ଆଗ ପରି ଆଉ ନାହିଁ
କୁଆେଡ଼ ଗଲା ଯେ ବହି ।
ରକତର ମୂଲ ରକତ ବୁଝୁନି
ପଡ଼ୋଶୀ ର ଦୋଷ କାହିଁ ।।
ଆଗ ପରି ଆଉ ନାହିଁ
ବିଲକୁ ଯାଉନି କେହି ।
ଗାଁ ବଜାରେର ରାଜନୀତି କଥା
ଆସର ଜମୁଛି ତହିଁ ।।
ଆଗ ପରି ଆଉ ନାହିଁ
ହସୁନି ପୋଖରୀ କାଇଁ ।
ଆମ୍ବ ତୋଟାରେ ଯେ ଇଟା ପଡୁଅଛି
ଗଛ ସବୁ କଟା ହୋଇ ।।
ଆଗ ପରି ଆଉ ନାହିଁ
ଝୋଟି, ଚିତା ପଡୁ ନାହିଁ ।
ଗୋବର ର ପୋଛା , ହାଣ୍ଡି ଶାଳ ହାଣ୍ଡି
ବୋହୂକୁ ତା ଜଣା ନାହିଁ ।।
ଆଗ ପରି ଆଉ ନାହିଁ
ଗୋପାଳ ରଖୁନି ଗାଈ ।
ପାଉଡର କ୍ଷୀର ବଜ଼ାରୁ କିଣୁଛି
ପିଲାଟିକି ଦେବା ପାଇଁ ।।
ଆଗ ପରି ଆଉ ନାହିଁ
ଗାଁ ରେ ଏକତା କାହିଁ ।
ନଗର କୀର୍ତ୍ତନ, ପାଲା , ଗାଁ ଡ୍ରାମା
ଆଗ ପରି ଦିସୁ ନାହିଁ ।।
ଆଗ ପରି ଆଉ ନାହିଁ
ବେଶି ଡେରି ହୋଇନାହିଁ ।
ଆସ ପୁଣି ଥରେ ଗଢ଼ି ତୋଳି ଦେବା
ଆଗ ପଛ ଭାବି ନେଇ ।।