ସାଗର ଗର୍ଭରେ ଶାମୁକା ସୁନ୍ଦର
ଶାମୁକା ଭିତରେ ମୋତି ,
ମେଘ ଆକାଶରେ ବିଜୁଳି ସୁନ୍ଦର
ବିଜୁଳି ଦେହରେ ତାତି ।
ଆକାଶ ବକ୍ଷରେ ସୁରୁଯ ସୁନ୍ଦର
ସୁରୁଯେ ସୁନ୍ଦର ଜ୍ୟୋତି,
ଆଈକୁ ସୁନ୍ଦର ପାକୁଆ ପାଟିରେ
ଅଜାଙ୍କ କୋଳରେ ନାତି ।
ମାଆର କୋଳକୁ ଶିଶୁ ତ ସୁନ୍ଦର
ଶିଶୁର ମୁହଁରେ ହସ ,
ଓକିଲ ବାବୁଙ୍କୁ କଳାଜାମା ମାନେ
ପୁଲିସ୍ ବାଲାକୁ ନିଶ ।
ଧରଣୀ କୋଳରେ ଜଙ୍ଗଲ ସୁନ୍ଦର
ଜଙ୍ଗଲରେ ପଶୁ ପକ୍ଷୀ ,
ଘରକୁ ସୁନ୍ଦର ଦିଶଇ ଘରଣୀ
ସଖାକୁ ସୁନ୍ଦର ସଖୀ ।
ଗଛକୁ ସୁନ୍ଦର ନାନା ଫୁଲ ଫଳ
ଫୁଲକୁ ସୁନ୍ଦର ବାସ୍ନା,
ରାତିକୁ ସୁନ୍ଦର ଅନ୍ଧାର ସଜନୀ
ଜହ୍ନକୁ ସୁନ୍ଦର ଜ୍ୟୋସ୍ନା ।
ମଥାରେ ସିନ୍ଦୁର ଲାଗଇ ସୁନ୍ଦର
ହାତକୁ ସୁନ୍ଦର ଚୁଡି ,
ମନ୍ଦିର ଭିତରେ ଠାକୁର ସୁନ୍ଦର
କାନ୍ଥକୁ ସୁନ୍ଦର ଘଡି ।
