ଆଃ ମୋନାଲିସା !!
ଭାରି ମନେପଡ଼ ,
ଜୀବନର କଷଟି ପଥରରେ
ନିତି ଅଗ୍ନି ପରୀକ୍ଷା ଦେଉ ଦେଉ …
କେଉଁଠି ଅଟକିଗଲା ତୁମ ପ୍ରତିଶୃତି ବିହୀନ ସମ୍ପର୍କ
ଆଜିବି ଖୋଜି ବୁଲୁଛି ମୁଁ ତୁମରି ସାନ୍ନିଧ୍ୟ
ପୋଖରୀ କୂଳ ରେ ବସି
ଅନାବନା ଗପର ଫୁଆରା ରେ ….
ଅନ୍ୟମନସ୍କତା ରେ ଟେକା ମାରି
ଖେଳି ଯାଉଥିବା ପାଣିର ଭଉଁରୀ ରେ…
ନିର୍ଜୀବ ଫାଇଲ କୁ ମୋ ପିଠି ଉପରେ ରଖି
ତୁମ ଗୋଲ ଗୋଲ ଅକ୍ଷରରେ ସଜାଇଥିବା ମୋ ନାଁ
ଆଜି ବି ହାତ ଫେରାଇ ଆଣିଲେ
ଜୀବନ୍ତ ହୋଇଉଠେ …
ତୁମ ସ୍ମୃତି, ଝଲସି ଯାଏ ମନ ଆଇନାରେ
ସ୍ମିତ ହସର ତରଙ୍ଗଟିଏ ଖେଳିଯାଏ
ଆଜିକାଲି ସ୍ଫିଙ୍କସ ଭଳି ମୋ କଠିନ ମୁହଁରେ …
ସତରେ ମୋନାଲିସା !!!
କେମିତି ସମ୍ପର୍କ ଆମର
ବୁଝି ବି ଅବୁଝା ହେଉଥିବା ସମ୍ପର୍କ
ସାନ୍ନିଧ୍ୟରେ ଥିବା ଚଞ୍ଚଳତା, ମାଦକତା
କିନ୍ତୁ କେବେ ବି ନାମ ଦେଇନଥିବା ସମ୍ପର୍କ
ଅନ୍ୟ ମାନଙ୍କ ଇସାରାକୁ ଖୁବ ଭଲ ଭାବରେ ବୁଝିପାରୁଥିବା
ଅଥଚ, ସୀମା ସରହଦ ଭିତରେ ବାନ୍ଧି ହେଇଯାଇଥିବା
ଆମରି ଜୀବନକୁ …… ସମାଜକୁ
ସମ୍ପର୍କର ମାପକାଠିକୁ ପରଖୁ ପରଖୁ
କେତେବେଳେ ତୁମେ ଚାଲିଗଲ ନିଜ ରାସ୍ତାରେ
ମତେ ମୋ ଜୀବନକୁ ଖୋଜିବା ପାଇଁ କହି ….
ମୁଁ କିନ୍ତୁ ଏବେ ବି ଖୋଜୁଛି
ସେଇ ପୁରୁଣା ଦିନକୁ
ସେଇ ମୋନାଲିସାକୁ
ସେଇ ନାମହୀନ ସମ୍ପର୍କକୁ
ଆଉ ତା ସଂଗେ ମନଭରି ହସିଥିବା ଶେଷ ହସକୁ ……