ମା ଶାରଳାଙ୍କ ପାଦେ ନେଉଛି ଶରଣ
ଲେଖିବାକୁ ଚାଷୀ ଆତ୍ମହତ୍ୟାର କାରଣ ।।
କୃଷକର ହୋଇଲାଣି ଦୟନୀୟ ସ୍ଥିତି
ନେତାମାନେ କରୁଛନ୍ତି ଶସ୍ତା ରାଜନୀତି ।।
ପାଞ୍ଚଗୁଣ ବଢ଼ିଲାଣି ଔଷଧ ସାର
ଟ୍ରାକ୍ଟର ଭଡ଼ା , ଡିଜେଲ ବଢେ ବାର ବାର ।।
ମୂଲିଆ ମଜୁରି ବଢ଼ିଲାଣି କେତେ କାହିଁ
ମାଗିଲେଣି ମଦ ପାଣି କର୍ମେ ନିଷ୍ଠା ନାହିଁ ।।
ନିତ୍ୟାଳି ଦରବ ଦର ସୀମା-ସର ଡେଇଁ
ସତେ ଅବା ଚାଷୀ କୁଳ ଯିବ ସବୁ ନେଇ ।।
ଧୋଇ ମରୁଡି ବତାସ ଦୈବୀ ଦୁର୍ବିପାକ
ସହି ସହି ଚଷା ଭାଇ ହେଲେଣି ନିର୍ବାକ ।।
ନିୟନ୍ତ୍ରଣ ପାଇଁ ନାହିଁ କିଛି ହିଁ ବ୍ୟବସ୍ଥା
ଦିନୁଦିନୁ ଦୟନୀୟ କୃଷକ ଅବସ୍ଥା ।।
କ୍ଷେତରେ ଖରଚ ହୁଏ ପୁଞ୍ଜି ବହୁଗୁଣ
ଧାନ ଦର ନ୍ୟୁନ ଯୋଗୁଁ ବଢେ ଚାଷୀ ୠଣ ।।
ଶୁଣବାରେ ସାଧୁଜନ ଏତିକି ମାତର
ଚାଷୀ ପାଇଁ ହୁଏ ଯାହା ଅନ୍ତର ପାତର ।
ଜନକଲ୍ୟାଣ ଯୋଜନା ସରକାର କରେ
ମରୁ ପଛେ ଚାଷୀ ତାଙ୍କ ମୁଣ୍ଡେ ସବୁ ଭରେ ।
ସୁଲଭର ଦେବେ ବୋଲି ସଭିଙ୍କୁ ଆହାର
ନ ବଢ଼ାନ୍ତି କେବେ କଷ୍ଟ ଅର୍ଜିତ କାହାର ।।
ଖାଦ୍ୟ ଶସ୍ୟ ପାଇଁ ଶସ୍ତା ବଜାରର ସୃଷ୍ଟି
ସଯତ୍ନରେ ସରକାର ଦେଇଥାନ୍ତି ଦୃଷ୍ଟି ।।
ଚାଷୀଙ୍କୁ ସର୍ବେ ଦୁହାଁଳିଆ ଗାଈ
ବଞ୍ଚିରହୁ ଅନୁକମ୍ପା ଚୋକଡକୁ ଖାଇ ।।
ପରାଧୀନ ପଘାଟିରେ ବନ୍ଧା ହୋଇ ଆଉ
ସମସ୍ତଙ୍କୁ ସୁଖବାଣ୍ଟି ଦୁଃଖ କଷ୍ଟ ପାଉ ।।
କୃଷକ ଅଟଇ ଫଳ ଫୁଲଭରା ବୃକ୍ଷ
ଖାଦ୍ୟ ଦିଏ ଖରା ବର୍ଷା ଶୀତେ ସହି ଦୁଃଖ ।।
ନିର୍ମୂଳି ଲଟା ପରି ଏଠାରେ ସମସ୍ତେ
ବେଢ଼ିଛନ୍ତି ଚାଷୀ ବୃକ୍ଷେ ପରସ୍ତେ ପରସ୍ତେ ।।
ଜାଣିରଖ ବୃକ୍ଷ ମଲେ ଲଟା ଯିବ ମରି
ଚାଷୀଙ୍କୁ ଶୋଷଣ କୁହ କରିବ କିପରି ।।
ବେଳଥାଉଁ ବୃକ୍ଷ କଥା ଭାବ ସବୁ ଲଟା
ନ ଆସୁ ଦୁର୍ଦ୍ଦିନ ଦୁର୍ଭିକ୍ଷର ଘନଘଟା ।।
