ପ୍ରବନ୍ଧ

ଦେଶଭକ୍ତି

Chittaranjan Barik's odia prose Deshabhakti

ନିଷ୍ଠାପର ଓ ନୈତିକ ଭାବେ,କର୍ତ୍ତବ୍ୟନିଷ୍ଠ ହୋଇ, ପୂର୍ଣ୍ଣ ସଚ୍ଚୋଟତାର ସହ କାମ କଲେ ତାହାହିଁ ଆମର ପ୍ରକୃତ ଦେଶଭକ୍ତି ବୋଲି ସାବ୍ୟସ୍ତ ହେବ ଏବଂ ଦେଶ ଉନ୍ନତିର ପଥରେ ଆଗକୁ ବଢିବ।

ଦେଶଭକ୍ତି

ଉତ୍ତରଂ ଯତ୍ ସମୂଦ୍ରସ୍ୟ ହିମାଦ୍ରେଶ୍ଚୈବ ଦଖିଣମ୍ ।
ବର୍ଷଂ ତଦ୍ ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ ।।

ଅର୍ଥାତ୍ ସମୁଦ୍ରର ଉତ୍ତରରେ, ହିମାଳୟର ଦକ୍ଷିଣରେ ଯେଉଁ ଭୂମି ଅଛି ସେ ହେଉଛି ଭାରତବର୍ଷ, ଆଉ ସେଠାକାର ପ୍ରଜା ହେଉଛନ୍ତି ଭାରତୀୟ । ଏହିଭଳି ସୁନ୍ଦର ଭାବେ ଆମ ପବିତ୍ର ଦେଶକୁ ବର୍ଣ୍ଣନା କରାଯାଇଛି ବିଷ୍ଣୁ ପୁରାଣରେ । ବସୁଧୈବ କୁଟୁମ୍ବକମ୍ ହେଉଛି ଏହାର ଭାବନା ଏବଂ ଧର୍ମନିରପେକ୍ଷ ହେଉଛି ଏହାର ଆତ୍ମା । ଗୀତା, ବେଦ ଭଳି ଅନେକ ଧର୍ମ ଗ୍ରନ୍ଥର ମିଳିତ ଧ୍ବନିରେ ପ୍ରକମ୍ପିତ ହୁଏ ଏହାର ଭୂମି ।

ଏଠି ପ୍ରତି ପାଦରେ ସମ୍ପ୍ରଦାୟ, ବେଶଭୂଷା, ଭାଷା, ଖାଦ୍ୟପେୟ, ପର୍ବପର୍ବାଣୀ ବଦଳିଯାଏ । ପଶ୍ଚିମରେ ରାଜସ୍ଥାନର ବିସ୍ତୀର୍ଣ୍ଣ ମରୁଭୂମି ବେଳେ ମେଘାଳୟର ବର୍ଷା, କାଶ୍ମୀରର ହାଡ଼ଥରା ଶୀତକୁ କେରଳର ଉଷ୍ମତା ଏତେସବୁ ବିଭିନ୍ନତା ଥିଲେ ମଧ୍ୟ ଗୋଟିଏ ସୂତାରେ ବାନ୍ଧି ହୋଇ ରହିଛି ଆମ ଦେଶ ଭାରତ ।

ଏଠି ତାମିଲନାଡୁରୁ ଆସିଥିବା ନଡ଼ିଆ ଘଟଗାଁରେ ଭୋଗ ହୁଏ ତ ହିମାଳୟର ପାଣିରେ ବିହାର ଶସ୍ୟଶ୍ୟାମଳା ହୋଇଉଠେ ଆଉ ଓଡ଼ିଶାର ମୌସୁମୀ କେରଳକୁ ଛୁଇଁକରି ଆସେ । ଭୌଗୋଳିକ ଅବସ୍ଥିତିକୁ ବିଚାରକଲେ ଭାରତବର୍ଷର ପବିତ୍ର ରୋମାଞ୍ଚକର ଛବି ଆଖି ଆଗକୁ ଆସିଯାଏ ।

ଏ ଭୂମି ଯିଏ ଚାଣକ୍ୟ, ଆର୍ଯ୍ୟଭଟ୍ଟ, କଣାଦ, ପଠାଣି ସାମନ୍ତ, ବିବେକାନନ୍ଦ, ଅବ୍ଦୁଲ କଲାମଙ୍କ ଭଳି ସୁପୁତ୍ରଙ୍କୁ ଜନ୍ମ ଦେଇଛି ତ ପୁଣି ଜନ୍ମଦେଇଛି ଶିବାଜୀ, ଖାରବେଳ, ଚନ୍ଦ୍ରଗୁପ୍ତ, ଜୟୀ ରାଜଗୁରୁ ଇତ୍ୟାଦିଙ୍କ ଭଳି ବୀରଙ୍କୁ ଯାହାଙ୍କ ବିରତ୍ଵ ର ଗାଥା ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ।

ଭାରତବର୍ଷ ଯାହାର କୋଣ ଅନୁକୋଣରେ ପ୍ରାକୃତିକ ସମ୍ପଦ, ମୂଲ୍ୟବାନ ଧାତୁ, କୋହିନୂର୍ ପରି ଅନେକ ହୀରା ଆଦି ସଜେଇ ହୋଇଥିଲା, ଦେଶର ରୂପକୁ ଆକର୍ଷଣୀୟ କରୁଥିଲା ଏବଂ ଯେଉଁ ଦେଶରେ ସୁନାର ଚଢେଇ ମିଳୁଥିଲା ବୋଲି କୁହାଯାଏ । ଏଭଳି ଏକ ପରିପୂର୍ଣ୍ଣ ଦେଶ ଉପରେ ଲୋଲୁପ ଦୃଷ୍ଟି ପଡ଼ିଥିଲା ଅନେକ ଆତତାୟୀ ମାନଙ୍କର ଏବଂ ଆକ୍ରମଣ ବେଳେ ଯେତେବେଳେ କଥା ଉଠିଲା ମାତୃଭୂମି, ମା’ ର ସମ୍ମାନ ଉପରେ ସେତେବେଳେ ଅନେକ ଭାରତୀୟ ବୀର ନିଜ ପ୍ରାଣକୁ ବାଜି ଲଗାଇ ଆଗେଇ ଆସିଥିଲେ ମା’ ର ସୁରକ୍ଷା ପାଇଁ ।

ସିଏ ଛତ୍ରପତି ଶିବାଜୀ ହୁଅନ୍ତୁ, ଚନ୍ଦ୍ରଗୁପ୍ତ ମୋର୍ୟ ହୁଅନ୍ତୁ ବା ଅହମଦ ଶାହା ଅବ୍ଦଳୀଙ୍କ ବିରୋଧରେ ଏକାଠି ହୋଇଥିବା ଲକ୍ଷଲକ୍ଷ ନାଗା ସାଧୁ ହୁଅନ୍ତୁ, ସମସ୍ତଙ୍କ ବୀରତାର କାହାଣୀ ଲେଖିବାକୁ ଆଜି ନିଶ୍ଚୟ ଆମ ପାଖରେ ଶବ୍ଦର ଅଭାବ ପଡ଼ିବ।

ଦେଶ ଯେବେ ଖରାପ ସମୟ ଦେଇ ଗତିକରେ ସେତେବେଳେ ନିଜସ୍ଵ ସ୍ବାର୍ଥ ନ ଦେଖି ନିଜ ପ୍ରାଣକୁ ଖାତିର ନକରି ଦେଶପାଇଁ ଆଗେଇ ଆସିବାକୁ ହିଁ ଦେଶଭକ୍ତି କୁହାଯିବ । ଏହା ନିଃସନ୍ଦେହ ଯେ ଦେଶଭକ୍ତିର ପରିଭାଷା ଉପର ବର୍ଣ୍ଣିତ ସମସ୍ତ ବୀରମାନଙ୍କ ପାଇଁ ପ୍ରଯୁଜ୍ୟ ।

ଭାରତର ସ୍ଵାଧୀନତା ଏବଂ ଦେଶଭକ୍ତି ଏ ଦୁଇଟି ଶବ୍ଦ ପରସ୍ପର ପରିପୂରକ ପରି ମନେ ହୁଅନ୍ତି । ମୋଗଲ ଆକ୍ରମଣର ସମୟ ହେଉ କି ସ୍ୱାଧୀନତା ପୂର୍ବର ସ୍ଥିତି, ବୀର ତ ଅନେକ ଥିଲେ ସେ ସମୟରେ କିନ୍ତୁ ଅଭାବ ଥିଲା ଏକତାର ଯାହାର ସୁଯୋଗ ନେଇ ଅନେକ ବାହ୍ୟଶତ୍ରୁର କବଳକୁ ଚାଲିଗଲା ଆମ ଭାରତ ଆଉ ଅତ୍ୟାଚାରିତ ହେଲେ ଦେଶବାସୀ । ଠିକ୍ ସେଇ ମୁହୂର୍ତ୍ତରେ ଦେଶଭକ୍ତିର ଭାଷା ଟିକେ ଅଲଗା ଥିଲା। ସେତେବେଳେ ଦେଶ ବଳିଦାନ ଚାହୁଁଥିଲା । ଲୋକ ମରିଯାଉଥିଲେ, ମାଟିରେ ମିଶି ଯାଉଥିଲେ, ଫାଶୀ ରେ ଚଢ଼ି ଯାଉଥିଲେ, କଳାପାଣି ଦଣ୍ଡ ଭୋଗୁଥିଲେ ଆଉ ନିଜର ଦେଶ ଭକ୍ତି ଦେଖାଉଥିଲେ । ଭଗତ ସିଂହ, ବାଜି ରାଉତ, ଜୟୀ ରାଜଗୁରୁ, ଖୁଦିରାମ, ଲକ୍ଷ୍ମଣ ନାୟକ ଇତ୍ୟାଦିଙ୍କ ଭଳି ମହାପୁରୁଷ ଏବଂ ଦେଶର ସୀମାରେ ଥିବା ଦେଶର ବୀର ଯବାନ ଏହି ସୂଚିକୁ ସର୍ବଦା ବିରତ୍ଵରେ ରୁଦ୍ଧିମନ୍ତ କରୁଥିବେ ।

ହୃଦୟର ଆୟତନ ଅନିୟନ୍ତ୍ରିତ ବଢ଼ିଯାଏ ଯେତେବେଳେ ଯବାନଙ୍କ ସେ ଉକ୍ତି ଶୁଭେ

“ଗୁଳିର ଗର୍ଜନେ ଭୟଭୀତ ହୋଇ
ପଛକୁ ଫେରିବି ନାହିଁ,
ଖଣ୍ଡ ଖଣ୍ଡ ହୋଇ କଟିଯିବି ପଛେ
ଖଣ୍ଡେ ଗୋଡ଼ି ଦେବି ନାହିଁ।”

ସେତେବେଳେ ସମୟ ଥିଲା ଯେତେବେଳେ ଦେଶ ବଳିଦାନ ମାଗିଥିଲା କିନ୍ତୁ ଏବେ ଦେଶ ବଳିଦାନ ମାଗୁନି, ମରିଯିବାକୁ କହୁନି। ଏବେ ଦେଶ ଚାହୁଁଛି ଉନ୍ନତି, ଅଭିବୃଦ୍ଧି ଆଉ ବିକାଶ ଯାହାଫଳରେ ଦେଶ ଆଗକୁ ଯାଇପାରିବ ଏବଂ ଦେଶବାସୀ ମଧ୍ୟ ଏକ ଆନନ୍ଦର ଜୀବନ ବଞ୍ଚିପାରିବେ । କାର୍ଯ୍ୟ କ୍ଷେତ୍ରରେ ଦୁର୍ନୀତି, ଦେଶ ଓ ସାମୁହିକ ସ୍ୱାର୍ଥକୁ ନଦେଖି ବ୍ୟକ୍ତିଗତ ସ୍ବାର୍ଥ ଦେଖିବା, ଦେଶର ସମ୍ପତି ନଷ୍ଟ କରିବା, ଦେଶର ଧନ ନେଇ ବିଦେଶରେ ଲୁଚିବା ଇତ୍ୟାଦି ଏମିତି ହେଲେ ଆମକୁ ଦେଶଭକ୍ତ ନୁହେଁ ଦେଶଦ୍ରୋହି କୁହାଯିବ ।

ନିଷ୍ଠାପର ଓ ନୈତିକ ଭାବେ,କର୍ତ୍ତବ୍ୟନିଷ୍ଠ ହୋଇ, ପୂର୍ଣ୍ଣ ସଚ୍ଚୋଟତାର ସହ କାମ କଲେ ତାହାହିଁ ଆମର ପ୍ରକୃତ ଦେଶଭକ୍ତି ବୋଲି ସାବ୍ୟସ୍ତ ହେବ ଏବଂ ଦେଶ ଉନ୍ନତିର ପଥରେ ଆଗକୁ ବଢିବ।

” ନା ପିଇଛି ସେ ମା’ର କ୍ଷୀର,
ନା ବହୁଛି ତା ଦେହେ ବାପାର ରୁଧିର,
ସୁରକ୍ଷା ପାଇଁ ମାତୃଭୂମିର ,
ଛାତିରେ ଯାହାର ଶକ୍ତି ନାହିଁ।
ମାଆର ସମ୍ମାନେ ନଦେଲେ ଜୀବନ,
ଭାରତେ ତା ପାଇଁ ସ୍ଥାନ ନାହିଁ।”

ଶେଷରେ ଏତିକି।

ଭାରତ ମାତାକୀ ଜୟ।

ଲୋକପ୍ରିୟ ଲେଖା

To Top