କବିତା

ଅବୁଝା ଶୁନ୍ୟତା

Dr Nilamadhab Kar's odia poem Abujha Shoonyataa

ଗୋଧୂଳି ଯାଇ ସଂଜ ହେଲା
ରାତି ଲୁଚେଇଦେଲା କୃଷ୍ଣଚୂଡ଼ାର ରଙ୍ଗ
ତୁ ଫେରି ନ ଥିଲୁ
ମାଡ଼ି ମାଡ଼ି ପଡ଼ୁଥିଲା ସଂଜର ଶୁନ୍ୟତା
ତୋ ବାଟକୁ ଅନେଇ
ସ୍ଥିର ହେଇଯାଇଥିଲେ ଜୀବନସବୁ
ତୋ ସଂସାରର

ଅବୁଝା ଶୁନ୍ୟତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମନ ଭରି ପିଇ ପାରିଲୁନି କେଉଁ ଦୁଃଖ
ତୋର ବଳକା ରହିଲା ଯେ
ଅଫେରା ରାଇଜକୁ ଚାଲିଗଲୁ, ଅଧୈର୍ଯ୍ୟରେ
ନିଜ ପର, ସମସ୍ତଙ୍କୁ ଉପେକ୍ଷା କରି
ସରଗରେ ଅପେକ୍ଷା କରିବୁ ବୋଲି କଣ
ମନେ ମନେ ନୀଡ଼ଟେ ରଚିଲୁ

ଆପଣେଇ, ଆତ୍ମସ୍ଥ କରି,
ସବୁ ଦୁଃଖକୁ ଆଦର କରି,
ବଞ୍ଚିଥିଲୁ ପରା ସୁଖୀ ଜୀବନଟେ
ଅନ୍ୟର ଉପମା ହେଇ

କେମିତି ଗଢ଼ିଲା ବିହି ତୋ ମନକୁ
ସଂସାର କିଛି କିଛି ବୁଝିପାରିଲା ବେଳକୁ
ତୋ ହୃଦୟ, ତୋ କଥା, ତୋ ବ୍ୟଥା
ତୁ ନିଜେ ଅବୁଝା ହେଲୁ,
ଅବୁଝା ହେଇ ରହିଗଲୁ
ସମସ୍ତଙ୍କ ପାଇଁ

ଗୋଧୂଳି ଯାଇ ସଂଜ ହେଲା
ରାତି ଲୁଚେଇଦେଲା କୃଷ୍ଣଚୂଡ଼ାର ରଙ୍ଗ
ତୁ ଫେରି ନ ଥିଲୁ
ମାଡ଼ି ମାଡ଼ି ପଡ଼ୁଥିଲା ସଂଜର ଶୁନ୍ୟତା
ତୋ ବାଟକୁ ଅନେଇ
ସ୍ଥିର ହେଇଯାଇଥିଲେ ଜୀବନସବୁ
ତୋ ସଂସାରର

ସକାଳେ ତୋ ଶବ ଭାସୁଥିଲା
ଗଡ଼ିଆରେ,
ସମୁଦ୍ରରେ
ଶହ ଶହ, ହଜାର ହଜାର ଶବଙ୍କ ଭିତରେ

ସେଠି ଚିଠିଟେ ନ ଥିଲା, କି ବିଷ ଶିଶି
ବେକରେ ଦଉଡ଼ି ନଥିଲା କି
ହୃଦୟରେ ଛୁରୀଟେ
ତୋ ନିଶ୍ଵାସ ବନ୍ଦ ହୋଇ ନଥିଲା
ଅସ୍ଥିର ଭାବେ ବହୁଥିଲା, ପିଟି ହେଉଥିଲା
ବଞ୍ଚିଥିବା ଦେହମାନଙ୍କରେ
ଓଦା ଓଦା ତତଲା ନିଶ୍ୱାସ

କାନ ଡ଼େରିଲେ,
ତୋ ହୃଦୟର ଶବ୍ଦ ଶୁଭୁଥିଲା
ଦେବାଳୟ ଘଣ୍ଟି ପରି
କେତେ କଥା କହିବାକୁ ଥିଲା ସେଠି
ତୋ ଅକୁହା ବେଦନାର ସ୍ଵର
ଛୁଇଁ ଛୁଇଁ ଯାଉଥିଲା, ସିନା
ବୁଝି ହେଉନଥିଲା

ତୋ ସଂସାର ଖୋଜୁଥିଲା ତୋତେ
ତୋ ଘରେ, ତୋ ନିଜ ଲୋକଙ୍କ ମେଳରେ
ଅବୁଝା, ଅସ୍ଥିର ମନରେ, ବିକଳରେ
ଚାରିଆଡ଼େ, ଶୂନ୍ୟ ଜୀବନରେ

ନିଜକୁ ବୁଝେଇ ହେଉ ନଥିଲା
ବିଶ୍ଵାସ ହେଉନଥିଲା
ଓଷା ଉଝେଇବା ପରି
ତୁ ନିଜେ ଉଝେଇ ଦେଇଛୁ ନିଜକୁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top