ରାତି ଅଧରେ ଯେବେ ସାରା ଦୁନିଆ ଶୋଇପଡ଼େ,
ମୁଁ ମୋ ମୋବାଇଲ ସ୍କ୍ରିନ୍ ଆଉ ବହିଗୁଡ଼ିକ ସାମ୍ନାରେ ବସି ଭବିଷ୍ୟତ ଖୋଜେ ।
କେତେ ଯେ ରାତି ଅନିଦ୍ରା ହେବାକୁ ପଡ଼େ ଏହି କ୍ୟାରିୟର୍ ପାଇଁ,
ତାହା କେବଳ ଏହି ଜଳୁଥିବା ଆଖି ଆଉ ନୀରବ କୋଠରୀ ହିଁ ଜାଣେ ।
ଜୀବନର ରାସ୍ତାରେ କେତେ ଯେ ଭୁଲ୍ ଆସେ,
କେତେ ଯେ ଝୁଣ୍ଟିବାକୁ ପଡ଼େ, ସୁଧାରି ସୁଧାରି ବେଳେବେଳେ ନିଜେ ମୁଁ ଥକିଯାଏ ।
ହେଲେ ଯେବେ ମନେପଡ଼େ ନୀରବି ଯାଇଥିବା ବାପାଙ୍କ ସେହି ଆଶାଭରା ଆଖି,
ଛାତି ଭିତରେ ଥିବା କୋହକୁ ପିଇ ପୁଣି ଥରେ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଏ ।
ଦୁନିଆ ପାଇଁ ମୁଁ ଆଜି ଜଣେ ହସୁଥିବା ମଣିଷ ଟିଏ…..
ହେଲେ ଭିତରର ଏହି ଭଙ୍ଗା ଆଇନାକୁ, ଦେଖିବ ବା ଆଉ କିଏ !
ଖୁବ୍ ଇଚ୍ଛା ହୁଏ ଜୋରରେ କାନ୍ଦିବାକୁ, ହେଲେ ମୋ କୋହର ଶବ୍ଦ ଶୁଣିଲେ ଏ ସମାଜର ଉପହାସ ମାଡ଼େ,
ସେଇଥିପାଇଁ ଓଠରେ ଟିକେ ମିଛ ହସ ଟାଣି ଆଣି ପ୍ରତିଦିନ ବଞ୍ଚିବାର ଅଭିନୟ କରିବାକୁ ପଡ଼େ ।
କି ନିଷ୍ଠୁର ଏ ବୟସ, ଏ ପାଠପଢ଼ା ଆଉ ସଫଳତାର ଚିନ୍ତା…
ନିଜ ଲୋକଙ୍କ ଗହଣରେ ଥାଇ ବି ମଣିଷକୁ ଏକୁଟିଆ କରିଦିଏ ।
ଭବିଷ୍ୟତ ଗଢ଼ିବା ନିଶାରେ ଏତେ ବାଟ ଆଗେଇ ଆସିଲିଣି ଯେ,
ଆଜି ପଛକୁ ବୁଲି ଚାହିଁଲେ ଜୀବନରେ କେବଳ ଶୂନ୍ୟତା ହିଁ ଦେଖାଦିଏ ।
ମାଗିବାକୁ ତ ବହୁତ କିଛି ଅଛି ଏ ଜୀବନ ତୋ ପାଖରେ,
ହେଲେ ଲୁଚି କାନ୍ଦିବାକୁ ଟିକେ ସ୍ଥାନ ଦେ ଏଇ ନୀରବ ରାତିରେ ।
ମିଛ ହସର ଏହି ଅଭିନୟକୁ ଶେଷ ଯାଏଁ ନିଭାଇବାର ଶକ୍ତି ଦେ,
ଆଉ ଆରପାରିର ବାପାଙ୍କ ସ୍ୱପ୍ନକୁ ସତ କରିବାର ଗୋଟେ ସୁଯୋଗ ଦେ ।
