ସତରେ କେତେ ଭଲ ଲାଗେ, ରାଜଧାନୀର ଏଇ ସୂଦୀର୍ଘ ପକ୍କା ରାସ୍ତା ଗୁଡିକ । ପାଦେ ପାଦେ ନୂଆ ସ୍ଫୂର୍ତ୍ତି , ନୂଆ ଉତ୍ସାହ, ନୂତନ ଆଶା କେତେ ହାତଠାରି ଡାକିନିଏ ଏକ ସୂବର୍ଣ୍ଣ ଭବିଷ୍ୟତ ଆଡକୁ । ଆଉ ଏ ପାଦ ତା’ ଇଶାରାରେ ଆପେ ଆପେ ମାଡିଚାଲେ ଆଗକୁ ଆହୁରି ଆଗକୁ ।
ଏଇ ରାଜରାସ୍ତା କଡରେ ସେ ଚାଟ୍ , ଗୁପ୍ଚୁପ୍, ଆଇସ୍କ୍ରିମ୍ ଓ ଲସି ଦୋକାନ ଗୁଡିକ କେତେ ଭଲ ଲାଗେ ସତେ । ଇଚ୍ଛା ହୁଏ ସେଇ ଚାଟ୍ରୁ ପ୍ଲେଟ୍ଟେ ଖାଇଦେଲି ଗିଲାସ୍ଟେ ଲସି ପିଇ ଦେଲେ ଏଇ ଜଳନ୍ତା ଭୋକିଲା ପେଟ ଟା’ ଆଉ କଁ କଁ କରନ୍ତାନି କି ଏଇ ଏଇ ନିଷ୍ଠୁର ଟାଣୁଆ ଖରାଟା ଦେହକୁ ବାଧା ଦିଅନ୍ତାନି । ହେଲେ ପଇସା, ଏତେ ପଇସା ଯେ କେଉଁଠୁ ଆସିବ ? ଘରୁ ଯାହା ବାଟ ଖର୍ଚ୍ଚ ମିଳୁଛି ସେ ତ ଗାଡି ଭଡାକୁ ନିଅଣ୍ଟ । ସେଥିରେ ଲସି କୋଉଠୁ ହୁଏ ନ ଚାଟ୍ ପାଇଁ କିଛି ରୁହେ । ଯେଉଁ ଦିନ ଦଶ ଟଙ୍କିଆ ଆଖୁରସ ଗିଲାସେ ହୋଇଯାଏ ସେ ଦିନ ଏଇ ଗ୍ରୀଷ୍ମ ପ୍ରବାହ ମର୍ତ୍ତ୍ୟରେ ସ୍ୱର୍ଗ ପରି ମନେ ହୁଏ ।
ବେଳେ ବେଳେ ଇଚ୍ଛା ହୁଏ ଥରେ ଯାଇ ସହରର ସେ ବଡ଼ ବଡ଼ ସିନେମା ହଲ୍ ଗୁଡିକ ଦେଖି ଆସିବାକୁ । ଏଡ଼େ ବଡ଼ଟା ହେଇ ହଲ୍ ଦେଖିନି କହିଲେ ସାଙ୍ଗ ମେଳରେ ଅପଦସ୍ତ ହେଲା ଭଳି ମନେ ହୁଏ । ପାଞ୍ଚ ବର୍ଷ ହେଲା ପ୍ରାୟ ସବୁଦିନ ଗାଁ ରୁ ଭୁବନେଶ୍ୱରର ରାସ୍ତା ମାପି ମାପି ଚାଲିଛି ହେଲେ ଆଜିଯାଏଁ ହଲ୍ କେମିତି ଦେଖିନି । କେହି ଶୁଣିଲେ ଥଟାରେ ଉଡେଇଦେବ । ଭାବିବେ ମିଛ କହୁଛି । ସାଙ୍ଗମାନେ ଏକାଠି ହୋଇ ଗୋଟିଏ ନୂଆ ସିନେମା କି ହଲ୍ ବିଷୟରେ କଥା ହେଉଥିଲେ ସେଠି ରହିବାକୁ ଇଚ୍ଛା ହୁଏନି । କାଳେ କେହି ପଚାରିଦେବେ । କ’ଣ ହଲ୍ ଦେଖିନି । ନିଜକୁ ଖରାପ ଲାଗିବ ।
ଥରେ ମୋ ଜନ୍ମ ଦିନରେ ଜଣେ ସାଙ୍ଗଟିଏ କହିଥିଲା, ଚାଲ ଯିବା ସିନେମାଟେ ଦେଖି ଆସିବା । ଆଜି ତୋର ଜନ୍ମ ଦିନରେ ମୋ ତରଫରୁ ଛୋଟ ଉପହାରଟିଏ । ଇଚ୍ଛା ତ ବହୁତ ଥିଲା ତା’ ସହିତ ଯାଇ ସିନେମାଟିଏ ଦେଖି ଆସିବାକୁ । ସିନେମା ଭଲ ଥାଉ କି ନ ଥାଉ ହଲ୍ଟା ଭଲ କି ଖରାପ ଅନ୍ତତଃ ଦେଖିହୋଇଯିବ । ପୁଣି ଖର୍ଚ୍ଚ ବି ତା ତରଫରୁ, କିଛି ଅସୁବିଧା ନ ଥିଲା । କିନ୍ତୁ ଏସବୁ କରିବାର ସତ ସାହସ ନ ଥିଲା । ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଗାଁ ଠୁଁ ଦୂରେ, ଏତେ ବଡ଼ ସହରରେ , ଘର ଲୋକଙ୍କ ଅଜାଣତରେ , ହଲ୍ ଯିବି ସିନେମା ଦେଖିବାକୁ ? ଘରେ ଜାଣିଲେ କ’ଣ କହିବେ ? ଝିଅ ଟାଏ ହୋଇ ଏକା ଏକା ଆସି ସିନେମା ଦେଖୁଛି । ପାଠ ପଢ଼ିବାର ନାଁ ରେ ସାଙ୍ଗ ମାନଙ୍କ ସହିତ ଖଟି କରୁଛି ? ଚାରିଆଡୁ ଭାବିଚିନ୍ତି ମନା କରିଦେଲି । ନାଁ ଏବେ ନୁହେଁ ମନେ ମନେ ଭାବିଥିଲି , ଏବେ ନୁହେଁ ପରେ । ଯେତେବେଳେ ନିଜ ପାଖରେ ପଇସା ହେବ ।
ହଲ୍ କଥା ଛାଡ଼ ଏଇ ରାଜଧାନୀଟା, କେତେ ମନ୍ଦିର, କେତେ ପର୍ଯ୍ୟଟନ ସ୍ଥଳୀରେ ଭରପୁର । ଥରେ ଯାଇ ସେହି ସ୍ଥାନ ଗୁଡିକ ବୁଲି ଆସିଲେ ହୁଅନ୍ତାନି , ଧଉଳି, ଖଣ୍ଡଗିରି କି ପାର୍କ ଦେଖିଆସିଲେ ହୁଅନ୍ତାନି । ବସ୍ଷ୍ଟାଣ୍ଡ ପାଖ ବୋଲି ଠାରେ ଯାହା ମ୍ୟୁଜିୟମ୍ଟା ଦେଖିଥିଲି, ତା’ଛଡା ଆଉ ଯୁଆଡେ ବୁଲିବାକୁ ଗଲେ, ଗୁଡ଼ାଏ ଟଙ୍କା ଦରକାର, ସେଇଟା ପୁଣି କେଉଁଠୁ ଆସିବ । ନା ସେ ସବୁ ବୁଲା ବୁଲି ଥାଉ , ଏବେ ନୁହେଁ ।
ଏମିତି ଭାବନା ରାଇଜେ ବୁଡି ରହିଥିବାବେଳେ କେତେବେଳେ ଯେ ବ୍ରିଜ୍ର ଶେଷମୁଣ୍ଡ ଆସିଯାଇଥିଲା ଆଉ ବ୍ରିଜ୍ର ଆଦ୍ୟରେ ଥିବା ରାସ୍ତାକଡ଼ ଗୁପ୍ଚୁପ୍ ବାଲା ପାଖରେ ଠିଆ ହୋଇ ଗୁପ୍ଚୁପ୍ ଖାଉଥିବା ଝିଅ ଦୁଇଟି କେତେବେଳୁ ଯେ ଆଖି ଆଗରୁ ଦୂରେଇଯାଇଥିଲେ କିଛି ଜଣା ପଡି ନ ଥିଲା । ବ୍ରିଜ୍ ତଳକୁ ପାଦ ଗଡୁ ଗଡୁ ପୁଣି ଏ ଅମାନିଆ ମନଟା ଭାବିନେଲା । ଥାଉ ଏ ସବୁ ସ୍ୱପ୍ନ ମନ ଭିତରେ ହିଁ ଥାଉ । ପଢ଼ା ସରିଲା ପରେ ଭଲ ଚାକିରୀ ଖଣ୍ଡିଏ ପାଇଗଲେ , ହାତକୁ ଯେତେବେଳେ ଗୁଡାଏ ପଇସା ଆସିବ । ସେତେବେଳେ ହୃଦୟ ସିନ୍ଦୁକରେ ସାଇତା ଏ ମୁଠାଏ ସ୍ୱପ୍ନକୁ ସହରର ଚାକଚକ୍ୟପୂର୍ଣ୍ଣ ସୌନ୍ଦର୍ଯ୍ୟ ଭିଟରେ ‘ତାରା’ ସରି ବିଞ୍ଚି ଦେବି । ମନ ଖୋଲି ଜିଇଁଯିବି ଏଇ ଜୀବନ ନିଜ ଇଚ୍ଛା ମୁତାବକ ।
ଖାଲି ନିଜେ ନୁହଁ ବରଂ ବାପା ମା’ଙ୍କର ମୁଠା ମୁଠା ସ୍ୱପ୍ନ ସବୁକୁ ଡେଣା ମେଳି ଉଡେଇ ଦେବି ଆତ୍ମସନ୍ତୋଷର ରଙ୍ଗ ଦେଇ । ନିଜେ ଏକା ଏକା ଉଡିବା ଅପେକ୍ଷା ବାପା ମା’ ଙ୍କୁ ସାଥେ ନେଇ ଆକାଶ ଛୁଇଁବା ଅତି ଶ୍ରେୟଷ୍କର ।