ଅସୁମାରି ସ୍ୱପ୍ନ ଆଖିରେ ଧରି
ଜେଜେ ବାହାରିଲେ ବଜାର କରି ।
ଗାଁଟା ଯାକ ଭାରି ଅଳିଆ
ସହରଟା କାଳେ ଭାରି ବଢ଼ିଆ ।
ନାକକୁ ଫୁଲେଇ ମୁହଁକୁ ମୋଡ଼ି
କହୁଥିଲା ଆମ ସୁନ୍ଦରୀ ବୁଢ଼ୀ ।
ବୁଢ଼ୀ ମନ ହେଲାଣି ସୁକୁସୁକୁ
ଦୀପାବଳିରେ ଯିବ ନାତି ପାଖକୁ ।
ସକାଳୁ ମତେ କହିଛି ଆଜି
ବଜାରୁ ଆଣିବ ସଉଦା ଭାଜି ।
କାକରା, ଆରିଷା, ମଣ୍ଡା ଗଢ଼ିବ
ମାଛ ସାକରାକୁ ନାନା ଦରବ ।
ନୂଆ ଶାଢ଼ୀ ଆଉ ଧୋତି ସାଙ୍ଗକୁ
ମୁଆଁ ଧରି ଯିବ ପୁଅ ପାଖକୁ ।
ପାନପାଖ ପାଟିରୁ ଲାଳ ଗଡ଼ିପଡୁଛି
ତଥାପି ବୁଢ଼ୀ ଲାଗିପଡ଼ିଛି ।
ରାତି ଯାକ ଆଉ ହଉନି ନିଦ
ଜଗିଛି କେବେ ରାତି ପାହିବ ।
ସଅଳ ଉଠି ହେଲା ତିଆରି
ଚାଲ ଯିବା ଏବେ ଯିବା ସହର
ଆମ ପୁଅର ଘର ।
ବାହାରିଲୁ ଏଥର ଆମେ ବୁଢ଼ାବୁଢ଼ୀ
ପୁଅ ଏଡ଼େବଡ଼ ଘର କରିଛି
ଗାଁରେ କାଇଁ ମୁଁ ପଡ଼ିରହିଛି ।
ଗୁଲୁଗୁଲିଆ ମୋ ନାତି ଟୋକାଟା
ତା’ ସାଙ୍ଗେ ଖେଳି କଟିଯିବ ଦିନଟା ।
ତୁମ କଥା ଏବେ ସେତିକି ଥାଉ
ପୁଅ ଘର ଦାଣ୍ଡ ଚୌକିଦାର
କହିଲା ଏ ଡାକ୍ତର ବାବୁଙ୍କ ଘର ।
ବାହାରୁ ବାହାରୁ ଘଉଡ଼ି ଦେଲା
କହିଲା ବାବୁଙ୍କ ଦୁଆରେ ତାଲା ।
ମୁହଁକୁ ଫୁଲାଇ ଠେଙ୍ଗା ଦେଖେଇ
କହିଲା କୋଉଠୁ ଆସନ୍ତି ଧାଇଁ ।
ମଳି ମୁଣ୍ଡିଆ କଉଠିକାର
ବାପା ମା’ କାଳେ ଆମ ବାବୁଙ୍କର ।
ଆଜି ଯାଏଁ ତମେ ଥେଲ କୋଉଠି
କେବେ ତ ତୁମକୁ ଦେଖିନି ଏଠି ।
ମୋ ବୁଢ଼ୀର ଆଉ ବଳ ପାଉନି
ରାସ୍ତା ଉପରେ ସେ ଟଳିଗଲାଣି ।
ବୁଢ଼ୀ ମୁହଁ ଦେଖିପାରିଲି ନାହିଁ ।
ସଖୀ ଏତେ ସପନକୁ ଆମ ରାତି ନାହିଁ ।
ପୁଅ ବୋହୂ ଘରେ ଚାବି ପକେଇ
ଗଲେଣି ବିଦେଶ ଛୁଟି କଟେଇ ।
ବୁଢ଼ୀର ମୁହଁ ଆଉ ଦିଶୁନି ଭଲ
ଚାଲ ସଖୀ ଏବେ ଗାଁକୁ ଚାଲ ।
କେତେ ନାତି ନାତୁଣି ଆମର
କେତେ ପୁଅ ବୋହୂ ଆମ ଗାଁର ।
ସମସ୍ତଙ୍କ ପାଖକୁ ଚାଲ ଫେରିଯିବା
ପୁଣି ଦିପାବଳୀ ଆମ ଗାଁରେ ପାଳିବା ।
ଟିକେ ହସିଦେ ମୋ ସୁନ୍ଦରୀ ବୁଢ଼ୀ
ପୁଣି ଯିବା ଚାଲ ବଜାର କରି
ଚାଲ ଯିବା ଆମ ଘର ବାହୁଡ଼ି ।।
