ବଇଁଶୀ ବାଜିଲେ ଉଛୁଳି ଆସେନି ଯମୁନା
କଦମ୍ବ ଫୁଟେନି କି ଗୋପ ବଜାର,ରେ ଚହଳ ପଡେନି
ବଇଁଶୀ ଶୁଭେ କେବଳ ତାର ଅଳ୍ପ ଅନ୍ଧାର ଘରକୋଣକୁ
ଯେଉଁଠି ସେ ଲୁଚି ଲୁଚି ଆଇନା ଦେଖେ
କେଜାଣି କିଏ ଦେଇଥିଲା ତାକୁ
ହଳଦୀ ଲଗାଇ ଗୋରା ହେବାର ଜ୍ଞାନ ?
ସେ ସ୍ବପ୍ନଦେଖେ, ତାରା ଗଣେ, ପଣତ ଚୋବାଏ ବେଳେବଳେ
ତା ପାଇଁ ବି ଜହ୍ନଉଠେ,ଫୁଲ ଫୁଟେ ଅଗଣାରେ
ଅନେକ ଥର ଦଳଦଳ ଲୋକ ଡେଇଁ ଆସନ୍ତି ତାର ଏରୁଣ୍ଡି
ସେ ବୁଝାଇଥାଏ ସେମାନଙ୍କୁ…
ଏଠି ଯେପରି ଚାଲୁଛି ସନ୍ତର୍ପଣେ, ସେଠି ବି ଚାଲିବି
ଏଠି ଯେପରି ହସୁଛି, ସେଠିବି ହସିବି
ଏଠି ଯେପରି ସଜେଇ ଆଣିଛି ବ୍ୟଞ୍ଜନ, ସେଠିବି ଆଣିବି
ଦେହର ରଙ୍ଗ ଛଡେଇ ପାରିନି ସିନା
ମନରୁ ସବୁ କଳା ପୋଛିଦେଲିଣି ପରା
ମୋତେ ବିଶ୍ବାସ କର ହେ ମୋର ନୂତନ ପ୍ରେମିକ
ମୋତେ ବିଶ୍ବାସ କର ହେ ଈଶ୍ବର, ହେ ଦଶଦିଗ ପାଳ ।
ଅନେକ ଆସିବା ଯିବା ଭିତରେ ହସ ଲିଭିଲିଭି ଯାଏ
ମୁହଁରେ ଲେସି ହୁଏ ଅନ୍ଧାର, କଳାକୁ ଆହୁରି କଳା କରେ
ଏମିତି ଦିନପରେ ଦିନ ବିତିଗଲା,ଜଣେ କେହି ଜୀବନେ ଆସିଲା
ମୟୂର ନାଚିଲା, ଯମୁନାରେ ଉଜାଣି ଆସିଲା, କଦମ୍ବ ଫୁଟିଲା
କାହା ପାଇଁ କଣ୍ଟା ଗଲା
କାହା ପାଇଁ ଫୁଲ ଗଲା
କାହା ପାଇଁ ଗଲା ପ୍ରଜାପତିଟିଏ
ଜଣେ କେହି କହିଲା ଯାହାହେଉ ଭଲହେଲା ।
କିନ୍ତୁ ଅନେକ ଦିନ ପରେ ସେ ପୁଣି ଫେରିଲା
ଜାଣିହେଲାନି କିଏ ସେ ଆସିଲା
କଣ୍ଟା, ଫୁଲ ନା ପ୍ରଜାପତି ?
ତା ପିଠିରେ ବୋହି ଆଣିଥିଲା ବଳକା ବୟସ ଓ ଲାଲ୍ ଲାଲ୍ ଦାଗ
ବାପା ଗୁମହୋଇ ବସିଥିଲେ, ସାତ ପୁରୁଷର ଜମି ବିକିଦେଇ
ମା ବି ପିନ୍ଧିନଥିଲା ସବୁଦିନ ପରି ହାର କାନଫୁଲ ।
ମୁଁ ଭାବିଲି କହିଦେବି ଏଥର ମନକଥା ଖୋଲି
କେତେଦିନ ଆଉ ଜଗିଥିବି ତାର ସାହାନ ଫେରା ବାଟକୁ
ଅନେକ ରଙ୍ଗ ଯେଉଁଠି ମିଶେ
ତାହା କଳା ଦିଶେ ବୋଲି ବୁଝେଇବି ତାକୁ
ସେଦିନ ପ୍ରେମ ହେଲା ଘନତର
ଘୋଟିଥିଲା ଅଜଣା ପୁଲକ
ଭାବିଥିଲି ଦେବି ତାରେ ପ୍ରୀତିର ଗୋଲାପ…
ଗଭାରେ ବାନ୍ଧିଦେବି ଗଜରାର ମାଳ
ଚୁମ୍ବନ ଦାନ ବେଳେ ବସାଇବି କୋଳ
ବୁଲିବାକୁ ନେବି ତାକୁ ଯେଉଁଠି ଏ ପୃଥିବୀ ସରିଛି
ଈର୍ଷା, ଦ୍ବେଷ, ଘୃଣା ଯେତେ ଯେଉଁଠି ମରିଛି
ଯେଉଁଠି ବହୁଛି ଏକ କାଚକେନ୍ଦୁ ନଈ
ସିକ୍ତ ସମୀରଣେ ଦେହ ଯାଉଛି ଶୀତେଇ
ଶୁକ ଶାରୀ ବସି ଡାଳେ ଗୀତ ଗାଉଥିବେ
କୋଇଲି ଓ ପାରାବତ ପ୍ରେମ କାହାଣୀ ରଟିବେ
ଏତେ କଥା ମନେଧରି ବାହାରିଲି
ହାତରେ ମୋ ପ୍ରୀତିର ଗୋଲାପ…
ସେଦିନ ବି ଗହଳି ଥିଲା ତା ଦାଣ୍ଡରେ
ରୋଷଣି ଗଲାକି ଆଉ ଜହ୍ନରେ ତାରାରେ
ମୋ ଆସିବା ବୃଥାହେଲା ଭାବିଲାବେଳକୁ
ଦେଖିଲି, ଜଣେ ବାଉଁଶ ବାନ୍ଧୁଛି
ଆଉଜଣେ ପାଳ ଦଉଡିଟେ ଧରି ଛିଡା ତା ପାଖରେ
ହାତରେ ମୋ ପ୍ରୀତିର ଗୋଲାପ…