ଦିନେ ନାହିଁ କାଳେ ନାହିଁ
କେଜାଣି କାହା ପାଇଁ
ସେଦିନ ଗାଁ ତୋଟା ବାଟ ଦେଇ
ବନ୍ଧର କିଆବାଡ଼
ମଶାଣିର ବୁଢ଼ା ବରଗଛ
ଶୁଖିଲା ପତ୍ର ଉପରେ
ପାଦ ଥାପି ମୁଁ ଡେଇଁ ପଡ଼ିଲି
ପାଟବନ୍ଧକୁ ।
ପଣ କରିଥିଲି
ଆଜି ସବୁ ପ୍ରଶ୍ନର ଉତ୍ତର ନେବି,
ତା’ ଠାରୁ !
ଦେଖୁ ଦେଖୁ ପଚାରି ଦେଲି
କହ ତ ତୋ’ ଦେହରେ କି କଳା ଦାଗ
ତଥାପି ତୁ ସୁନ୍ଦର କିଆଁ
ତତେ ଦେଖି ମନେ ପଡ଼େ
ମୋ ଫୁଲେଇ ପ୍ରିୟା !
ତାରା ଫୁଲ କିଏ ତୋ କବରୀରେ ଦେଲା
ଆକାଶର ପଣତରେ କିଆଁ ଢାଙ୍କି ଦେଲା ।
ତୁ ସବୁଦିନ ଚୁପ୍ଚାପ୍,
ତୋ ପାଇଁ ଦୁଃଖ ନାହିଁ, ଲୁହ ନାହିଁ
ହେଲେ ଦୁଃଖ ଦିଏ
ମୋତେ ତୋର ନିରବତା ।
ତଥାପି ମୁଁ ଦେଖେ
ମୋ ଗାଁର ନଈପଠା ତଳୁ
ମୁହଁ ଦେଖେଇ ତୁ ପୁଣି ଲୁଚି ଯାଉ,
ମୁଁ ସେମିତି ସେଇଠି ମୋ ସଞ୍ଜ ସ୍ୱପ୍ନକୁ
ସାଉଁଟି ଆଣେ ଆଉ କାହା ପାଇଁ !