ଜୟ ମା ଖୁଦୁରୁକୁଣୀ ସଙ୍କଟ ନାଶିନୀ
ଦୁଷ୍ଟ ଦୈତ୍ୟ ନାଶ କରି ରଖିଲୁ ଧରଣୀ ।
ଶିଷ୍ଟକୁ ରଖିଣ ମା’ଗୋ ଦୁଷ୍ଟ ବିନାଶିଲୁ
ରକ୍ଷଣୀ ଭକ୍ଷଣୀ ନାମ ତେଣୁ ବୋଲାଇଲୁ ।
ସ୍ଥାବର ଜଙ୍ଗମ କିଟ ପତଂଗ ଯେ ଯେତେ
ତୁମର ଅଙ୍ଗରୁ ଜାତ ହୋଇଲେ ସମସ୍ତେ ।
ଏଥିପାଇଁ ତୋର ନାମ ଅଟଇ ଅରୂପା
ପାଇଲୁ ପରମ ଗତି ଜପିଣ ଅଜପା ।
ଆସ ଆସ ମା ମଙ୍ଗଳା ଏ କୋଠିକୁ ଆସ
ଦୁଃଖି ଜଣ ମାନଙ୍କର ଦୁଃଖକୁ ବିନାଶ ।
ଫୁଲ ସିଂହାସନ ମାଗୋ ଦେଇଛି ସଜ୍ଜାଇ
ଆନନ୍ଦ ଚିତରେ ମାଗୋ ବସ ମହାମାୟୀ ।
କପାଳେ ଚନ୍ଦନ ବିନ୍ଦୁ ମଥାରେ ସିନ୍ଦୁର
ଗଳାରେ ଲମ୍ବାଇଦେବି ମନ୍ଦାରର ହାର ।
ହସ ହସ ବଦନରେ ଵିପଦୁ ରଖିବୁ
ତୋ କାନି ପଣତ ତଳେ ଆଶ୍ରା ଦେଇଥିବୁ ।
ପୂଜା ବିଧି ଅର୍ଚ୍ଚନା ମା ମୋତେ ଜଣ ନାହିଁ
ଆରତ କଣ୍ଠ ରେ ମାଗୋ ଡାକୁ ଅଛି ମୁଁହି ।
ମାଆ ବୋଲି ଡାକିଲେ ମୁଁ ତୋ କର ବଢ଼ାଇ
ପଣତ ତଳରେ ମାଗୋ ରଖିଥିବୁ ନେଇ ।
ଦେଇ ଧୂପ ଦୀପ ମାଗୋ ସିନ୍ଦୁର ଚନ୍ଦନ
ଆକୁଳ ମନରେ ଦୁଃଖ କରୁଛି ଜଣାଣ ।
ଆକୁଳେ ଦୁଃଖ ଜଣାଇ ଥିଲା ତଅପୋଇ
ତାହାର ଦୁଃଖ ବିନାଶ କଲୁ ମାଗୋ ଦୁହି ।
ସେହି ପରି ବିପଦ ରୁ ଖଣ୍ଡନ କରିବୁ
ଭକ୍ତିରେ ଡାକିଲେ ମାଗୋ ସାହା ହେଉଥିବୁ ।
ମା ମଙ୍ଗଳା ତୁହି ଯେ ରୂପ ଖୁଦୁରୁକୁଣୀ
ତୋର ପାଦ ତଳେ ମାଗୋ କରୁଛି ଦଇନି ।
ଗଳାରେ ପିନ୍ଧାଇ ଦେଇ ମନ୍ଦାର ର ହାର
ହାତ ଯୋଡି ପାଦ ତଳେ କରେ ନମସ୍କାର ।
ତୋର ପାଦ ତଳେ ମାଗୋ ପଶୁଛି ଶରଣ
କାରଯୋଡ଼ି ପାଦ ତଳେ କରେ ନିବେଦନ ।