କବିତା

ଗୁମ୍‌ଖାଏ ମାଟି

Nrushingha Tarai's odia poem Gum Khaae Maati

ଅଳସ ଭାଙ୍ଗୁଚି
ଟୋପେ ନାଲି ଚା’ ।

ଗୁମ୍‌ଖାଏ ମାଟି

ସକାଳର ସବୁ ସୂର୍ଯ୍ୟଙ୍କୁ ପଚାର
ରାତିର ସବୁ ଜ୍ୟୋସ୍ନାଙ୍କ ସହ
ସଲା ସୁତୁରା ହୁଅ
ପଚାର ଆଖ ପାଖ ଆକାଶ
ଓ ପରିଚିତ ରଙ୍ଗ ମାନଙ୍କୁ
ବରଗଛ ବୁଢ଼ା ଓହଳକୁ
ତାଙ୍କ ହାଲଚାଲ ।

ଶିମିଳି ଗଛରେ
ଗୁମ୍ ମାରି ବସିଚି
ଗୋଟେ ପେଚା,
ତୋଟାରେ ଝୁଲନ୍ତା ମହୁଫେଣା
ମଝି ନଈରେ ଗୋଟେ ନୌକା ।

ଦାଣ୍ଡ ପିଣ୍ଡାରେ ବାଇଁଛା
ଅଫିସ ଦୁଆରେ ଚକରା
ଗାଁ ମୁଣ୍ଡ ଚଉତରାରେ ଗୁମ୍ ଖାଇ ବସିଚି ସନା ।
ଅଳସ ଭାଙ୍ଗୁଚି
ଟୋପେ ନାଲି ଚା’ ।

ମାଟି ବସିଚି କେବେଠୁ . . .
ଆକାଶ ଆହୁରି ଆଗରୁ
ଗୁମ୍ସୁମ୍,
ଘର ବାହାର
ବଣ ଜଙ୍ଗଲରେ
ଝୁଲେଇ ଦେଇ ତା ହାତପାଦ
ଅବଶ ଆଖି ଦି’ଟା
ଓ ଦେହ ।

ନରି ନିତେଇ କଥା ଛାଡ଼
ନିଇତି ମରୁଥିବା ମଣିଷଟିର
କ’ଣ ଥାଏ
ଆଜି କାଲିରେ ଫରକ
ଅନ୍ଧାରରେ ଚାଲିବା କି
ଆଲୁଅରେ ସ୍ୱପ୍ନ ଦେଖିବାର ମହତ୍ୱ ?

ଚଉହଦୀରେ
ଛାତି ମେଲେଇ ପଡ଼ିଥିବା ଦିଗ୍‌ବଳୟ
କାତି ଛାଡ଼ିଥିବା ରାତି
ଉଦାସ ଲାଗୁଥିବା ମନ
ଅପ୍ରସନ୍ନ ହୃଦୟ ଓ ଆହୁରି ଅନେକ ମଣିଷ . . .
ସବୁଠି କା’ ଭାରି ପାଦର ଶବ୍ଦ
ଗୁମସୁମ ମନ
ଗୁମସୁମ ଆକାଶ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top