ବିଷ୍ଣୁଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ ହୃଦେ
ଜନ୍ମିଲା ଆକାଂକ୍ଷା ଏକ,
ଦର୍ଶନ କରିବେ ପ୍ରଭୁ ନାରାୟଣ
ଯାଇଣ ତାଙ୍କ ସମ୍ମୁଖ ।୧।
ଜନୈକ ବ୍ରାହ୍ମଣ ଆସିଣ ସଭାକୁ
ବୋଇଲେ ଶୁଣ ରାଜନ,
“ନୀଳ ମାଧବ” ରୂପରେ ପୂଜାପାନ୍ତି
ସ୍ୱୟଂ ହରି ସିଏ ଜାଣ ।୨।
ଚତୁର୍ଦିଗେ ପଠାଇଲେ ଅନୁଚର
“ନୀଳ ମାଧବ” ସନ୍ଧାନେ,
ସମସ୍ତେ ଫେରିଲେ ନିରାଶ ହୋଇଣ
ଖୋଜି କେତେ ଭିନ୍ନ ସ୍ଥାନେ ।୩।
ଏକା ବିଦ୍ୟାପତି ବିଶ୍ୱାସ ମନରେ
ପାଇବେ ପ୍ରତ୍ୟକ୍ଷ ବିଷ୍ଣୁ,
ଶବର ରାଜା ବିଶ୍ୱାବସୁଙ୍କ ଗୃହରେ
ଆଶ୍ରୟନିଅନ୍ତି ଏଣୁ ।୪।
ବିଶ୍ୱାବସୁ ପୁତ୍ରୀ ଲଳିତା ଦେବୀଙ୍କୁ
ବରିଲେ ସେ ବିଦ୍ୟାପତି,
ନିଇତି ଦେଖନ୍ତି ଶବର ରାଜନ
ବନମଧ୍ୟେ ଚଳିଯାନ୍ତି ।୫।
ସେ ଯହୁଁ ଫେରନ୍ତି ତାଙ୍କ ଦେହସାରା
ଚନ୍ଦନ-ତୁଳସୀ ଗନ୍ଧ,
ଦିବ୍ୟ ଆଲୋକରେ ଉଦ୍ଭାସିତ ପୁଣି
ମନରେ ଦିବ୍ୟ ଆନନ୍ଦ ।୬।
ବିଦ୍ୟାପତି ତହୁଁ ପୁଛ୍ଛନ୍ତି ଲଳିତେ
କୁହ ଏହାର କାରଣ,
କେଉଁ କାର୍ଯ୍ୟହେତୁ ତୁମ୍ଭର ପିଅର
ବନେଯାନ୍ତି ନିତିଦିନ ।୭।
ଲଳିତା ବୋଲନ୍ତି ବାରଣ ହୋଇଛି
ସେ କଥା ପ୍ରଘଟ ପାଇଁ,
“ନୀଳ ମାଧବ”ଙ୍କ ଉପାସନା ଅର୍ଥେ
ଜନକ ବିପିନେ ଯାଇ ।୮।
ଶୁଣି ବିଦ୍ୟାପତି ଆନନ୍ଦେ ଅଧିର
ବିଷ୍ଣୁ ଦରଶନ ହେବ,
ଏତେ ଶ୍ରମ ମୋର ସାର୍ଥକ ହୋଇବ
ଦେଖିଲେ ନୀଳ-ମାଧବ ।୯।
ବିଶ୍ୱାବସୁ ହ୍ୱନ୍ତି ସମ୍ପୂର୍ଣ୍ଣ ଅରାଜି
ସଙ୍ଗତେ ନେବାକୁ ବନ,
ଲଳିତା ଅନେକ ଅନୁରୋଧ କରି
ପିତାଙ୍କୁ ମନାନ୍ତି ପୁଣ ।୧୦।
କଠିନ ସର୍ତ୍ତଯେ ବିଶ୍ୱାବସୁଙ୍କର
ବାଟ ନଦେବେ ବତାଇ,
ବିଦ୍ୟାପତିଙ୍କ ର ଚକ୍ଷୁପ୍ରଦେଶରେ
ପୁଟୁଳି ବାନ୍ଧିଲେ ସେହି ।୧୧।
ବିଦ୍ୟାପତି ହସ୍ତେ ଧରିଣ ଚଳନ୍ତି
ସୋରିଷ ପୁଟୁଳା ଏକ,
ଅତି ସାବଧାନେ ଲୁଚାଇ ଧରନ୍ତି
ଯହିଁରେ ଛିଦ୍ର ଅନେକ ।୧୨।
ବିଷ୍ଣୁଭକ୍ତ ଦ୍ୱୟ ଗଲେ ଅତିକ୍ରମି
ବନମଧ୍ୟେ କେତେ ପଥ,
ଗୁମ୍ଫାଦେଶେ ଯାଇ ଚକ୍ଷୁ ଖୋଲିଦେଲେ
ଦିଶିଲା ଦିବ୍ୟ ଆଲୋକ ।୧୩।
ନୀଳ ମାଧବଙ୍କ ଦରଶନ ପାଇ
ବିଦ୍ୟାପତି ଯେ ବିଭୋର,
ମନେ ଭାବୁଛନ୍ତି ଶୀଘ୍ର ଯାଇ ଦେବେ
ଇନ୍ଦ୍ରଦ୍ୟୁମ୍ନଙ୍କୁ ଖବର ।୧୪।
ଇନ୍ଦ୍ରଦ୍ୟୁମ୍ନ ରାଜା ସଙ୍ଗେ ବିଦ୍ୟାପତି
ସୋରିଷ ପଥରେ ଗଲେ,
ଅଦୃଶ୍ୟ ହୋଇଛି ମାଧବ ବିଗ୍ରହ
ତହୁଁ ନିରାଶ ହୋଇଲେ ।୧୫।
ଅନ୍ତରୀକ୍ଷୁ ଶୁଭିଲାକ ଦେବବାଣୀ
ରାଜନ ନକର ଶୋକ,
ମୋ ପାଇଁ କରିବୁ ଦେଉଳ ନିର୍ମାଣ
ଆସିବି ମୁହିଁ ପ୍ରତ୍ୟକ୍ଷ ।୧୬।
ଭବ୍ୟ ମନ୍ଦିରଯେ କରିଣ ନିର୍ମାଣ
ବିଗ୍ରହପାଇଁ ନିରାଶ
ସମୁଦ୍ର କୂଳରୁ ପାଇବୁଯେ ଦାରୁ
ଏମନ୍ତ ଯେ ସ୍ୱପ୍ନାଦେଶ ।୧୭।
ଦାରୁବ୍ରହ୍ମ ପାଇ ରାଜନ ଆନନ୍ଦ
ଖୋଜନ୍ତି ନିପୁଣ ଶିଳ୍ପୀ,
ଦେବ ବିଶ୍ୱକର୍ମା ଆସିଣ ମିଳିଲେ
ବୃଦ୍ଧକାରିଗର-ରୂପୀ ।୧୮।
ରାଜାରାଣୀ ଆଗେ ରଖିଲେଯେ ସର୍ତ୍ତ
ଏକବିଂଶ ଦିନ ଯାଏ,
ଖୋଲିବନି ତୁମେ ଏ ନିର୍ମାଣ ଗୃହ
ଆସିବେନି ଅବା କିଏ ।୧୯।
ଗୁଣ୍ଡିଚା ରାଣୀଯେ କରୁଣା ହୃଦୟେ
କବାଟ ପାଖକୁ ଯାଇ,
ନିରେଖନ୍ତି ବାରମ୍ବାର ମନକର୍ଣ୍ଣେ
କିଛି ଶବ୍ଦ ଶୁଭେନାହିଁ ।୨୦।
କିଛି ଦିନ ଯାନ୍ତେ ଅଧର୍ଯ୍ୟ ହୋଇଣ
ରାଜାଙ୍କୁ କହନ୍ତି ଯାଇ,
ଶୀଘ୍ର ଖୋଲିଦେଖ ଶିଳ୍ପୀଙ୍କ ଜୀବନ
ବିପଦରେ ନିଶ୍ଚେ ଥାଇ ।୨୧।
ଖୋଲିଦେଲେ ଯହୁଁ ଦେବଶିଳ୍ପୀ ତହୁଁ
ଅଦୃଶ୍ୟ ହେଲେ ତକ୍ଷଣ,
ଅଧାଗଢା ତିନି ବିଗ୍ରହ ଦେଖିଣ
ଆଶ୍ଚର୍ୟ୍ଯ ସେ ଇନ୍ଦ୍ରଦ୍ୟୁମ୍ନ ।୨୨।
ଦିବ୍ୟବାଣୀ ଶୁଭେ ଏହିରୂପେ ମୋତେ
ମନ୍ଦିରେ କର ସ୍ଥାପନ,
ଜଗନ୍ନାଥ ନାମେ ରହିବି ପ୍ରତ୍ୟକ୍ଷେ
ନୀଳକନ୍ଦରରେ ଜାଣ ।୨୩।
ଜୟ ଜଗନ୍ନାଥ ଜଗତ ଜୀବନ
ଜୟ ଚତୁର୍ଦ୍ଦାମୂରତି,
ମାୟା-ସଂସାରରୁ ଉଦ୍ଧରିବ ବାରେ
କମଳାଳୟାଙ୍କ ପତି ।୨୪।
