ହେ ମହାତ୍ମା. . .
ଅହିଂସାର ମଞ୍ଜି ବୁଣି
ଯେଉଁ ମାଟିରେ ଫଳାଇଥିଲ
ସ୍ୱାଧୀନତାର ଶ୍ୟାମଳ ଶସ୍ୟ,
ସେ ମାଟି ଆଜି ପାଲଟି ଯାଇଛି
ଦେଶଦ୍ରୋହୀ, ଜାତିଦ୍ରୋହୀ
ଜଲ୍ଲାଦଙ୍କ ହିଂସାର ଅମରାବତୀ ।
ସତ୍ୟର ମଙ୍ଗ ଧରି
ଯେଉଁ ମାଟିରେ ଫୁଙ୍କି ଦେଇଥିଲ
ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ମନ୍ତ୍ର,
ସେ ମାଟି ଆଜି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ
ଆଉ ଉଚ୍ଚନୀଚ, ଛୁଆଁ ଅଛୁଆଁର ଭେଦଭାବରେ
ଅହରହ ଶଙ୍କିତ, ସନ୍ତାପିତ ଓ ରକ୍ତରଞ୍ଜିତ ।
ଶାନ୍ତି, ମୈତ୍ରୀ, ପ୍ରେମ ଆଉ ମାନବତାର
ମହୁ ପିଇ ତମେ, ଯେଉଁ ମାଟିରେ
କରିଥିଲ ପଣ, ଥାପିବାକୁ
ତୁମ ଈପ୍ସିତ ସ୍ୱପ୍ନର ରାମରାଜ୍ୟ
ଧରାଇବାକୁ ଗ୍ରାମ ସ୍ୱରାଜର
ଗଣସମ୍ୱିଧାନ, ସେ ମାଟି ଆଜି ଦୁର୍ନୀତି,
ଜୁଆଚୋରି, ଶୋଷଣ, ଧର୍ଷଣ ଓ ଭ୍ରଷ୍ଟାଚାରର
ମହାସୁନାମିରେ କୂଳକିନାରା ହରାଇ
ତୋଳୁଅଛି, ଦେଶ ବିଦେଶରେ
କଳା କୁବେରଙ୍କ କଳାକାରନାମାରେ
ଅସତ୍ୟ ସହର ।
ଅହିଂସାର ଦୁନ୍ଦୁଭି ବଜାଇ, ଯେଉଁ ମାଟିରୁ
ବିନା ଯୁଦ୍ଧେ ଘଉଡ଼ାଇ ଦେଉଥିଲ
ଗୋରା ଫିରିଙ୍ଗୀ ଦଳ, ସେ ମାଟିରେ
ଆଜି ଶୁଭୁଅଛି, ଦଳ ଦଳ ପଲ ପଲ
ଦେଶୀ-ବିଦେଶୀ ପୁଞ୍ଜିବାଦୀ ଆଉ
ଶିଳ୍ପପତିଙ୍କ ଗର୍ଜ୍ଜନ ତର୍ଜ୍ଜନର ତୀବ୍ର ଭୂକମ୍ପନ ।
ରାତାରାତି ଗଢ଼ିବାକୁ ଖଟିଖିଆ, ଦିନମଜୁରିଆଙ୍କ
ସାତପୁରୁଷର ଭିଟାମାଟି ପରେ
ଶିଳ୍ପର ଅଳକାପୁର, ଆଉ ପ୍ରଗତିର
ମଖମଲ୍ଲୀ ଶେଯରେ ମଧୁଶଯ୍ୟା କରି
ଲୁଟିବାକୁ ଆମ ରତ୍ନଗର୍ଭା ମାଟିରୁ
ଖଣି, ଖାଦାନ, ଜଳ, ଜମି, ଜଙ୍ଗଲ, ମୀନ ଓ ପାନ ।