ଜ୍ୟୋସ୍ନା ନାମରେ ଜଣେ ଛୋଟ ଝିଅ, ଯାହାର ବୟସ ମାତ୍ର ଆଠ ବର୍ଷ । ଝିଅଟି ଖୁବ୍ ସୁନ୍ଦର କିନ୍ତୁ ଦୁର୍ଭାଗ୍ୟବଶତଃ ଗୋଡ଼ ଦୁଇଟି ଅଚଳ । ଜୀବନ କହିବାକୁ ଗଲେ କେବଳ ହ୍ୱିଲଚେୟାର୍ ଉପରେ ହିଁ ବିତୁଥିଲା । ଯେତେବେଳେ ଜ୍ୟୋସ୍ନା ତାର ସାଙ୍ଗସାଥୀ ମାନଙ୍କୁ ବାହାରେ ଖେଳିବାର ଦେଖେ, ସେତେବେଳେ ସେ ପ୍ରାୟତଃ ଉଦାସ ରୁହେ ଏବଂ ଉଦାସ ରହି ମାଆ କୁ ପ୍ରଶ୍ନ କରେ – ମାଆ ! ଏତେ ନିଷ୍ଠୁର ଭଗବାନ ମୋ ଉପରେ ହିଁ କାହିଁକି ? ମାଆ ତାକୁ ବୁଝାଇବାକୁ ତ ଅନେକ ଚେଷ୍ଟା କରନ୍ତି ହେଲେ ନିଜ ଝିଅକୁ ଏପରି ଦୁଃଖୀ ଥିବାର ଦେଖି କୋଉ ମାଆ ଅବା ଦୁଃଖୀ ନ ହେବ । ସେଇ ଛୋଟ ଝିଅଟିକୁ ତାଙ୍କ କୋଠରୀର ଝରକା ପାଖରେ ବସିବାକୁ ଖୁବ୍ ଭଲ ଲାଗେ । କାରଣ ସେଠାରୁ ସେ ବାହାରର ସୁନ୍ଦର ବଗିଚା, ନିକଟରେ କଳ – କଳ ନାଦ କରି ବହିଯାଉଥିବ ନଈ, ଉଡ଼ି ଯାଉଥିବା ପକ୍ଷୀ ଓ ବଗିଚାରେ ଖେଳୁଥିବା ପିଲାମାନଙ୍କୁ ଦେଖିବାକୁ ପାଉଥିଲା ଯାହା ତାକୁ ଖୁବ୍ ଆନନ୍ଦ ଦେଉଥିଲା । କଅଁଳିଆ ଖରା ସାଙ୍ଗକୁ ଝିପ୍ ଝିପ୍ ବର୍ଷା ଅନୁଭବ କରୁଥାଏ ସେଦିନ ଜ୍ୟୋସ୍ନା ଏବଂ ବର୍ଷାର ତତକ୍ଷଣାତ୍ ପରେ ଆବିର୍ଭାବ ହୁଏ ସୁନ୍ଦର ଇନ୍ଦ୍ରଧନୁ । ପ୍ରଥମଥର ପାଇଁ ଜୀବନରେ ଜ୍ୟୋସ୍ନାର ଆଖି ଇନ୍ଦ୍ରଧନୁକୁ ଦେଖିଥିଲା । ସପ୍ତ ରଙ୍ଗରେ ଆବିଷ୍ଟ ଇନ୍ଦ୍ରଧନୁ ଝିଅଟିର ମନ ମୋହୁଥିଲା । ଇନ୍ଦ୍ରଧନୁର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାକୁ ଦେଖୁଥିବା ସମୟରେ ହଠାତ୍ ସୂର୍ଯ୍ୟଙ୍କର କିରଣ ବାଦଲ ଦ୍ୱାରା ଆବୃତ୍ତ ହୋଇଗଲା । ଜ୍ୟୋସ୍ନା ଜୋର୍ରେ ପାଟି କରି ତା’ ମାଆ କୁ ପାଖକୁ ଡାକିଲା । ମାଆ ମଧ୍ୟ ଝିଅର ଡାକ ଶୁଣି ତତକ୍ଷଣାତ୍ ତା’ ପାଖରେ ପହଞ୍ଚିଗଲେ । ଝିଅଟିର ମୁଖରେ ପ୍ରସନ୍ନତାର ଆଭା ଫୁଟି ଉଠିଥିଲା । ସେ ତାହାର ମାଆ କୁ ପଚାରିଲା – ମାଆ ! ଆକାଶରେ ମୁଁ ମିଶ୍ରିତ ରଙ୍ଗର ଏକ ଅପୂର୍ବ ସୁନ୍ଦରତା କୁ ଅନୁଭବ କଲି । ତାହା କଣ ଥିଲା ମାଆ ? ମାଆ ସ୍ମିତହାସ୍ୟ ପୂର୍ବକ କହିଲେ – ତାହା ହେଉଛି ଇନ୍ଦ୍ରଧନୁ । ଯେବେ ଆକାଶରେ ଖରା ଓ ବର୍ଷା ଉଭୟଙ୍କର ଉପସ୍ଥିତି ରହିଥାଏ , ସେବେ ତାହାର ସୃଷ୍ଟି । ଜ୍ୟୋସ୍ନା ଉତ୍ସୁକତାର ସହ ପଚାରିଲା – ଇନ୍ଦ୍ରଧନୁର ପୁନଃ ସୃଷ୍ଟି କେବେ ହେବ ଜାଣିଛ ? କାରଣ ମୁଁ ତାକୁ ଆଖି ଭରି ଆଉ ଥରେ ଦେଖିବାକୁ ଚାହେଁ । ଇନ୍ଦ୍ରଧନୁ ଅଳ୍ପ ସମୟ ପାଇଁ ହିଁ ରହିଥାଏ । କିନ୍ତୁ ଆମେ ନିଶ୍ଚୟ ଚେଷ୍ଟା କରିବା ତାକୁ ଅଧିକ ସମୟ ପର୍ଯ୍ୟନ୍ତ ଦେଖିବାକୁ – ଏହା ମାଆ କହିଲେ । ଜ୍ୟୋସ୍ନା ଏବେ ଉତ୍କଣ୍ଠାରେ ଇନ୍ଦ୍ରଧନୁର ପୁନଃ ସୃଷ୍ଟି ଲାଗି । ଏକଦା ଆକାଶରେ ପୁନର୍ବାର ସେହିପରି ଏକ ପାଗ ସଂଗଠିତ ହେଲା । ଆଜି ଇନ୍ଦ୍ରଧନୁ ସୃଷ୍ଟି ହେବ ବୋଲି ପୂର୍ଣ୍ଣ ବିଶ୍ଵାସ ଥିଲା । ତେଣୁ ଜ୍ୟୋସ୍ନା ର ମାଆ ତାକୁ କାର୍ ରେ ବସାଇ ଗୋଟିଏ ପାହାଡ଼ର ଶିଖର ପ୍ରଦେଶ ରେ ଯାଇ ପହଞ୍ଚିଗଲେ । ଯେବେ ଆକାଶ ରେ ଇନ୍ଦ୍ରଧନୁର ଆଗମନ ହେଲା , ତାହା ପର୍ବତର ଶିଖର ଦେଶରୁ ଏପରି ଭାବରେ ସୁନ୍ଦର ଦେଖାଯାଉଥିଲା ଯେ , ସେଇ ମନୋରମ ଦୃଶ୍ୟ ଅବଲୋକନ କରି ଝିଅ ଟିର ଆନନ୍ଦର ସୀମା ଅସୀମିତ । ଇନ୍ଦ୍ରଧନୁର ସୁନ୍ଦରତା ରେ ପ୍ରଭାବିତ ହୋଇ ଜ୍ୟୋସ୍ନା ବର୍ତ୍ତମାନ କଳ୍ପନା ରାଇଜରେ । ସେ କଳ୍ପନା ଦ୍ୱାରା ବାର୍ତ୍ତାଳାପ ଜାରି ରଖିଛି ଇନ୍ଦ୍ରଧନୁ ସହିତ । ଦୁହେଁ ଦୁହିଁଙ୍କୁ ପାଇ ଖୁବ୍ ଆନନ୍ଦ । ଏହିପରି କିଛି ସମୟ ବିତିବା ପରେ ଇନ୍ଦ୍ରଧନୁ କହିଲେ – ଆଚ୍ଛା ଜ୍ୟୋସ୍ନା ! ମୋତେ ଏବେ ଯିବାକୁ ହେବ । ଏହା ଶୁଣିବା ମାତ୍ରେ ଜ୍ୟୋସ୍ନା କହିଲା – ଇନ୍ଦ୍ରଧନୁ ! ଏବେ ହିଁ ତ ଆସିଥିଲ , ଏତେ ଶୀଘ୍ର ଚାଲିଯିବ ଯେ ? କେତେ ଅଦ୍ଭୁତ ଆଉ ସୁନ୍ଦର ତୁମେ ! ସମସ୍ତଙ୍କୁ ଢେର୍ ସାରା ଖୁସି ବାଣ୍ଟୁଛ । ଅଥଚ ଏତେ କମ୍ ସମୟ ପାଇଁ କାହିଁକି ଆସୁଛ ତୁମେ ? ଝିଅଟିର ଏହି ସ୍ନେହ ଭରା ପ୍ରଶ୍ନ ଶୁଣି ଇନ୍ଦ୍ରଧନୁ କହିଲେ – ଭଗବାନ ଯେତେବେଳେ ମୋତେ ଗଢୁଥିଲେ, ସେ ମୋତେ କହିଥିଲେ – ତୁମର ଜୀବନ ଖୁବ୍ ସ୍ୱଳ୍ପ କାଳ ପାଇଁ ହେବ ଏବଂ ମୁଁ ବିନା ଶଙ୍କା, ବିନା ଦ୍ୱିଧା ବିନା କୌଣସି ପ୍ରଶ୍ନରେ ଏହି ସ୍ୱଳ୍ପ ଜୀବନକୁ ସ୍ୱୀକାର କରିନେଇଥିଲି । ସେଥିପାଇଁ ମୋର ଜୀବନ ସ୍ୱଳ୍ପ ହେଲେ ମଧ୍ୟ ଏହା ଅନେକ ରଙ୍ଗରେ ଭରା ଏବଂ ସ୍ୱଳ୍ପ ସମୟ ପାଇଁ ଆସିଲେ ମଧ୍ୟ ମୁଁ ଲୋକଙ୍କ ମନରେ ଦୀର୍ଘ ସମୟ ପାଇଁ ଏକ ଗଭୀର ପ୍ରଭାବ ପକାଇ ଯିବାର ସାମର୍ଥ୍ୟ ଭଗବାନ ମୋତେ ଦେଇଥିଲେ । ଇନ୍ଦ୍ରଧନୁଙ୍କ ଏ ସମସ୍ତ କଥା ଜ୍ୟୋସ୍ନାର କୋମଳ ମନରେ ମଧ୍ୟ ବେଶ୍ ପ୍ରଭାବ ପକାଇ ପାରିଛି । ଏହାପରେ ଜ୍ୟୋସ୍ନା ଭାବିବାକୁ ଲାଗେ – ଭଗବାନ ମୋତେ ଯାହାବି ଦେଇଛନ୍ତି ମୋତେ ତାକୁ ସ୍ଵୀକାର କରିବା ଉଚିତ୍ । ମୋତେ ମଧ୍ୟ ଏହି ବିକଳାଙ୍ଗତାକୁ ପୂର୍ଣ୍ଣ ରୂପେ ଗ୍ରହଣ କରିନେବାକୁ ହେବ । ଇନ୍ଦ୍ରଧନୁ ଯେପରି କରିଛନ୍ତି ନିଜ ସ୍ଵଳ୍ପ ଜୀବନକାଳକୁ ସ୍ଵୀକାର, ଅନୁରୂପ ଭାବରେ ମୋତେ ମଧ୍ୟ ତାଙ୍କ ପରି ଅନ୍ୟ ମାନଙ୍କୁ ଖୁସି ଦେବା ଉଚିତ୍ । ଜ୍ୟୋସ୍ନା ଏବେ ସ୍ୱୟଂ ପ୍ରସନ୍ନଚିତ୍ତ ଏବଂ ଅନ୍ୟମାନଙ୍କ ପ୍ରସନ୍ନତାର ମାଧ୍ୟମ ମଧ୍ୟ ସାଜିସାରିଥିଲା ।
ପରିବର୍ତ୍ତନ ସଂସାରର ନିୟମ, ଯାହା ଅପରିବର୍ତ୍ତିତ । କିଛି ଲୋକଙ୍କର ଶରୀର ସାରା ଜୀବନ ଅସୁସ୍ଥ ରହୁଥିବାବେଳେ ଆଉ କିଛି ଲୋକଙ୍କର ଶରୀର ରହିଥାଏ ଅଧିକାଂଶରେ ସୁସ୍ଥ । କାହାର ସ୍ଵଳ୍ପ ଆୟୁ ତ ଆଉ କିଏ ଶତାୟୁ ଓ ଦୀର୍ଘାୟୁ ହୋଇ ଜନ୍ମ ହୋଇଥାନ୍ତି । ତେବେ ପରିସ୍ଥିତି ଯାହାବି ହେଉ ନା କାହିଁକି ଯଦି ଆମକୁ ଖୁସି ରହିବାର ଅଛି, ଅନ୍ୟକୁ ଖୁସି କରେଇବାର ଅଛି ତେବେ ତାହାର ଏକ ପନ୍ଥା ଅଛି, ଯାହାର ନାମ ‘ସ୍ଵିକାରୋକ୍ତି’ । ଯେଉଁ ସବୁ ପ୍ରତିକୂଳ ପରିସ୍ଥିତି ଗୁଡ଼ିକୁ ବଦଳେଇବାର ସାମର୍ଥ୍ୟ ଆମ ହାତ ମୁଠାରେ ଥାଏ, ତାକୁ ନିର୍ଦ୍ୱନ୍ଦରେ ଆମେ ବଦଳାଇଦେବା ଉଚିତ୍ । ପରନ୍ତୁ ଯେଉଁସବୁ ପ୍ରତିକୂଳ ବା ଅନୁକୂଳ ପରିସ୍ଥିତିକୁ ବଦଳାଯାଇ ନ ପାରେ ବା ଯାହା ଅପରିବର୍ତ୍ତିତ, ସେଗୁଡିକୁ ସ୍ଵୀକାର କରିନେବା ହିଁ ହେଉଛି ଜୀବନର ସଂଜ୍ଞା । କାରଣ ଯଦି ଗୋଟିଏ ଖୁସିକୁ ଆମେ ବାରମ୍ଵାର ମନେପକାଇ ହସି ପାରୁନେ, ତେବେ ଗୋଟିଏ ଦୁଃଖ ବା ଅପରିବର୍ତ୍ତିତ ପରିସ୍ଥିତିକୁ ବାରମ୍ଵାର ମନେପକାଇ କାନ୍ଦିବା ବା ପଶ୍ଚାତାପ କରିବାର ଅଧିକାର ଆମର ନାହିଁ । ଏଣୁ ସୁଖଦ ଜୀବନର ଚରମ ବା ସର୍ବଶ୍ରେଷ୍ଠ ପନ୍ଥା ହେଉଛି ସ୍ୱୟଂ ପ୍ରସନ୍ନ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରସନ୍ନ କରାଇବାକୁ ଚେଷ୍ଟା କରିବା, ଠିକ୍ ସେଇ ସୁନ୍ଦର, ଅପୂର୍ବ, ଅତୁଳନୀୟ, ସାତ ରଙ୍ଗରେ ରଙ୍ଗାୟିତ ଇନ୍ଦ୍ରଧନୁ ପରି, ଯାହାର ଜୀବନ ଏବଂ ସମୟକାଳ ତ ସ୍ଵଳ୍ପ ହେଲେ ପ୍ରଭାବ ଗରିୟାନ ।