ତୁମେ ଗଲା ପରେ ,
ଏ ଦିନ ରାତି, ଏ ଚନ୍ଦ୍ରମା ସୂର୍ଯ୍ୟ,
ସବୁ ଚିରାଚରିତ ଚଳଚଞ୍ଚଳ,
ଝରକା ସେପାଖ ଦୃଷ୍ଟିଗୋଚର ହୁଅନ୍ତି,
ସ୍ୱ ପଥେ ସ୍ନିଗ୍ଧ ଚିତ୍ତେ କ୍ରମୋନ୍ନତଶୀଳ ।
ବୁଝି ପାରେନା ଇଙ୍ଗିତ କରନ୍ତି,
ନା ସମବେଦନା ଜଣାନ୍ତି,
ନା ଅଫେରା ରାଇଜରୁ,
ତୁମ ସ୍ପର୍ଶ ଟିକକ କିଛି ମୂହୁର୍ତ୍ତ ପାଇଁ,
ଚୋରାଇ ଆଣିବାକୁ ଚେଷ୍ଟା କରନ୍ତି ।
ମୁଁ ସିନା ମନୁଷ୍ୟ,
ଶରୀର ନାମକ କାରାଗାରରେ ବନ୍ଦିନୀ,
କୋଟି ପ୍ରୟାସ ସତ୍ତ୍ୱେ ଶ୍ୱାସ ରତ ,
ସତେ ଅବା ଅମାନିଆ ସ୍ପନ୍ଦନଟା,
ଏ କାୟା ନ ଛାଡ଼ିବାକୁ ପଣ କରିଛି ।
କିନ୍ତୁ ସେ ଗ୍ରୀଲ୍ ସେପାଖର ପାଣି ପବନ,
ସବୁ ଯେ ସ୍ୱାଧୀନ, ଆଜୀବନ ମୁକ୍ତ,
ଯାଇ ପାରନ୍ତେ କି କେବେ ତୁମ ଦୁନିଆକୁ,
ମୋ ଭାବନାକୁ ତୁମ ପାଖେ ପହଞ୍ଚାଇବାକୁ,
ପୁଣି ତୁମ ଅନୁଭୂତି ମୋ ସାଥେ ବାଣ୍ଟିବାକୁ ।