ୍ । ଦଶଟଙ୍କା ପଡିବ ତାର ଖର୍ଚ୍ଚ । ସିଏ ଦଶଟଙ୍କା ବି ଦେଇଛି ଡାକବାବୁଙ୍କୁ । ଏମିତିକି ପାଖରେ ପଇସା ନଥିବା ବେଳେ ବେରିଙ୍ଗ ଚିଠି ବି ପଠେଇଛି ଖଡଗପୁର ।

କୁଆଡେ ଗଲା ସେଦିନ ! କେଉଁଠି ହଜିଗଲା ସେ ଅନୁଭବ । କେତେ ଭରସାର ଥିଲା ଏଇ ଡାକଘର ଆହାଃ ! ଭତ୍ତା ପାଇଁ ହେଉ କି ଜମାଖାତାରେ ପ ପଇଠ କି ଉଠାଣ ସବୁଥିରେ ଥାଏ ଡାକବିଭାଗ ଉପରେ ଅଖଣ୍ଡ ଆସ୍ଥା । ଯୁଗ ବଦଳିଗଲା । ଆଜି ପୁଅ, ନାତିନାତୁଣୀ ଟେଲିଫୋନ୍ କରନ୍ତି ସହରରୁ । ମୋବାଇଲରେ ମୁହଁ ଦେଖେଇ କଥାହୁଅନ୍ତି କାହିଁ କେତେଦୂରରୁ । କହତ ପ୍ରମାଣେ ଟଙ୍କା ପଠେଇଦିଅନ୍ତି । ହେଲେ କାହିଁ ସେ ଚିଠିଲେଖାର ଆତ୍ମୀୟତା ! ପୋଷ୍ଟକାର୍ଡ, ଇନଲାଣ୍ଡ ଲେଟରର ବେଳ । ଗୋଟିଏ ଗୋଲେଇ ନାଲିଆ ଟିଣବାକ୍ସ ତା ଅଳ୍ପ ମେଲା ପାଟିରେ ସବୁ ସୁଖଦୁଃଖ, ଆବେଗ, ବିରହ , ବିମର୍ଷର ହାତଲେଖାକୁ ନିଜ ପେଟ ଭିତରକୁ ନେଇ ପହଞ୍ଚାଏ କେଉଁଠି ପୁଣି ଦିନେ କେଉଁଠୁ ଆଣି ଦୁଆର ମୁହଁରେ ପରସିଦିଏ । ସାଇକେଲ ପଛରେ ଅଖାଥଳିରେ ଚିଠି ଧରି ସଦର ଡାକଘରୁ ଏଇ ଗାଁ ଡାକଘରକୁ ଚିଠିଆଣୁଥିବା ଡାକୁଆ ଲୋକର ବାଟକୁ ଡାକଘର ପିଣ୍ଡାରେ ବସି ଚାହିଁ ରହିଥିବେ ବୁଢାଠୁ ଟୋକା । ଜଉମୁଦଦିଆ ଅଖାର ମୁହଁ ଖୋଲି ଚିଠିଗୁଡାକୁ ଚଟାଣରେ ଢାଳିଦେଲାବେଳକୁ କେତେ ଆଶା ନିରାଶାର ଛାଇ ଆଲୁଅର ଖେଳ ଲାଗିଥିବ ଅପେକ୍ଷାରେ ଥିବା ଲୋକଙ୍କ ମୁହଁରେ । ଚିଠି ଆସିନଥିବା ଆଶାୟୀଙ୍କ ମଧ୍ୟରୁ କେହିକେହି ପଚାରୁଥିବେ ଡାକବାବୁଙ୍କୁ – ଆଜ୍ଞା ମୋ ପୁଅ ସୁରଟରେ ରହେ । ଆସି ଦି’ମାସ ହେଇଗଲାଣି କିଛି ବାତେନି ନାହିଁ କି ଟଙ୍କା ନାହିଁ । ଆଉ ଦି’ଦିନ ରହିଲା ପରୁହାଁ ଅଷ୍ଟମୀ । ନାତିଟୋକା ପାଇଁ ଜାମାପଟା କିଣାହେବ । କ’ଣ ଯେ କରିବି ! ଏଣେ ଲୋକ କହୁଛନ୍ତି କୁଆଡେ କ’ଣ ଗୋଟେ ଧର୍ମଘଟ ଚାଲୁଛି, ସେଥିଯୋଗୁ ବାଟରେ ସବୁ ଅଟକି ଯାଇଛି ।

ଡାକଲଫାପା ଉପରୁ କାଳି ବାଜିନଥିବା ଡାକଟିକଟକୁ ପାଣିମାରି ଉଠେଇ ପୁଣି ସେଇ ଟିକଟ ଲଗେଇ ନଣନ୍ଦ ପଠାଏ ଚିଠି ତା’ର ମକରମିତ ପାଖକୁ । ପିଲାଏ ଏଇ ଡାକଟିକଟକୁ ସଂଗ୍ରହ କରି କାନ୍ଥରେ ଅଠାଲଗେଇ ସଜେଇଥାଆନ୍ତି । ଯିଏ ଯେତେ ଅଧିକ ଟିକଟ ରଖିଛି ତା’ର ବାହାଦୂରୀ ସେତେ ବେଶୀ । କାହିଁ ସେ ସମୟ ?

ଏଇ ଆଖିତ ଦେଖିଛି ଅଗଣାରେ କାଉ କା’ କା’ କଲେ ମୁଠାଏ ଖୁଦ ଥୋଇଦେଇ ମଣିଷ ଦିନେ ଦୂର ଆତ୍ମୀୟ ମଣିଷର ଆସିବାର ଖବର ପାଇଁ ଆଶାରଖୁଥିଲା । ଦୂର ଆକାଶରେ ଭାସିଯାଉଥିବା ମେଘକୁ ଚାହିଁ ପ୍ରିୟପରିଜନଙ୍କ ଖବର ବି ଦେଉଥିଲା । ପୋଷାପାରା ପାଦରେ ଭାଷା ପଠେଇ ଦେଉଥିଲା ନିଜଲୋକ ପାଖକୁ । ଆଜି ଦିନରେ ଆଉ କଣ ସବୁକଥା ମନେ ଅଛି ଯେ କହିବି ?

ପଦ୍ମାବତୀ ନିଜ ଆତ୍ମବିସ୍ମୃତି ଭିତରେ କେତେଥର ତା ମୁଣ୍ଡକୁ ନା- ନା- ମୁଦ୍ରାରେ ହଲେଇ ସାରିଛି ସେ ନିଜେ ଜାଣିନି । କେତେ ସମୟ ବିତିଗଲାଣି ତା’ର ସେକଥା ବି ମନେନାହିଁ । ଡାକବାବୁ ଭାବିଥିବେ ବୋଧେ ବୁଢୀଠାରୁ ଏ ବୟସରେ ଆଉ କିଛି ଶୁଣିବାକୁ ମିଳିବ ନାହିଁ । ଅବା ବୁଢୀର ସ୍ମରଣଶକ୍ତି ଆଉ ନାହିଁ । ତେଣୁ ସେ ଅନ୍ୟ ଲୋକଙ୍କର କାମରେ ମନ ଦେଲେଣି ।

ଡାକବାବୁ ଦେଇଥିବା ଟଙ୍କାକୁ ଅଣ୍ଟାରେ ଖୋସି ବୁଢୀ ପାହାଚ ତଳକୁ ଗୋଡ ବଢେଇବା ପୂର୍ବରୁ ପାଖରେ ଥୁଆହୋଇଥିବା ଫୁଲତୋଡ଼ାଟା ଆଖିରେ ପଡିଲା । ଆପେଆପେ ତା ମୁହଁରୁ କେବଳ ଏତିକି ବାହାରିଗଲା – ଅଜର ଅମର ହେଇଥା’ । ତୋର କୋଟି ପରମାୟୁ ହେଉ।

ବୁଢୀର କଥା ଶୁଣିବାକୁ କାହାର କାନ ଥିଲା । ବୁଝା ପଡିଲା ନାହିଁ ବୁଢୀ ଏ କଲ୍ୟାଣ ଡାକବାବୁଙ୍କୁ ନା ଡାକଘରକୁ କରୁଛି ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top