ସ୍ମୃତି
କେବେ ଗୋଧୁଳି ବେଳର
ରକ୍ତଭିଜା ଅରୁଣିମାର ରଙ୍ଗଟିଏ ତ
କେବେ ଗ୍ରୀଷ୍ମର ନିଦାଘରେ
ଗଛଡାଳରେ ବସିଥିବା
କୋଇଲିର କୁହୁ ତାନଟିଏ ।
ସ୍ମୃତି
କେବେ ଶିଶୁର କୋମଳ ମନର
ଅସମାହିତ ପ୍ରଶ୍ନର ଝୁଡ଼ିଟିଏ ତ
କେବେ ପୁରୁଣା ବହି ଭିତରେ
ଶୁଖି ଯାଇଥିବା ଗୋଲାପ ପାଖୁଡାଟିଏ ।
ସ୍ମୃତି
କେବେ ସନ୍ଧ୍ୟାବେଳେ ଚଉଁରାମୂଳରେ
ଜଳୁଥିବା ସଞ୍ଜବତୀଟିଏ ତ
କେବେ ସବୁ ପୋଡ଼ି ଦେଉଥିବା
କ୍ରୋଧର ହିଂସ୍ର ଉତ୍ତପ୍ତ ବହ୍ନିଟିଏ ।
ସ୍ମୃତି
କେବେ ଶୀତ ରାତିରେ ମା ହାତର
ପ୍ରେମରେ ସିକ୍ତ ସ୍ପର୍ଶଟିଏ ତ
କେବେ ସବୁ ହରେଇଥିବା ଲୋକର
ଆଖିରୁ ବୋହୁଥିବା ଉଷ୍ମ ଧାରାଟିଏ ।