ପକ୍ଷୀମାନେ ଆଉ
ଆତ୍ନବିଭୋର ହେଉ ନାହାଁନ୍ତି
ଲେଉଟାଣି ଖରାରେ ଛାଇ
ଯେତିକି ଯେତିକି ଲମ୍ବୁଛି
ବିଭୋରତା ଜାଗାରେ
ଅସ୍ଥିର ଉତ୍କଣ୍ଠାସବୁ ଅଚିହ୍ନା ସମ୍ପର୍କର
ଭିଡ଼ ଭିତରେ ବାଟବଣା ।
ଫେରିବାର ରାସ୍ତା ସଂକ୍ରମିତ
ଅନୁତ୍ସାହିତ ପୁଲକରେ
କଥା ହେବାକୁ ବେଳ କାହିଁ
ଯେ ସମୟ କାଟି ଟିକେ ଛିଡ଼ାହୋଇ ହେବ
ଗଛପତ୍ରଙ୍କ ମୁହଁ ଦେଖବାକୁ
ଆତଯାତ ହେଉଥୁବା ସହଯାତ୍ରୀ ପରିଜନ ଅନ୍ୟମୁହାଁ
ବିକ୍ଷିପ୍ତ ଜଞ୍ଜାଳର ମାୟାଜାଲରେ ଛନ୍ଦି ହେବାକୁ
କେଉଁ ଅନ୍ଧମୁହାଣ ଆଡ଼େ ।
ହାତ ମୁଠାରେ
ବାକିତକ ସମୟକୁ ପାଥେୟ କରି
ଜୀବନ ଜୀଇବାର ଅପଚେଷ୍ଟା
ଆକାଶ ଛୁଇଁଲା ବେଳକୁ
ସବୁ ରାସ୍ତା କ୍ରମେ ବନ୍ଦ ହୋଇ ଆସୁଥାଏ
ଭଙ୍ଗାରୁଜାର ପ୍ରତି ଆରମ୍ଭରେ
ପ୍ରତିଟି ଆୟୁଷ ପତନରେ
ପ୍ରତି ପୁଣ୍ୟର ଅବଶେଷ ଛପିଯାଉଥାଏ
ନିଷ୍ଫଳ ସମୟର ଆଖି ମଳାରେ ।
ମଳଣ ଖରାରେ ଅସ୍ତଷ୍ଟ ଅସଂଖ୍ୟ ମୁହଁ
ଯେଝା ବାଟରେ ଯେଝା ପରିଶ୍ରାନ୍ତ
ଗଡ଼ାଣିରେ ପଛକୁ ଫେରୁନି ଆଖି
ପାଦ ଥମିବା ଆଗରୁ
ଜୀବନଯାକର ସଂକଳ୍ପ, ଅଭିଳାଷ, ଗୁମାନ
ଲୋଟୁଛି ଧୂଳିରେ
ହଜୁଛି ନିଜସ୍ଵପଣ
ତଥାପି ଧରିବାର ଯେଉଁ ଟିକକ ସର୍ବଶେଷ ଆଶା
ତା’ ଭିତରେ ।
ପୂର୍ବବତ୍ ଅଛି ଚତୁଃପାର୍ଶ୍ଵ ସମଷ୍ଟି ମେଖଳା
ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ
ତା’ ମଝିରେ ଉପଲବ୍ଧିର ବିଶ୍ଵସ୍ତ ଅନ୍ଧାର ।
ଏସବୁ ନିଛକ ସତର ଚେତାବନୀ ସତ୍ତ୍ଵେ
ଉଠାଣି ଗଡ଼ାଣି ଏକ ଅପଚେତନାର
ଦୁଇ ପାର୍ଶ୍ୱ; ଦିହୁଡ଼ି ହୋଇ ଜଳେ
ଏମିତି ମିଛ ଅନୁରାଗରେ
ସମୟର ସବୁ ଐଶ୍ୱର୍ଯ୍ୟକୁ ଆତ୍ମସ୍ତ୍ କରିବାକୁ
ଏକ ତରଫା ଭାବେ ଅଡ଼ିବା ମନ ଭୀତତ୍ରସ୍ତ
ଖରା ଲେଉଟୁଛି ସେଇ ଭୟରେ ।