ବିଂଶ ବର୍ଷ ତଳେ ଗଉଣୀଏ ଧାନେ
ମିଲୁଥିଲା ଦିନେ ମୂଲିଆଟିଏ
ବଢ଼ି ଭୋରରୁ ମୁହଁ ସଞ୍ଜଯାଏ
ଖଟୁଥିଲା କ୍ଷେତେ ସଙ୍ଗରେ ସିଏ ।
ତିରିଶ ଟଙ୍କାରୁ ମଜୁରୀ ବଢ଼ିଣ
ଧରିଲାଣି ଏବେ ତିନିଶ ଟଙ୍କା
ଠକିବ ବୋଲି ସେ ଚାଷୀ ବାପୁଡ଼ାକୁ
କାମ ଭିତରେ ବି ମାରୁଛି ଥକ୍କା ।
ସାର ଅଉଷଧ କିରୋସିନ ସହ
ଡିଜେଲ ହେଲାଣି କେତେ ମହଙ୍ଗା
ଚାଷୀ ଧାନ ହୁଏ ଅଭାବି ବିକ୍ରି
ବେକରେ ତାହାର ଲାଗିଛି ପଘା ।
ଏକ ଏକରରୁ ଅମଳ ଯେତିକି
ଖରଚ ଯାଉଛି ତା’ଠାରୁ ବେଶି
ଦୁର୍ବିପାକେ ଗଲେ ଫସଲ ଉଜୁଡ଼ି
ଦୁଃଖ ଦୁର୍ଦ୍ଦିନରେ ହେଉଛି ପେଷି ।
ସବ୍ସିଡ଼ି ଯାହା ନାମକୁ ମାତର
କର୍ମୀ ନିଅନ୍ତି କୌଶଳ କରି
ପାଣି ପଞ୍ଚାୟତ କହିଲେ ନସରେ
ଚାଷେ ରାଜନୀତି ଗଲାଣି ଭରି ।
କୃଷକକୁ କରି କୋଶିଳା ପଟାଳି
ପ୍ରତିଦିନ କିଛି ଖାଇବେ ଖୁଣ୍ଟି
ଚାଷୀଙ୍କ ସମସ୍ୟା ସମାଧାନ ପାଇଁ
ଥାଏ ଖାଲି ନେତା ଭାଷଣେ ଫୁଟି ।
ତମରି ହୁକୁମ ଆଉ ମାନିବୁନି
ଆସୁଛି ଆସୁଛି ସେଦିନ ଫେରି
ସାବଧାନ ହୁଅ ସ୍ୱେଚ୍ଛାଚାରୀମାନେ
ବେଳ ଥାଉଁ ଥାଉଁ ନ କରି ଡେରି ।