କବିତା

ମଧୁ ବାରିଷ୍ଟର

Bisweswar Majhi's odia poem Madhu Barishtar

ସ୍ୱାଭିମାନୀ ଓଡ଼ିଆର ମଧୁ ବାବୁ ମୂରତିମନ୍ତ ପ୍ରତୀକ
ଗଢି ଊତ୍କଳ ସମ୍ମିଳନୀ କଲେ ଓଡ଼ିଆଙ୍କୁ ଏକତ୍ରିତ ।

ମଧୁ ବାରିଷ୍ଟର

ପାଠ ପଢି ମୁହିଁ ଓକିଲ ହୋଇବି କାଳିଆ ଘୋଡାରେ ଚଢି
ସଜାଇ ଦିଅ ମା’ ଯିବି ପରା ମଧୁ ବାରିଷ୍ଟର ସାଥେ ଲଢି ।

ମଧୁ ବାବୁ ସିଏ ବ୍ୟକ୍ତିଟିଏ ନୁହେଁ ଓଡିଶାର ଅନୁଷ୍ଠାନ
ପ୍ରଥମ ଓଡିଆ ସ୍ନାତକୋତ୍ତର ବାରିଷ୍ଟର ପୁଣି ଜାଣ ।

ପ୍ରଥମ ଓଡିଆ ବିଲାତ ଯାତ୍ରୀ ପ୍ରଥମ ଓଡିଆ ମନ୍ତ୍ରୀ
ପ୍ରଥମ ଓଡିଆ ଶିଳ୍ପ ଖସଡା ଉତ୍କଳ ଟାନେରି ତନ୍ତ୍ରୀ ।

ସ୍ୱାଭିମାନୀ ଓଡ଼ିଆର ମଧୁ ବାବୁ ମୂରତିମନ୍ତ ପ୍ରତୀକ
ଗଢି ଊତ୍କଳ ସମ୍ମିଳନୀ କଲେ ଓଡ଼ିଆଙ୍କୁ ଏକତ୍ରିତ ।

ଉଦାତ୍ତେ ଗାଇଲେ ଗଗନ କମ୍ପିଲା ଓଡିଶାର ଜୟଗାନେ
“ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେଦିନେ ।”

ଉତ୍କଳ ଗୌରବ ଆତ୍ମା ଖୋଜୁଅଛି ନମିଳେ ଓଡ଼ିଆ ଜଣେ
ସରୁ ଚକୁଳିକୁ ଦୋସା କହିଦେଲେ ଖାଇ ବସିଯିବେ ପଣେ ।

ମୋଟା ଚକୁଳିକୁ ଉତ୍ଥପମ୍ କହେ ପୋଡପିଠା ନୁହେଁ କେକ୍
ପଇଡ ପାଣିଟି ଅରୁଚି ପେପସି ନମ୍ବର ୱାନ୍ ଡ୍ରିଂକ୍ ।

ମା ଡାକ ଛାଡି ‘ମମି’ କହିଦେଲେ ଛାତି ତା’ର ଫୁଲି ଉଠେ
ଜୀଅନ୍ତା ବାପାଙ୍କୁ ‘ଡେଡ୍’ ଡାକରା ଲେଖାଅଛି କେଉଁ ପାଠେ ।

ଦୋଳ ଯାତ ଆଜି ଯାତ୍ରା ଫେସନ ରଜଦୋଳି ଡାକୁ ନାହିଁ
ପୂଜା ପାର୍ବଣ ଚୁଲିକି ଗଲାଣି ଭାଲେଣ୍ଟାଇନ ଦେହୀ ।

ବଣ୍ଡା ମାଙ୍କଡିଆ ଶିକ୍ଷିତ ହେଲେଣି ଭାଗବତ କାହିଁ ଗଲା
କାହିଁ ସଞ୍ଜବତୀ ସିନ୍ଦୁରର ଟୋପା ଧୋତି କୁର୍ତା ହଜିଗଲା ।

ପାଗଭିଡା ସେହି ଦର୍ପିତ ଓଡିଆ କାହିଁ ଗଲ କାହିଁ ଗଲ
ଗୋରା ସହ ଲଢି ଗଜପତି ରାଜା ମହତଟି ରଖିଥିଲ ।

ଦେଖାଶିଖା ଛାଡି ଆମ ପରମ୍ପରା ବଜାୟ ରଖିବା ପାଇଁ
ଆସ ଏକ ହେବା ଗରବେ ଗାଇବା ଜୟ ଜୟ ମଧୁ ସାଇଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top