ଶୁଭୁନଥିଲା ମନ୍ଦିର ଆଳତୀ..!
ଘଂଟି ଘଂଟାର କାନତାବ୍ଦା ଶବ୍ଦ..
ଚାହିଁଥିଲା ଗୋଟେ ଛବିକୁ..
ପରଖୁଥିଲା ଅନୁଭବର ଦୋଛକିରେ
ମନ ଯେବେ ବାରବାର ଭାଙ୍ଗୁଥାଏ,
ଯୋଡିବାର ଲାଳସାରେ ନିଜକୁ ନିଜେ
ପରାସ୍ତ କରିବାକୁ ହେଉଥାଏ ।
ନିନ୍ଦୁଥିଲା ସେ ଅଭିଶପ୍ତ ବେଳାକୁ, ନିର୍ଲ୍ଲଜ ଆଖିକୁ..!
ନିଜକୁ ହଜାଇ ଦେବାର ଦୁଃଖକୁ
ଛାତିତଳେ ଯାତନାର କୁମ୍ଭକୁ ଜାକିଧରି
ଖୁସିର ଛଳନା ଢେର୍ ହୋଇଗଲା !
ନିଜକୁ ଭଣ୍ଡେଇ ପଚାରୁଥିଲା
ଫେରିଆସନ୍ତାନି ସେ ଅତୀତ ଯେଉଁଠି
ସମୟଟା ମୁହଁ ଜାକି ଶୋଇଯାଉଥିଲା
ପରାଜିତ ହୋଇ !
ରାତିର ଆଲୋକ ଲାଗୁଥିଲା
ଦିନଠାରୁ ବି ଉଜ୍ଜଳତର !
ମାଟି ଛୁଇଁଲେ ସୁନା ପାଲଟୁଥିଲା !
ସେ ନିଆରା ଅନୁଭବର ରଙ୍ଗ ମନକୁ
ଗୋଟାପଣେ କବଳିତ କରିସାରିଥିଲା !
ଯୋଉଠୁ ଆଉ ଫେରିବାର ରାହା ନଥିଲା
କି ବଂଚିବାର ସୂତ୍ର !
ତେବେ ବି ହଜାଇଦେବାର ଭୟରେ..
କୁହୁଳୁଥିବା ମନକୁ ବୁଝାଇବାକୁ ପଡୁଥିଲା
ଜୀବନର ଅନ୍ୟନାମ ପରିବର୍ତନ !
