ପ୍ରବନ୍ଧ

ସରକାରୀ ସ୍କୁଲରେ ପାଠ ପଢି ଆମେ କେତେ ଗର୍ବିତ !

Prasanta Kumar Behera's odia prose Sarakaari Schoolre Paatha Padhi Aame Kete Garbita

ମୁଁ ପଢିଥିବା ସରକାରୀ ସ୍କୁଲରେ ମୋ ପୁଅ ବି ପଢିଛି, ନାତି ନାତୁଣୀ ବି ପଢୁଛନ୍ତି , ଏମିତି ହେଲେ ବୋଧେ ଆମ ଗର୍ବଟା ବହୁଗୁଣିତ ହୋଇଯିବା ସହିତ ସରକାରୀ ସ୍କୁଲମାନଙ୍କର ଏ ସଂକଟଜନକ ଅବସ୍ଥାର ପରିବର୍ତ୍ତନ ସମ୍ଭବ ହେବ ।

ଏଇ ନିକଟରେ କରୋନା ପ୍ରକୋପରୁ ମାଟ୍ରିକ୍ ପରୀକ୍ଷା କରା ନ ଯାଇ କିଛି ସୁଚିନ୍ତିତ ବ୍ୟବସ୍ଥା ମଧ୍ୟମରେ ଫଳ ପ୍ରକାଶ କରାଗଲା । ଫଳ ପ୍ରକାଶ ପାଇବା ପରେ ପରେ ବହୁତ ଛାତ୍ରଛାତ୍ରୀ ସେଇ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍ଟକୁ ନେଇ ଖୁସି ହୋଇଥିବା ବେଳେ ଆଉ କିଛି ଆଶାନୁରୂପ ରେଜଲ୍ଟ ନପାଇ ମନ ଉଣାକରି ପଢୁଥିବା ସ୍କୁଲ୍ ସାମ୍ନାରେ ହେଉ କିମ୍ୱା ମାଧ୍ୟମିକ ବୋର୍ଡ ସମ୍ମୁଖରେ ପରିବାର ପରିଜନଙ୍କୁ ସାଥିରେ ଧରି ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ୍ ମିଡ଼ିଆ ସାମ୍ନାରେ ତାଙ୍କ ମନରେ ଥିବା କ୍ଷୋଭକୁ ପ୍ରକାଶ କରିପକାଇଲେ ।

ଏକଥା ଆମେ ସମସ୍ତେ ସ୍ୱୀକାର କରିବେ ଯେ, ଆମ ମନ ଭିତରେ, ଚିନ୍ତା ଚେତନାରେ ବହୁ ସମୟରେ ବହୁକଥା ଆସେ , ସେ ସବୁ ଭିତରୁ ବହୁ ତଉଲା ତଉଲି କରିସାରି କ’ଣ କହିଲେ ଠିକ୍ ହେବ, ସେଇଟାକୁ ହିଁ ଆମେ ମୁହଁରେ ଭାଷାଦେଇ ସର୍ବଜନୀନ କରିଥାଉ । କେଉଁ କଥା କହିଲେ ଲୋକ ଭୁଲ୍ ବୁଝିବେ ବା ପ୍ରକାଶ କରିବା ଠିକ୍ ହେବନାହିଁ ସେମିତି ସବୁ ଭାବନା ଆମ ମନ ଭିତରେ ଅହରହ ଖେଳ ଖେଳୁଥାଏ ।

ପରୀକ୍ଷା ଫଳକୁ ନେଇ ଖୁବ୍ ଅସନ୍ତୁଷ୍ଟ ଥିବା ଝିଅଟେ ନିଜର ହିତାହିତ ଜ୍ଞାନ ଭୁଲି କହୁ କହୁ ବହୁତ କଥା କହିପକାଇବା ସହିତ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କୁ ଆକ୍ଷେପ କରି କିଛି ଅରୁଚିକର ମନ୍ତବ୍ୟ ଦେବାଦ୍ୱାରା ଆଜିର ଏହି ସ୍ଲୋଗାନ୍ “ମୁଁ ସରକାରୀ ସ୍କୁଲରେ ପଢି ଗର୍ବିତ” ସାମ୍ନାକୁ ଫୁଲ୍ ଦମ୍‌ରେ ଆସିଛି । ଏକଥା ନିଶ୍ଚିନ୍ତ ଯେ, ଝିଅଟି ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କୁ ସେମିତି ସବୁ ଆକ୍ଷେପ କରି ସର୍ବସମ୍ମୁଖରେ ମତ ପ୍ରକାଶ କରିବା ନିହାତି ଭୁଲ୍ କରିଛି । ଆଉ ସେଥି ପାଇଁ ବି ଏବେ ସାରା ଓଡ଼ିଶାରେ ଟ୍ରୋଲ୍‌ର ଶିକାର ହେଉଛି । ତେବେ ସେ କହିଥିବା କଥାସବୁ ଇଂରାଜୀ ମିଡିଅମ୍ ଓ ଅନ୍ୟ ବେସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମନ ଭିତରେ ରହିଛି କି ନାହିଁ ତାହାର ସଠିକ୍ ଉତ୍ତର ପାଇବା ନିଶ୍ଚୟ ଖୁବ୍ ଜଟିଳ ବ୍ୟାପାର ।

ବର୍ତ୍ତମାନ ଆସିବା ଏବେ ନଗଦ ନଗଦ ଉଠିଥିବା ସ୍ଲୋଗାନ୍ “ମୁଁ ସରକାରୀ ସ୍କୁଲରେ ପଢି ଗର୍ବିତ” ଉପରେ ଆଲୋକପାତ କରିବା । ଅବଶ୍ୟ ଏକଥାରେ ସମସ୍ତେ ଏକମତ ହେବେ ଯେ, ଜଣେ ପଢିଥିବା ସ୍କୁଲ ଓ କଲେଜକୁ ନେଇ ଗର୍ବକରେ । ଏମିତି ଗର୍ବ କରିବା ଉଚିତ୍ ମଧ୍ୟ । ତେବେ ୩୦ ବର୍ଷତଳେ ଆମ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଥିବା ସରକାରୀ ସ୍କୁଲମାନଙ୍କର ଥିବା ଗୌରବ କାଇଁ ଆଜି ଫିକା ପଡିଯାଇଛି ବୋଲି ସମସ୍ତେ ନିଶ୍ଚୟ ଅନୁଭବ କରୁଥିବେ । ଉଦାହରଣରେ ଏଇ ଲେଖକ ପଞ୍ଚମରୁ ଦଶମ ଶ୍ରେଣୀ ( ୧୯୮୨ ମସିହାରୁ ୧୯୮୬ ) ପର୍ଯ୍ୟନ୍ତ ପଢିଥିବା ସ୍କୁଲ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ଶ୍ରୀକୃଷ୍ଣ ଏକାଡେମୀର ନିଆଯାଇ ପାରେ । ୧୯୮୬ ମସିହାରେ ଦଶମ ଶ୍ରେଣୀରେ ୬ଟି ସେକ୍ସନ୍ ଥିବାବେଳେ ଗୋଟେ ସେକ୍ସନ୍ ରେ ୫୦ ପିଲା ରହୁଥିବାରୁ ମାଟ୍ରିକ୍ ପରୀକ୍ଷାରେ ପାଖା ପାଖି ୩୦୦ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଉଥିଲେ । କିନ୍ତୁ ଆଜି ଶ୍ରୀକୃଷ୍ଣ ଏକାଡେମୀରେ ପଢୁଥିବା ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ସଂଖ୍ୟା ବୋଧହୁଏ ଦେଢଶହ ହେବ କି ନାହିଁ ସନ୍ଦେହ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ସେଇ ସ୍କୁଲରେ ୩୦ ପିଲା ଫର୍ମ ଫିଲପ୍ କରିଥିବେ କି ସେଇ ସଂଖ୍ୟାଠାରୁ ଆହୁରି କମ୍ ତାହା ମୋତେ ଜଣାନାହିଁ । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଥିବା ଅଧିକାଂଶ ପ୍ରତିଷ୍ଠିତ ବୃହତ୍ ତଥା ଅତୀତରେ ଖୁବ୍ ଗୌରବ ବହନ କରିଥିବା ହାଇସ୍କୁଲ୍ ମାନଙ୍କର ଆଜି ଏଇ ଦଶା ଦେଖିବାକୁ ମିଳିଛି । ଆଉ ଏଥିପାଇଁ ଆମ୍ଭମାନଙ୍କର ସରକାରୀ ସ୍କୁଲ୍‌କୁ ନେଇ ଗଢି ଉଠୁଥିବା ମାନସିକତା ହିଁ ବହୁ ମାତ୍ରାରେ ଦାୟୀ । ଏଠି ପଇସାବାଲା ଲୋକ, ନେତା , ମନ୍ତ୍ରୀ ସମସ୍ତେ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ନହୋଇ ପ୍ରାଇଭେଟ୍ ହସ୍ପିଟଲ୍ ରେ ଆଡ଼ମିଶନ୍ ନେବାକୁ ପ୍ରାୟ ନିଷ୍ପତି ନେଇଥାନ୍ତି । ପ୍ରାୟ ଦେଖାଯାଏ ସରକାରୀ ହସ୍ପିଟଲ୍‌କୁ ସେଇମାନେ ଯାଇଥାନ୍ତି, ଯେଉଁମାନଙ୍କର ଅର୍ଥବଳ ମଜବୁତ୍ ନଥାଏ ଅର୍ଥାତ୍ ଗରିବ ଗୁରୁବା ହିଁ ସେଠି ଚିକିତ୍ସିତ ହୋଇଥାନ୍ତି । ଠିକ୍ ସେଇ ଏକାକଥା ସରକାରୀ ସ୍କୁଲ ମାନଙ୍କ ସହିତ ଘଟୁଛି । ଯେଉଁମାନେ ଧନିକ ଶ୍ରେଣୀର ଲୋକ, ସେମାନେ ତାଙ୍କ ପିଲାଙ୍କୁ ଇଂରାଜୀ ମିଡିୟମ୍ ସ୍କୁଲ ବା ଅନ୍ୟ ପ୍ରଇଭେଟ୍ ସ୍କୁଲରେ ମୋଟା ଅଙ୍କର ଫିସ୍ ଦେଇ ପଢାଉଥିବା ବେଳେ ଗରିବ ଗୁରୁବା ତାଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢାଉଛନ୍ତି , ଯେଉଁଠି ସରକାର ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ଯାହ୍ନ ଭୋଜନଠାରୁ ଆରମ୍ଭକରି ବିଭିନ୍ନ ଯୋଜନାମାନ କରିଚାଲିଛନ୍ତି । ଏତେସବୁ ସତ୍ତ୍ୱେ ମଧ୍ୟ ସେ ସବୁ ସ୍କୁଲମାନଙ୍କ ଅବସ୍ଥାରେ କୌଣସି ଆଖିଦୃଷ୍ଟିଆ ପରିବର୍ତ୍ତନ କାଇଁ ପରିଲେଖିତ ହେଉନାହିଁ । ବରଂ ପ୍ରାଇଭେଟ୍ ସ୍କୁଲ ମାନଙ୍କରେ ଅଭିଭାବକମାନେ ନିଜ ପିଲାକୁ ଆଡମିଶନ୍ କରିବାକୁ ଖୁବ୍ ବ୍ୟଗ୍ର ହେଉଛନ୍ତି ।

ଏସବୁ ଭିତରେ ଆଶ୍ଚର୍ଯ୍ୟଜନକ କଥା ହେଉଛି , ଯଦି ଆମକୁ ପଚରାଯାଏ “ତମେ କେଉଁଠି ଚାକିରି କରିବାକୁ ଚାହିଁବ – ପ୍ରାଇଭେଟ୍ ନା ସରକାରୀ ସ୍କୁଲରେ ?” ତେବେ ଏ ପ୍ରଶ୍ନର ଉତ୍ତର ସମସ୍ତଙ୍କର ନିଶ୍ଚୟ ହେବ “ସରକାରୀ ସ୍କୁଲ” । କାରଣ ସେଠି ଚାକିରି ସର୍ତ୍ତାବଳୀ ସହିତ ମୋଟା ଅଙ୍କର ଦରମା ସରକାର ଦେଇଥାନ୍ତି, ଯାହାକି ଅଧିକାଂଶ ପ୍ରାଇଭେଟ୍ ସ୍କୁଲରେ ମିଳେନାହିଁ । କିନ୍ତୁ ଯଦି ପଚରାଯାଏ, ” ତମ ପୁଅ, ଝିଅ, ନାତି ବା ନାତୁଣୀଙ୍କୁ ଏଇ ଦୁଇଟି ସ୍କୁଲ୍ ମଧ୍ୟରୁ କେଉଁଠି ପଢାଇବାକୁ ଉଚିତ୍ ମଣିବ ? ” ତେବେ ସେ ପ୍ରଶ୍ନର ରେଡ୍ଡିମେଡ୍ ଉତ୍ତର ନିଶ୍ଚୟ ହେବ ” ଇଂରାଜୀ ମିଡିଅମ୍ ବା ଅନ୍ୟ ପ୍ରାଇଭେଟ୍ ସ୍କୁଲ ” । ସରକାରୀ ସ୍କୁଲରେ କାହିଁକି ପଢାଇବେ ନାହିଁ ପ୍ରଶ୍ନର ମଧ୍ୟ ଭାଲିଡ୍ କାରଣ ଆମପାଖରେ ସବୁବେଳେ ଉପଲବ୍ଧ । ତାହା ହେଉଛି, ” ସରକାରୀ ସ୍କୁଲରେ ଆମପିଲା ପଢି କାହା ସହିତ କମ୍ପିଟେସନ୍ କରିବ ? ଅଧିକାଂଶ ଭଲପିଲା ତ ଇଂରାଜୀ ମିଡିଅମ୍ ଅଥବା ପ୍ରାଇଭେଟ୍ ସ୍କୁଲରେ ପଢୁଛନ୍ତି । ତେଣୁ ସରକାରୀ ସ୍କୁଲରେ ପଢାଇ ମୋ ପିଲାର ଭବିଷ୍ଯତ କାଇଁ ନଷ୍ଟ କରିବି । ”

ସରକାର ମଧ୍ୟ ସରକାରୀ ସ୍କୁଲମାନଙ୍କର ଏଭଳି ସଂକଟଜନକ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ଅବଗତ ନାହାଁନ୍ତି ଏକଥା ମଧ୍ୟ ଆମେ କହିପାରିବା ନାହିଁ । ଏଇ ନିକଟରେ ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି ଯେ, ମେଡିକାଲ୍ କଲେଜ ମାନଙ୍କରେ କିଛି ସିଟ୍ କେବଳ ସରକାରୀ ସ୍କୁଲରୁ ଆସିଥିବା ପିଲାମାନଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ଆଗକୁ ଯଦି ସ୍କୁଲ ମାନଙ୍କର ସ୍ଥିତିରେ ସୁଧାର ନ ଆସେ ତେବେ ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ସଂରକ୍ଷିତ ବ୍ୟବସ୍ଥା ଲାଗୁ ହେବନି ସେକଥା ମଧ୍ୟ ଆମକୁ ମନେ ରଖିବାକୁ ହେବ ।

ବର୍ତ୍ତମାନ ସରକାରରେ ଅବସ୍ଥିତ ଥିବା ଅଧିକାଂଶ ଅଧିକାରୀ ଯେଉଁମାନେ ୨୦ ବର୍ଷ ପୂର୍ବରୁ ମାଟ୍ରିକ୍ ପାଶ୍ କରିଥିଲେ ସମସ୍ତେ ନିଶ୍ଚିନ୍ତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ହୋଇଥିବେ । କିନ୍ତୁ ପରବର୍ତ୍ତି ପିଢି ଅର୍ଥାତ୍ ନିଜ ପୁଅ ଝିଅଙ୍କୁ କେଉଁଠି ପଢାଇଲେ ବା ପଢାଉଛନ୍ତି ତାହା ହେଉଛି ଅସଲ ପ୍ରଶ୍ନ । ଆମେ ସମସ୍ତେ ଯଦି ସରକାରୀ ସ୍କୁଲରେ ପଢି ଗର୍ବିତ , ତେବେ ଆମ ପୁଅ ଝିଅଙ୍କୁ ସେଠି ପଢାଇଥିଲେ ଆହୁରି ଅଧିକ ଗର୍ବିତ ନିଶ୍ଚୟ ହୋଇଥାନ୍ତେ । ଏ ଲେଖକ ନିଜେ ଗୋଟିଏ ସୁନାମଧନ୍ୟ ତଥା ଐତିହ୍ୟ ସମ୍ପନ୍ନ ସରକାରୀ ହାଇସ୍କୁଲର ଛାତ୍ର ହିସାବରେ ଗର୍ବ ଅନୁଭବ କରୁଥିବା ବେଳେ ନିଜ ପୁଅକୁ ସେଇ ସ୍କୁଲରେ ନ ପଢାଇ ତା’ ପାଖରେ ଗଢିଉଠିଥିବା ଗୋଟେ ପ୍ରାଇଭେଟ୍ ସ୍କୁଲରେ ପଢାଇଥିବାରୁ ସତରେ କାଇଁ ସେଇ ଗର୍ବ ଭାବ ମନ ଭିତରେ କେଉଁଠି ଉଣା ହେଇଯାଉଛି ।

ତେଣୁ ଆଗକୁ ସରକାରୀ ସ୍କୁଲକୁ ନେଇ ଆମ୍ଭମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ନିହାତି ଆବଶ୍ୟକ । ମୁଁ ପଢିଥିବା ସରକାରୀ ସ୍କୁଲରେ ମୋ ପୁଅ ବି ପଢିଛି, ନାତି ନାତୁଣୀ ବି ପଢୁଛନ୍ତି , ଏମିତି ହେଲେ ବୋଧେ ଆମ ଗର୍ବଟା ବହୁଗୁଣିତ ହୋଇଯିବା ସହିତ ସରକାରୀ ସ୍କୁଲମାନଙ୍କର ଏ ସଂକଟଜନକ ଅବସ୍ଥାର ପରିବର୍ତ୍ତନ ସମ୍ଭବ ହେବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top