କବିତା

ମୁକ୍ତକାମୀ ପକ୍ଷୀ

Golap Rout's odia poem Muktakami Pakshi

ମୁଁ ପଞ୍ଜୁରୀ ରେ ବନ୍ଦୀ ଶାରୀ ନୁହେଁ
ମୁକ୍ତକାମୀ ପକ୍ଷୀଟିଏ ।।

ତୁମେ ଭାବିଲ କି ମୋତେ
ପଞ୍ଜୁରୀ ଭିତରେ ବନ୍ଦୀ ହୋଇ ରହିଥିବା ଶାରୀ ।

ଯାହାକୁ ଦିନେ ରୂପାଥାଳିରେ
ଦୁଧଭାତ ଖାଇବାର ଭେଳିକିରେ
ମଧୁର ମିଛକଥା କୁହା
ସ୍ୱାର୍ଥପର ମଣିଷଙ୍କ ଦ୍ଵାରା
ପକ୍ଷ ଚ୍ଛେଦନ କରାଯାଇଥିଲା
ଚତୁର କୌଶଳରେ ।।

ଭାବିଲ କି ନିଃସହାୟ ନିକମା
ଯାହାକୁ ଖଣ୍ଡେ ଚାକିରୀ ଆଳରେ
ବିକ୍ରି କରି ଦିଆ ଯାଇଥିଲା
ଏ ସମାଜର ଭଦ୍ରମୁଖା ପିନ୍ଧା
ଦୁଇ ଗୋଡ଼ିଆ କୁକୁରଙ୍କୁ ।।

ଦାରିଦ୍ର୍ୟତାର ଗରଳ ପାନ କରି କରି
ସାମାନ୍ୟ ଖୁସିର ଅଶାରେ
ମହଣ ମହଣ ଦୁଃଖର ରଙ୍ଗକୁ
ମୁହଁ ରେ ମାଖି ବନିଯାଇଥିଲା
ରେଡ୍ ଲାଇଟ୍ ଏରିଆର ରାଣୀ ମହୁମାଛି ।।

ମୋତେ ଭାବିଲ କି
ସୁଜାତା, ସୁମିତ୍ରା, କନକ,
ଆଉ ନିହାରିକାର ସହଚରୀ ।

ଯାହାଙ୍କ ସୁରଭି ଦିନେ ମରିଯାଇଥିଲା
ଯୌତୁକ ରାକ୍ଷସର ପେଟ୍ରୋଲ ଗନ୍ଧରେ ।

ଜଳି ଯାଇଥିଲେ ବଧୂ-ଗ୍ରାସୀ ନିଆଁର ଧାସରେ ।।

ନା ଭାବିନେଲ ସେଇ ନାବାଳିକା,ଦଳିତ,ପୀଡ଼ିତା ଆଦିବାସୀ ।

ଯିଏ ମୃତ୍ୟୁର ଶଯ୍ୟାରେ ଶୋଇ ମଧ୍ୟ
ଦ୍ଵିତୀୟ ଈଶ୍ଵରଙ୍କୁ ପ୍ରାର୍ଥନା କରୁଥିଲା
ନିଜର ଇଚ୍ଛା ମୃତ୍ୟୁ ପାଇଁ ।।

ମୁଁ ସିଏ ନୁହେଁ….
ଯିଏ ଦୁନିଆ ଦେଖିବା ପୂର୍ବରୁ
ତା ଆଖି ବୁଜି ଦିଆଯାଏ ।

ସ୍ଵପ୍ନ ଦେଖି ଜାଣିବା ଆଗରୁ
ସ୍ୱପ୍ନ ନଥିବା ଦୁନିଆକୁ ଚିରଦିନ ପାଇଁ ଠେଲି ଦିଆଯାଏ ।।

ହଁ ଶୁଣ…
ତୁମେ ଦେଖିଥିବା ଅଳିଆ ଗଦାରେ
କଳା ପଲିଥିନ୍ ବନ୍ଧା ମାଂସ ଟୁକୁଡ଼ା ନୁହେଁ ।।

ହେ ବିଜ୍ଞ ବିବେକୀ ମାନବ ସମାଜ
ବୁଝ ମୋତେ, ଆଖିରୁ ଅନ୍ଧପୁଟୁଳି ଖୋଲି ଥରେ ଦେଖ ମୋତେ, କାନ ଖୋଲି ଶୁଣ ମୋତେ ।

ମୁଁ ଅଟେ ଦେବଦୂତ ସ୍ରଷ୍ଟା ପ୍ରେରିତ
ଆଗନ୍ତୁକ ଅଫୁରନ୍ତ ଶକ୍ତି ସମ୍ଭାବନା
ଭବିଷ୍ୟର ଉଜ୍ଜଳ ଉତ୍ସ ।।

ଆକାଶ ନୁହେଁ ସୌରାକାଶର ପଥଚାରୀ ।

କାଉଁରିଆ କାଠି ନୁହେଁ ବିଶାଳ ବରଗଛଟିଏ ।

ରାତ୍ରୀ ର ଶେଫାଳୀ ନୁହେଁ,
ଦିବାଲୋକର ପଦ୍ମିନୀଟିଏ ।

ହଁ ମୁଁ…….
ଚୁଲିମୁଣ୍ଡରୁ ସୌରଜଗତ ଯାଏଁ ଦିଗବିଜ୍ଜୟିନୀଟିଏ ।

ମୁଁ କେବଳ ଯୋଦ୍ଧା ନୁହେଁ
ଶତ୍ରୁକୁ ଉଚିତ୍ ଜବାବ ଦେଉଥିବା ଶବ୍ଦଟିଏ ।

ନଦୀର ଶାନ୍ତ ସ୍ଵର ନୁହେଁ ସମୁଦ୍ରର ଗର୍ଜନ ।

ମନ ରୁ ଭ୍ରାନ୍ତଧାରଣା ଦୂର କର ।

ମୁଁ ପଞ୍ଜୁରୀ ରେ ବନ୍ଦୀ ଶାରୀ ନୁହେଁ
ମୁକ୍ତକାମୀ ପକ୍ଷୀଟିଏ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top