କବିତା

ଆତ୍ମକାହାଣୀ

Navajyoti Rai's odia poem Aatmakaahaani

ପବନର ଆବଶ୍ୟକତା
ଆକାଶର ବ୍ୟାପ୍ତି
ସାଗରର ଗଭୀରତା
ମାଟିର ସହନଶୀଳତା
ଓ ଅଗ୍ନିର ତେଜ ମୁଁ ।

ଆତ୍ମକାହାଣୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୁଁ ପ୍ରକୃତି, ସୃଷ୍ଟି, ଧରିତ୍ରୀ
ଈଶ୍ୱର ଅଭିପ୍ରେତ
ଧରିବାକୁ ଧରା ।

ପବନର ଆବଶ୍ୟକତା
ଆକାଶର ବ୍ୟାପ୍ତି
ସାଗରର ଗଭୀରତା
ମାଟିର ସହନଶୀଳତା
ଓ ଅଗ୍ନିର ତେଜ ମୁଁ ।

ମୁଁ ହିଁ ରଙ୍ଗ ମାଖେ
ସାରା ସଂସାରରେ
ମୋ ପ୍ରେମର ରଙ୍ଗରେ ।

କେତେବେଳେ ଗର୍ଭ ଯନ୍ତ୍ରଣା ସହେ
ଜନ୍ମ ଦିଏ ତାକୁ
କେବେ ତା’ ବାଳୁତପଣର ଦୁଷ୍ଟାମିକୁ
ଫ୍ରକ୍ କୁଞ୍ଚରେ ଲୁଚେଇ ହୁଏ ଭଉଣୀ
ତା’ ଆଖିରେ ମାଖିଦିଏ
ସ୍ୱପ୍ନର ଅଞ୍ଜନ
ଛାତିରେ ଶୁଭେ ହୋଇ
ମଧୁର ଗୁଞ୍ଜନ
ମୁଁ ଯେବେ
ପ୍ରେମିକା ହୁଏ ।

ତା’ର ସବୁ ଅଭାବ ମେଣ୍ଟାଏ
ସହଧର୍ମିଣୀ ହୋଇ
ବନ୍ଧୁଟିଏ ହୋଇ
ତା’ ହାତ ଧରି ଚାଲେ
ପାରି କରିଦେବାକୁ କଣ୍ଟକିତ
ଓ ବନ୍ଧୁର ରାସ୍ତା ।

ହେଲେ ମୋ କାହାଣୀ
ସରେନି ଏଠି ।

ସବୁବେଳେ ମୁଁ
ଅପେକ୍ଷାରେ ଥାଏ
କେବେ ସେ ମୋତେ
ଠେଲିଦେବ
ଶୃଙ୍ଗରୁ ଭୂମିକୁ
କେବେ ମୋତେ
ଲଗେଇବ ବାଜିରେ
କେବେ ମୋ ପବିତ୍ରତାର
ପରୀକ୍ଷା ନେବ
ଲେଲିହାନ ଅଗ୍ନିରେ
କେବେ ମୋତେ ସଜେଇବ
ଲକ୍ଷ୍ୟହୀରା କି ଅମ୍ରାପଲ୍ଲୀ କରି
କେବେ ମୋତେ
ଜନ୍ମ ହେଲା କ୍ଷଣି ମାରିବ
ତ କେବେ ମାରିବ
ଅନର କିଲିଂରେ
କେବେ ମୋତେ ପୂଜିବ
ଦେବୀ କରି
ତ କେବେ ବଳି ଚଢ଼େଇବ
କାମନାର ଅଗ୍ନିରେ
ଆଉ କେବେ କହିବ
ନର୍କର ଦ୍ୱାର
ଅବା ସ୍ୱର୍ଗର ଠିକଣା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top