କବିତା

ଖୋକା ଭାଇ ତୁମେ ଧୋକା ଦେଲ

Bisweswar Majhi's odia poem Khoka Bhai Tume Dhokaa Dela

“ହାରି ଯାଇଥିବା ଲୋକର କି ଅଛି” ସତେ ଅବା ଆଗୁ ଜାଣି ଗଲ
ସବୁ ସପନକୁ ଅଧା ରଖି ତୁମେ କେଉଁ ଅଭିମାନେ ଚାଲିଗଲ ।

ଖୋକା ଭାଇ ତୁମେ ଧୋକା ଦେଲ

ଚଉତିରିଶର ବାର ଅକ୍ଟୋବର୍ କଟକେ ଛଟକ ଦେଖାଇଲ
ଅଳ୍ପ ଦିନର ଗଳ୍ପ କଥାରେ ସଂଗୀତ ଧାରାରେ ଭିଜାଇଲ ।

ସପନର ପଥେ ପଥେ ତୁମେ ପରା ସାଂଧ୍ୟ ଭ୍ରମଣେ ଯାଉଥିଲ
‘ଯାଯାବର’ ଝିଅ ମନକୁ ସାଁଉଟି କେଉଁ ଛନ୍ଦରେ ନେଉଥିଲ ।

ପଇସାରେ ପାନ କେତେ ଖଣ୍ଡ ବୋଲି ହୁଣ୍ଡି ଝିଅକୁ ପଚାରିଲ
ନଉକାରେ ଭାସି ମହାନଦୀ ତଟେ ଅଭିଆଡି ଝିଅ ମନ ନେଲ ।

ପ୍ରଥମ ପ୍ରେମର ଚଇତିକୁ ନେଇ ଅଭୁଲା ସଂଗୀତ ରଚିଗଲ
‘ସପନ ବଣିକ’ ସପନରେ ‘ଫୁଲ ଚନ୍ଦନ’ ବରଷା କରୁଥିଲ ।

“ହାରି ଯାଇଥିବା ଲୋକର କି ଅଛି” ସତେ ଅବା ଆଗୁ ଜାଣି ଗଲ
ସବୁ ସପନକୁ ଅଧା ରଖି ତୁମେ କେଉଁ ଅଭିମାନେ ଚାଲିଗଲ ।

ସତର ନଭେମ୍ଭର୍ ଶହସ୍ରାବ୍ଦ ଦୁଇ ଚିର ନିଦ୍ରାରେ କି ଶୋଇଗଲ ?
ଖୋକା ଭାଇ ତୁମ ସଂଗୀତ ପ୍ରେମୀଙ୍କୁ ଧୋକା ଦେଇ କାହିଁ ଖସିଗଲ ।

ଓଡିଆ ସିନେ ସଂଗୀତ ଝୁରେ ମଧୁବୋଳା ତୁମ ଗୀତି ଧାରା
ଦଶହରା ଆସେ ଗୁଣ ମୁଗ୍ଧ ଖୋଜେ ଖୋକା ଭାଇ ଦିଅ ନାହିଁ ଧରା ।

ପ୍ରେମିକା ବାଡିର ବିଛୁଆତି ଆଉ ବାଇଡଙ୍କ ନିଏ ନାହିଁ ଟାଣି
“ବିଚିତ୍ର ବର୍ଣ୍ଣା” ଚାହିଁ ବସିଅଛି ଆର୍ଯ୍ୟଦାସର ଲେଉଟାଣି ।

ଫେରି ଆସି ଦେଖ ପୂର୍ଣ ହେଉନି ତୁମେ ଛାଡିଥିବା ଶୂନ୍ୟ ସ୍ଥାନ
ଖୋକା ଭାଇ ତୁମେ ସବୁଜ ସୁନ୍ଦର ଓଡିଆ ପ୍ରାଣର ସଂଜୀବନ ।

ଓଡିଶାର ତୁମେ କିଶୋର କୁମାର ପଞ୍ଚମ ଦା ତୁମେ ମାନ୍ନା ଦେ
ଅକ୍ଷୟ ହୁଅ ଚିର ଅକ୍ଷୟ ଦୁର୍ଗା ମା ଏ ଆଶିଷ ଦେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top