ଗଛର ଶୁଖିଲା ଡେମ୍ଫରୁ
ଗଙ୍ଗଶିଉଳି ଖସିପଡ଼ିଲା ପରି
କେଉଁ ଏକ ଆକସ୍ମିକ ବିସ୍ଫୋରଣରେ
ସୂର୍ଯ୍ୟଙ୍କ ଜ୍ୱଳନ୍ତ ଦେହରୁ
ବିଚ୍ଛିନ୍ନ ହେବା ଦିନଠୁଁ
ଅନ୍ତଃଚକ୍ଷୁ ଖୋଲି, ଦେଖିଚି ପୃଥିବୀ;
ଅଲଘଂନୀୟ ସମୟର ସୁଅରେ
କିପରି ବଦଳିଗଲା,
ତା’ର କ୍ରମବିବର୍ତ୍ତିତ ବିଦଗ୍ଧ ବିଗ୍ରହ !
ଦେଖିଛି : ତା’ର ଶ୍ୟାମଳ ପ୍ରକୃତିର
ହରିତ୍ ଡାଳରେ ଆପେ ଆପେ
କିପରି ପ୍ରସ୍ପୁଟିତ ହୋଇଗଲା
ପଞ୍ଚଭୂତରେ ଗଢ଼ା,
ଜୀବନ କୁସୁମରେ ମହାର୍ଘ ଉପହାର ।
ମହାଶୂନ୍ୟତାର ପିଠିପରେ ବସି
ଅମାନିଆ ସମୟର ତୀକ୍ଷ୍ଣ ଆଡ଼କୁ
ପରକ୍ଷୁ ପରକ୍ଷୁ ଅନାୟାସେ…
କେମିତି ସୃଷ୍ଟି ହୋଇଗଲା;
ମାଟି, ପାଣି, ପବନ, ନଦନଦୀ, ସମୁଦ୍ର,
ପାହାଡ଼ ପର୍ବତ ଆଉ ଜୀବଜଗତ
ପୁଣି ସର୍ବଶେଷରେ; କେମିତି ପ୍ରତୀୟମାନ ହେଲା,
ମହାବିସ୍ମୟର ଶ୍ରେଷ୍ଠ ଜୀବ ; ମଣିଷ ।
ଜୀବନର ଆଦ୍ୟ ଭୂଇଁପରେ
ଜିଇଁବାର ପାଦ ଥାପୁ ଥାପୁ
ମଣିଷ କ’ଣ ସେତେବେଳେ ଜାଣିଥିଲା ;
ଈଶ୍ୱର କ’ଣ ? ଦେବ – ଦାନବ କ’ଣ ?
ଦାସ-ଦସ୍ୟୁ କ’ଣ ? ଆର୍ଯ୍ୟ-ଅନାର୍ଯ୍ୟ କ’ଣ,
ଆଉ ଧର୍ମ-ଅଧର୍ମ ପୁଣି ଜାତି -ଅଜାତି କ’ଣ ??
ସେ’ କେବଳ ଜାଣିଥିଲା ;
ସାମୟାଭାବର ପୃଷ୍ଠ ଭୂଇଁପରେ
ଆଦିମ ଐକ୍ୟର ସାମଗାନ କରି
କିପରି ସୃଷ୍ଟି କରାଯାଇ ପାରେ
ବିଶ୍ୱ ମାନବତାର ସମ୍ମୋହନୀ ମନ୍ତ୍ର ।
ଜୀବନର ବୋଝ ବୋହି ବୋହି
ସମୟର ଶିଡ଼ି ଚଢ଼ୁଥିବା ବେଳେ
ନା’ ଥିଲା ତାର, ହିଂସା, ଦ୍ୱେଷ,
ଲୋଭ, ଲାଳସା, ଅସୂୟା ଅବା ସ୍ୱାର୍ଥପରତା
ନା’ ଥିଲା , ସମ୍ପଦ ଲଭିବାର ଦିବା ସ୍ୱପ୍ନରେ
ମସଗୁଲ୍ ହୋଇ, ସଂସ୍କାର ନାମରେ
ବୈଷମ୍ୟର ବିଷ ମଞ୍ଜି ବୁଣି,
ଭେଦାଭେଦର ଅଭେଦ୍ୟ ପାଚେରି ଗଢ଼ିବାର
ଅଦମ୍ୟ ପିପାସା !
ପୃଥିବୀର କେଉଁ ଏକ ଭୌଗୋଳିକ ବାତାବରଣରୁ
ଜନ୍ମ ନେଇ କିଛି ଶ୍ଵେତାଙ୍ଗ ବର୍ବର, ଦୁର୍ଦ୍ଧର୍ଷ ମଣିଷ ;
ଗ୍ରହ, ଉପଗ୍ରହ , ନକ୍ଷତ୍ର ଆଉ ପାଣି , ପବନ ନାମରେ
ନିଜକୁ ନାମିତ କରି ବନିଗଲେ …
ଗୋଟେ ଗୋଟେ ମନଗଢା
କେଉଁ କଳ୍ପିତ ଦେବୀ, ଦେବତା ,
ବର୍ଣ୍ଣାଶ୍ରମ ଧର୍ମର ଲଗାମ ଧରି
କେଉଁ ବିଶ୍ୱାସର ଜପ, ତପ ଆଉ ଯଜ୍ଞର ଆହୁତିରେ
ବଶୀଭୂତ କରି ଭଗ୍ନ କରିଦେଲେ
ଆଦିମ ଐକ୍ୟର ସାମଗାନରେ ପ୍ରତିଷ୍ଠିତ
ସାମ୍ୟବାଦର ବିଶ୍ଵରୂପ !!