ଲିଭିଯାଉ ମୋ ନାମର ଆଠୋଟି ଅକ୍ଷର
ତହିଁ ମୋର ନାହିଁ ପ୍ରୟୋଜନ,
ଏ ଜନମେ ଆଦରିଛି ଯାହା
ଲଭୁ ତାହା ଦଗ୍ଧ ଶମଶାନ ।
ଅତୀତ ମୋ କି ଥିଲା କେଜାଣି
ଭବିଷ୍ୟତ କିବା ପୁଣି ହେବ !
ଏବର ଏ ବରମାଲ୍ୟ ପିନ୍ଧି
ତେବେ କିମ୍ପା ନେବି ଗୌରବ ?
ଜଳିଯାଉ ମୋର ସର୍ବନାମ
ଢଳିଯାଉ “ମୁଁ”ର ପ୍ରାଚୀର,
ଲୁହ ହୋଇ ବୋହିଯାଉ ପୁଣି
ମୋ ସ୍ୱାର୍ଥର ଅୟୁତ ସ୍ଵାକ୍ଷର ।
ହଜିଯାଉ ଏ ସୁର ମୋହର
ବିଶ୍ୱ ପୁଣି ବିଶ୍ୱାତୀତ ପ୍ରାଣେ,
ମଜିଯାଉ ମନ ଚୈତନ
ତୁମରି ସେ ବେଣୁର ଶ୍ରବଣେ ।
ଝରିଯାଉ ଏ ତରୁ ଶାଖାରୁ
ଯଶ, କୀର୍ତ୍ତି, ଅହଂକାର ଯେତେ,
ମରିଯାଉ ଅଦିବ୍ୟ ଅଂକୁର
ଦିବ୍ୟତାର ଜ୍ୟୋତିର୍ମୟ ପଥେ ।
ମୃତ ଶତ “ମୁଁ”ର ଭିତରେ
ତୁମେ ଏକା ରୁହ ସତ୍ୟ ହୋଇ,
ହସି ହସି କହେ ପୁଣି ଯେବେ
“ମୁଁ” ହିଁ “ତୁମେ” ତୁମରି ଆଶାୟୀ ।