“ମାଡ଼ାମ, ଆସନ୍ତୁ, ବସନ୍ତୁ,” କହି ଧୁଳି ଝଡି ଦେଲା ଷ୍ଟୁଲ ଉପରୁ ପିଲା ଟି ।
“ଅରୁଣ ବାବୁ କାହାନ୍ତି?”
“ଏଇ ଟିକେ ବାହରକୁ ଯାଇଛନ୍ତି । ଆସିଯିବେ କିଛି ସମୟ ପରେ ।” ମୁଁ ବସି ପଡି ସେଠି ଗଢା ଯାଉଥିବା ଅନ୍ୟ ମୂର୍ତ୍ତି ମାନଙ୍କୁ ଆଖି ପକେଇଲି । କାହାର ଖାଲି ମାଟି ମଡେଲ ତ କାହାର ପଥରରୁ ଅଧା ଗଢା ମୂର୍ତି ସବୁ ବରାଦରେ ଅଛି । ଅରୁଣ ବାବୁ ଖଲିକୋଟ କଲେଜରୁ ଆର୍ଟ ରେ ସ୍ନାତକୋତ୍ତର କରି ଆସିଛନ୍ତି । ଘରେ ଚାହୁଁ ଥିଲେ ସେ କୌଣସି ଚାକିରି କରନ୍ତୁ, ସେ କିନ୍ତୁ ତାଙ୍କର ନିଜର ରୁଚି, ନିଜେ କିଛି କରିବାକୁ ଚହୁଁଛନ୍ତି ବୋଲି କହି ଏଇ ଆର୍ଟ ଗ୍ୟାଲେରୀ ନାମରେ ଶୋ’ରୁମ ଟି ଆରମ୍ଭ କରିଥିଲେ, ଏଇଠି ଆହୁରି କେତେ ପିଲାଙ୍କୁ ବି ନିଯୁକ୍ତି ଦେଇଛନ୍ତି, ପଛ ପଟ କାର୍ମଶାଳା ରେ କାମ ଚାଲିଥାଏ । କେବେ ପିଲାଙ୍କୁ ସବୁ ବତାଇବା ତ କେବେ ଗ୍ରାହକ ମାନଙ୍କ ମନ ବୁଝି ଅର୍ଡର ନେବା ରେ ସବୁବେଳେ ବ୍ୟସ୍ତ ଥାନ୍ତି । କେବେ ସମୟ ଥିଲେ ମୋ ସହ ଗପି ଥାନ୍ତି ।
ମୋତେ ପ୍ରଥମେ ସେଠାକୁ ବାପାଙ୍କ ଦେହାନ୍ତ ପରେ ଯିବାର ଦେଖିଥିଲେ, ସବୁ ବିଷୟରେ ପଚାରି ଆସିଥିଲି, କେତେ ଦିନ ଲାଗିବ ମୂର୍ତ୍ତି ଗଢା ପାଇଁ କେଉଁ ପଥର ରେ ବେଶୀ ଭଲ ହେବ, କେତେ ମୂଲ୍ୟ ଲାଗିବ ଆଉ କଣ କଣ ଦରକାର । ସବୁ ପୁଖାନୁପୁଙ୍ଖ ଭାବେ ବୁଝାଇ ଦେଇଥିଲେ ।
ବାପାଙ୍କ ପ୍ରଥମ ବାର୍ଷିକୀ ର ଏକ ମାସ ପୂର୍ବରୁ ପହଞ୍ଚି ଯାଇଥିଲି ମୁ ତାଙ୍କ ପାଖରେ ।
“ମାଡାମ, ଆପଣ କହୁଥିଲେ ନା ବାହାରେ ରହନ୍ତି ।”
“ହଁ, କିନ୍ତୁ ଏବେ ମୂର୍ତ୍ତି ଗଢା ହୋଇ ପ୍ରତିଷ୍ଠା ହେବା ଯାଏ ମୁଁ ଏଇଠି ରହିବି ।”
“ଫୋଟୋ ଟା ଦେଇ ଯାଆନ୍ତୁ, ମାଟି ମୂର୍ତ୍ତି ଗଢା ହେଲାପରେ ଦେଖିଯିବେ ।”
ସେଦିନ ତାଙ୍କ ଫୋନ୍ ପାଇ ଯାଇଥିଲି । ମାଟି ମୂର୍ତି ଗଢା ସାରିଥିଲା, ଅବିକଳ ବାପାଙ୍କ ପରି ।
ମୁଁ ଦେଖି ଖୁସି ହୋଇ ଯାଇଥିଲି- “ବହୁତ ଭଲ କାମ କରିଛନ୍ତି ଆପଣ, ଯାହାହେଉ ଆପଣ ମାନଙ୍କ ପରି କଳାକାର ମାନଙ୍କ ପାଇଁ ଆମେ ଆମ ନିଜର ଲୋକଙ୍କୁ ମୂର୍ତ୍ତି ହେଉ ପଛେ ପାଖରେ ପାଇ ପାରିବୁ ! “
“ମଉସା ଫୋଟୋ ଉଠେଇବାକୁ ଭଲ ପାଉ ନଥିଲେ କି?”
“କାହିଁକି ?” ଆଶ୍ଚର୍ଯ୍ୟ ହୋଇ ପଚାରିଲି ମୁଁ ।
“ଫୋଟୋ ଟା ପୁରୁଣା ଲଗୁଛି, କ୍ଳିଅର ଫୋଟୋରୁ ଶୀଘ୍ର ମାଟି ମୂର୍ତ୍ତି ଗଢି ହୋଇଯାଏ, ଏଇ ମାଉସାଙ୍କ ଫୋଟୋରୁ ମୋତେ ଟିକେ କଷ୍ଟ ହେଲା ।”
ଆମେ ଦୁହେଁ ହସି ଉଠିଲୁ, ଏଇ ହସ ବୋଧେ ତାଙ୍କୁ ଆଉ ଟିକେ ସହଜ କରି ଦେଲା ।
“ମାଡାମ ଗୋଟେ କଥା ପଚାରିବି, ଖରାପ ଭାବିବେନି ତ ?’’
ମୁଁ ମୁଣ୍ଡ ହଲାଇ ନାହିଁ କଲି ।
“ଆପଣଙ୍କ ଘରୁ କେହି ପୁରୁଷ ଅର୍ଡର ଦେବା ବା ବୁଝିବା ପାଇଁ ଆସୁ ନାହାନ୍ତି ତ !”
“ମୁଁ ଘରେ ସବୁଠୁ ବଡ ପିଲା, ସାନ ଭଉଣୀ ଦୁଇ ଜଣ ପଢୁଛନ୍ତି, ଅତଏବ ମୁଁ ଏ ସବୁ ବୁଝା ବୁଝି କରୁଛି, ଖାଲି କଣ ପୁଅ ବା ଜ୍ଵାଇଁ, ପୁତୁରା, ଭାଇ, ଏସବୁ କଥା ବୁଝିବେ, ଜଣେ ଝିଅ ବୁଝି ପାରିବ ନି ?” ମୁଁ ଟିକେ ଦମ୍ଭର ସହ କହିଲି ।
ମୋର ଏଇ କଥା ପଦେ ରେ ସେ ଚୁପ ହୋଇ ଗଲେ, ଲାଗିଲା ମୋ କଥାର ଅର୍ଥ ଠିକ୍ ବୁଝି ପାରିଲେ ସେ । ତା ପରଠୁ ମୁଁ ଦୁଇଥର ତଦାରଖ କରିବା ପାଇଁ ଆସିଛି, ଭାରି ଖୁସିରେ ମୋ ସହ କଥା ବାର୍ତ୍ତା କରନ୍ତି, । ଅନେକ କଥା ଆର୍ଟ ବିଷୟରେ ପଚାରେ ତାଙ୍କୁ ମୁଁ । ଏବେ ମୂର୍ତ୍ତି ସ୍ଥାପନା ହେବା ବେଳ, ସେଥି ପାଇଁ ଆଜି ନେବାକୁ ଆସିଛି ।
ଏମିତି ଭାବୁ ଭାବୁ ଅରୁଣ ବାବୁ ଆସିଗଲେ ।
“ନମସ୍କାର, କୁଆଡେ ଯାଇଥିଲେ? ସକାଳରୁ ଆସି ଅପେକ୍ଷା କରିଛି ।”
“ଏଇ ଜଗତାନନ୍ଦ ବାବୁଙ୍କ ଘରକୁ ଯାଇଥିଲି, ତାଙ୍କର ଦୁଇଟି ଯାକ ମୂର୍ତ୍ତି ସ୍ଥାପନା ହେଲାତ ।”
ଆଶ୍ଚର୍ଯ୍ୟ ହୋଇଗଲି ମୁଁ ।
“କେବେ ଜଗତାନନ୍ଦ ମଉସା ଗଲେ, ମୁଁ ଜାଣିନି, ବାପାଙ୍କ ସହପାଠୀ ସେ, ଏଇ ବାପାଙ୍କ ଦେହାନ୍ତ ପରେ ଦେଖା ହୋଇଥିଲା । ମାଉସୀ ଦୁଇ ବର୍ଷ ହେବ ଗଲେଣି ଜାଣେ, ତାଙ୍କର ମୂର୍ତ୍ତି ବି ଏଇଠୁ ହୋଇଛି, ଭଲ ହୋଇଛି ବୋଲି ସମସ୍ତେ କହିଲାରୁ ମୁଁ ଏଠାକୁ ଆସିଲି । ହେ, ଭଗବାନ!” ମୋ ମୁହଁ ରୁ ଏସବୁ ବାହାରି ପଡିଲା ।
ଅରୁଣ ବାବୁ ଏପଟ ସେପଟ ଟିକେ ଚାହିଁ ପାଖକୁ ଆସି ଧୀର ଗଳାରେ କହିଲେ “ନା ମ, ଜଗତନନ୍ଦ ବାବୁ ବଞ୍ଚିଛନ୍ତି । ପୁଅ ମାନଙ୍କ ଉପରେ ଯଦି ଭରସା ଥାନ୍ତା, ତେବେ ବଞ୍ଚି ଥାଉ ଥାଉ ସେ କଣ ମାଉସୀ ଙ୍କ ମୂର୍ତ୍ତି ପାଖରେ ନିଜର ମୂର୍ତ୍ତି ସ୍ଥାପନା କରାଇ ଥାନ୍ତେ ?’’
ତାଙ୍କର ଏଇ କଥା ପଦେ ମୋର ସବୁ ପ୍ରଶ୍ନର ଉତ୍ତର ଦେଇ ଦେଲା ।
କଥା କହିସାରି ସେ ମୋ ଅର୍ଡର କୁ ପ୍ୟାକ କରିବାକୁ ସହକର୍ମୀ ମାନଙ୍କୁ ନିର୍ଦେଶ ଦେଉଥିଲେ ।
ସ୍ଥାଣୁ ଭଳି ବସି ରହି ଅତୀତର ଅନେକ ସ୍ମୃତି ମୁଁ ମୋ ମନ ରେ ଖେଳାଉଥିଲି- ପିଲା ବେଳେ ଦେଖିଥିବା ଜଗତାନନ୍ଦ ମଉସାଙ୍କ ଗର୍ବିତ ଚେହେରା ମୋ ମନରେ ଉଙ୍କି ମାରୁ ଥିଲା ।
