ଅଥୟ ବିଭୋରତାରେ କାଲିପରି ସମୟସବୁ
ନଦୀ ହୋଇ ବହିଗଲା
ଆଶ୍ଚର୍ଯ୍ୟ ଲାଗେ ଆଜିର ପଟ୍ଟଭୂମିରେ
ଗଲାଦିନର ଦୃଶ୍ୟରାଶି ଚିତ୍ରପଟ
ନୀତି-ଅନୀତି, ମୋହ-ସମ୍ପୃକ୍ତିର ଦେହଘଷା
ଘଟଣାବଳୀର ଗପସପ କେତେ ଅର୍ଥପୂର୍ଣ୍ଣ |
ଉଠାଣିର ଗୋଟେ ପର୍ବରେ ସୂର୍ଯ୍ୟ ଦର୍ଶନ
ସୂର୍ଯ୍ୟସ୍ନାନର ପ୍ରତିଟି ମୁହୂର୍ତ ସଫଳ କି
ଅସଫଳ ଆଜି ସମୀକ୍ଷାର ବେଳ
ନିଜକୁ ପଚାରିବାର ସୁବର୍ଣ୍ଣ ମଉକାରେ
ପୁଣି ଗୋଟେ ପର୍ବ ପାଇଁ ପରଦା ପତନ
ଏବେ ଏବେ ଖରା ଲେଉଟୁଛି
କ୍ରମଶଃ ଲମ୍ବୁଥୁବା ଛାଇ ଚେତେଇ ଦେଉଛି
ନିଆଁଚେଙ୍କ ଦେଇ ମରମ ଛୁଲଁ ଛୁଇଁ
ନିଜ ଆଡେ ଚାହାଁ- ଚାହିଁ ଦେଖ ଆଖପାଖ
କେମିତି ଅଛି ହାଲ୍ଚାଲ୍ ।
କିଛି ବି ମଉଳିନି ଗଛପତ୍ର ସମୁଜ୍ଜ୍ଵଳ
ପୂର୍ବଠୁଁ ଅଧିକ ନୂତନ ଆଭାରେ
ରାସ୍ତରେ ଲାଗିଛି ଜନସ୍ରୋତ ମହାଭିଡ଼
ଅଭୀପ୍ସାର କାଉଁରି ସ୍ପର୍ଶରେ ବରଂ
ଆତ୍ମୀୟତା ବେଶି ତନ୍ମୟ ଅଧୀର
ଫେରିବନି ଅଫେରା ନଈର ସୁଅ
ଏଇକଥା କାଳେ ଆଖୁ ଖୋଲିଦିଏ
ଏବେଠୁଁ ଆରମ୍ଭ ପ୍ରସ୍ତୁତିର ଭବ୍ୟ ଅଭିଯାନ ।
ଲୋଭନୀୟ ଲୋହିତ ସୂର୍ଯ୍ୟର ରଶ୍ମି
କାହିଁକି ସଜେଇ ଦେବନି ଆଖର ଅଞ୍ଜନ ଭଳି
ଆକାଶକୁ ଅକପଟ ସର୍ଜନାରେ !
ଅନେକ ହଜିବା ଭିତରେ
ପ୍ରାପ୍ତିର ବି ରାସ୍ତା ଆଗରେ ପଡିଛି
ଟିକେ ଟିକେ ପୁଣ୍ୟର ପୁଞ୍ଜିରେ ଗଢିହେବ
ପୁଣି ଥରେ ସୁଦୀର୍ଘ ଅନୁଭବର ବିଶ୍ଵସ୍ତ ପୂଥବୀ ।
ତାକୁ ବି ରଙ୍ଗେଇ ହେବ
ସମସ୍ତ ସାମର୍ଥ୍ୟ ଦେଇ ଲଳିତ ଆବେଗରେ
ପଥ ଧାରେ ଧାରେ ସମ୍ପ୍ରିତି ସ୍ଵାଗତ ଗୀତି
ଗଛବୃଚ୍ଛ ନିରବ ଶୂନ୍ୟତା ଗାଏ
ଧରିରଖ ସମ୍ପର୍କର ପ୍ରତିରୂପ ପୃଥିବୀକୁ
ଅପଚୟ ଦୁଷ୍କର୍ମରୁ ବଞ୍ଚିବାକୁ ।
ଖରା ଲେଉଟୁଛି ଛାଇ ବି ଲମ୍ବୁଛି
ଛୁଉଁଛି ଧୂଳି ମାଟି ଅସୀମ ଦୂରତା
ଆଶା ବି କମ୍ ନୁହେ ତା’ଠୁ ଅଧିକ ।