ପାଳନ ହାର ଶ୍ରୀହରି ଆସନ୍ତି ମାତୃ ରୂପେ ଅବତରି
ମା’ ନାହିଁ ଯଦି ଜଗତେ କାହାର ସାହାଟି ନାହିଁ ତାହାରି ।
ଜୀବନର ବିନିମୟେ ସିଏ ପରା ସନ୍ତାନର ରକ୍ଷାକାରି
ଶିଶୁପାଇଁ ମା’ ବକ୍ଷରୁ ଝରେ ଯେହ୍ନେ ଅମୃତ ବାରି ।
ଘୋଡାଚଢା ବାପା ନଥିବ ଅଛଇ ଯଦି ଧାନକୁଟି ମା’
ପେଟରୁ କାଟି ସେ ପିଠି ବୋଝ ସହି କରିବ ନିଶ୍ଚେ ଠିଆ ।
କୁକୁଡା ହେଉକି ସୁଧାର ଗାଈଟି ଶାବକ ପାଇଁ ସିଂହ
ବିପଦ ଦେଖିଲେ ଶିଶୁର ଲଢଇ ଯେହ୍ନେ ଅସ୍ତ୍ର ଅମୋଘ ।
ଗୋ ଗଙ୍ଗା ଆଉ ଗାୟତ୍ରୀ ମିଶି ମାତା ଆମର ଯେ ତିନି
ସରଗଠୁ ବଳି ଉଚ୍ଚ ରେ ସ୍ଥାନ ଜନ୍ମଭୂମି ଓ ଜନନୀ ।
ଜରାଶ୍ରମର ସଭ୍ୟତା ଯଦି ପିତା ମାତା ପାଇଁ ଗଢା
ତଥାପି ମା’ଟି ଆଶିଷ ଦିଅଇ ସେବା ନାହିଁ ତା’ର ଲୋଡା ।
ପୁତ୍ର ଯଦି କା’ର କୁପୁତ୍ର ହୁଅଇ ମାତା ନୁହଁଇ କୁମାତା
ଲହୁ ଲୁହ ଦେଇ ଗଢିଛି ଯିଏ ସେ କରିବ ଅନିଷ୍ଟ ଚିନ୍ତା ?
ଯେତେ ଯାହା କଲେ ସୁଝିକି ପାରିବ ମା’ର ଋଣ ଟି କେହି
ଆଦ୍ୟ ଗୁରୁ ସିଏ ଜୀବନ ଯୁଦ୍ଧର ମାତୃ ଶରଣଂ ଦେହୀ ।
ମଇର ଦୁତୀୟ ରବିବାର ପାଳୁ ମାତୃ ଦିବସ ସ୍ନେହେ
ସବୁଦିନ ଯଦି ପୂଜିବା ମା’କୁ ତଥାପି ସେ ବେଶୀ ନୁହେଁ ।