ଅନେକ ଥର ଏମିତି ହୁଏ,
ସକାଳୁ ନିଦ ଭାଙ୍ଗିଲେ,
ମନେ ହୁଏ,
ସତେ ଯେମିତି କେତେ ଦିନ ହେଲା,
ତତେ ଫୋନ୍ କରିନି,
ତୋ ସହିତ ମନଖୋଲି କଥା ହୋଇନି ।
ବିଛଣାରେ ଶୋଇ ରହି ,
ଆପେ ଆପେ ହାତ ଚାଲିଯାଏ ,
ବେଡ଼ର କଡ଼ ଟେବୁଲ୍ ଉପରକୁ ,
ସେଠାରେ ଥିବା ଫୋନ୍ ପାଖକୁ,
ବିଚଳିତ ହୋଇ ତୋ ନମ୍ବର ଖୋଜେ ,
ଡାଏଲ ଲିଷ୍ଟ୍ରେ ତତେ ଅଣ୍ଡାଳି ହୁଏ
ହଠାତ ହାତ ଥରି ଉଠେ,
ଆଙ୍ଗୁଠି କଡ଼ ଲେଉଟାଇବା ବନ୍ଦ କରିଦିଏ,
ଅଧା ଖୋଲା ମିଞ୍ଜି ମିଞ୍ଜି ଆଖି,
ନିଷ୍କ୍ରିୟ ପ୍ରାୟ ଡବ ଡବ ଅନାଇଥାଏ,
ବହିଚାଲେ ଅନବରତ ମୁକୁତା ଧାର,
ଆଖି ଡୋଳା ଠାରୁ, ଚିବୁକ ଯାଏଁ ।
ପ୍ରକମ୍ପିତ ହୃଦୟର କୋହ,
ବାଟ ଖୋଜେ ଲାଭା ହୋଇ ବାହାରିଯିବାକୁ ,
ଇଚ୍ଛା ହୁଏ କାନ୍ଥ ଚିରି ମନ ଭରି କାନ୍ଦିବାକୁ
ହୃଦୟକୁ କେଞ୍ଚୁଥିବା ଅବର୍ଣ୍ଣନୀୟ ଯନ୍ତ୍ରଣାକୁ,
ଅବାଧ୍ୟରେ ଖୋଲି ରଖିବାକୁ,
କେବଳ ତୋରି ଆଗରେ ‘ବୋଉ ‘ ।
ହେଲେ, କେମିତି ଯେ ପାରିବି ତତେ କହି,
ଏସବୁ ଆଉ କି ସମ୍ଭବ ?
ତତେ କ’ଣ ଆଉ ପାଖକୁ ଡାକି ହେବ ?
ତୁ ପରା ସେଇ ପରି ରାଇଜର ରାଣୀ ସାଜିଛୁ,
ତୋ ପାଇଁ କେତେ ଯେ ସୁଖ ସମୃଦ୍ଧି ପୂର୍ଣ୍ଣ ,
ମହଲ ଟେ ତୋଳା ହୋଇଥିବ ସତେ ।
ତୁ ଥା ସେଇ ସ୍ୱର୍ଗର କୋଉ,
ଆଡମ୍ବରୀୟ ଗୃହରେ ବିଳାସ ବ୍ୟସନେ,
କେତେ ଯେ କ୍ଳେଷ ନ ସହିଛୁ ଏ ଧରାରେ,
ନ ମିଳୁ ସେ କଷ୍ଟ ପୁଣି କେବେ,
ହସୁଥା, ଖେଳୁଥା, ଫୁଲ ଝୁଲଣାରେ ଝୁଲୁଥା,
ଏ ଦୁନିଆର ଚିନ୍ତା, ଚିନ୍ତନ ଠାରୁ ତୁ ଦୂରେ ଥା ।
କିନ୍ତୁ ବେଳଦେଖି କେବେ ଘୁରିଯିବୁ,
ଥରେ ଅଧେ ଖାଲି ଦୂରୁ ଦେଖିଯିବୁ,
ଦେଇଯିବୁ ଆଶୀର୍ବାଦ, ଫେରେଇ ନେବୁ ହାତ,
ମୋ ନୁଖୁରା କେଶ ଉପରେ,
ମୁଁ ପାଇଯିବି ଜିଇଁବାର ନୂତନ ଶକ୍ତି,
ଲଙ୍ଘିଯିବି ଏ ଜୀବନ ପଥ ନେଇ ସାଥେ ତୋରି ସ୍ମୃତି ।