ରାତି ପ୍ରାୟ ତିନିଟା ହେବ ଗୋଟିଏ ଭୟଙ୍କର ସ୍ଵପ୍ନ ଦେଖିଲି ମୁଁ । ଆଉ ଆଖିକୁ ନିଦ ଆସିଲାନି । ଏକଡ଼ ସେକଡ଼ ହୋଇ ବିରକ୍ତି ଲାଗିଲା ମୋତେ । ମୁଁ କେନ୍ଦ୍ରାପଡ଼ାରେ ରହେ, ସାନଭଉଣୀ ପଢ଼େ ଭୁନେଶ୍ୱରରେ । ମୋର ପ୍ଲସ ଥ୍ରୀ ସରିଲା ବେଳକୁ ବାପା ଦିଲ୍ଲୀରେ ଗୋଟିଏ କମ୍ପାନୀରେ କାମ କରୁଥିବା ସମୟରେ ହାର୍ଟ ଆଟାକ୍ ରେ ଚାଲିଗଲେ । ଗାଁ’ରେ ଏତେବଡ଼ ଖଞ୍ଜାଘରେ ବୋଉ ଏକା । ବାପା ଗଲାପରେ ମୋର ବୋଉ ପ୍ରତି ଆହୁରି ଅଧିକ ଭଲ ପାଇବା ଓ ଦାୟିତ୍ୱ ବଢିଯାଇଛି । ଭାବିଲି ବୋଉ କିଛି ଅସୁବିଧାରେ ପଡିଲାକି ! ଆଗରୁ ତା ଦେହ ଭଲ ନଥିଲା, ମନକୁ ପାପ ଛୁଇଁଲା । ଫୋନ ଟିକେ କରିଦେବି କି ! ଏତେ ରାତିଯାଏ ଶୋଇନି ଜାଣି ବୋଉ ଯାହା ବିଗିଡିବ ବିଗୁଡୁ ପଛକେ । ଅସ୍ତବ୍ୟସ୍ତ ଲାଗିଲା ମୋତେ ।
ଗୋଟାଏ ରିଂ ହେଲାପରେ ଫୋନ୍ ଉଠାଇଲା ବୋଉ, ଆଶ୍ଚର୍ଯ୍ୟ ହେଲା, ମୋର କଣ ଅସୁବିଧା ହୋଇଛି ପଚାରିଲା । ମୁଁ ସ୍ୱପ୍ନ କଥା କହି କାନ୍ଦି ପକାଇଲି । ବୋଉ କହିଲା ଡରକୁଳିଟା…ହଉ କାଲି ସକାଳେ ଗାଁ’କୁ ପଳେଇ ଆ, ଟିକିଏ ବୁଲିବାଲି ଗଲେ ତୋତେ ଭଲ ଲାଗିବ ।
ତା ପରଦିନ ଅଖିଆ ଅପିଆ ବଡ଼ି ଭୋରରୁ ସ୍କୁଟିଧରି ବାହାରିପଡିଲି ଗାଁ’କୁ । ମନ ଗୋଳେଇ ଘାଣ୍ଟି ହେଉଥାଏ, ଅନିଦ୍ରା ଅନ୍ୟମନସ୍କତାରେ ଦ୍ରୁତଗତିରେ ସ୍କୁଟି ଚଳାଉଥାଏ ମୁଁ । ଗାଁ ପାଖାପାଖି ଗୋଟିଏ ଛକରେ କିଛି ଲୋକ ରୁଣ୍ଢ ହୋଇ କ’ଣ କଥା ହେଉଥିଲେ ଯାଉ ଯାଉ କାନ ଡେରିଲି… କେହିଜଣେ କହୁଥିଲେ ଭଲ ଲୋକଟି ଥିଲା ବୁଢ଼ା, ଭାରି ପର ଉପକାରୀ । ଆମ ଗାଁ ରେ ତା’ର ‘ ଝିଅଘର, ଜ୍ୱାଇଁ ମରିଗଲାପରେ ପ୍ରାୟ ସମୟ ଆସେ । ଆଃ… ଚାଲିଗଲା, ଭଲ ଲୋକ ବେଶିଦିନ ବଞ୍ଚନ୍ତିନି ସତରେ । ଏତିକିବେଳେ ମୋ ମୋବାଇଲ ରିଂ ହେଲା, ସ୍କୁଟି ଅଟକାଇ ହାଲୋ କହିଛି ତ ବୋଉ ଭୋ କରି କାନ୍ଦିଉଠିଲା, ଚମକି ପଡ଼ିଲି… କହିଲି କ’ଣ ହେଇଛି ? ବୋଉ କାନ୍ଦି କାନ୍ଦି କହିଲା – ତୋ ଅଜା ଚାଲିଗଲା ଲୋ… ମୁଁ ବାପ ଛେଉଣ୍ଡ ହୋଇଗଲି… । ମୁଣ୍ଡ ଘୁରେଇଦେଲା ମୋର, ନଥ୍ କରି ବସିପଡ଼ିଲି ତଳେ, ଛକରେ ଥିବା ଲୋକେ ଘେରିଗଲେ ମୋତେ । ମୋ ଦେହରେ ଗମ୍ ଗମ୍ ଝାଳ…. ଧୀରେ ଧୀରେ ମୁଦି ହେଇଯାଉଥିଲା ଆଖି ।
ଚେତା ଫେରିଲାପରେ ଦେଖିଲି ଘରେ ମୁଁ ଶୋଇଛି ବୋଉ କୋଳରେ, ବୋଉ କାନ୍ଦୁଛି ପିଲାଙ୍କ ପରି କଇଁ କଇଁ ହୋଇ । ମୁଁ ଭାବୁଥିଲି ପାହାନ୍ତିଆ ଦୁଃସ୍ଵପ୍ନ ସତ ହୋଇଯାଏ ବୋଧେ ।