ପିଲାଦିନେ ସ୍କୁଲକୁ ବାହାରିଲେ, ବୋଉ କହୁଥିଲା “ବାପା ନାହାଁନ୍ତି, ତୁ ହାଟରୁ ଜିନିଷ ନେଇ ଆସିବୁ । ତେଲ, ଲୁଣ, ଲଙ୍କା, ସୋରିଷ ସ୍କୁଲକୁ ଗଲାବେଲେ ଆଗୁଆ କିଣି ରଖିଦେବୁ । ଆସିବା ବେଳେ ମନକରି ନେଇ ଆସିବୁ ।”
ବଜାର ସେପାଖରେ ଆମ ସ୍କୁଲ୍ । କଷ୍ଟ ହେଲେ ବି ହାଟ କରି ଆଣେ । ସଞ୍ଜବେଳେ ହାଟ ଫେରନ୍ତା ଲୋକଙ୍କ ସାଙ୍ଗରେ ହାଟୁଆ ପାଲଟିଯାଏ ।
ପାଠ ପଢ଼ିସାରି ଚାକିରୀ କଲି । ତେଲ, ଲୁଣ ସଂସାରଟାକୁ ମୁଣ୍ଡାଇ ଚାଲିଲି । ଆଜି, ତେଲ ନାହିଁ- କାଲି କିରାସିନ୍ ଆଣ- କଣ୍ଟ୍ରୋଲ୍ ସରିଯିବ – ଡାଲି ନାହିଁ – ଚାଉଳରେ ଗୋଡ଼ି । ହାଟ ନ କଲେ ନ ଚଳେ । କଲେ ଝିନ୍ଝଟରୁ ପୁଳେ ।
ବୁଢ଼ା ହେଲି । ବନ୍ଧୁ ଜଣେ ଥରେ ପଚାରିଲେ, “ଘର ପାଇଁ ତମେ ନିଜେ ହାଟ କର, ନା ଚାକର ବାକର ରଖିଛ ?” କହିଲି “ମୋ ହାଟ କରିବା ବନ୍ଦ ହେବନି । ପିଲାମାନେ ହାଟବାଟ ପାଇଁ ତ ମଙ୍ଗୁ ନାହାଁନ୍ତି । ହାଟ କରିବା ସେଇଦିନ ସରିଯିବ, ଯେଉଁଦିନ ଏ ସଂସାରରୁ ମୋ ହାଟ ସରିଯିବ ।”