ରାଜା ପୁଅ ଅନେକ ଥର
ସ୍ୱପ୍ନରେ ଆସେ
ପକ୍ଷୀରାଜ ଘୋଡ଼ାରେ
ମାଳ ମାଳ ମେଘର ଦୋଳିରେ
ଫୁଲ ଭର୍ତ୍ତି ସକାଳ କୋଳରେ
ମାଟି ଅଗଣାରେ
ସବୁଜିମା ଘାସର ଶେଯରେ,
ସମ୍ଭାବନାର ପ୍ରତିଶ୍ରୁତି ନେଇ
ଆଈବୁଢ଼ୀ ଆଳିମାଳିକା
ଗଳ୍ପ ପେଡ଼ିର
କାଳ୍ପନିକ ଗଳ୍ପ ପରି
ମୁଠା ମୁଠା ସ୍ୱପ୍ନ ନେଇ
ରାଜା ପୁଅ ଓହ୍ଲାଇ ଆସେ
ପ୍ରଗତିର ବୀଜମନ୍ତ୍ର ଧରି
ଆପଣାର କରିବାକୁ
ପ୍ରତିଟି ମଣିଷକୁ
ଦୁଃଖୀକୁ, ଦରିଦ୍ରକୁ
ଗାଁ ଦାଣ୍ଡରେ ଧୂସରିତ
କୁନି କୁନି ଫୁଙ୍ଗୁଳା ପିଲାଙ୍କୁ
କୋଳେଇ ନିଏ
ଭେଦଭାବର ଊର୍ଦ୍ଧ୍ଵରେ ରହି ! !
ସାମ୍ନାରେ ସୁଦୀର୍ଘ ରାସ୍ତା ।
କେଉଁଠି ପଥର ପୁଣି
କେଉଁଠି ବି କଣ୍ଟା
କେଉଁଠି ପଙ୍କ ଭର୍ତ୍ତି
ପଦ୍ମ ପୋଖରୀ ତ
କେଉଁଠି
ଅଥଳ ସମୁଦ୍ରର
ଜୁଆର ଓ ଭଟ୍ଟା
କେଉଁଠି ବଇରୀର
କୂଟ ଚକ୍ରାନ୍ତ ତ
କେଉଁଠି ଶହଶହ
ସାଧାରଣ ମଣିଷଙ୍କ
ଭଲ ପାଇବାର ଗୀତ
ସବୁଗୁଡ଼ା ଗୋଟେ ଗୋଟେ
ଟକ୍କର. . .
ସ୍ୱପ୍ନ ସହ ସମୟର
ଜୀବନ ସହ ଜଞ୍ଜାଳର
ଆଗକୁ ବଢ଼ିବାର
ଦେଶକୁ ଗଢ଼ିବାର !
ରାଜାପୁଅର ଆଖିରେ
ଆଖିଏ ସ୍ୱପ୍ନ
ଅନୁକୂଳତାର
ମୁକ୍ତ ପରିଭାଷା
ସଭିଁଙ୍କୁ ଭଲ ପାଇବାର
ଅଦ୍ୟମ ପିପାସା
ସମୟର ବେଳାବୁକୁ ପରେ
ପାଦଚିହ୍ନ ଛାଡ଼ିବାର,
ସବୁରି ହୃଦୟ ମଧ୍ୟେ
ନିଜ ପାଇଁ ସ୍ଥାନଟିଏ
ସୃଷ୍ଟି କରିବାର
ମହନୀୟ ଆଶା !
ସବୁଗୁଡ଼ା ସଫଳ କରେ
ରାଜା ପୁଅ
ସ୍ୱପ୍ନ ପରି ନୁହେଁ
ସତ ସତିକା ! !