ଅନା ବନା କାଗଜରେ ବନ୍ଧା
କେଇ ଫର୍ଦ ଆଉ କେଇଟା ପୃଷ୍ଠା,
ତିନି ପାଖ ଅସମାନ
ନାଲି ଗାର କଳା ଗାର
ଛକ ମାନ ଭରପୁର
ତାର ଅପୁରା ଛାତିରେ ।
କିନ୍ତୁ ସୃଜନର ମଞ୍ଜି
ପୋତା ଯାଇଥାଏ ତା’ରି ଭିତରେ,
କେବେ କେବେ କଲମର ତୀକ୍ଷଣ ଆଘାତରେ
ଥକି ପଡିଥିବା ଧାଡି ସବୁ ଉଙ୍କି ମାରନ୍ତି
ବଞ୍ଚିବାର ଆଶା ନେଇ ପୁଣି ।
ସହଜ ସଳଖ ଭାବେ
ବାହୁ ସହ ବାହୁ ଛନ୍ଦି
ବଢିଯାଏ କଳ୍ପନାର ବୃକ୍ଷ୍ୟ ।
ଏମିତି କଣ ଜରୁରୀ ଯେ
ଅଦରକାରୀ ଛୋଟ ଖାତା ଟା ଦଣ୍ଡେ ନ ମିଳିଲେ
ଅଟକି ଯାଏ ଦୁନିଆ, କଲମ, ଭାବନା ଆଉ
ଝର ଝର ଝରୁ ଥିବା ସୃଜନଶୀଳ ଝରଣା ।
ଚିନ୍ତା ଓ ବିରକ୍ତି
ଘାଇଁ ଘାଇଁ ଘୁରୁଥିବା ପୃଥିବୀ
ସାଙ୍ଗ ହୋଇ ନିଅନ୍ତି ବିଭିନ୍ନ ସ୍ଵରୂପ ।
ସେଇ ପାଇଁ, ତୁମେ ମୋ ଜୀବନର
ଅବିଛେଦ୍ୟ ସାଥୀ, ସବୁ ଦିନ ପାଇଁ,
ତୁମ ଆଗେ ଖୋଲିଦିଏ ମୋ ଜୀବନର
ସବୁ କୁହା ଆଉ ଅକୁହା କାହାଣୀ,
ମନର କୋଣ ପ୍ରତି କୋଣ ।