କବିତା

ବ୍ରହ୍ମବାଦିନୀ

Pradipta Sundar Moharana's odia poem Brahmabadinee

ମମତା ମୋ ଆଭୂଷଣ, ସ୍ନେହ ମୋ ଅସ୍ମିତା
ହିରଣ୍ୟରେ ଢାଙ୍କି, ତାତ ସଜାଇଲେ ମୋତେ ବନିତା ?

ବ୍ରହ୍ମବାଦିନୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆର୍ଯ୍ୟ କୁଳେ ଜନ୍ମି ମୁହିଁ, ସେବିଲି ଯେବେ ଗୋମାତା
ଗୃହସ୍ଥାଶ୍ରମେ ଆର୍ଯ୍ୟ ଭଣିଲେ ମୋତେ ଦୁହିତା
କହିଲେ ଜନେ
“ତୁମେ ଦୁହିତା, ଦୁଇ କୁଳକୁ ହିତା ”

ହିତ ସାଧି ପରସି ଅନ୍ନ ଆଜି ଚିତ୍ତ ମୋ ପ୍ରସନ୍ନ ,
ମାତ୍ର ଶରୀର ଅବସନ୍ନ
ଆଲୋଡ଼ିତ ମନେ କିଛି ପ୍ରଶ୍ନ
ଦୁହିତାର ମମତାରେ, ନାହିଁ କିବା ବିରତିର ପ୍ରୟୋଜନ?
କହିଲେ ଜନେ,
“ମାତ ତୁମେ, ମମତା ହିଁ ତୁମ ଆଭୂଷଣ”

ମମତା ମୋ ଆଭୂଷଣ, ସ୍ନେହ ମୋ ଅସ୍ମିତା
ହିରଣ୍ୟରେ ଢାଙ୍କି, ତାତ ସଜାଇଲେ ମୋତେ ବନିତା ?
କହିଲେ ଜନେ,
“କାମାର୍ଥରେ ହିରଣ୍ୟ ଯୌବନର ପ୍ରୟୋଜନ
ଆର୍ଯ୍ୟପୁତ୍ରେ ବଂଶ ପ୍ରୟୋଜନ,
ହେଲେ ରଜୋଧର୍ମେ ତୁମେ ତ ପତିତା ”

ପତିତା ମୁଁ ପଞ୍ଚଦିବା ଧରି, ନିଶି ନିଶି ଯଉବନ ସାଜେ ମୋର ଅରି
କ୍ଷୁଧାର୍ତ୍ତ ଆତ୍ମୀୟର କ୍ଷୁଧା,
ଆତ୍ମା ଭୁଲି ଦେହ ଧର୍ଷଣର ବ୍ୟଥା
ଆଖିର ଲୋତକ ଧାରେ କିଛି ଶବ୍ଦହୀନ କଥା
ଯଦି ନିର୍ବାକ ସଦ୍ୟବଧୂ ତୁମ୍ଭ କୂଳର ମର୍ଯ୍ୟାଦା,
ତେବେ, ମନ୍ଦିରେ କାଳୀ, ବାଣୀ ଦୁର୍ଗାରାଧନାର ଏ କି ପ୍ରହସନ?

ଓଃ, ବୋଧେ ଏପରି ବୋଲି କି ପାରିବି?
ମନ୍ଦିରେ ଶକ୍ତିରୂପା ଦେବୀ, ମୁଁ କେବଳ ଛାର ମାନବୀ
ନ ଥିବେ ସେ ନିଶ୍ଚେ ରଜସ୍ଵଳା,
ଶସ୍ତ୍ର ଧରି ନୁହନ୍ତି ଅବଳା
ବେଦହସ୍ତା ସରସ୍ବତୀ,
ଲକ୍ଷ୍ମୀ ଜଗତଜ୍ଞାନେ ପ୍ରମିଳା

ପାଏନା ଦେବାଳୟେ ରମ୍ଭା, ଉର୍ବଶୀ, ଅପସରାଗଣ
ଅତଏବ, ଦେହ ମୋ’ର ସାମଗ୍ରୀ ବ୍ୟସନର

ପାଏନା ମୂର୍ତ୍ତି ବିସର୍ଜନେ, ଦେହେ ରୌପ୍ୟ ସ୍ବର୍ଣ୍ଣ ଆଭୂଷଣ
ଅତଏବ, ହିରଣ୍ୟ ମୋ’ର ସାମଗ୍ରୀ ଲୋଭନର

ଗ୍ରାମହିତେ ଗ୍ରାମପା, କୂଳହିତେ କୂଳପା, ଗୃହ ହିତେ ଗୃହପା
ତେବେ କେଉଁ ଦୁଇ କୁଳ ହିତେ ମୁଁ ଦୁହିତା,
ହିତୋପଦେଶ ହିତ ସାଧେ, ତାହା ପାଇଁ ଯିଏ ଗ୍ରହୀତା
ଲୋଡ଼ ନାହିଁ ମୋର ଉପଦେଶ ତୁମପାଇଁ ମୁଁ ପ୍ରେମଲଳିତା
ଅତଏବ,
ଉପାଧି ଏ ମୋର ପ୍ରବଞ୍ଚନା ସନ୍ତୁଷ୍ଟିକରଣର

ତେବେ ତ୍ୟାଗିବି ମୁଁ ଏ ପ୍ରବଞ୍ଚନା, ଖୋଜିବି ମୁଁ ଜ୍ଞାନ ଊର୍ଜନା
ପ୍ରଜ୍ଜ୍ୱଳିତା ହେବି ସାବିତ୍ରୀ ସମ ମୁହିଁ
ସତ୍ୟାନ୍ଵେଷୀ,ସତ୍ୟନିଷ୍ଟ, ହେବି ବ୍ରହ୍ମବାଦିନୀ,
ନାହିଁ ମାୟା କାମନା, ନାହିଁ ମାୟା କାମନା
ବ୍ରହ୍ମ ଦେହ ମଧ୍ୟେ ମୋ’ର, ବ୍ରହ୍ମବାଦିନୀ ମୁଁ,
ମୁହିଁ ଜ୍ଞାନ ଊର୍ଜନା

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top