ଅଣୁଗଳ୍ପ

ଘୁମ

Laxmidhar Sahoo's odia short story Ghuma

ମଣ୍ଡା, ଚକୁଳି ଚିତଉ ଯାହା ପାଇଁ ଲୋଭ ବଳିଲା ସାଙ୍ଗେ ସାଙ୍ଗେ ଘୁମରେ ହାତ ପୁରେଇ ବାହାର କରି ଆଣ କରିବେ ଶିଳରେ ।

ନୂଆବୋହୁଙ୍କ ବାହାଘର ପରେ ପ୍ରଥମ ଫର୍ମାଇସି ରୋଷେଇ ଘରକୁ ପୁରା ଆସଥେଟିକ ଲୁକ୍ ଦିଆଯିବ । ବୋହୁସାନ୍ତାଣୀ ରୋଷେଇଘରେ ବୁଲି ବୁଲି ଶାଶୁ ମା, ଆଉ ସ୍ୱାମୀଙ୍କୁ ବରାଦ କରୁଥିଲେ କଣ କେଉଁଠି ଲାଗିବ । କୁକିଙ୍ଗ ଭ୍ଲଗ୍ ବନେଇବା ଯୋଜନା ଥିଲା ବୋଧେ । ଗ୍ୟାସଚୁଲା ଆଉ ସେ ଦରଭଙ୍ଗା କାଠପଟା ଉପରେ ନ ରହି ସ୍ଲାପରେ ରହିବ । ଷ୍ଟିଲ କଂସା ବାସନ ବଦଳରେ ଚିନା ମାଟି ଡିଷ୍, ପରିବା ଝୁଡି ଜାଗାରେ ଫ୍ରିଜ । ଧୂଆଁ ଯିବା ପାଇଁ ସ୍ମଗ୍-ହଗ୍ ବି କରାଯିବ ଗ୍ୟାସ ଉପରେ । ତାଙ୍କ ନଜର ପଡିଲା କଣକୁ ଭୀମଭଳି ଶରୀରର ସେଇ ମାଟି ଘୁମ ଉପରେ । ନୂଆବୋହୁ ଟିକେ ଛୁଇଁକରି ୟାକୁ ତୁରନ୍ତ ବାହାର କରିବାକୁ ନିର୍ଦ୍ଦେଶ ଦେବେ କଣ ଅସରପା ଗୋଟେ ଭିତରୁ ବାହାରି ଛିଡ଼ିକି ପଡିଲା । ଚିହିଁକି ଉଠିଲେ ନୂଆ ବୋହୁ । ଶାଶୁ ମା’ ହଁ ଭରିଲେ ସ୍ୱାମୀ ହଁ ଭରିଲେ । ଘୁମ ବାହାରିଯିବ ରୋଷେଇ ଘରୁ । ଶଶୁର ଆଉ ସ୍ୱାମୀ ଅଣ୍ଟା ଭିଡ଼ିଲେ ବାହାର କରିବାକୁ ଘୁମକୁ । ବିଛଣାରେ ଅଧା ନିଦରେ ଅଶୀ ବର୍ଷୀୟା ଆଈ ଶାଶୁ ଦେଖୁଥିଲେ ଏସବୁ । ଦେଖିଆସିଛନ୍ତି ବି ସେ ଅନେକ କିଛି । ତାଙ୍କ ଆଖି ଦେଖିଥିଲା ଅନେଶତ ମହାବାତ୍ୟା । ଘୁମରେ ଘୁମେ ଧାନ ବାହାରିଥିଲା ଶୁକ୍ରବାର ରାତିରେ । ବଡ଼ ଦହଗଞ୍ଜ ହେଇ ଢ଼ିଙ୍କିରେ କୁଟିଥିଲେ ଧାନ, ସେ ଘଡଘଡି ବର୍ଷାରେ । ମନଭରି ବାଣ୍ଟିଦେଇଥିଲେ ତଳସାହିରେ କେଳା ବସ୍ତିରେ । ଦେଖିଥିଲେ ମରଦ ତାଙ୍କର ଯାଉଥିଲା ଖଟିବାକୁ ବିଲକୁ । ହାତ ପୁରେଇ ସେ ମୋଟା ଘୁମର ସରୁ ମୁହଁରୁ ଚାଉଳ ବାହାର କରି ଭାତ କରୁଥିଲେ । ଭାତ ଆଳୁ ପୋଡା ଲଙ୍କା ଦି’ଟା ଖାଇ ମରଦ ଦେହରେ ଆସୁଥିଲା ବଳ । ସେ ଆହୁରି ଖଟୁଥିଲା । ଫସଲ ଫଳୁଥିଲା । ପୁଣି ଧାନ ଆସି ପଶୁଥିଲା ଘୁମରେ । ଖଟ ଆଉ ଖାଅ । ଆଈଶାଶୁ ଙ୍କ ଆଈଶାଶୁ ଘୁମ ଗଢିଦେଇ ଯାଇଥିଲେ ବୋଧେ । ଶାଶୁରୁ ବୋହୁ ପାଖକୁ ଚାଲି ଆସିଛି ୟାର ମାଲିକାନା ପାଞ୍ଚ ପିଢ଼ି ଯାଏଁ । ମଣ୍ଡା, ଚକୁଳି ଚିତଉ ଯାହା ପାଇଁ ଲୋଭ ବଳିଲା ସାଙ୍ଗେ ସାଙ୍ଗେ ଘୁମରେ ହାତ ପୁରେଇ ବାହାର କରି ଆଣ କରିବେ ଶିଳରେ । ଶିଳ ଗଲା, ଢ଼ିଙ୍କି ବି ଗଲା । ଏଇ ଘୁମଟା କେମିତି କେଜାଣି ପଡି ରହିଥିଲା । ଏବେ ତ ମାସକୁ ମାସ ମାଗଣା ଚାଉଳ । ଲୋକ ଖଟିବା ଭୁଲିଗଲେ । ଏବେ ଆଣ ଏବେ ଖାଅ । ସଞ୍ଚିକି ରଖନି । ମରଦଠୁ କାଇଦାରେ ଆଠେଣା ଚାରେଣା ମାରି ଆଣି କାଇଦାରେ କନା ଗୁଡେଇ ଲୁଚେଇ ରଖୁଥିଲେ ଘୁମ ଭିତରେ । ଏ କଳା ତାଙ୍କୁ ହିଁ ଜଣା । ଶଙ୍ଖା ପାଇଁ ଭାରି ଲୋଭ ତାଙ୍କର । ଶଙ୍ଖାରି ବୁଢା ଗାଁ ଦାଣ୍ଡରେ ଡାକିଲେ ଆଈଶାଶୁ ଅଣ୍ଡାଳୁଥିବେ ଘୁମ ଭିତରେ । ଶଶୁର, ସ୍ୱାମୀ ଙ୍କ ଟିକେ ଅସାବଧାନତା, ଘୁମ ଘୁମେଇ ପଡି ଫାଳ ଫାଳ ହେଇଗଲା ମାଟି ଉପରେ । ଘୁମ ଭିତରର ସେ ଫମ୍ପା ପବନଟା କେମିତି ମୁକ୍ତ ହେଲା, ଭିତରେ ବସା କରିଥିବା ବୁଢିଆଣୀ ନିମିଷକେ ଅନ୍ୟ ଆଡେ ଧାଇଁ ଗଲା ଜାଲ ଲମ୍ବେଇ ଲମ୍ବେଇ । ଅସରପା ଗୁଡା ଦୌଡ଼ି ଗଲେ ଟିକେ ଅନ୍ଧାର ଆଶାରେ ଦୂରକୁ । ଘୁମୁରି ଘୁମୁରି କାନ୍ଦୁଥିଲା ଆଈଶାଶୁଙ୍କ ଫମ୍ପା ମନଟା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top