ତୁମେ ଅକଳନ ସୀମାର ସାଗରଟିଏ,
କଣାଟିଏ ହୋଇ କଳିବି କିପରି ତୁମକୁ ଜୀବନେ ହାୟ !
ତୁମ ସିନ୍ଧୁରେ ବିନ୍ଦୁଟି ହୋଇ ରହିବାକୁ ଭଲପାଏ
ସେଇ ମୋ ଗର୍ବ ପ୍ରଭୁ —
ସେଇ ମୋ ଜୀବନେ ମହା ଆନନ୍ଦ ପ୍ରାୟ ।
ତୁମେ କରୁଣାର ବ୍ୟାପ୍ତ ଆକାଶଟିଏ,
ବଉଦଟିଏ ମୁଁ ଭାସୁଅଛି ସତେ ତୁମରି ଅସୀମ କୋଳେ !
ବାହିନିଅ ପ୍ରଭୁ ତୁମରି ବୁକୁରେ କ୍ଷୁଦ୍ର ଏ କାୟା ମୋର,
ତୁମ ଇଚ୍ଛାରେ ବରଷି ଯାଏ ଗୋ ତୁମରି ଏ ଧରା ତଳେ ।
ତୁମେ ଅନୁପମ ସୁଷମାର ଶୋଭା ଅପରୂପା ନିରୁପମା,
ତୁମେ ଗୋ ସତ୍ୟ ଶିବ – ସୁନ୍ଦର ଶାଶ୍ୱତ ମଧୁରିମା,
ସରଗୁ ସାଗର ଯାଏ —
କୃପାମୟ ତୁମେ ବ୍ୟାପ୍ତ କରିଛ ତୁମରି ଅସୀମ ସୀମା ।
ତୁମେ ଜୀବନର ଆଲୋକ – ଦିଶାରୀ ଅନ୍ଧାର ପଥ ପରେ,
ତୁମେ ଘେନିଯାଅ ମୃତ୍ୟୁର ପଥେ ଅମୃତ ଅଭିସାରେ,
ତୁମେ କୃପାନିଧି, କରୁଣା – ବାରିଧି
ସେ କୃପା କଣାଏ ଦିଅ,
ଲୋଡ଼ା ନାହିଁ ମୋର ମଣି – ମାଣିକ୍ୟ ଗୋ ଏ ଜୀବନେ କିଛି ଆଉ,
ଶିଖାଟିଏ ହୋଇ ଅନ୍ତରେ ମୋର ତୁମେ ସଦା ଜଳୁଥାଅ ।