ପୌଷ ମାସର ଶୀତୁଆ ସନ୍ଧ୍ୟାରେ ଲାଗି ରହିଥାଏ ଲଘୁଚାପଜନିତ ଝିପ୍ ଝିପ୍ ବର୍ଷା । ବର୍ଷା ପାଣି ଗୁଡିକ ଓଭର ବ୍ରିଜ୍ ରୁ ମାଡ ହୋଇ ଛିଟିକି ପଡୁଥିଲେ ମୋ ବସ୍ ର ଛାତ ଉପରକୁ ସତେ ଯେପରି କାକର ବୁନ୍ଦା ପରି । କେଇ ଟୋପା ପାଣି ସିଧା ସଳଖ ପିଚୁ ରାସ୍ତାରେ ଲୋଟି ପଡୁଥିଲେ ତ ଆଉ କେତୋଟି ଟୋପା ବସ୍ ଉପରୁ ଗଡି ଆସି ଝରକା ର କାଚକୁ ଗେଲ କରି ପକାଉଥାଆନ୍ତି । ଏହି ଟୋପିଏ ଟୋପିଏ ପାଣିର ସ୍ଥିତି ମନର ବେଦନାକୁ କରୁଥିଲା ବହୁଗୁଣିତ । ରାସ୍ତା କଡର ବର୍ଷା ଭିଜା ଫୁଲଗଛର ଧାଡିକୁ ଦେଖି ମନେ ମନେ ପରିବାରର ଆର୍ଥିକ ଅବସ୍ଥା କଥା ଚିନ୍ତା କରୁଥିଲା ମଞ୍ଜୁ । ଆଜି ଚାଲିଛି ଭୁବନେଶ୍ୱରରେ ପୁସ୍ତକ ମେଳା । ଶେଷ ଦିନ ବୋଧ ହୁଏ । ବହୁତ ଆଶା ଥିଲା ଟିକିଏ ବୁଲି ଆସି ନିଜ ପାଇଁ ଦୁଇ ଚାରିଖଣ୍ଡ ବହି ଆଉ କୁନା ପାଇଁ ବି ଖଣ୍ଡେ ବହି ନେଇଥାନ୍ତା । ସେ ବି ଖୁସି ହେଇଥାନ୍ତା ଅନେକ । ହେଲେ ବ୍ୟସ୍ତ ବହୁଳ ଜୀବନ ରେ ଆଉ ସମୟ କାହିଁ ଯେ !
ଥଣ୍ଡା ପାଗ । ଏସି ବସ୍ ଯୋଗୁଁ ଯାତ୍ରୀ ଙ୍କ ଭିଡ ବି ନାହିଁ । ଯୋଉ କେତେଟା ଲୋକ ଅଛନ୍ତି , ସେମାନେ ପଛ ସାଧାରଣ ବସ୍ କୁ ଅପେକ୍ଷା କରିଥାନ୍ତି । ସେଥିପାଇଁ ବୋଧେ ଏ ବସ୍ ର ଚକଗୁଡାକ ଅନାୟାସରେ ଛକ ପରେ ଛକ ଅତିକ୍ରମ କରି ଭୁବନେଶ୍ୱର ଛାତିଚିରା ରାସ୍ତାର ଗଡି ଚାଲିଥାଏ ଆଗକୁ ଆଗକୁ । ପାଖାପାଖି ଚାରି ଘଣ୍ଟା ହେବ ମଞ୍ଜୁ ଧରି ବୁଲୁଥିଲା ଟିକେଟ କଟା ଯନ୍ତ୍ରଟାକୁ । ଏଇ ଅଳପ ସମୟ ହେବ ତ ଲୋକଙ୍କ ଗହଳି କମିଲା । ଜଣେ କେହି କହି ଉଠିଲା, “ଆରେ ଝିଅ, ବସି ପଡୁନ କାହିଁକି ? ଏବେ ତ କେହି ଆଉ ନାହାନ୍ତି !” ତେଣୁ ସେ ଅଧିକ ନ ଭାବି ବସି ପଡିଲା ପଛ ଗେଟ୍ କଡ ସିଟରେ ।
ସେ ଦେଖୁଥିଲା ରାସ୍ତା କଡର ଗଛଗୁଡାକୁ । ଗଛ ପତ୍ରରେ ଲାଗିଥିବା ବର୍ଷା ପାଣି ରେ ବସ୍ ହେଡ ଲାଇଟ ପଡିଲେ ଲାଗୁଥାଏ ସତେ ଯେପରି ଗଛଗୁଡାକ ନିଜକୁ ସଜାଇ ହୋଇଛନ୍ତି କୃତିମ ଆଲୋକ ମାଳାରେ । ମଝିରେ ମଝିରେ ଆସୁଥିବା ଷ୍ଟ୍ରିଟ୍ ଲାଇଟର ଆଲୁଅ ସବୁ ମଞ୍ଜୁର ଆଖିରେ ଲୁଚକାଳି ଖେଳୁଥାଆନ୍ତି । ସେଇଠି ସେ ପୁଣି ଦେଖିଲା ନିଜକୁ, ଲେଉଟି ପଡି ନିଜକୁ ଖୋଜି ହେଉଥିବା ସେ ବାଦୁଡି ଗୁଡାକ ଭିତରେ ନିଜକୁ ବେଶୀ ବେଶୀ ଖୋଜିଲା ।
ଧୀରେ ଧୀରେ ଅସ୍ପଷ୍ଟ ହୋଇ ଉଠୁଥିଲା ଆଖି ସାମ୍ନା ରେ ଥିବା ଭୁବନେଶ୍ୱରର ରାଜ ରାସ୍ତା ଆଉ ମନରେ ଦୃଶ୍ୟମାନ ହୋଇ ଆସୁଥାଏ ତା’ର ଅତୀତର ଚିତ୍ରମାନ । କ୍ରମେ କ୍ରମେ ଦେଖା ଗଲା ତା’ର ସେଇ ମଦୁଆ ବାପର ଛବି । ବରମୁଣ୍ଡା ବସ୍ ଷ୍ଟାଣ୍ଡର ପଛରେ ଥିବା କେଇଟା ଘରର ବସ୍ତି । ତା’ର ପିଲା ଦିନ ଆଉ ମା’ର ସଂଘର୍ଷତା । ଜନମ ପରେ ପରେ ବର୍ଷକ ଅନ୍ତରରେ ଲଗାତାର ଆଉ ତିନୋଟି ପୁଅ ଝିଅ । ସେମାନେ ଥିଲେ ସଞ୍ଜୁ, ମୁନା ଆଉ କୁନା । ପ୍ରତିଦିନ ମିଳିଲା ତ କେଉଁଠି କେମିତି ମୂଲ କରେ ବାପା, ନ ହେଲେ ଦିନ ବାରଟା’ ବାଜିଲେ ସମସ୍ତେ ଚାଲି ଯାଉଥିଲେ ପାଞ୍ଚଟଙ୍କିଆ ଆହାରକେନ୍ଦ୍ରକୁ । ରାତି କଥା ପର, ଏଣୁତେଣୁ ଖାଅ… ନ ପାଇଲେ ଖାଲି ପେଟରେ ନଚେତ ଖାଲି ପେଟେ ପାଣି ପିଇ ସେମିତି ଶୋଇବାକୁ ପଡେ । ମଞ୍ଜୁ ପଢୁଥିଲା ପାଖ ମହାନଗର ନିଗମ ଉଚ୍ଚ ବିଦୟାଳୟରେ । ଭଲ ବି ପଢୁଥିଲା । ସେଥିପାଇଁ ଏ ପ୍ରତିଭାକୁ ମାରିବାକୁ ନ ଦେଇ କିଛି ଟଙ୍କାର ପସରା ଦେଇ ତା’ଶୁଖିଲା ଜୀବନରେ ପାଣି ସିଞ୍ଚି ଦେଇଥିଲେ ସେ ସ୍କୁଲର ପ୍ରଧାନ ଶିକ୍ଷକ । ସେ ପଢିଥିଲା ରାଜଧାନୀ ମହାବିଦୟାଳୟରେ ଆଇଏ, ତା’ ପରେ ପରେ ବି. ଏ. । ସ୍ୱପ୍ନରେ ବି ତା’ର ପର ଲାଗି ଯାଇଥିଲା, ପରେ ପରେ ସେ ସ୍ଵପ୍ନ ଖଣ୍ଡି ଉଡା ଦେଉଥିଲା । ହେଲେ ଉଡି ଶିଖି ନ ଥିବା ଚଢେଇ ଯେ ପ୍ରତିଥର ଓଲଟି ପଡ଼େ, ସେ କଥା ସିଏ ଅବା କେମିତି ଜାଣନ୍ତା ? ସେମିତି ତା’ ସ୍ୱପ୍ନିଳ ଆଖିରେ ହଠାତ ଆସିଲା ଅଦିନିଆ ଝଡଟିଏ ।
ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେବା ସମୟରେ ପରିବାରକୁ ସମ୍ଭାଳିବାର ବୋଝ ତା ଜୀବନ ର ସମସ୍ତ ସ୍ୱପ୍ନ କୁ ଭାଙ୍ଗି ଚୁର ମାର କରିଦେଲା । ତା ଭବିଷ୍ୟତ ପ୍ରତି ବିଭୋର ସ୍ୱପ୍ନରେ ହଠାତ ସୁନାମି ଆସିଗଲା । ସବୁଠୁ ବଡ କଷ୍ଟ ଦେଲା ଦାଦାଙ୍କ ଷଡ଼ଯନ୍ତ୍ର ଆଉ ମଦୁଆ ବାପାର ଜିଦି । କଲେଜ ଯିବା ଛାଡି ପାଦ ଦେଲା ସେ ମୋ ବସ୍ ର ପାହାଚରେ । ଦେହରେ ରଙ୍ଗ ବେରଂଗ ର ପୋଷାକ କୁ ଉତାରି ପିନ୍ଧି ପକାଇଲା ନୀଳ ଆଉ ସିମେଣ୍ଟ ରଙ୍ଗର ସେ କପଡା ଗୁଡାକ । ବହି ବ୍ୟାଗ ରୁ ହାତ କାଢି ହାତ ରଖିଲା ସେଇ ଟିକେଟ କଟା ଯନ୍ତ୍ର ଉପରେ ଆଉ ସିମେଣ୍ଟ ରଙ୍ଗ ଆପ୍ରୋନ ର ସେ ପକେଟ ଭିତରେ । ମଦୁଆ ବାପାର ମଦ ବୋତଲ ଆଉ ଭାଇ ଭଉଣୀଙ୍କ ବହି ଖାତା ତା’ ରକ୍ତନିଗିଡା ମୂଲ ଉପରେ ଅନେଇ ରହିଲେ । ମା’ର ରୋଷେଇ ପାଇଁ, ଘର ଖର୍ଚ୍ଚ ପାଇଁ, ସମସ୍ତଙ୍କ ପୋଷାକପତ୍ର ପାଇଁ ସେ ଏମିତି ଖଟି ଚାଲିଲା । କେବେ କେବେ ସେ ସରବ୍ୟ ହେଲା କଟାକ୍ଷର, ଅଶାଳୀନ ମନ୍ତବ୍ୟ ର । ପୁଣି ଭିଡର ଦଳା ଚକଟା ଭିତରେ ସେ ବି ମନ୍ଥି ହୋଇ ଯାଉଥିଲା କେତୋଟି ଅସଭ୍ୟ ପୁରୁଷ ଙ୍କ ମଝିରେ, ସେତେବେଳେ ସେ ରହି ଯାଉଥିଲା ଗୋଟେ ଏମିତି ଏକ ଜଗତ ରେ ଯାହା ଥିଲା ଠିକ୍ ଅଭିମନ୍ୟୁ ର ଚକ୍ରବ୍ୟୁହ ପରି ।
ଏମିତି ଭାବୁ ଭାବୁ କେତେବେଳେ ଲୁହ ଜକେଇ ଆସିଛି ତା ଆଖିରେ ସେ ଜାଣେନା । ହଠାତ୍ କରି ବାଜି ଉଠିଲା ଫୋନ୍ (ସ୍ମୃତି…….. ତୁମେ ପାଉଁଶ ତଳର ନିଆଁ…)। ଉଠାଉ ଉଠାଉ ସେପଟ ରୁ ଶୁଭିଲା, “ସଞ୍ଜ ସରି ରାତି ହେଲାଣି …କେତେବେଳେ ଆସିବୁ ଲୋ …ଆଜି ବା ଗେହ୍ଲୁ ର ଜନ୍ମଦିନ । ମନେ ରଖିଛୁ ନା ଭୁଲି ଯାଇଛୁ ବା ..ହଉ ଟିକେ ଚଞ୍ଚଳ ଚାଲି ଆ’…”ସେପଟରୁ କଲ୍ ଟି କଟିଗଲା । ଏତକ ଶୁଣି ଦେଇ ନିଜକୁ ଟିକିଏ ଇତସ୍ତତଃ ମନେ କଲା ମଞ୍ଜୁ । ମନେ ମନେ କହି ଉଠିଲା, “ହଁ ତ , ଆଜି ବାଇଆ ର ଜନମ ଦିନ ବା ! ଡିଉଟି ରୁ ଫେରିବା ବେଳେ କେକ୍ ଟିଏ ଆଣିବା ଆଣିବା ପାଇଁ କେତେକରି କହିଥିଲା, ହେଲେ ମୁଁ କେମିତି ପାସୋରି ଦେଲି ଏତେବେଳ ଯାଏଁ … ”
ହାତ ରେ ବାନ୍ଧିଥିବା ପୁରୁଣା ଘଣ୍ଟାଟିକୁ ଅନେଇ ଦେଲା ମଞ୍ଜୁ । ଘଣ୍ଟାରେ ବାଜିଛି ମାତ୍ର ରାତି ଆଠଟା ପନ୍ଦର, ଡ଼ିଉଟି ସରିବା ପାଇଁ ଆହୁରି ପଇଁଚାଳିଶ ମିନିଟ୍ ବାକି । ଡ୍ୟୁଟି ସରିବ । ତା’ପରେ ଏଠୁ ଯାହା ଯୁଆଡେ ଯିବା କଥା ! କଷ୍ଟରେ ଲୁହ ତା’ର ଅଧିକ ଗମ୍ଭୀର ହୋଇ ଉଠୁଥିଲା । ଆଖି ଆଗରେ ଅଜାଣତରେ ନାଚି ଉଠୁଥିଲା ନିରୀହ ଛୋଟ ଭାଇ ମୁନାର ସରଳ ମୁହଁଟା । ସତରେ ସେ କେତେ ଦୁଃଖ କରୁ ନଥିବ ଏବେ ? ବସ୍ତି ଛୁଆଙ୍କୁ କେକ୍ କାଟିବା ପାଇଁ ଡାକି ଆଣି ସାରିବଣି । ଛୁଆ ବି ଗହଳି କରି ସାରିଥିବେ ସେ ପାଲ ଘର ପାଖରେ । ଦୀର୍ଘ ଶ୍ୱାସ ଟେ ନେଇ କହି ପକଇଲା, “ଆହା… ଆରେ ଦଇବ ! ଆମକୁ ଗରିବ କାହିଁକି କରିଲୁ ? ”
ସମୟ ଗଡି ଗଲା । ବସ୍ ପହଁଚିଲା ବରମୁଣ୍ଡା ବସ୍ ଷ୍ଟାଣ୍ଡରେ । ମଞ୍ଜୁ ର ଡ୍ୟୁଟି ସରିଲା । ମଞ୍ଜୁ ବସ୍ ରୁ ଓହ୍ଲାଇଲା, ଟିକେଟ କଟା ଯନ୍ତ୍ର ଟିକୁ ଅଫିସ ରେ ଥିବା ମୋ ବସ୍ ର ମ୍ୟାନେଜେର ଙ୍କ ହାତ ରେ ଧରେଇଦେଇ ତର ତର ହୋଇ ଧାଇଁ ଗଲା ବସ୍ ଷ୍ଟାଣ୍ଡ ପାଖରେ ଥିବା ଗୋଟେ କେକ୍ ଦୋକାନ କୁ ଆଉ ଗୋଟେ କେକ୍ କିଣି ନେଇ ସିଧା ପହଁଚିଲା ବସ୍ତିରେ ଥିବା ତାର ସେଇ ଭଙ୍ଗା ପାଲ ଟଣା ଘରେ । କାହିଁ କେତେବେଳୁ ଅନେଇ ବସିଥିଲେ ମଞ୍ଜୁ ର ଫେରିବା ବାଟକୁ ସମସ୍ତେ । ସଙ୍ଗେ ସଙ୍ଗେ କେକ୍ କଟା ହେଲା ଓ ପରିବାରେ ରେ ଆରମ୍ଭ ହୋଇଗଲା ଆଉ ଗୋଟେ ନୂତନ ପର୍ବ । ଗରିବ ଜୀବନରେ ଆନନ୍ଦ ର ଆସର । ସଞ୍ଜୁ, କୁନା, ମୁନା ଆଉ ବସ୍ତିର ଛୁଆ ମାନେ ଫାଟି ପଡୁ ଥିଲେ ଖୁସିରେ ।
ମଞ୍ଜୁ ପାଲର କଣା ଦେଇ ଚାହିଁ ରହିଥିଲା ଉପର ମେଘୁଆ ଆକାଶ ଆଡେ । ମେଘ ଟିକିଏ ଛାଡି ଯାଇଥିଲା କି କ’ଣ, ଆକାଶ ରେ ଭସା ବାଦଲ ଭିତରେ ସତେ ଯେମିତି ତୋଫା ଜହ୍ନଟି ତାକୁ ଅନେଇ ରହିଥାଏ । ଉପର ଆକାଶ ଆଉ ତଳର ମଧୁର ମୁହୂର୍ତ୍ତ କୁ ଦେଖୁ ଦେଖୁ ସେ ପଶି ଯାଉଥିଲା ନିଜ ସପନ ର ଦରିଆ ଆଡକୁ … ଆଉ ଚାହିଁ ରହିଥିଲା ସେଇ ପୁରୁଣା ଅସଜଡା ବହି ଥାକକୁ ସଜାଡିବା ପାଇଁ !